ମହଯାତ୍ରା

 

 

 

 

 

 

 

 

 

ମହାଯାତ୍ରା

କବିବର ରାଧାନାଥ ରାୟ

 

ପ୍ରଥମ ସର୍ଗ

 

ପଙ୍କଜବାସିନୀ ଦେବୀ, ଉତ୍କଳଭାରତି

ସାରଳେ, କି କଲେ, କହ, କୁରୁଚୂଡ଼ାମଣି (୧)

ଶୁଣିଲେ ଯେକାଳେ ବୀର ବାର୍ତ୍ତାହର ମୁଖେ

ପ୍ରଭାସେ ଯାଦବଙ୍କର ଜ୍ଞାତି-କ୍ଷୟକାରୀ (୨)

ମହାଦେବ, ଧୀରମଣି ଧୈର୍ଯ୍ୟ ଧରି, ଆହା,

କେମନ୍ତେ ଶୁଣିଲେ ସେହି ଦାରୁଣ ବାରତା ?

କି କଲେ ଶୁଣିଣ ଚିର-ବିପଦ-ବାନ୍ଧବ

ଯଦୁବଂଶ-ଅବତଂସ ଯାଦବପତିର (୩)

ତ୍ରିଦିବ-ପ୍ରୟାଣ-ବାର୍ତ୍ତା, କହ କୃପା ବହି,

ଯଦୁବଂଶ ଧ୍ୱଂସ ଶୁଣି କୁରୁକୁଳମଣି

ଯୁଧିଷ୍ଠିର, କିରୀଟୀଙ୍କି କହିଲେ ସମ୍ବୋଧି,

 

(୧)

ସାରଳାଦେବୀଙ୍କ ମନ୍ଦିର ମହାନଦୀର ଅଦୂରବର୍ତ୍ତୀ ଝଙ୍କଡ଼ ଗ୍ରାମରେ ଅବସ୍ଥିତ, ଓଡ଼ିଶାରେ ଏହି ଦେବୀ ବିଦ୍ୟାର ଅଧିଷ୍ଠାତ୍ରୀ ରୂପେ ପ୍ରତିଷ୍ଠିତ, କୁରୁଚୂଡ଼ାମଣି-ଯୁଧିଷ୍ଠିର ।

(୨)

ପ୍ରଭାସ-ଦ୍ୱାରକାର ଅଦୂରବର୍ତ୍ତୀ ସମୁଦ୍ରକୂଳସ୍ଥିତ ତୀର୍ଥ । ଋଷି-ଅଭିଶପ୍ତ ଯଦୁବଂଶୀୟମାନେ ଏହିଠାରେ ସୁରାପାନରେ ମତ୍ତ ହୋଇ ପରସ୍ପର ଯୁଦ୍ଧ କରି ନିହତ ହୋଇଥିଲେ ।

(୩)

ଯାଦବପତି-ଶ୍ରୀକୃଷ୍ଣ ।

 

‘‘ହେ ବୀର, ଦୁସ୍ତର କୁରୁ-ସମର-ସାଗରେ

(ତିମି-ତିମିଙ୍ଗଳ-ରୂପେ ଭ୍ରମିଲେ ଭୈରବେ

ଯହିଁ ମହାରଥିପତି ଭୀଷ୍ମ ଦ୍ରୋଣ ଆଦି) (୪)

ଯେ ମହାପୁରୁଷ ନିଜ କୃପା-ତରଣୀରେ

ପାରିକଲେ ପାଣ୍ଡବଙ୍କୁ କର୍ଣ୍ଣଧାର-ରୂପେ,

ଚଳୁଥିଲେ ଅନୁକ୍ଷଣ ଶ୍ରୀକରେ ଯାଙ୍କର

ନ୍ୟାୟବଳ-ବଳରୂପେ କୋଟି କୋଟି ପ୍ରାଣୀ (୫)

ଗଲେ ମର୍ତ୍ତ୍ୟଧାମ ତେଜି ନିଜ ଧାମେ ସେହି

କେଶବ, କି ସୁଖେ ଆଉ ରହିବା ସଂସାରେ ?

ସଂସାରର ଲୀଳା ଖେଳା ସରିଲା ଆମ୍ଭର,

ସଂସାର-ବିଷୟ-ବିଷେ ଜରଜର ହୋଇ

ସାରସତ୍ତ୍ୱ ପାସୋରିଣ ସାରିଲୁଁ ଆୟୁଷ,

ଦୁଃଖମୟ ଭବ ସିନା, ମହାସୁଖ ବୋଲି

ବୋଲନ୍ତି ଜଗତେ ଯାକୁ, ଜଡ଼ିତ ସେ ସଦା

ମହାଦୁଃଖେ, ଆଲୋକ ସେ ଜଡ଼ିତ ତମସେ,

ହତହେଲେ ସୁଯୋଧନ କୁରୁକ୍ଷେତ୍ର ଋଣେ (୩)

ଜୟୀ ହୋଇ ଆମ୍ଭେ ତହିଁ ହେଲୁଁ ଜୀବନ୍ମୃତ, (୪)

 

(୧)

ଭୀଷ୍ମ, ଦ୍ରୋଣ, କର୍ଣ୍ଣ ପ୍ରଭୃତି ଦୁର୍ଯ୍ୟୋଧନପକ୍ଷୀୟ ପ୍ରଧାନଯୋଦ୍ଧା ଥିବାରୁ ରଣସମୁଦ୍ରର ତିମି ତିମିଙ୍ଗିଳରୂପେ ବର୍ଣ୍ଣିତ ହୋଇଅଛନ୍ତି ।

(୨)

ନ୍ୟାୟବଳ-ଶତରଞ୍ଜଖେଳର ପୁତ୍ତଳିକା ।

(୩)

ସୁଯୋଧନ-ଦୁର୍ଯ୍ୟୋଧନ। ।

(୪)

ପାଣ୍ଡବପକ୍ଷ ଜୟୀ ହୋଇଥିଲେ ସତ୍ୟ, ମାତ୍ର ସେ ଜୟ ମଧ୍ୟ ଶୋଚନୀୟ ହୋଇଥିଲା, ପାଣ୍ଡବମାନଙ୍କର ପ୍ରଧାନ ଆତ୍ମୀୟ ଯଥା-ଦ୍ରୁପଦ, ବିରାଟ, ଧୃଷ୍ଟଦ୍ୟୁମ୍ନ, ଶିଖଣ୍ଡୀ, ଅଭିମନ୍ୟୁ, ଘଟୋତ୍କଚ, ଦ୍ରୌପଦୀଙ୍କ ପଞ୍ଚପୁତ୍ର ପ୍ରଭୁତି କୁରୁକ୍ଷେତ୍ରରେ ହତ ହୋଇଥିବାରୁ ଜୟୀ ପାଣ୍ଡବମାନେ ସୁଦ୍ଧା ଜୀବନ୍ମୃତ ପ୍ରାୟ ହୋଇଥିଲେ, ତେଣୁ ଯୁଧିଷ୍ଠିରଙ୍କ ସିଂହାସନ ‘ସନ୍ତାପର ସିଂହାସନ’ହୋଇଥିଲା ।

 

ପୁତ୍ର-ମିତ୍ର-ରକ୍ତ-ସ୍ରୋତେ ସନ୍ତରି ସନ୍ତାପେ

ସନ୍ତାପର ସିଂହାସନ ହେଲା ସିନା ଲାଭ !

ଭଙ୍ଗୁର ଭବର, ଭାଇ, ସୁଖ ଏହିପରି !

ଧନ୍ୟ ସେହି ଅତନ୍ଦ୍ରିତ ଋଷିବୃନ୍ଦ ଭବେ, (୧)

ବିଷୟବିମୁଖ ହୋଇ ସାଧନ୍ତି ଯେ ସଦା

ସୁଖବୃଦ୍ଧି ତୃଷ୍ଣାକ୍ଷୟେ, ତୃଷ୍ଣା-ଲୟେ ପୁଣି

ସୀମାତୀତ-ସୁଖରାଜ୍ୟେ ବିହରନ୍ତିମୁଦେ, (୨)

 

(୧)

ଅତନ୍ଦ୍ରିତ-ଜାଗରୂକ, ସଂସାରମାୟାରେ ଯେଉଁମାନେ ମୁଗ୍‌ଧ ନୁହନ୍ତି ।

(୨)

ବିଷୟୀ ଲୋକମାନେ ବିଷୟବୃଦ୍ଧିଦ୍ୱାରା ସୁଖୀ ହେବାକୁ ଚେଷ୍ଟା କରନ୍ତି, ଋଷିମାନେ ବାସନା କ୍ଷୟଦ୍ୱାରା ସୁଖୀ ହେବାକୁ ଚେଷ୍ଟା କରନ୍ତି, ବାସନା କ୍ଷୟ ହେଲେ ସୀମାବଦ୍ଧ ସୁଖ ଅସୀମ ହୁଏ, କ-ରାଶି ଶୂନ୍ୟଦ୍ୱାରା ବିଭକ୍ତି ହେଲେ ତାହାର ଭାଗଫଳ ଅସୀମ–ଏହି ଗାଣିତିକ ସୂତ୍ର ସହିତ ଏହି ଭାବର ସାଦୃଶ୍ୟ ।

 

 

ନିରୁଦ୍‌ବେଗେ ରହନ୍ତି ସେ କାଳକୁ ଅନାଇ,

ଏ ଜୀବ ନୁହଇ ସ୍ଥିର, ସ୍ଥିରଟି ମରଣ,

ମାଟିର ଏ ଘଟ ନିଶ୍ଚେଁ ମିଶିବ ମାଟିରେ,

ସର୍ବହର କାଳ ମହାବଳିଠାରୁ ବଳୀ !

କଠୋର ଏ ଧନୁ ତୋର, କଠୋର ଭୀମର

ମହାଗଦା, ଗ୍ରାସଇ ସେ ପକ୍ୱ-ରମ୍ଭା ପରି !

ଲଗାଇଛି ଫାଶ ସେହୁ ସମସ୍ତଙ୍କ ଗଳେ-

କି ରାଜା, କି ପ୍ରଜା, କିବା ବୀର, କିବା ଭୀରୁ,

ଗୁଣୀ, ଗୁଣହୀନ ଅବା ସୁନ୍ଦର, କୁତ୍ସିତ,

ଧନିକ, ନିର୍ଧନ, ଅବା ପ୍ରବଳ, ଦୁର୍ବଳ,

ସେ ଗୁପତ ଫାଶୁଁ କେହି ନୁହନ୍ତି ମୁକତ,

ଜନ୍ମିବା ଆଗରୁ ସେହି ଫାଶ ପିନ୍ଧି ଗଳେ

ଭୂମିଷ୍ଠ ହୁଅଇ ଜୀବ ଜନନୀ-ଜଠରୁ,

ନିଜ ଦିନ କ୍ଷୀଣ ଦେଖି ଦୁରନ୍ତ ସଂହାରୀ

ଅତର୍କିତେ ସଂହାରିବ ଓଟାରି ସେ ଫାଶ, (୧)

କାହାରି ବେଳକୁ କାଳ ଅନାଇଁ ନ ବସେ,

ପାସୋରିଲେ ତାକୁ ସେହି କେବେ ନ ପାସୋରେ

ଅଦ୍ଭୁତ ସେ ଚୋର, ତାକୁ ରୋଧିଲେ ତୋରଣ,

ପାଚେରି ଲଙ୍ଘିଣ ପୁରେ ପଶେ ଅନାୟାସେ,

ତାଲକ-କୀଳିତ ଗୃହେ ପଶେ ଅକୁଣ୍ଠିତେ (୨)

ନ ଫିଟାଇ ସେ ତାଲକ, ଖଣ୍ଟଶିରୋମଣି,

ସେ ଆସି ଖୋଜିବା ଆଗୁଁ ଏ ଭବରମାୟା

ତେଜି ହେ ବୀରନ୍ଦ୍ର, ଚାଲ ଖୋଜିବା କାଳକୁ ।’’

 

(୧)

କାଳ କାହାରି ସୁବିଧା ଅସୁବିଧା ସମୟ ଅସମୟ ପ୍ରତି ଦୃକ୍‌ପାତ କରେ ନାହିଁ, ନିଜର ସମୟ ବୁଝି ପ୍ରାଣୀମାନଙ୍କୁ କବଳିତ କରେ ।

(୨)

ତାଲକ-କୀଳିତ-ତାଲାଦ୍ୱାରା ବନ୍ଦ ।

 

ବୋଇଲେ କିରୀଟୀ ତହୁଁ ଅଗ୍ରଜ ଛାମୁରେ,

‘‘ହେ ଗୋସାଇଁ, ଛାଡ଼ି ନାହିଁ କାଳ କାହାରିକି,

ସମସ୍ତଙ୍କୁ ଲୋଡ଼ି ନିଏ ଯଥାକାଳେ ଯେହୁ,

ମୁଁ ଯାଇ ଲୋଡ଼ିବି ତାକୁ ତୁମ୍ଭରି ଗହଣେ,’’

ଭୀମ, ବେନି ମାଦ୍ରୀସୁତେ କିରୀଟୀ-ବଚନେ

ଜଣାଇଲେ ଅଭିମତ ପରମ ଆଗ୍ରହେ,

ହିମାଦ୍ରି-ପ୍ରୟାଣେ ସର୍ବେ ବଳାଇଲେ ମନ,

ଶୁଣି ଏ ସଙ୍କଳ୍ପ ଦେବୀ ଦ୍ରୁପଦନନ୍ଦିନୀ

ସହଚରୀ ହେବାପାଇଁ ବାନପ୍ରସ୍ଥବ୍ରତେ

କଲେ ନାନା ମତେ ଅଳି ଭୂପତି-ଛାମୁରେ,

କାନ୍ଦିଣ କହିଲେ ଦେବୀ ଗଦଗଦ ଭାଷେ-

‘‘ପାଣ୍ଡବର ବନ୍ଧୁ ବୋଲି ବାନ୍ଧିଥିଲେ ବାନା

ଭୁବନେ ଯେ ମହାପ୍ରଭୁ, ସେ ପ୍ରଭୁ ବିହୁନେ

କେଉଁ ଲୋଡ଼ା ପାଣ୍ଡବର, ନାଥ, ଏ ସଂସାରେ ?

କେଉଁ ଲୋଡ଼ା ଏ ସଂସାରେ ପାଣ୍ଡବ ବିହୁନେ

ପାଣ୍ଡବ-ଶରଣା-ଦୀନା ଦ୍ରୁପଦକନ୍ୟାର ?

କି ଲୋଡ଼ା ମୋହର ଅଶ୍ରୁସିକ୍ତ-ରାଜଭୋଗେ ?

କି ସୁଖ, ହେ ପାଣ୍ଡୁନାଥ, ଏ ଦଗ୍‌ଧ ପରାଣେ

ଗୃହେ ଥାଇଁ ? ଥାଉ ଗୃହ ଗୃହ-ସୁଖ ନେଇ,

ରାଜ୍ୟ ରାଜସୁଖ ନେଇ, ଏ ବେନିଙ୍କି ଛାଡ଼ି

ଛାୟା ପ୍ରାୟ ତୁମ୍ଭ ସଙ୍ଗେ ବିଚରିବି ବନେ,

ସୁଖୀ ଥିଲି ବନେ, ଦୁଃଖୀ ହେଲି ସିଂହାସନେ,

ଦୁଃଖୀପାଇଁ ସ୍ଥାନ କାହିଁ ସଂସାର-ଗହଳେ ? (୧)

ଦୁଃଖୀ ଲୋଡ଼େ ନିକାଞ୍ଚନ, ଦୁଃଖୀର ନୟନେ

ସଂସାର-ସମ୍ପଦ ସିନା ମହାବିଡ଼ମ୍ବନା !

ନଳିନୀ-ନୟନେ, ନାଥ ଯେସନେ ଚନ୍ଦ୍ରିକା,

ଅକ୍ଷମ ସମ୍ପଦ ଦୁଃଖ ମେଣ୍ଟାଇବା ପାଇଁ ;

ପକାଏ କେବଳ ମାତ୍ର କଣ୍ଟକ ସେ ପଥେ

ସମବେଦନାର, ନାଥ, ଏହି ତାର ରୀତି ! (୨)

ଭେଦାଭେଦ ବାରିବାର ପ୍ରାସାଦେ କୁଟୀରେ

ସରିଛି ସେ ଦିନ ମୋର ଚିରଦିନ ଲାଗି,

ନୁହଇଁ କେବଳ ମୁହିଁ ସମ୍ପଦ-ସଙ୍ଗିନୀ

ପାଣ୍ଡବର, ପୂର୍ବେ ଯଥା ସେବୁଥିଲି ବନେ

ଚରଣେ ତୁମ୍ଭର, ଏବେ ସେବିବି ସେମତେ,

ଏହି ଭିକ୍ଷା ମାଗେ ଦାସୀ ଶ୍ରୀପଦେ ଗୋସାଇଁ,’’

ବିଜ୍ଞମଣି ଯୁଧିଷ୍ଠିର ଯାଜ୍ଞସେନୀ-ବାଣୀ

ଶୁଣି ଯିବାପାଇଁ ତାଙ୍କୁ ଦେଲେ ଅନୁମତି ।

ତହୁଁ ରାଜସିଂହାସନେ ପରୀକ୍ଷିତଙ୍କର (୩)

ଅଭିଷେକ-ବିଧି ରାଜା ଯତନେ ସମ୍ପାଦି,

ବୈଶ୍ୟା-ଗର୍ଭଜାତ ଶାନ୍ତ ଧୃତରାଷ୍ଟ୍ରସୁତ

 

(୧)

ସଂସାରରେ ସମସ୍ତ ସ୍ୱାର୍ଥ ସଂଗ୍ରାମରେ ବ୍ୟତିବ୍ୟସ୍ତ, ଦୁଃଖୀ ଦୁଃଖରେ ସହାନୁଭୂତି ଦେଖାଇବାକୁ କାହାରି ଅବସର ନ ଥାଏ ।

(୨)

ଯେଉଁମାନଙ୍କର ସମ୍ପଦ ଅଛି ସେମାନେ ନିଜ ଦୁଃଖରେ ଅନ୍ୟର ସହାନୁଭୂତି ପାଆନ୍ତି ନାହିଁ-

(୩)

ପରିକ୍ଷିତ ଅଭିମନ୍ୟୁ ପୁତ୍ର ।

 

ଯୁଯୁତ୍ସୁଙ୍କୁ ନିୟୋଜିଲେ ପ୍ରତିନିଧିପଦେ (୧)

ସାମ୍ରାଜ୍ୟ ଶାସନ ପାଇଁ ଶୈଶବେ ତାଙ୍କର,

ତହୁଁ ବୃଦ୍ଧା ସୁଭଦ୍ରାଙ୍କୁ ରାଇ ନରସାଁଇ

କହିଲେ, ‘ଏ ଶିଶୁ, ଦେବି, ହେବ ଦଣ୍ଡଧର

ମୋର ଅନ୍ତେ ହସ୍ତିନାରେ ରାଜସିଂହାସନେ,

ଏକମାତ୍ର କୁଳାଙ୍କୁର ଏହି-କୁରୁକୁଳେ

ଗୋଟିଏ ପ୍ରସୂନ, ଆହା, ବିଶ୍ୱେ ବିଶ୍ୱ-ଗ୍ରାସି-

କାଳ-ଦାବାନଳ-ମୁକ୍ତ କୁରୁବଂଶବନେ ! (୨)

 

(୧)

ଯୁଯୁତ୍ସୁ-ଧୃତରାଷ୍ଟ୍ରଙ୍କ ପୁତ୍ର, କୁରୁଯୁଦ୍ଧ ଆରମ୍ଭ ସମୟରେ ଯୁଧିଷ୍ଠିର ଧର୍ମଡ଼ାକ ଦେବାରୁ ଧର୍ମଭୀରୁ ଯୁଯୁତ୍ସୁ ଦୁର୍ଯ୍ୟୋଧନଙ୍କ ପକ୍ଷ ପରିତ୍ୟାଗ କରି ନିଜ ଦଳ ସହିତ ପାଣ୍ଡବ ଦଳରେ ମିଶିଥିଲେ ।

(୨)

ଯୁଦ୍ଧରେ ସମସ୍ତେ ନିହତ ହୋଇଥିବାରୁ ଏକମାତ୍ର ପରିକ୍ଷିତ ହସ୍ତିନା ସିଂହାସନର ଉତ୍ତରାଧିକାରୀ ଥିଲେ ।

 

ଭବତଳେ ଜୀବନ୍ତ ଏ ଦୟା-ନିଦର୍ଶନ

କାଳଦର୍ପହାରୀ ଦେବ ଦୀନବନ୍ଧୁଙ୍କର !

ପତି-ପିତୃ-ଭ୍ରାତୃ-ଶୋକେ ଆତୁରା ଉତ୍ତରା

ଅଶ୍ୱଥାମା-ଅସ୍ତ୍ରାନଳେ ତ୍ରସ୍ତ ହୋଇ ଯେବେ

ବିକଳେ ଶରଣ ଗଲା ଶରଣ-ବତ୍ସଳ–

ପାଦପଦ୍ମେ, ଚକ୍ରାୟୁଧ ଚକ୍ରର ଉଢ଼ାଳେ

ଝଟତି ଆଚ୍ଛାଦି ସେହି ଦୁଃଖିନୀ ଗରଭ

ବଞ୍ଚାଇଲେ ଶିଶୁସହ ଜନନୀ-ଜୀବନ,

ପାଳିବ ଏ ଶିଶୁ, ଦେବି, ପରମ ଯତନେ

ଗୃହାଶ୍ରମେ, ମୋର ଏହି ଅନ୍ତିମ ନିୟୋଗେ, (୧)

ସୁଭଦ୍ରାଙ୍କୁ ଏହିରୂପେ ଆଦେଶି ନୃମଣି

ଆଚରିଲେ ଶ୍ରାଦ୍ଧବିଧି ମାତୁଳବଂଶର,

ଉଗ୍ରସେନ, ବସୁଦେବ ଆଦି ଗୁରୁଜନେ

ବିହିତ ବିଧାନେ ବିହି ପ୍ରେତ-ଜଳାଞ୍ଜଳି, (୨)

ଅସ୍ତ୍ରଗୁରୁଙ୍କର ଗୁରୁ ବୃଦ୍ଧ ଭରଦ୍ୱାଜ, (୩)

ବଦରିକାଶ୍ରମବାସୀ ଋଷି ଦ୍ୱୈପାୟନ (୪)

(ଭାରତଭାରତୀ ଯାଙ୍କ ରସନା-ନର୍ତ୍ତକୀ),

ସୂର୍ଯ୍ୟ-ଶିଷ୍ୟ ଯାଜ୍ଞବଲ୍‌କ୍ୟ ସଂହିତା-ପ୍ରଣେତା,

ଯଜ୍ଞରତ ଜନକଙ୍କ ଗୁରୁ ପୁରାତନ, (୫)

ମାର୍କେଣ୍ଡେୟ କଳ୍ପଜୀବୀ, ଦେବର୍ଷି ନାରଦ,

ଅନନ୍ତେ ଅନନ୍ତ-ନାମ-କୀର୍ତ୍ତନ-ରସିକ, (୬)

ଯା ସଙ୍ଗୀତେ ପ୍ରେମୋଲ୍ଲାସେ ପ୍ରସ୍ଫୁରଣ ଛଳେ

ଲୋମାଞ୍ଚ ଲଭନ୍ତି ନଭେ ଜ୍ୟୋତିଷ୍କ-ମଣ୍ଡଳୀ,

ଜ୍ଞାନୀନ୍ଦ୍ର ବାଦରାୟଣି ଆଦି ମୁନିଗଣେ (୭)

ମହାଦରେ ଡାକି ରାଜା ଦେଲେ ନାନା ଦାନ-

 

(୧)

ଅନ୍ତିମ ନିୟୋଗେ-ଶେଷ ଆଦେଶରେ ।

(୨)

ଯୁଧିଷ୍ଠିର ଯଦୁବଂଶୀୟ ବସୁଦେବ ପ୍ରଭୁତିଙ୍କର ଭଣଜା ଥିଲେ ।

(୩)

ଭରଦ୍ୱାଜ ପାଣ୍ଡବମାନଙ୍କ ଅସ୍ତ୍ରଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଗୁରୁ ଅର୍ଥାତ୍ ପିତା ।

(୪)

ଦ୍ୱୈପାୟନ-ବ୍ୟାସ, ମହାଭାରତ ପ୍ରଣେତା ।

(୫)

ଜନକଙ୍କ ଦୀକ୍ଷାଗୁରୁ ଯାଜ୍ଞବଲ୍‌କ୍ୟ ଭାରତବର୍ଷର ଜଣେ ପ୍ରଧାନ ସ୍ମୃତିକାର ।

(୬)

ଆକାଶରେ ଈଶ୍ୱରଙ୍କ ନାମକୀର୍ତ୍ତନରେ ରତ ।

(୭)

ବାଦରାୟଣି-ଶୁକଦେବ ।

 

ଗୋ, ଭୂମି, କାଞ୍ଚନ, ରତ୍ନ, ବସ୍ତ୍ର, ଆଭରଣ,

ଗଜ, ବାଜୀ ମହୋଜ୍ଜ୍ୱଳ ସ୍ୟନ୍ଦନାଦି କରି

ସ୍ୱର୍ଗତ ଶାରଙ୍ଗଧର କେଶବ ଉଦ୍ଦେଶେ; (୧)

କୁଳଗୁରୁ କୃପାଚାର୍ଯ୍ୟ-ପଦେ ପରୀକ୍ଷିତେ (୨)

ସମର୍ପି କହିଲେ, ‘‘ଗୁରୋ, ଦାସ-ଅନୁଦାସ

ଏ ତୁମ୍ଭର, ଦୟା ବହି ବାଲ୍ୟେ ଯଥା ମୋତେ

ଶିଖାଇଲ ଧନୁର୍ବେଦ, ଏହାକୁ ସେପରି

ଶିଖାଇବ, ଏହି ଭିକ୍ଷା ମାଗୁଛିଁ ପୟରେ,

ଆହେ ରଣବିଶାରଦ ସେନାପତିଦଳ,

ତୁମ୍ଭ ବାହୁ-ଛାୟା-ତଳେ ବଢ଼ୁ ଏ କୁମର

ମଣ୍ଡିବାକୁ ହସ୍ତିନାର ଶୂନ୍ୟସିଂହାସନ,

ରଣମୁଖେ ଅଗ୍ରଯାୟୀ ଥିଲା ଯେ ତୁମ୍ଭର,

ଯା ବିକ୍ରମେ ବିଚଳିତ ହୋଇ ରଣସ୍ଥଳେ

ଲଙ୍ଘିଣ ସମର-ଧର୍ମ ଆଚାର୍ଯ୍ୟ ଆପଣେ

ଅସମ ସମରେ ଯାର ସାଧିଲେ ନିଧନ,

କୁରୁସେନା ବିମର୍ଦ୍ଦନ, ପରବ୍ୟୂହଭେଦୀ

ମହାରଥୀ ଅଭିମନ୍ୟୁ-ହୃଦୟ-ଶୋଣିତ

ବହୁଛି ଏ ଶିଶୁ ଦେହେ, ଏହା ନ ବିସୋରି

ରଖିବ ଶିଶୁକୁ ନିଜ ଦେହ ଆବରଣେ,

 

(୧)

ପରଲୋକଗତ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ, କୃଷ୍ଣଙ୍କ ଧନୁର ନାମ ‘ଶାର୍ଙ୍ଗ’ ଥିଲା ।

(୨)

କୃପାଚାର୍ଯ୍ୟ-ଦ୍ରୋଣଙ୍କ ଶ୍ୟାଳକ, ପାଣ୍ଡବମାନଙ୍କର ଅନ୍ୟତମ ଅସ୍ତ୍ରଗୁରୁ ।

 

ନେତ୍ରେ ନେତ୍ର-ପତ୍ର ଯଥା, ପ୍ରମାଦ ସଙ୍କଟେ,

ସାଙ୍ଗ ହେଲା ଆଜିଠାରୁ ରାଜପଣ ମୋର,

ସମସ୍ତଙ୍କୁ କର ଯୋଡ଼ି ମାଗୁଛି ମେଲାଣି,

ବନେ ଚରି ଆଚରିବି ଆରଣ୍ୟକ-ବ୍ରତ ।’’

ବିଷଣ୍ଣ ସରବେ ହେଲେ ରାଜାଙ୍କ ବଚନେ,

‘‘ରାଜ୍ୟ ତେଜିଯିବେ ରାଜା’’ ଏ ବାର୍ତ୍ତା ନବରେ

ନବରୁ ନଗରେ, ତହୁଁ ବ୍ୟାପି ଜନପଦେ,

ବୁଡ଼ାଇଲା ଶୋକୋଚ୍ଛ୍ୱାସେ ସମଗ୍ର-ମେଦିନୀ,

ବୋଲାବୋଲି ହେଲେ ଲୋକେ ଯାର ଛତ୍ରତଳେ

ଜାଣୁ ନ ଥିବେଟି ଜନେ, ନିର୍ଦ୍ଦୋଷ ଯାବତ,

ରାଜଦଣ୍ଡ ଅଛି ବୋଲି; ଦୋଷୀ ଦେଖି ପୁଣି

ନ ସଂହାରି ବିହୁଥିଲା ସଂସ୍କାର ମାତର

କରୁଣା-କୋମଳ-ନ୍ୟାୟ ଯାର ଏ ଜଗତେ,

ତିନି ଲୋକେ ପୁଣ୍ୟଶ୍ଲୋକ ସେହି କୁରୁମଣି

ଯିବେ କି ଆମ୍ଭଙ୍କୁ ଛାଡ଼ି ? ଆହା ରେ ଦଇବ

ସତେ କି ସାଧିବୁ ଦାଉ ତୁହି ଏତେ ଦିନେ !

ହେ ଧର୍ମ, ହେ ସତ୍ୟ, ତୁମ୍ଭେ ହେଲଟି ଅନାଥ

କେ ଆଉ ନିଷ୍କାମେ ଧନ, ପ୍ରାଣ ମାୟା ତେଜି

ତୁମ୍ଭଙ୍କୁ ତୁମ୍ଭରି ଲାଗି ଭଜିବ ଏ ଭବେ ?

ଦୟା, କ୍ଷମା, ତୁମ୍ଭେ ଏବେ ହେଲଟି ଅବୀରା !

ଅବୀରା ମା ବସୁନ୍ଧରା ! -ଅବୀରା ସନ୍ତତି

ହେଲେ ସିନା ଏତେ ଦିନେ, ଦୀନହୀନ, ପ୍ରଜା,

ଚଉଦିଗୁଁ ପ୍ରଜାପୁଞ୍ଜ ଆସି ଦଳେ ଦଳେ

(ଚଉପାଶୁଁ ହ୍ରଦମୁଖେ ଗିରିସ୍ରୋତ ଯଥା)

ନବର-ପ୍ରାଙ୍ଗଣ ପ୍ଳାବୀ ଲୋତକ-ପ୍ଳାବନେ

ନୃପଙ୍କ ଛାମୁରେ କଲେ ରହିବାକୁ ଅଳି,

ଭବର ଭଙ୍ଗୁରଭାବ ଜାଣି ଯୁଧିଷ୍ଠିର

ନିବେଶିଣ ଥିଲେ ଚିତ୍ତ ସୁଚେତା ଶାଶ୍ୱତେ, (୧)

ତେଣୁ ପ୍ରଜାଙ୍କର ମାୟା ତୁଟିଲେ ସହଜେ ।

ସମାଦରେ ଯଥାବିଧି ଆମନ୍ତ୍ରି ଭୂପତି

ସାମନ୍ତ-ରାଜନ୍ୟ ଦଳେ, ପୌର, ଜାନପଦେ,

ମହାଯାତ୍ରା ଲାଗି ତହୁଁ ହେଲେ ସଜ୍ଜୀଭୂତ

ଚାରିଭାଇ କୃଷ୍ଣା ସହ ; ବରାଙ୍ଗୁ ଉତାରି

ରତ୍ନମୟ ଶିରସ୍ତ୍ରାଣ, ସାରସ୍ୱତ ଭୁଷା,

ବସନ ଭାସ୍ୱର ଯେହ୍ନେ ଗଢ଼ା ସୌରକରେ ;

ପିନ୍ଧିଲେ ବକଳ ରାୟେ; ଭୀମ ସବ୍ୟସାଚୀ ;

ଯାମକ ସୋଦର ବେନି, ପାଟମହାଦେଈ

ଦ୍ରୁପଦ-ଦୁଲଣା ପଦ୍ମପଲାଶ-ଲୋଚନା,

ବଳ୍‌କଳୀ ରାଜାଙ୍କୁ ଦେଖି ସର୍ବେ ହୃଷ୍ଟମନେ

ସଜହେଲେ ସେହିକ୍ଷଣି ଆରଣ୍ୟକ-ଦେଶେ,

ପୂର୍ବେ ଦ୍ୟୂତେ ପରାଜିତ ହୋଇ ପଞ୍ଚଭାଇ

କୃଷ୍ଣା ସଙ୍ଗେ ଯେଉଁ ବେଶେ ବାହାରିଣ ଥିଲେ

 

(୧)

ଶାଶ୍ୱତେ-ଭଗବାନଙ୍କ ପ୍ରତି,

 

ପୁରୁଁ, ପୁରନାରୀବ୍ରଜ ପୁଣି ସେହି ବେଶେ

ଦେଖି ସର୍ବେ ଜରଜର ହେଲେ ମହାଶୋକେ,

ମର୍ମଭେଦୀ ହାହାକାର ପୂରିଲା ନବର,

ମାତ୍ର ଏ ବିଷାଦେ ଭାଗୀ ନୋହିଲେ ଯାତ୍ରିକେ,

ଥୋଇଥିଲେ ମନ ଯେଣୁ ମାୟା-ମୋହ-ପାରେ

ତାମସ-ପ୍ରପଞ୍ଚାତୀତ ଅନାମୟଧାମେ,

ଆଚରି ସେ କାଳୋଚିତ-ଯଜ୍ଞ ପାଣ୍ଡୁ ସୁତେ

ଶୋଭାନା-ହସ୍ତିନା-ରୌପ୍ୟରସନା-ଜାହ୍ନବୀ-

ଜଳେ ଯଜ୍ଞାନଳ ତହୁଁ କଲେ ଜଳସାତ,

କୃଷ୍ଣା ସଙ୍ଗେ ପଞ୍ଚଭାଇ ବାହାରିଲେ ପୁରୁ,

ଦିଶିଲା ଅନାଥା ପ୍ରାୟ ହସ୍ତିନା ନଗରୀ

ବିକଳା, ଯେସନ ରାହୁଗ୍ରସ୍ତ ଶଶିକଳା,

ଚୌଦିଗେ ଉଠିଲା ମହାଶୋକର ଚହଳ;

ଉଦ୍‌ବେଳ ସାଗର ପ୍ରାୟ ଲକ୍ଷ ଲକ୍ଷ ପ୍ରଜା

ଗଳଦଶ୍ରୁନେତ୍ରେ, ପୁଣି ଦୀନହୀନ ବେଶେ

ଉଚ୍ଚୈସ୍ୱରେ କାନ୍ଦି ସର୍ବେ ଚାଳିଲେ ଗହଣେ,

ପାଦଚାରୀ ବଳ୍‌କଳିନୀ ଦ୍ରୌପଦୀଙ୍କୁ ଦେଖି

ବକ୍ଷେ କର ମାରି ଉଚ୍ଚେ କାନ୍ଦିଲେ ଅଙ୍ଗନା

ଅଳିନ୍ଦେ, ଗବାକ୍ଷେ, ଦ୍ୱାରେ, ପ୍ରସାଦଶିଖରେ;

ଚାରି ସହୋଦର ପୁଣି ଯାଜ୍ଞସେନୀ ମେଳେ

ଚାଲିଲେ ରାଜେନ୍ଦ୍ର ତେଜି କୁଳ ରାଜଧାନୀ;

ସ୍ନେହବଶେ ଶ୍ୱାନଟିଏ ଚାଲିଲା ପଶ୍ଚାତେ,

ଚାଲିଲେ ରାଜେନ୍ଦ୍ର ସହ ଲକ୍ଷ ଲକ୍ଷ ପ୍ରଜା,

ପାତ୍ର, ମନ୍ତ୍ରୀ, ସଭାସଦ, ନବର-ନିଯୋଗ,

ବହୁଦୂର ଯାଇ ଗୃହେ ବାହୁଡ଼ି ଯିବାକୁ

ରାଜାଙ୍କ ବିନୟବାଣୀ ଶୁଣି ପୁନଃ ପୁନଃ

‘ଆଉ ଖଣ୍ଡେ’ ‘ଆଉ ଖଣ୍ଡେ’ କହି କଲେ ଅଳି

ବାଷ୍ପାକୁଳ ନେତ୍ରେ, ବାଷ୍ପ-ଗଦ୍‌ଗଦ ବଚନେ;

ପୋଷିଥିଲେ ଆଶା ଅବା ଫେରିବେ ପାଣ୍ଡବେ

କୁରୁପୁରେ, ବୃଥା ଆଶା, ଫେରଇ କି କେବେ

ସିନ୍ଧୁଗାମୀ ସ୍ରୋତ, ଅବା, ରୁକ୍ମିଣୀର ରଥ ?

ରବିଙ୍କି ଦିନାନ୍ତେ ଦେଖି ଅସ୍ତାଚଳ-ଚୂଡ଼େ

କୃପ ଯୁଯୁତ୍ସଙ୍କ ସଙ୍ଗେ ସର୍ବେ ବାହୁଡ଼ିଲେ

ମହାଶୋକେ, ରାଜଶୂନ୍ୟ ପରେ ପୁରବାସୀ,

ଉଲୁପୀ ନାଗେନ୍ଦ୍ର-ଜେମା ଜହ୍ନୁସୁତା ସ୍ରୋତେ

ଝାସିଣ, ପଶିଲେ ତହୁଁ ଅତଳ ପାତାଳେ, (୧)

ବାହୁଡ଼ିଲେ ପତିଶୋକେ ବିଧୁରା ସୁନ୍ଦରୀ

ଚିତ୍ରାଙ୍ଗଦା ମଣିପୁରେ ନିଜ ଦଳବଳେ । (୨)

 

 

(୧)

ଉଲୁପୀ-ନାଗକନ୍ୟା, ଅର୍ଜୁନପତ୍ନୀ ।

(୨)

ଚିତ୍ରାଙ୍ଗଦା-ମଣିପୁର ଜେମା, ଅର୍ଜୁନପତ୍ନୀ ।

Image

 

ଦ୍ୱିତୀୟ ସର୍ଗ

 

ତେଜି ପ୍ରପଞ୍ଚର ମାୟା ତହୁଁ ପଞ୍ଚଭାଇ (୧)

ପାଞ୍ଚାଳୀ ସହିତେ ଆଗେ ଗଲେ ପୂର୍ବାଞ୍ଚଳେ

ତୀର୍ଥାଟନ-ମହାବ୍ରତ ମନାସି ମାନସେ,

ଏକାମାତ୍ର ଧର୍ମୋନ୍ମୃଖ ହୃଦୟ ତାଙ୍କର,

ଆତ୍ମା ପରମାତ୍ମା ପ୍ରତି ନିରତେ ଧାବିତ,

ବିଶ୍ୱାସରେ ମହାବଳୀ, କ୍ଳେଶ ମଣି ସୁଖ

ଭ୍ରମିଲେ ଅସଂଖ୍ୟା ଗିରି, କାନ୍ତାର, କନ୍ଦରା,

ନଦ, ନଦୀ, ମହାରଣ୍ୟ; ଅଗ୍ରେ ଯୁଧିଷ୍ଠିର

ଧର୍ମ୍ମବୀର, ସତ୍ତ୍ୱଗୁଣେ ଅଗ୍ରଣୀ ଜଗତେ,

ବୟୋଜ୍ୟେଷ୍ଠ, ଗୁଣଜ୍ୟେଷ୍ଠ, ଶିଷ୍ଟ, ଶାନ୍ତମତି,

ତାଙ୍କ ପଛେ ଭୀମ, ଭୀମ ପଛେ ଧନଞ୍ଜୟ

ଧନୁଷ୍ପାଣି, ଚିର-ପୂର୍ଣ୍ଣ-ଦିବ୍ୟ-ତୂଣ-ଧାରୀ,

ଯେଣୁ ସେହି ସର୍ବଜୟୀ ଧନୁତୂଣମାୟା

ତୁଟି ନ ପାରିଣ ସଙ୍ଗେ ଆଣିଥିଲେ ବଳୀ,

ସେହି ଧନୁ, ସେ ତୂଣୀର ବୈରାଗ୍ୟ-ବିରୋଧୀ,

ଚାଲନ୍ତି ଫାଲ୍‌ଗୁନି ପଛେ ମାଦ୍ରୀସୁତ ବେନି,

ତାଙ୍କ ପଛେ ଯାଜ୍ଞସେନୀ ଗଜେନ୍ଦ୍ର-ଗାମିନୀ,

 

(୧)

ପ୍ରପଞ୍ଚ-ସଂସାର ।

 

ରମଣୀ ସୀମନ୍ତ ରେଖା ରାମା ମହୀତଳେ,

ସ୍ନେହ ଗୁଣେ ବଦ୍ଧ ଶ୍ୱାନ ଚାଲେ ସର୍ବ ପଛେ,

ମଥୁରା କଳ୍ମଷ-ହରା ଜଗତୀରୁ ଯହିଁ (୧),

ଦେଖୁଥିଲେ କୁତୂହଳେ ଯାଦବୀ ଯୁବତୀ,

ଘନ-ନୀଳଦ୍ୟୁତି ଚକ୍ରବାକିନୀ ଯମୁନା,

ହେମ-ଭକ୍ତିମତୀ କି ସେ ଅବନୀର ବେଣୀ; (୨)

ପ୍ରୟାଗ, ପାବନ ଗଙ୍ଗା ଯମୁନା ସଙ୍ଗମେ,

କଳ୍ପସ୍ଥାୟୀ କଳ୍ପବଟ ଛାୟାରେ ଶୀତଳ,

ପତିଙ୍କ କୁଶଳ-ଭିକ୍ଷା ପତିପ୍ରାଣା ସୀତା

କରିଥିଲେ ଯାର ମୂଳେ ବନଯାତ୍ରା-କାଳେ,

ହରଶୂଳ-ଶିଖୋପରି ପୁରୀ ବାରାଣସୀ,

ହର-ଶୈଳୋପମ ଯହିଁ ତୁଙ୍ଗ ସୌଧପନ୍ତି

ଦେଖନ୍ତି ବିମ୍ବିତ ମୁଖ ଜାହ୍ନବୀ-ଦର୍ପଣେ; (୩)

ସରଯୂର ସ୍ରୋତେ ପୂତ ସାକେତ ନଗରୀ

ରଘୁକୁଳ-ରାଜଧାନୀ ଧନ୍ୟା ଧନ୍ୟ ଗୀତେ; (୪)

ବରେଣ୍ୟ ନୈମିଷାରଣ୍ୟ, ପର୍ଣ୍ଣାଶନ-ବ୍ରତୀ (୫)

 

(୧)

ଜଗତୀ-ଚନ୍ଦ୍ରଶାଳା ।

(୨)

ନୀଳ ଯମୁନା ଅବନୀର ବେଣୀ ପରି, ପୀତ ଚକ୍ରବାକମାଳା ସେହି ବେଣୀର ସୁବର୍ଣ୍ଣ ରଚନା ପରି ।

(୩)

କାଶୀ ହରଶୂଳଶିଖା ଉପରେ ଅବସ୍ଥାପିତ ବୋଲି ପୌରାଣିକ କିମ୍ବଦନ୍ତୀ ଅଛି ।

(୪)

ସାକେତ-ଅଯୋଧ୍ୟା, ରାମାୟଣରୂପୀ ଧନ୍ୟ ଗୀତଦ୍ୱାରା ଯାହା ଧନ୍ୟା ଅର୍ଥାତ୍ ପ୍ରତିଷ୍ଠିତା ।

(୫)

ନୈମିଷାରଣ୍ୟ- ଆଧୁନିକ ନାମ ନିମଖାର ।

 

ଯତୀନ୍ଦ୍ରେ ଅଧ୍ୟାତ୍ମବାଦୀ ଅବିରେତେ ରତ

ଯହିଁ ଆଧ୍ୟାତ୍ମିକ ଯାଗେ, ହୃଦ ବେଦି ଯହିଁ,

ଆତ୍ମା ଯଜମାନ, ଶ୍ରଦ୍ଧା ପତ୍ନୀସ୍ୱରୂପିଣୀ,

ତପ ବହ୍ନି, କାମ ଆଜ୍ୟ, କ୍ରୋଧ ଯଜ୍ଞପଶୁ,

ଧୈର୍ଯ୍ୟଯୂପ, ତ୍ୟାଗ ହୋତା, ବଚନ ଉଦ୍‌ଗାତା,

ସୋମରସ ସୁମଧୁର ଭକ୍ତି ଅଧୋକ୍ଷଜେ;

ଗୟାପୁରୀ ପ୍ରତିଷ୍ଠିତ ଗୟାସୁର-ଶିରେ,

ଯହିଁ ବହେ ଫଲ୍‌ଗୁ ଅନ୍ତଃସଲିଳା ତଟିନୀ;

ରାଜଗିରି ବିରାଜିତ ଶତ ପ୍ରସ୍ରବଣେ, (୧)

ଜରାସନ୍ଧେ ବଧିଥିଲେ ଗିରିଦୁର୍ଗେ ଯହିଁ

ବାୟୁସୁତ ବୃକୋଦର କେଶବ କୌଶଳେ,

ମହାଶକ୍ତି ପୀଠ ପୂତ ଭାଗୀରଥୀ-ତୀରେ,

ବିରାଜନ୍ତି ଯହିଁ ଦେବୀ ନୃମୁଣ୍ଡମାଳିନୀ; (୨)

ଲୌହିତ୍ୟା-ତରଙ୍ଗେ ଧୌତ ପ୍ରାଗ୍‌ଜ୍ୟୋତିଷପୁରୀ,

ଲଭିଛି ଅଭିଖ୍ୟା ଯେହୁ କାମାଖ୍ୟା-ପ୍ରସାଦେ, (୩)

ପାଣ୍ଡୁ ଜଳାରଣ୍ୟ ମଧ୍ୟେ କପିଳ-ଆଶ୍ରମ, (୪)

ମହର୍ଷିଙ୍କ ରୋଷାନଳେ ହୋଇ ଭସ୍ମୀଭୂତ

 

(୧)

ରାଜଗିରି-ବେହାରର ଅନ୍ତର୍ଗତ । ଜରାସନ୍ଧର ଗଡ଼ ଏହିଠାରେ ଥିବାର କିମ୍ବଦନ୍ତୀ ଅଛି-

(୨)

କାଳୀଘାଟ-କଲିକତାର ନିକଟବର୍ତ୍ତୀ ।

(୩)

ଲୌହିତ୍ୟା-ବହ୍ମପୁତ୍ର, ପ୍ରାଗ୍‌ଜ୍ୟୋତିଷ-ଆାସମ, କାମାଖ୍ୟାଦେବୀଙ୍କ ମନ୍ଦିର ଏହି ପ୍ରଦେଶରେ ଅବସ୍ଥିତ, ଅଭିଖ୍ୟା-ଶୋଭା ।

(୪)

ଗଙ୍ଗାସାଗର ଦ୍ୱୀପ ।

 

ମୁକତି ଲଭିଲେ ଯହିଁ ସଗରସନ୍ତତି

ଭଗୀରଥତପଃଫଳେ, ଅବନୀପ୍ରବଣା

ତ୍ରିଲୋକପାବନୀ ଗଙ୍ଗା ପାବନ-ପରଶେ;

ବର୍ଗଭୀମା-ଅଧିଷ୍ଠିତ ମହୀସ୍ୱର୍ଗୋପମା,

ଇନ୍ଦ୍ରଚାପ-ଚାରୁ-ପୋତ-ପତାକା-ମାଳିନୀ,

ଗଙ୍ଗାମୁଖେ ପୋତଧାତ୍ରୀ ତାମ୍ରଲିପ୍ତି ପୁରୀ, (୧)

ବିପଣିବୀଥିକା ଯାର ସମୁଜ୍ଜ୍ୱଳ ସଦା

ଦ୍ୱୀପାନ୍ତରାଗତ-ମଣି-ମୌକ୍ତିକ-ପ୍ରବାଳେ;

ପଞ୍ଚାଳେ, କୋଶଳେ ପୁଣି ବିଦେହେ, ମଗଧେ,

ଅଙ୍ଗେ, ବଙ୍ଗେ ଏହି ମତେ ନାନା ସ୍ଥାନେ ଭ୍ରମି,

ନାନା ତୀର୍ଥ ସେବି, ଶୂରେ ଆସିଣ ମିଳିଲେ,

ଉତ୍କଳର ପ୍ରାଚ୍ୟ-ନୀର ପ୍ରାଚୀର-ଆକୃତି, (୨)

ନୀଳ-ଫେନାକୁଳ-ତୁଙ୍ଗ-ତରଙ୍ଗ-ଭଙ୍ଗୁର,

ନୀଳାଚଳତଟେ, ଯହିଁ ଲୋଟେ ବାରାନିଧି (୩)

ଗମ୍ଭୀର ନିର୍ଘୋଷେ ଘୋଷି ବିଶ୍ୱ ଚରାଚରେ,

ଗର୍ଜ୍ଜଇ କି ନିଜ ବିଷଜ୍ୱାଳା ଅସମ୍ଭାଳେ

ଫଣୀନ୍ଦ୍ର ବାସୁକି ଅବା ଫଣାଶ୍ରେଣୀ ତୋଳି !

 

(୧)

ତାମ୍ରଲିପ୍ତିର ଆଧୁନିକ ନାମ ତମଲଖ, ଏଠାରେ ବର୍ଗଭୀମା ଦେବୀଙ୍କ ମନ୍ଦିର ପ୍ରତିଷ୍ଠିତ ।

(୨)

ଓଡ଼ିଶାରେ ପୂର୍ବଦିଗସ୍ଥ ଜଳପ୍ରାଚୀରରୂପୀ ।

(୩)

ନୀଳାଚଳ-ଶ୍ରୀକ୍ଷେତ୍ର ।

 

ଅନନ୍ତ-ନୀଳିମାମୟ ସେ ଜଳକାନ୍ତାରେ (୧)

ଉଲ୍ଲୋଳ କଲ୍ଲୋଳଲୀଳା ହେରି କୁତୂହଳେ

ବୀରବୃନ୍ଦ ସର୍ବେ ହେଲେ ସ୍ତବ୍‌ଧ ବିସ୍ମୟେ !

ସହସା ତରଙ୍ଗ ଭେଦି ଉଠିଲେ ଅଗ୍ରତେ

ଦିବ୍ୟ-ବପୁଷ୍ମନ୍ତ ଜ୍ୱାଳାମାଳା-ବିଭୂଷିତ

ଭାସ୍ୱର ପୁରୁଷ ଏକ ସାଗର ଉଦ୍ଭାସି,

ଯା ଦର୍ଶନେ ବେଳାଭୂମିଚାରୀ ମୃଗଯୂଥେ

ସଚକିତେ ମହାତ୍ରସ୍ତେ ପଳାଇଲେ ଦୂରେ,

ମଧ୍ୟମପାଣ୍ଡବେ ଚାହିଁ ସେ ଦିବ୍ୟପୁରୁଷ (୨)

ବୋଇଲେ, ‘‘ହେ ବୀର, ଚିହ୍ନିପାରିଲଟି ମୋତେ,

ଦହିଣ ଖାଣ୍ଡବବନ ବାସବପାଳିତ

ତୋଷି ମୋତେ, ଲଭିଥିଲ ଦେବ ଦୈତ୍ୟ ନରେ

ଦୁର୍ଜୟ, ହେ ଜିଷ୍ଣ୍ରୁ, ଏହି କୋଦଣ୍ଡ ଗାଣ୍ଡୀବ, (୩)

ଏ ଅକ୍ଷୟ ତୂଣଯୁଗ୍ମ, କର୍ଣ୍ଣ ରୂପେ ଯାହା

କର୍ଣ୍ଣଧାରାରୂପେ ତୁମ୍ଭେ ଧରି ବରଭୁଜେ

ପାଣ୍ଡବର ଆଶା-ତରୀ ପାରି କଲ ହେଳେ

ଅକୂଳ ଅତଳ କୁସୁମର-ସାଗରେ,

 

(୧)

କାନ୍ତାର-ଅରଣ୍ୟ ।

(୨)

ଦିବ୍ୟପୁରୁଷ-ଦେବପୁରୁଷ ।

(୩)

ଅଗ୍ନିଦେବ ଖାଣ୍ଡବଦହନ ସମୟରେ ଅର୍ଜୁନଙ୍କୁ ଗାଣ୍ଡିବଧନୁ ଓ ଅକ୍ଷୟତୂଣ ଦେଇଥିଲେ ।

 

ପ୍ରଚେତା ଆୟୁଧାଗାରୁ ଅଚ୍ୟୁତ-ଆଦେଶେ (୧)

ଆଣି ଦେଇଥିଲି ମୁହିଁ ଏହି ମହାଧନୁ

ତୃଣ ସଙ୍ଗେ ଯେଉଁ କାର୍ଯ୍ୟେ, ସାଙ୍ଗ ସେ ଭୂତଳେ,

ଏବେ, ମହାବାହୁ, ଆଉ ବହିବ କି ଲାଗି

କରେ ଏହା ? ଉଚିତ ତା ଦେବାର ଫେରାଇ,

ଫିଙ୍ଗିଦିଅ ପାରାବାରେ ତୂଣ ସଙ୍ଗେ ଧନୁ,’’

ଅଗ୍ନିଙ୍କି ନମିଲେ ସର୍ବେ ପୟୋଧି-ପୁଳିନେ,

ଅଗ୍ରଜ ସଙ୍କେତେ ତହୁଁ ପାର୍ଥ ମହାମତି

ଫିଙ୍ଗିଲେ ସାଗରେ ଧନ ବେନି ତୂଣ ସହ,

ଆଦରେ ନୀଳାମ୍ବୁ ସ୍ୱାମୀ ପ୍ରସାରି ଅମ୍ବରେ

ଉତ୍ତୁଙ୍ଗ-ତରଙ୍ଗ-ବାହୁ ନେଲେ ତା ତକ୍ଷଣେ,

ବୁଡ଼ିଗଲା ଜଳେ ସେହି ଆଭାମୟ ଧନୁ,

ମିଶିଯାଏ ମେଘେ ଯେହ୍ନେ ତ୍ରିବର୍ଣ୍ଣ ରଞ୍ଜିତ

ଶକ୍ରଚାପ, ତଡ଼ିଲ୍ଲତା-ଶିଞ୍ଜିନୀ ସଂଯୁତ,

ବିନୟେ ଅନଳଦେବେ ବିନୟଭୂଷଣ

ପୁଚ୍ଛିଲେ ପାଣ୍ଡବପତି କୃତାଞ୍ଜଳିପୁଟେ,

‘‘ଭୋ ଦେବ, ଏ କେଉଁ ସ୍ଥଳୀ ? କି ଲାଗି ଏଠାବେ

ସିନ୍ଧୁ ଗର୍ଭେ ହୋଇଥିଲା ତୁମ୍ଭ ଆବିର୍ଭାବ ?’’

ଉତ୍ତରିଲେ ଅଗ୍ନି, ‘‘ଏହା ନୀଳାଚଳ ଧାମ,

ସୃଷ୍ଟି ଦିନୁ ଅପ୍ରସିଦ୍ଧ ଥିଲା ମହୀତଳେ,

 

(୧)

ପ୍ରଚେତା-ବରୁଣ,

 

ମୁଁ ଥାଏଁ ଗୁପତେ ଯେହ୍ନେ ଭସ୍ମ ଆବରଣେ,

ପ୍ରଭାସେ ଯେ ଦିନେ ହେଲା ଯଦୁବଂଶ କ୍ଷୟ,

ଚତୁର୍ଭୁଜ ରୂପ ପ୍ରଭୁ ଧରିଲେ ସେକାଳେ

ଯୋଗବଳେ ଯୋଗେଶ୍ୱର, ସାଙ୍ଗ ଦେଖି ଭବେ

ଭୂଭାର ହରଣ-ବ୍ରତେ, ହେଲେ ପୁଲକିତ,

ଏକମାତ୍ର ନିଜ କୁଳେ ପ୍ରଦ୍ୟୁମ୍ନେ ନିରେଖି

ଜୀବିତ, ଭକତ ବାକ୍ୟ ଫଳାଇବା ଲାଗି

ପେଷିଲେ ଆୟୁଧ ତାର ନିଧନ ମନାସି,

ସଂହାରି ଶମ୍ବରରିପୁ, ନା ବାହୁଡ଼ି ଆଉ (୧)

ଶ୍ରୀକରେ ତାଙ୍କର ଚକ୍ର, ଅମ୍ବର ଉଦ୍ଭାସି,

ଦିଗବାଳେ, ବ୍ୟୋମଚରେ ହୋଇ ନମସ୍କୃତ,

ମହାବେଗେ ଆସିଲା ସେ ରତ୍ନାକର କୂଳୁଁ

ପୂର୍ବମୁଖେ, ହୀନପ୍ରଭ କରି ଦିନନାଥେ,

(ହୀନାଂଶୁ ତାଙ୍କରି ତେଜେ ସୁଧାଂଶୁ ଯେସନ)

ଏହି ଭଳି ଦୃଶ୍ୟ ବିଶ୍ୱେ ଦେଖିଥିଲେ ଥରେ

ତେତ୍ରାଯୁଗେ ବିଶ୍ୱବାସୀ, ବିଶ୍ୱମ୍ଭରାସୁତ ।

ସୁନ୍ଦରୀ-ସାମନ୍ତମଣୀ ସତୀ-ଶିରୋମଣି

(ପୂତ ହେଲି ମୁହିଁ ଯାଙ୍କ ଶ୍ରୀଅଙ୍ଗ ପରଶେ (୨)

ଲଙ୍କାପୁରେ) ସୀତା ସଙ୍ଗେ ଯେବେ ରଘୁବୀର

 

(୧)

ଶମ୍ବରରିପୁ-କାମଦେବ,

(୨)

ଲଙ୍କାରେ ସୀତାଦେବୀଙ୍କ ଅଗ୍ନିପରୀକ୍ଷା ଏହି ଉକ୍ତିର ଲକ୍ଷ୍ୟ ।

 

ଆଯୋଧ୍ୟାକୁ ବିଜେ ହେଲେ ଉଜ୍ଜ୍ୱଳ ପୁଷ୍ପକେ

ନୀଳାମ୍ବରେ, ଦିଗ୍‌ବଳୟ ପ୍ଳାବି ପ୍ରଭାପୂରେ; (୩)

ବିଶ୍ୱେ ତେଜସାର ଚକ୍ର-ଆଲୋକେ ସେକାଳେ

ଆଲୋକିତ ହେଲା କ୍ଷଣେ ସୃଷ୍ଟିସୀମା ପାରେ

ଆଦିମ-ତମସଗର୍ଭ, ତୋଜୋରୂପୀ ଯେତେ (୪)

ରବି, ଶଶୀ, ଗ୍ରହ, ତାରା, ମୁହିଁ ଆଦି କରି

ଅନ୍ଧ ହୋଇଗଲୁଁ ସର୍ବେ ସେହି ତେଜପୁରେ,

ସ୍ଫୁଲିଙ୍ଗ ତାଙ୍କରି ସିନା ମୁହିଁ ରାଜଋଷି,

ପ୍ରସରିଣ ଥିଲା ଆଗେ ଅଶରୀରୀ-ବାଣୀ

ଦେବଲୋକେ, କୃଷ୍ଣ କରୁଁ ଆସି ଚକ୍ରବର

ପଡ଼ିବ ଯେ ଠାବେ ତହିଁ ହେବ କଳିଯୁଗେ

ଭାବଗ୍ରାହୀ-କେଶବର ଭାବୀ-ଅବତାର,

ପତିତପାବନାବାନା ଉଡ଼ିବ ଭୂତଳେ;

ଅବତରି ଏହିଠାରେ ତେଜକୁଳପତି

ସୁଦର୍ଶନ ବିଶ୍ୱଦ୍ରୋହୀ ଦନୁଜ-ଧର୍ଷଣ,

‘‘ସିନ୍ଧୁଗର୍ଭେ ପ୍ରବେଶିଲେ ସଙ୍କୋଚି ସ୍ୱ ବପୁ,

ତଥାପି ଉତ୍କଳ ହୋଇ ବାରି ଅସମ୍ଭାଳେ

ପ୍ଲାବିଲା ଭୂଖଣ୍ଡ, ଖଣ୍ଡପ୍ରଳୟ ଆକାରେ,

ଘୋର ନାଦେ ଚରାଚରେ ଉପୂଜାଇ ତ୍ରାସ,

(୩) ପ୍ରଭାର ପ୍ଳାବନରେ ଚକ୍ରବାଳ ପ୍ଳାବିତ କରି ।

(୪) ଆଦିମ ତମସଗର୍ଭ-ଆଦିମ ଅନ୍ଧକାରର ଗହ୍ୱର ।

ମହାୟାସେ ପାଶୀ ତହୁଁ ଉର୍ମି-ପାଶଯୋଗେ’

ଫେରାଇଲେ ନିଜରାଜ୍ୟେ, ରହିଗଲା ଯାହା,

ହ୍ରଦାକାରେ ପରିଣତ ବେନି ଦିଗେ ଏବେ

ନିମ୍ନଭୂମେ, ସର ପୁଣି ଚିଲିକା ଆଖ୍ୟାତ, (୧)

ସେ ଦିନୁ, ହେ ପୁଣ୍ୟଶ୍ଳୋକ, ଲୋକେ ଏହି ସ୍ଥଳୀ

ସିନ୍ଧୁତୀରେ ବୋଲାଉଛି ଚକ୍ରତୀର୍ଥ ନାମେ, (୨)

ସଚେତନ ହରିହେତି ରହିବେ ସମ୍ପ୍ରତି (୩)

ପାଶିପାଶେ, ଅବତୀର୍ଣ୍ଣ ହେଲେ ବିଶ୍ୱମ୍ଭର,

ପୂର୍ବବିଧିମତେ ଯାଇ ଖଟିବେ ଶ୍ରୀପଦେ,

ଆସିଥିଲି ଖଟଣିରେ ଶ୍ରୀଚକ୍ର ଛାମୁରେ

ଆଜ ମୁହିଁ, ତେଣୁ ହେଲା ତୁମ୍ଭ ସଙ୍ଗେ ଭେଟ,

ଭାଗ୍ୟଫଳେ ତୁମ୍ଭେ ଆସି ମିଳିଲ ଏଠାବେ,

ପୁଣ୍ୟତମ ଏ ସୈକତ ବିଶ୍ୱ-ଚରାଚରେ, (୪)

ବାଛି ନେଇଛନ୍ତି ଯାହା ନିଜେ ଲୀଳାମୟ

ପୁଣି ମର୍ତ୍ତ୍ୟଲୀଳା ଲାଗି ଅଖିଳ ଭାରତେ;

 

ପର୍ଣ୍ଣଦଳେ ଶ୍ରେଷ୍ଠ ଯେହ୍ନେ ପ୍ରସୂନ ଲଳିତ,

ଶ୍ରେଷ୍ଠ ଏ ଉତ୍କଳଭୂମି ଗୁଣେ ଗରୀୟସୀ,

 

(୧)

ପୁରୀର ଏକ ପାର୍ଶ୍ୱରେ ଚିଲିକା, ଅନ୍ୟ ପାର୍ଶ୍ୱରେ ସର ହ୍ରଦ ଅବସ୍ଥିତ ।

(୨)

ଚକ୍ରତୀର୍ଥ-ପୁରୀସ୍ଥିତ ସ୍ୱର୍ଗଦ୍ୱାରରେ ଅଦୂରବର୍ତ୍ତୀ ।

(୩)

ହରିହେତି-ବିଷ୍ଣୁଙ୍କର ଆୟୁଧ ।

(୪)

ସୈକତ-ଶ୍ରୀକ୍ଷେତ୍ରେ ସିକତାମୟ ।

 

ଯାମ୍ୟେ ଯାର ଋଷିକୁଲ୍ୟା, କପିଶା ଉତ୍ତରେ, (୧)

ପଶ୍ମିମେ ଭାର୍ଗବାଶ୍ରମ ମହେନ୍ଦ୍ର-ଶିଖରୀ, (୨)

ଚିରକୋଳାହଳମୟ ପୂର୍ବେ ପୟୋନିଧି,

ପୁଷ୍ପକୁଣ୍ଡେ ଶ୍ରେଷ୍ଠ ତାର କେଶର ଯେସନେ,

ଶ୍ରେଷ୍ଠ ଏ ନୀଳାଦ୍ରିଧାମ ସମଗ୍ର ଉତ୍କଳେ,(୩)

ନିବସନ୍ତି ନାନା ସ୍ଥାନେ ଦେବଦେବୀ ଯେତେ,

ଭାରତ, ଭାରତଖଣ୍ଡେ, ଆସି ଏ ପ୍ରଦେଶେ

ବିହରିବେ ଠାବେ ଠାବେ ନିଜ ରୁଚିମତେ,

ଠୁଳ ହେବେ ଅବଶେଷେ ପୁଣି ଏ ପୁଳିନେ,

ଅଖିଳ ଭାରତ-ତୀର୍ଥ-ଭ୍ରମଣ-ସୁକୃତ

ଲଭିବେ କଳିରେ ଲୋକ ଏହି ସ୍ଥଳେ ଭ୍ରମି;

ମାନସୁଁ କଳୁଷ ମଳ ଯିବେ ଅପସରି,

ମୋ ଯୋଗେ ସ୍ୱର୍ଣ୍ଣର ଯଥା, ଏ ତୀର୍ଥସେବନେ

ସ୍ଫୁରିବ ଅମଳଜ୍ଞାନ, ଲଭି ପୂର୍ଣ୍ଣାହୁତି

ହୋମକୁଣ୍ଡେ ଜଳିଉଠେ ଯଥା ମୋର ଶିଖା,

ଶଙ୍ଖ, ଚକ୍ର, ଗଦା,ପଦ୍ମ ହୋଇ ପ୍ରତିଷ୍ଠିତ ।

 

(୧)

ଯାମ୍ୟ-ଦକ୍ଷିଣଦିଗ, କପିଶା-ସୁବର୍ଣ୍ଣରେଖା ।

(୨)

ଉତ୍କଳର ପଶ୍ଚିମାଂଶସ୍ଥିତ ପର୍ବତମାଳାର ସାଧାରଣ ନାମ ମହେନ୍ଦ୍ର । ମଞ୍ଜୁଷା ଗଡ଼ ନିକଟରେ ଏହି ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ ଅଦ୍ୟାପି ମହେନ୍ଦ୍ର ନାମରେ ଅଭିହିତ । ମହେନ୍ଦ୍ର ପର୍ବତର ଯାମଦଗ୍ୟୁଙ୍କର ଆଶ୍ରମ ଥିଲା ।

(୩)

ନୀଳାଦ୍ରିଧାମ-ଶ୍ରୀକ୍ଷେତ୍ର ।

 

ଚାରି ସ୍ଥଳେ, ବିରାଜିବ ଚାରି କ୍ଷେତ୍ରବର (୧)

ଏ ଉତ୍କଳ କଳେବରେ ଏବେ ଦେବାଦେଶେ;

ଆସିଲେଣି ସୁଦର୍ଶନ, ଶଙ୍ଖ ପଦ୍ମ ଗଦା

ରଖିଛନ୍ତି ରତ୍ନାକର ମହାଦରେ ଯାହା,(୨)

ଦେବାଦେଶମତେ ମୁହିଁ ତାଙ୍କ ପାଶେ ଯାଇ,

ଆଣି, ହେ ପାଣ୍ଡବରାଣ, ନିହିବି ଉତ୍କଳେ;

ଇଚ୍ଛାଯେବେ, ମୋର ସଙ୍ଗେ ଚାଲ, ମହାବାହୁ !

ଦେଖିବ ଅଶେଷ ତୀର୍ଥ ଗିରି ନଦ ନଦୀ,

ଦେବଙ୍କ ବଚନେ ସର୍ବେ ପ୍ରସନ୍ନ ମାନସେ

ଅବଗାହି ସିନ୍ଧୁଜଳେ ଉଦ୍ଦେଶେ ନମିଲେ

ଭାବୀ-ମର୍ତ୍ତ୍ୟ ବଇକୁଣ୍ଠ-ସାଇଁ ପଦ୍ମପାଦେ,(୩)

ଅହୋରାତ୍ର ରହି ତହିଁ, ଭାସିଲା ଯେକାଳେ

ଉଷାର ସୀମନ୍ତମଣି ତାରା ପାହାନ୍ତିଆ

ପ୍ରାଚୀକୂଳେ ଉର୍ମିଶିରେ (ଛାଡ଼ିଦିଏ ଯେବେ

ନିଜ ପଲ ମହିଷାଳ ସିନ୍ଧୁ-ତୀରବାସୀ,

ଚରିବାକୁ ବର୍ତ୍ମ-ଶୂନ୍ୟ ବେଣାପୂର୍ଣ୍ଣ ପାଟେ

ପୁଣ୍ୟନୀରା ଭାର୍ଗବୀର) ନୀଳାଚଳ ତେଜି (୪)

ଚାଲିଲେ ମହେନ୍ଦ୍ର ମୁଖେ ଅନଳ ସହିତେ ।

 

(୧)

ପୁରୀ ଶଙ୍ଖକ୍ଷେତ୍ର, କୋଣାର୍କ ପଦ୍ମକ୍ଷେତ୍ର, ଭୂବନେଶ୍ୱର ଚକ୍ରକ୍ଷେତ୍ର, ଯାଜପୁର ଗଦାକ୍ଷେତ୍ର ।

(୨)

ରତ୍ନାକର-ଆରବ୍ୟସାଗର ।

(୩)

ମର୍ତ୍ତ୍ୟବୈକୁଣ୍ଠ-ଶ୍ରୀକ୍ଷେତ୍ର ।

(୪)

ଭାର୍ଗବୀ-ଶ୍ରୀକ୍ଷେତ୍ରର ଅଦୂରବାହିନୀ ନଦୀ । ପୂର୍ବକାଳରେଏହାର ତୀର ଦିଗନ୍ତବ୍ୟାପି ବେଣାପାଟରେ ପରିପୂର୍ଣ୍ଣ ଥିଲା ।

Image

 

ତୃତୀୟ ସର୍ଗ

 

ହେମଗୌରବପୁ ଯୁବା ବିପ୍ରବେଶଧାରୀ

ଅଗ୍ନି ସଙ୍ଗେ ପଞ୍ଚଭାଇ ବାୟୁକୋଣେ ଯାଇ

ମହେନ୍ଦ୍ର-କାନ୍ତାର-ପଥେ, ମିଳିଲେ ବହନ (୧)

କଲ୍ଲୋଳିନୀ କୁଳେଶ୍ୱରୀ ମହାନଦୀ କୂଳେ;

ଗଗନପରଶୀ ବେନି ଦିଗେ ତୁଙ୍ଗଭୃଗୁ-

ସଙ୍କଟେ ସଙ୍କୋଚି ବପୁ, ବାହାରଇ ଯହିଁ

ପୁଣି ପୂର୍ବାକାରେ ସ୍ରୋତ ପୂର୍ବସିନ୍ଧୁଗାମୀ (୨)

ବିଜନ-ଭୀଷଣ ସ୍ଥଳୀ, ବନଗଜବ୍ରଜ–

କଣ୍ଡୁଳ-କପୋଳ-ପିଣ୍ଡ ଘର୍ଷଣେ କମ୍ପିତ–

ଦ୍ରୁମାବଳୀ ଦେହୁଁ ଯହିଁ ଝରଇ ପ୍ରବାହେ

ସୁରଭି ଅରଣ୍ୟ ପୁଷ୍ପ ପୁଞ୍ଜ ପୁଞ୍ଜ ହୋଇ,

ବନଦେବୀଙ୍କର କି ସେ ଅର୍ଘ୍ୟ-ଲାଜାଞ୍ଜଳି ? (୩)

 

(୧)

ମହେନ୍ଦ୍ର କାନ୍ତାର-ଓଡ଼ିଶା ଗଡ଼ଜାତର ମହାରଣ୍ୟ ।

(୨)

ସାତକୋଶିଆ ଗଣ୍ଡର ପୂର୍ବସୀମା ବଡ଼ମୂଳ ଘାଟି ଦଶପଲ୍ଲା ରାଜ୍ୟର ଅନ୍ତର୍ଗତ, ସାତକାଶିଆ ଗଣ୍ଡ ଅଂଶତଃ ଦଶପଲ୍ଲାରେ ଏବଂ ଅଂଶତଃ ବୌଦରେ ଅବସ୍ଥିତ, ଏପରି ‘ଭୀମକାନ୍ତ’ ଦୃଶ୍ୟ ଉତ୍କଳରେ ବିରଳ, ଏଠାରେ ମହାନଦୀର ଶଯ୍ୟା ଉଭୟପାର୍ଶ୍ୱସ୍ଥିତ ପର୍ବତମାଳାଦ୍ୱାରା ଅତ୍ୟନ୍ତ ସଙ୍କୁଚିତ ।

(୩)

ଲାଜାଞ୍ଜଳି-ଖଇର ଅଞ୍ଜଳି ।

 

ଦିନ ଥାଉଁ ଥାଉଁ ତହିଁ ମହା ଶୈଳିଚ୍ଛାୟା

ବ୍ୟାପିଜଳେ, ସ୍ଥଳେ, ନଦୀପୁଳିନେ, କାନନେ,

ଉପୁଜାଏ ମନେ ସନ୍ଧ୍ୟା ଆଗମର ଭ୍ରମ,

ତୁଟଇ ଯେ ଭ୍ରମ ଦେଖି ଦୂରେ ପୃଷ୍ଠଭାଗେ

ଅସୁଖିର, ଆହା, ପୂର୍ବସୁଖ-ସ୍ମୃତି ପରି !

ଅସ୍ତାତପେ ଉଦ୍ଭାସିତ ତୁଙ୍ଗ ଶୃଙ୍ଗାବଳୀ; (୧)

ପର୍ଣ୍ଣ-ଶେଯେ ତହିଁ ନିଶି ଯାପି ବଟମୂଳେ

(ଯେନାମେ ଅଦ୍ୟାପି ସ୍ଥଳୀ ବୋଲାଏ ଜଗତେ) (୨)

ପଶିଲେ ଯାତ୍ରିଏ ସେହି ବିକଟ ସଙ୍କଟେ

ଛାୟା-ମୟ, ଅନୁକ୍ଷଣେ ପୂର୍ଣ୍ଣ ଝିଲ୍ଲିରବେ,

କୁହେଳୀରେ ନୀଳବର୍ଣ୍ଣ ଭୃଗୁମାନ ଗିରି (୩)

ଧାଡ଼ିହୋଇ ବେନି ତୀରେ, ଏକପରେ ଏକ

ଶିଖା ତୋଳି କଳନ୍ତି କି ଗଗନର ସୀମା ?

ଦିଗ୍‍ବାରଣ-ଶୁଣ୍ଡାକାରେ କାହିଁ ଅବା ନୀରେ

ମିଶିଛି ତିର୍ଯ୍ୟକେ ଆସି ଶ୍ୟାମ ଶୈଳନାସି, (୪)

 

(୧)

ପଥିକର ପୃଷ୍ଠଭାଗରେ ଦୂରସ୍ଥିତ ଅସ୍ତକରୋଜ୍ଜ୍ୱଳ ଶୃଙ୍ଗଦର୍ଶନ ସହିତ ଅସୁଖୀ ବ୍ୟକ୍ତିର ପୂର୍ବସୁଖସ୍ମୃତିର ଉପମା ।

(୨)

ବଡ଼ମୂଳ ଘାଟି ସାତକୋଣିଆ ଗଣ୍ଡର ତୋରଣ ସ୍ୱରୁପ, ଏହିଠାରୁ ମହାନଦୀ ପୁନର୍ବାର ପୂର୍ବ ପ୍ରଶସ୍ତତା ଲଭିଅଛି ।

(୩)

ଭୃଗୁମାନ-ଅତଟଯୁକ୍ତ ।

(୪)

ପର୍ବତର ନାସିକା କୃତି କୋଟୀ, ପର୍ବତନାସି ଦୂରରୁ ବିରାଟ ହସ୍ତିଶୁଣ୍ଡ ପରି ଦିଶେ ।

 

ଛାୟାଲୋକେ ଶବଳିତ ହୋଇ ଠାବେ ଠାବେ;

କାହିଁ କଳ କଳ ରବେ ଗିରି-ନିର୍ଝରଣୀ

(ସୃଷ୍ଟିକାଳୁଁ ପଡ଼ି ନାହିଁ ସୌରକର ଯହିଁ)

ସୁଚିକ୍କଣ କୃଷ୍ଣଶିଳା ସୋପାନ ଶ୍ରେଣୀରେ

ତମୋମୟ କନ୍ଦରାରୁ ଆସଇ ଓହ୍ଳାଇ

ଅପ୍ରଗଲ୍‌ଭେ, ଅପ୍ରଗଲ୍‌ଗଭେ ଦୀନ ସାଧୁ ଯଥା

ସାଧେ ପରହିତ ହୋଇ ବୀତସ୍ପୃହ ଯଶେ,

ନିବିଡ଼-କୀଚକକୁଞ୍ଜ ଭିନ୍ନଞ୍ଜନପ୍ରଭ-

ତିମିରେ ଆଚ୍ଛନ୍ନ ମହାଘୋର ଶୈଳ ଖୋଲେ (୧)

ଲୁଚି ଏକାକିନୀ କାହିଁ ଝୁରଇ କରୁଣେ

କୁରରୀ କି ଦୁଃଖେ ତାହା ଜାଣେ ସେ ଦୁଖିଃନୀ;

ଶୃଙ୍ଗ ଯାଏ ଶୈଳତଟେ ପରେ ପରେ ଉଭା

ବନଦେବୀ ସୌଧାକୃତି ବନସ୍ପତି ଶାଖେ

ପୂରି ସେ ଜୀବନ ବୀଣାଜିଣା କଣ୍ଠରବେ

ରାବୁଛନ୍ତି ଅଷ୍ଟକାଳେ କଷ୍ଟଫେଡ଼ ଶୁଆ, (୨)

ନଦୀକୂଳବନ୍ଧୁ, ଶ୍ୟାମା, ସାର, ଚଷାପୁଏ, (୩)

ଯାଉଁ ଯାଉଁ ସେହି ରମ୍ୟ ଭୀଷଣ ସଙ୍କଟେ

ବିସ୍ମୟ ଉତ୍‌ଫୁଲ୍ଲ ନେତ୍ର ପାଣ୍ଡୁ ପୁତ୍ରେ ଦେଖି ।

 

(୧)

ଭିନ୍ନାଞ୍ଜନପ୍ରଭ ତିମିର-ଦଳିତକଜ୍ଜ୍ୱଳ ପରି କୃଷ୍ଣବର୍ଣ୍ଣ ଅନ୍ଧକାର ।

(୨)

କଷ୍ଟଫେଡ଼-ମଧୁରନିନାଦୀ ବନପକ୍ଷିବିଶେଷ, ବଙ୍ଗୀୟ ନାମ ‘‘ବଉକଥାକଓ’’ ।

(୩)

ନଦୀକୂଳବନ୍ଧୁ-ପକ୍ଷି-ବିଶେଷ, ଚଷାପୁଅ-ପକ୍ଷିବିଶେଷ ।

 

ଦେବ ବୈଶ୍ୱାନର ତହୁଁ କହିଲେ, ସସ୍ମିତେ,

‘‘ହେ ରାଜନ, ଦେଖ ଏଥି ବହନ୍ତି କେସନେ

ମହାନଦୀ ନାମେ ପୂର୍ବସାଗରଗାମିନୀ

ହରମୌଳିମାଳା ଦେବୀ ତ୍ରିସ୍ରୋତା ଜାହ୍ନବୀ,

ସୁକାନ୍ତି-ମହର୍ଷି-ତପେ ପତିତପାବନୀ (୧)

ତୁଷ୍ଟ ହୋଇ ଏହି ମୁଖେ ଆସିଲେ ଯେକାଳେ,

ଅର୍ଦ୍ଧପଥେ ତାଙ୍କ ଗତି ରୋଧିଲେ ଏଠାବେ

ନୀରନ୍ଧ୍ର-ପ୍ରାଚୀରାକୃତି ଏହି ମହାଗିରି,

ତହୁଁ କୁଳିଶୀଙ୍କି ଋଷି ତୋଷି ତପୋବଳେ

ଏ ବର୍ତ୍ମ ଛେଦିବା ଲାଗି କଲେ ଅନୁରୋଧ,

ବଜ୍ରକରେ ଅବତରି ଏହି ଶୈଳ ଚୂଳେ

ଛେଦି ଏ ଶଇଳ ବଜ୍ରୀ ରଚିଲେ କୌଶଳେ

ଉତ୍କଳର ମୁକ୍ତିଦ୍ୱାରରୂପୀ ଏ ତୋରଣ

ସପ୍ତକ୍ରୋଶବ୍ୟାପୀ, ଶୈଳକୁଞ୍ଜେ ଅନ୍ଧାରିତ,

ଛିନ୍ନ-ଶିଳାପୁଞ୍ଜ ଯାର-ବିଷମି ଏକାଳେ

ନଦୀଶଯ୍ୟା ଉପୁଜାନ୍ତି ଅସଂଖ୍ୟ ପ୍ରପାତ (୨)

ଠାବେ ଠାବେ, କଳରବେ ପୂରାଇ ଅଟବୀ;

 

(୧)

ସୁକାନ୍ତି-ସୁକାନ୍ତି ଋଷିଙ୍କ ତପଃପ୍ରଭାବରେ ଗଙ୍ଗା ମହାନଦୀରୂପରେ ମଧ୍ୟଭାରତ
ବର୍ଷରୁ ଉତ୍କଳକୁ ଆସିଥିବାର କିମ୍ବଦନ୍ତୀ ଅଛି ।

(୨)

ସାତକୋଶିଆର ପଶ୍ଚିମ ଦିଗରେ ମହାନଦୀ ଶଯ୍ୟା ବିଷମପୂର୍ଣ୍ଣ ପ୍ରସ୍ତରମୟ
ହେବାରୁ ସ୍ରୋତରେ ନୌଚାଳନ ନିତାନ୍ତ ବିପଦସଂକୁଳ ।

 

ମହେନ୍ଦ୍ରର ଅଧିଷ୍ଠାନ ଦିନୁ ଏ ଶିଖରୀ

ବୋଲାଏ ମହେନ୍ଦ୍ର ନାମେ କୁଳାଚାଳ କୁଳେ, (୧)

ପରମ ପବିତ୍ର ଗିରି, ସେବନ୍ତି ଆଦରେ

ଦେବ ଋଷି ସିଦ୍ଧେ ଯାର ଶୃଙ୍ଗ ଅଗଣିତ,

ମେଘାସନ ମେଘାସନ ମଘବା-ବାଞ୍ଛିତ (୨)

ସୁଚାରଚପଳା ଲାସ୍ୟେ ନିରତେ ଭାସ୍ୱର,

ନିରତେ ମୁଖର କେକିକୁଳ-କେକାରବେ;

 

ପୂତ-ବୈତରଣୀସ୍ରୋତ ପ୍ରଭବ ଗୋନାସ, (୩)

ଋଷିସଭା ମଧ୍ୟେ ଯହିଁ ଭାର୍ଗବ ମୁଖରୁ

 

(୧)

ମହେନ୍ଦ୍ର-ସପ୍ତମୁଳାଚଳର ଅନ୍ୟତର ।

(୨)

ମେଘାସନଶୃଙ୍ଗ ମୟୁରଭଞ୍ଜରେ ଅବସ୍ଥିତ, ସ୍ୱଚ୍ଛାନୀରା ସାଳାନ୍ଦୀ ଏହି ପର୍ବତରୁ ନିଃସୃତ ।

(୩)

ଗୋନାସା-କେନ୍ଦୁଝରରେ ଅବସ୍ଥିତ, ବୈତରଣୀର ପ୍ରଭବସ୍ଥାନ, ଏହିଠାରେ ପର୍ବତ ଦେହରେ ଦେବନାଗରାକ୍ଷରରେ ‘ଆଦ୍ୟ-ବୈତରଣୀ’ ଏହି ଶବ୍ଦ ଅଙ୍କିତ ଅଛି, ଏହି ପର୍ବତର ପାଦଦେଶରେ ‘ଋଷିସଭା’ ନାମକ ପ୍ରସ୍ତରମୟୀ ସ୍ଥଳୀ ବୈତରଣୀର ସ୍ରୋତଦ୍ୱାରା ଧୌତ ହେଉଅଛି, ଏହି ନିବିଡ଼ ପର୍ବତାକୀର୍ଣ୍ଣ ସ୍ଥଳୀରେ ଭଗବାନ୍‌ ଗୋନାସିକେଶ୍ୱରଙ୍କ ଦେଉଳ ଅବସ୍ଥିତ, ଦେଉଳର ପାଦବାହିନୀ ବୈତରଣୀ କୂଳରେ ଯୋଡ଼ାଏ ବିରାଟ ଚମ୍ପକ ବୃକ୍ଷ ଅଛି, ସେଭଳି ଚମ୍ପକବୃକ୍ଷ ଓଡ଼ିଶାର ଅନ୍ୟତ୍ର ଦୁର୍ଲଭ, ଭଗବାନ୍ ଭାର୍ଗବଙ୍କ ଆଶ୍ରମ ଏହିଠାରେ ଥିବାର କିମ୍ବଦନ୍ତୀ ଶୁଣାଯାଏ ।

 

ଝରେ ପୂତତର ପୁଣ୍ୟଶ୍ଳୋକ କଥାମୃତ;

ଗିରି ମାଲ୍ୟବନ୍ତ ଗିରି-ମାଳେ ମଧ୍ୟମଣି, (୧)

ସ୍କନ୍ଧେ ଶୁଭ୍ର-ଝରନୀର-ଉତ୍ତରୀୟ-ଧାରୀ;

ମେନାକ ପିନାକପାଣି-ପ୍ରିୟା ପ୍ରିୟସ୍ଥଳୀ; (୨)

ଝର-ଉପବୀତଧର, କପର୍ଦିସେବିତ

କପିଳାସ ଅଭ୍ରଗର୍ଭ ଅଭ୍ରଂକଷଗିରି, (୩)

ପଞ୍ଚଧାର ଜଳଦେବ କେଳିମଞ୍ଚରୂପୀ (୪)

କେତକ ନିକୁଞ୍ଜେ ଯାର ଝରଇ ଅଦୂରେ

ତପ୍ତ ପୂତ ପ୍ରସ୍ରବଣ ରୁଦ୍ର-ଅଧିଷ୍ଠାନେ;

ଏ ଆଦି ବିଶାଳ ଶୃଙ୍ଗକୁଳେ ବିଭ୍ରାଜିତ

 

(୧)

ମାଲ୍ୟବନ୍ତ-ଲହଡ଼ାର ମାଲ୍ୟଗିରି, ଏହାର ବିଶାଳ ନୀଳ ଦେହରେ ଶୁଭ୍ର ନୀରାସ୍ତରଣ ଦୂରରୁ ଅତି ମନୋହର ଦିଶେ, ଏ ମାଲ୍ୟବନ୍ତ ରାମାୟଣର ମାଲ୍ୟବନ୍ତ ନୁହେଁ, ଆଧୁନିକ ରାଜନୈତିକ ଓଡ଼ିଶା ମଧ୍ୟରେ ମାଲ୍ୟଗିରି ସବୁଠାରୁ ଉଚ୍ଚ ।

(୨)

ମୈନାକ-ରଣପୁର ଅନ୍ତର୍ଗତ ଦୁର୍ଗାଦେବୀ-ଅଧିଷ୍ଠିତ ପର୍ବତ । ରଣପୁରର ରାଜଧାନୀ ଏହି ପର୍ବତର ପାଦଦେଶରେ ଅବସ୍ଥିତ ।

(୩)

କପିଳାସ-ଢେଙ୍କାନାଳର ଅନ୍ତର୍ଗତ, ଝରଣା ଏବଂ ଅଭ୍ରସକାଶେ ଏହା ପ୍ରସିଦ୍ଧ, ଓଡ଼ିଶାର ଏହା ଗୋଟିଏ ପ୍ରସିଦ୍ଧ ଶିବକ୍ଷେତ୍ର ।

(୪)

ପଞ୍ଚଧାର-ଆଠମଲ୍ଲିକ ରାଜ୍ୟର ଅନ୍ତର୍ଗତ। ଏହାର ଅଦୂରରେ ‘ଦେଉଳଝର’ ନାମକ ସୁପ୍ରସିଦ୍ଧ ତପ୍ତପ୍ରସ୍ରବଣ। ଗଡ଼ଜାତ ମଧ୍ୟରେ ଏହା ଗୋଟିଏ ଶିବକ୍ଷେତ୍ରରୂପେ ପ୍ରତିଷ୍ଠିତ, ଆଠମଲ୍ଲିକାଧୀଶ୍ୱର ମହାରାଜ ଶ୍ରୀ ମହେନ୍ଦ୍ର ଦେଓଙ୍କ ପୂର୍ବପୁରୁଷମାନେ ଏଠାରେ ଅନେକ କୀର୍ତ୍ତି ସ୍ଥାପନ କରିଥିଲେ ।

 

ଉତ୍କଳ-କଳିଙ୍ଗ ବପୁ ମଣ୍ଡିଛି ଶିଖରୀ,

ମଧ୍ୟେ ଦ୍ୱିଖଣ୍ଡିତ ହୋଇ ଏହି ଦେବଖାତେ,

ଅଗ୍ନିଙ୍କ ବଚନେ ସର୍ବେ ସେହି ପୂତନୀରେ

ଅବଗାହି ଭକ୍ତିଭାବେ ଦେଲେ ଜଳାଞ୍ଜଳି

ପିତୃଲୋକ, ସେ ବିକଟ ସଙ୍କୁଟୁ ବାହାରି

ଚାଲିଲେ ଗନ୍ତବ୍ୟପଥେ ପଶ୍ଚିମାଶାମୁଖେ,

ଦେଖିଲେ କୌତୁକେ ପାନ୍ଥେ ସେ କାନ୍ତାରପଥେ

ଅନନ୍ତ-ବୈଚିତ୍ର୍ୟମୟୀ ଅରଣ୍ୟ-ପ୍ରକୃତି,

କିଅବା ସେ ମାର୍ଗରେଖା ଗୈରିକେ ଅରୁଣ

ସୀମାନ୍ତେ ସିନ୍ଦୂରଲେଖା ବନଲକ୍ଷ୍ମୀଙ୍କର ?

କାହିଁ ଊର୍ଦ୍ଧ୍ୱେ ଉଠି ମାର୍ଗ ମିଶିଛି ଆକାଶେ,

(ଯହୁଁ ଚକ୍ରକାରେ ଦିଶେ ବନାବୃତ ଧରା)

(ଚୌଦିଗେ, ବାରିଧି ପ୍ରାୟେ ଦିଗନ୍ତ-ବିସ୍ତାରୀ)

କାହିଁ ଅବା ତଳେ ଯାଇ ମିଶିଛି ପାତାଳେ;

ଏହିରୂପେ ଯାଉଁ ଯାଉଁ ନାନା ଦୃଶ୍ୟରାଜି

ପାନ୍ଥଙ୍କର ପଥେ ହେଲା ନୟନ-ଅତିଥି,

ନୀଳବନସ୍ଥଳୀ ମଧ୍ୟେ ଦୂରପ୍ରସାରିତ

ସୌରକରୋଦ୍ଭାସୀ ଶୁଭ୍ର ନଦୀବାଲିରେଖା;

ସ୍ନିଗ୍‌ଧଚ୍ଛାୟା ଦ୍ରୁତମତୀ ଭୀମ ମହାଟବୀ,

ଆବରିଛି ମହୀନଭଃ ପଲ୍ଲବ ଗହଳେ,

ଶୁଭି ନାହିଁ କେବେ ଯାର ନିସ୍ତବ୍‌ଧ ଗରଭେ

ସୃଷ୍ଟିଦିନୁ କାଷ୍ଠଜୀବିକୁଠାରଶବଦ;

କାହିଁ ମୁଖରିତ ସ୍ଥଳୀ ଶ୍ୱାପଦ ନିର୍ଘୋଷେ,

ପ୍ରତିଘୋଷେ ପ୍ରତିବାଣୀ ଦିଅଇ ଯା ଶୁଣି

ପ୍ରତିଧ୍ୱନି ଗିରିଗୁହା-କ୍ରୋଡ଼-ପ୍ରଣୟିନୀ;

ଶିଳାଶଯ୍ୟା-ପ୍ରବାହିନୀ ଶୈଳସ୍ରୋତସ୍ୱତୀ,

ଉପଳେ ସ୍ଖଳିତ ହୋଇ ଯାର ବାରିଧାରା

ମିଶାଏ ଝର୍ଝରରବ ଘୋର ଝିଲ୍ଲୀରବେ;

ପ୍ରପାତେ, ମଣ୍ଡିତ ଇନ୍ଦ୍ରକୋଦଣ୍ଡ-କିରୀଟେ,

ବାତେ ଫରଫର ରୂପାକରିର ପାଛୁଡ଼ା-

ପରାୟେ ଯା ଶୋହେ ପର୍ଣ୍ଣଶ୍ୟାମଶୈଳଦେହେ,

ଭୃଗୁରୁ ଭୃଗୁକୁ ଡେଇଁ ଗମ୍ଭୀର ଗର୍ଜନେ,

ଗିରି ଦରପଣରୂପୀ ଗିରି-ପାଦଦେଶେ

ସ୍ୱଚ୍ଛହ୍ରଦ, ଅଳଙ୍କୃତ ଫୁଲ୍ଲ-କୋକନଦେ,

ସ୍ନିଗ୍‌ଧଗନ୍ଧ ସୌଗନ୍ଧିକେ, କୁମୁଦେ, କହ୍ଲାରେ,

ସରାଳି, ଗାଙ୍ଗୋଇ, ହଂସ, କୋକ, ପାଣିକୁଆ,

ଆଦି ଜଳବିହଙ୍ଗମେ ସଦା ଝଙ୍କାରିତ,

ଶଙ୍କାହୀନେ ଯୂଥେ ଯୂଥେ ଚରନ୍ତି ଯା ତୀରେ

ଶୃଙ୍ଗଧର କୃଷ୍ଣସାର ସଙ୍ଗେ କୁରଙ୍ଗିନୀ;

ଧରଣୀ-ସୀମାନ୍ତ-ସେତୁ ସମ ଟଙ୍କଭୂମି, (୧)

 

(୧)

ଟଙ୍କଭୂମି-ଟାଙ୍ଗୀ । ଗୁଳ୍ମଶ୍ୟାମଳ ଟାଙ୍ଗୀ ଦୂରରୁ ଦୀର୍ଘସେତୁ ପରି ଦିଶେ, ଖୋର୍ଦ୍ଧା ଅଞ୍ଚଳରେ ଏଭିଳ ଅନେକ ଟାଙ୍ଗୀ ଦେଖାଯାଏ ।

 

ଦିଗନ୍ତେ ଶ୍ୟାମାୟମାନ ବିଶାଳ ଆଭୋଗେ,

ଦନ୍ତୁରରେଖାରେ ଯାର ପୃଷ୍ଠେ ଦିଗପଟେ

ତୋଳିଛନ୍ତି ନୀଳଶିଖା ଦୂରଗିରିମାଳା

ଗଜାବଉଦର ଭ୍ରମ ଚିତ୍ତେ ଉପୁଜାଇ, (୧)

କାହିଁ ଅବା ଶିଶୁଶୈଳ ଆବରେ ଉତାଳେ

ପୃଷ୍ଠେ ସୁବିଶାଳା ଗିରି, ଜୀବନେ ଯେସନ

ଉପସ୍ଥିତ ଦୁଃଖ, ଆହା, ଆବରେ ନୟନୁ

ଭାବି-ଘୋରତର-ଦୁଃଖ-କରାଳ ମୂରତି;

ଝୁଣା ଲାଗି ହତ ହୋଇ ପୁଳିନ୍ଦ-କୁଠାରେ (୨)

ଦୀନହୀନ ବେଶେ କାହିଁ ଶୈଳତଟେ ଉଭା

ସୁବିଶାଳ ଶାଳତରୁ କଙ୍କାଳର ମାଳା;

ବାତେ ତରଙ୍ଗିତ ଶସ୍ୟ କେଦାର ଶ୍ୟାମଳ,

ମଧ୍ୟେ ଶୋହେ ମଞ୍ଚ, ଯହିଁ ଜଗି ନିଶିଯୋଗେ

ଶାଳିଗୋପେ, (୩) ଜରଜର ନିଦାରୁଣ ଶୀତେ,

 

(୧)

ଗଜାବଉଦ-ମେଘାଙ୍କୁର । ବର୍ଷାର ଆଗମସୂଚକ ଦିଗ୍‌ବଳୟଭେଦୀ ବୃକ୍ଷାକାର ନୀଳମେଘ-

(୨)

ପୁଳିନ୍ଦ-ବନ୍ୟଜାତି। ଝୁଣାପ୍ରାପ୍ତି ନିମନ୍ତେ କନ୍ଦ ଭୁଇଆଁ ପ୍ରଭୃତି ଜାତିମାନେ ଶାଳତରୁର ମୂଳଦେଶରେ ଚକ୍ରାକାରରେ ତ୍ୱକ୍‌ କାଟି ଦେଇ ଅଗ୍ନି ଜାଳିଦିଅନ୍ତି, ଏହି ସାମାନ୍ୟ ଉପାୟଦ୍ୱାରା ବୃହତ୍ ଶାଳଗଛମାନ ଅତି ଅଳ୍ପ ସମୟରେ ଝାଉଁଳି ମରିଯାନ୍ତି । ମହାରଣ୍ୟମାନଙ୍କରେ ଏହିପରି ମୃତ ଶାଳଗଛ ଅନେକ ଦେଖାଯାଏ ।

(୩)

ଶାଳିଗୋପ-ଯେଉଁମାନେ କ୍ଷେତ୍ରରେ ଶସ୍ୟ ଜଗନ୍ତି ।

 

ବରାହ, ଶମ୍ବର, କରୀ, ଆଦି ଶସ୍ୟାହାରୀ

ଜୀବଙ୍କୁ ତଡ଼ନ୍ତି କ୍ଷେତୁଁ ବିକଟ-କୁହାଟେ;

ସଶର-କମାଣଧର କାହିଁ ଗୋପଶିଶୁ

ଜଗିଛନ୍ତି-ଧେନୁପଲ ବିଜନ-ପ୍ରାନ୍ତରେ;

କାହିଁ ଶସ୍ୟ କାଟୁଁ କାଟୁଁ କ୍ଷେତ୍ରେ କୃଷିବଳେ

ଭାଲେ କର ଦେଇ ଦୂରୁଁ ଦେଖନ୍ତି କୌତୁକେ

ମୁଣ୍ଡାଇ ଇନ୍ଧନବୋଝ କାହିଁ ଅବା ବନୁ

ଗୁଞ୍ଜାମାଳେ ବିମଣ୍ଡିତା କିରାତସୁନ୍ଦରୀ (୧)

ଆସୁଛନ୍ତି ଦଳେ ଦଳେ ଆଳାପି ମଧୁରେ;

ଏହି ରୂପେ ନାନା ଦେଶ, ବନ, ଜନପଦ-

ତୀର୍ଥାଶ୍ରମଗିରିପୂର୍ଣ୍ଣ ମହାନଦୀଦ୍ରୋଣୀ (୨)

କ୍ରମେ କ୍ରମେ ଅତିକ୍ରମି, ପ୍ରବେଶିଲେ ବୀରେ

ଦକ୍ଷିଣାପଥର ଦ୍ୱାର ଦେହଳୀ ରୂପିଣୀ

ମାଳଭୂମି, ତିନି ମହାସ୍ରୋତର ପ୍ରସୂତା, (୩)

ଝର ପ୍ରସ୍ରବଣେ ପୂର୍ଣ୍ଣ, ଯହୁଁ ପ୍ରବାହିତ–

 

ଅସଂଖ୍ୟ-ଶଇଳ ସ୍ରୋତୁଁ ବାରି-କର ଘେନି,

ଉତ୍ତରେ ବହିଣ ଶୋଣ ମିଶେ ଗଙ୍ଗାଦେହେ,

 

(୧)

ଗୁଞ୍ଜାହାରଭରଣା ବନ୍ୟନାରୀ ।

(୨)

ଦ୍ରୋଣି-ଉପତ୍ୟକା।

(୩)

ମାଳଭୂମି-ଉଚ୍ଚଭୂମି ।

 

ପଶ୍ଚିମେ ବହଇ ରେବା ପୂର୍ବେ ମହାନଦୀ; (୧)

ସ୍ଥାନେ ସ୍ଥାନେ ଗିରିପାଦେ କୁଞ୍ଚିତ ଗତିରେ

(ତରୁଦେହେ ପୁଞ୍ଜୀଭୂତ ପାରାବତଛବି)

ଉଠୁଛି ତ୍ରେତାଗ୍ନି-ଧୂମ ତପସ୍ୱୀ ଆଶ୍ରମେ; (୨)

ଦୁର୍ବାତଳେ, ଦେବାର୍ଚ୍ଚନ କୁସୁମେ, ଅକ୍ଷତେ

ସ୍ଥଳେ ସ୍ଥଳେ, ବିଚ୍ଛୁରିତ ନିମ୍ନଗାସୈକତେ;

ବିଚରନ୍ତି ମୃଗଶିଶୁ ନିରୁଦ୍‌ବେଗେ ବନେ

ଦଳେ ଦଳେ, କୁଶାଙ୍କୁରକବଳଲାଳସୀ;

ବିରାଜିତ ଠାବେ ଠାବେ ଛାୟାତରୁମୂଳେ

ଶିଳାଖଣ୍ଡ, ମସୃଣିତ ଇଙ୍ଗୁଦୀତଇଳେ; (୩)

କାହିଁ ବନସ୍ପତିଡାଳେ ବାଳାତପପ୍ରଭ

ଜଳାର୍ଦ୍ର ବକ୍କଳ ଦୋଳେ ମୃଦୁବନବାତେ;

ପାନ୍ଥେ କୌତୂହଳୀ ଜାଣି ଦେବ ବିଭାବସୁ

କହିଲେ ସମ୍ବୋଧି ତହୁଁ-‘‘ମହାସ୍ଥଳୀ ଏହୁ,

ମହିମା ଏହାର ଜାଣି ବସନ୍ତି ଏ ଦେଶେ

ନାନା ସ୍ଥାନେ ଋଷିବୃନ୍ଦ; ତ୍ରେତାରେ ଏ ପଥେ

ଚିତ୍ରକୂଟୁଁ ପଞ୍ଚବଟୀ ବିଜେ ହେବା କାଳେ,

 

(୧)

ରେବା-ନର୍ମଦା, ରେବା, ମହାନଦୀ ଏବଂ ଶୋଣ ଏମାନେ ଏକ ମାଳଭୂମିରୁ ଭିନ୍ନ ଭିନ୍ନ ଦିଗରେ ପ୍ରବାହିତ ।

(୨)

ତ୍ରେତାଗ୍ନି-ଦକ୍ଷିଣ, ଗାର୍ହିପତ୍ୟ ଓ ଆହବନୀୟ ଏହି ତିନି ଅଗ୍ନି ।

(୩)

ତପସ୍ୱିମାନେ ଜଟାରେ ଇଙ୍ଗୁଦୀତୈଳ ବ୍ୟବହାର କରୁଥିଲେ ।

 

ପର୍ଣ୍ଣଶାଳା ରଚି ଏଥି ଥିଲେ ଦାଶରଥି; (୧)

ପ୍ରସ୍ତରେ ଅଙ୍କିତ ତାଙ୍କ ପଦାଙ୍କ ଏ ବନେ

ବନପୁଷ୍ପାଞ୍ଜଳି ଦେଇ ପୂଜନ୍ତି କିରାତେ,

ଶିଖି-ଗୁଚ୍ଛ ତାଳବୃନ୍ତ ତାଳି ଭକ୍ତିଭାବେ;

ଦାଶରଥି-ଶରେ ହତ ହୋଇ ଏହି ସ୍ଥଳେ

ଲଭିଣ ବିରୋଧ ମୁକ୍ତି ଗଲା ଦିବ୍ୟଲୋକେ, (୨)

ଅଶୋକ, ମାଧବୀ, ନାଗକେଶର ବଲ୍ଲରୀ-

ଦୋଳନେ ଦୋଳନ୍ତି ଏଥି ନିଭୃତେ ଅପ୍‌ସରା

ମଧୁମାସେ, ରାମାୟଣ ଗାଇ ମଧୁତାନେ,

ଫଗୁଖେଳ ରଚି ବନ-ପ୍ରସୂନ-ପରାଗେ;

ନବକିଶଳୟେ, ଦେଖ, ବିରାଜେ କେସନେ

ଚୌଦିଗେ ଅରଣ୍ୟଭୂମି ଦଗ୍‌ବଳୟ ଯାଏ;

ମୈଥିଳୀ ସୁନ୍ଦରୀ ଯେବେ ତୋଳୁଥିଲେ ଏଥି

ବନପୁଷ୍ପ, ଝରି ତାଙ୍କ ଶ୍ରୀକରୁ ଅଳତା

ରଞ୍ଜିଲା କି ତରୁ ଲତା ଏ ମଞ୍ଜୁଳ ରାଗେ ?

ତାଙ୍କ ବରେ ସେହି କାଳୁ ଅଛି ମୋତେମନା

ଦାବାନଳରୂପେ ଏଥି ସଂଚରିବାପାଇଁ;

ଦୟାବତୀ ମୈଥିଳୀର ଶ୍ରୀହସ୍ତ-ଲାଳିତ

 

(୧)

ଚିତ୍ରକୂଟ-ପ୍ରୟାଗର ଦକ୍ଷିଣରେ ଅବସ୍ଥିତ, ମନ୍ଦାକିନୀ ନଦୀ ଏହିଠାରେ ପ୍ରବାହିତ, ବନଯାତ୍ରା ସମୟରେ ରାମଚନ୍ଦ୍ର ଚିତ୍ରକୂଟରେ ଅବସ୍ଥାନ କରିଥିଲେ ।

(୨)

ବିରାଧବଧ ବୃତ୍ତାନ୍ତ ରାମାୟଣରେ ଅନୁସନ୍ଧେୟ ।

 

ଅଦ୍ୟାପି ଏ ବନେ ଛନ୍ତି ବୃଦ୍ଧ କୃଷ୍ଣସାର

ଜରାଜୀର୍ଣ୍ଣ, ଶୁଣି ଯେହୁ ଜଳଦ-ଆଗମେ

ସୁଗମ୍ଭୀର ଘନଘୋଷ ସ୍ମରନ୍ତି ବିଷାଦେ

ବ୍ରହ୍ମାଣ୍ଡବିବରବ୍ୟାପୀ କୋଦଣ୍ଡ ଟଙ୍କାର

ଲଙ୍କାପତି-ଅରାତିର, ତୃଣାହାର ତେଜି

ନିର୍ନିମେଷେ ଏକଧ୍ୟାନେ ମୁଞ୍ଚନ୍ତି ଲୋତକ,’’

ଏହି କଥା ଶୁଣି ତହିଁ ପଞ୍ଚପାଣ୍ଡୁସୂତେ

ପାଞ୍ଚାଳୀ ସହିତେ ଭ୍ରମି ଆଶ୍ରମେ ଆଶ୍ରମେ

ଋଷି-ଋଷି ପତ୍ନୀପଦ ବନ୍ଦିଲେ ଆଦରେ,

ତହୁଁ ପଥ ଅତିବାହି, ରଖି ବାମଭାଗେ

ନିଷଧ, ବିଦର୍ଭଦେଶ, ଚାଲିଲେ ପଶ୍ଚିମେ, (୧)

ଲଙ୍ଘି ପଥେ ଇନ୍ଦ୍ରଜାଦ୍ରି, ଯାର ତଟବନେ (୨)

ଭବାନୀଭବନ ଶୋହେ ମହାଶକ୍ତି-ପୀଠେ,

କେତେଦିନ ଅନ୍ତେ ପାନ୍ଥେ ମିଳିଲେ ପ୍ରଦୋଷେ

ତପତୀତଟିନୀତୀରେ ଅଗ୍ନିଦେବସହ; (୩)

 

(୧)

ନିଷଧ ଏବଂ ବିଦର୍ଭଦେଶ ମଧ୍ୟଭାରତବର୍ଷରେ ଅବସ୍ଥିତ ଥିଲା । ବିଦର୍ଭର ଆଧୁନିକ ନାମ ବେଦର ।

(୨)

ଇନ୍ଦ୍ରଜାଦ୍ରି-ଅନ୍ୟ ନାମ ସାତପୁରା ପର୍ବତ, ଏହି ପର୍ବତର ଉପତ୍ୟାକରେ ଖଣ୍ଡବା ନାମକ ସ୍ଥାନରେ ଭବାନୀଦେବୀଙ୍କର ମନ୍ଦିର ଅବସ୍ଥିତ । ଖଣ୍ଡବା ଭାରତବର୍ଷର ଅନ୍ୟତର ଶକ୍ତିପୀଠ । ମଧ୍ୟଭାରତବର୍ଷର ‘ଠଗ’ମାନେ ଏହି ଦେବୀଙ୍କର ଉପାସକ ଥିଲେ ।

(୩)

ତପତୀ-ଏହି ନଦୀ ପଶ୍ଚିମମୁଖରେ ପ୍ରବାହିତ ହୋଇ ଆରବ୍ୟସାଗରରେ ପତିତ ହୋଇଅଛି ।

 

ତପତୀର ପୂତସ୍ରୋତେ ତର୍ପଣ ବଢ଼ାଇ

ବସନ୍ତେ ପାଣ୍ଡବେ, ଦେବ ବୈଶ୍ୱାନର ତହୁଁ

ବୋଇଲେ ବାରୁଣୀଦିଗେ ଅଙ୍ଗୁଳି ନିର୍ଦେଶି,

‘‘ସନ୍ଧ୍ୟାରେ ଅରୁଣ ଏହି ବାରୁଣୀ-ଅମ୍ବରେ

ସନ୍ଧ୍ୟାତାରା ଚୁମ୍ବେ ଯାର ନୀଳୋଜ୍ଜ୍ୱଳଶିଖା,

ବୋଲାଏ ସହ୍ୟାଦ୍ରି ଏହୁ ଅଚଳ-ସମାଜେ, (୧)

ମହା ପ୍ରଭାବନ୍ତ ଗିରି, ଦକ୍ଷିଣାପଥର

ପଶ୍ଚିମ ପ୍ରାଚୀରରୂପେ ରାଜେ ମହୀତଳେ,

ବିସ୍ତୃତ ଦକ୍ଷିଣେ ଏହୁ ସେତୁବନ୍ଧଯାଏ,

ଏହା ଦେହୁ ବହି ତିନି ମହାପ୍ରବାହିନୀ

ପୂର୍ବେ ଯାଇ ମିଶିଛନ୍ତି ପୂର୍ବ ପାରାବାରେ,

ଜନସ୍ଥାନ ଦ୍ରୁମରାଜି-ଧାତ୍ରୀସ୍ୱରୂପିଣୀ (୨)

ସରିଦ୍‌ବରା ଗୋଦାବରୀ, କୃଷ୍ଣା କୃଷ୍ଣବେଣୀ, (୩)

ମଳୟ ବଳୟରୂପା ବିମଳା କାବେରୀ, (୪)

 

(୧)

ସହ୍ୟାଦ୍ରି-ପଶ୍ଚିମଘାଟ ପର୍ବତ । ଗୋଦାବରୀ ପ୍ରଭୃତି ନଦୀ ଏହି ପର୍ବତରୁ ପ୍ରବାହିତ ।

(୨)

ଜନସ୍ଥାନ-ଦଣ୍ଡକାରଣ୍ୟର ଅଂଶବିଶେଷ । ଗୋଦାବରୀ ଜନସ୍ଥାନ ମଧ୍ୟରେ ପ୍ରବାହିତ ।

(୩)

କୃଷ୍ଣବେଣୀ-ସ୍ୱନାମପ୍ରସିଦ୍ଧ ନଦୀ, ପୂର୍ବମୁଖରେ ପ୍ରବାହିତ ହୋଇ ମହୋଦଧିରେ ପତିତ ହୋଇଅଛି, ଆଧୁନିକ ନାମ କୃଷ୍ଣା ।

(୪)

କାବେରୀ ମଳୟପର୍ବତର ପାଦଦେଶରେ ପ୍ରବାହିତା, ଅଗସ୍ତ୍ୟାଶ୍ରମ ଏହିଠାରେ ପ୍ରତିଷ୍ଠିତ ଥିଲା, ଲୋପାମୁଦ୍ରା ଅଗସ୍ତ୍ୟପତ୍ନୀ, ମଳୟପର୍ବତ ଚନ୍ଦନ ନିମନ୍ତେ ପ୍ରସିଦ୍ଧ, ଅଗ୍ୟସ୍ତ କଳସରୁ ଜାତ ହୋଇଥିବାରୁ ପୌରାଣିକ କିମ୍ବଦନ୍ତୀ ଅଛି ।

 

ଚନ୍ଦନକାନନ ଯାର ଚାରୁ ତୀରଭୂମେ

ସମୁଜ୍ଜ୍ୱଳ କୁମ୍ଭଯୋନିମୁନି-ପ୍ରଣୟନୀ

ସତୀଶିରୋମଣି ଧନୀ ଲୋପାମୁଦ୍ରାରୂପେ;

ଏହି ଗିରି ପ୍ରାନ୍ତବନୁ ନେଇଥିଲା ହରି

ରକ୍ଷୋଭାଗ୍ୟ-ବନରାଜି-ଦାବାନଳଶିଖା-

ସୀତାଙ୍କୁ ତ୍ରେତାରେ, ଛଳି ରାମେ, ରାମାନୁଜେ,

ତ୍ରିଦଶବୀର୍ଯ୍ୟନିକଷ-ନୈକଷେୟ ବଳୀ, (୧)

ସୁଗ୍ରୀବପ୍ରମୁଖ ପଞ୍ଚବୀର-ଅଧ୍ୟାସିତ,

ଏହି ଗିରିପାଦସ୍ଥିତ ଶୈଳ ଋଷ୍ୟମୂକେ (୨)

ଫିଙ୍ଗିଥିଲେ ଅଙ୍ଗୁ ଦେବୀ ନିଦର୍ଶନ ଲାଗି,

ସେକାଳେ ଆକାଶଗାମୀପୁଷ୍ପକବିମାନୁ

ତଡ଼ିଲ୍ଲତା-ତାରାପୁଞ୍ଜଗଞ୍ଜୀ ବାସଭୂଷା;

ଲୋଟନ୍ତି ଏ ଗିରିପାଦେ ନୀଳ ରତ୍ନାକର, (୩)

ଯିବି ନିଜ କାର୍ଯ୍ୟେ ମୁହିଁ ତାଙ୍କରି ସଦନେ,

ପ୍ରଭାତେ ବାୟବ୍ୟ-ମୁଖେ ଦ୍ୱାରାବତୀପୁରେ

 

(୧)

ନିକଷାପୁତ୍ର ଲଙ୍କେଶ୍ୱର ଦେବବୀର୍ଯ୍ୟର ନିକଷ ପ୍ରାୟ ଥିଲେ ।

(୨)

ସହ୍ୟାଦ୍ରିର ପାଦପର୍ବତ ପମ୍ପାସରୋବର ସନ୍ନିହିତ, ସୁଗ୍ରୀବାଦି-ପଞ୍ଚମହାବୀର ବାଳିଙ୍କ ଭୟରେ ଏହି ପର୍ବତରେ ଆଶ୍ରୟ ଗ୍ରହଣ କରିଥିଲେ ।

(୩)

ରତ୍ନାକର-ଆରବ ସାଗର ।

 

ଯିବ ତୁମ୍ଭେ ଏହି ଠାରୁ, କାଲିଠାରୁ ଆଉ

ତୁମ୍ଭ ସଙ୍ଗେ ଭେଟ ମୋର ନୋହିବ ମରତେ,

ଦ୍ୱାପରର ଶେଷ ଆଜି, ଏହି ନିଶାଯୋଗେ

ଓହ୍ଳାଇବେ ଦଳବଳେ କଳି ଭବଧାମେ,

ନିଷିଦ୍ଧ କଳିରେ ଦେବ ମାନବର ଭେଟ,

ଇଚ୍ଛା ଯେବେ, ମୋର ସଙ୍ଗେ ଚାଲ, କୁରୁମଣି,

ଏହି ଶୈଳଶୃଙ୍ଗେ ବସି ଦେଖିବ କୌତୁକେ

ଭବେ କଳି ଅବତାର ମୋର ଦିବ୍ୟାଲୋକେ,

ସତ୍ତ୍ୱଗୁଣୋଜ୍ଜ୍ୱଳ ଏକା ତୁମ୍ଭରି ଲୋଚନେ

ସହିବ ସେ ଦିବ୍ୟଜ୍ୟୋତି, ଚାଲ ବେଗକରି ।

Image

 

ମହଯାତ୍ରା

ଚତୁର୍ଥ ସର୍ଗ

 

ସହ୍ୟାଦ୍ରିଶିଖରେ ବସି, ଦିବ୍ୟାଲୋକଯୋଗେ

ଦେଖିଲେ ପାଣ୍ଡବରାଣ ଅନଳ ପ୍ରସାଦେ

ବିସ୍ମୟେ ଅଦ୍ଭୁତ ଦୃଶ୍ୟ, ଦିଶିଲା ଆକାଶେ

ତାରକାଗୁମ୍ଫିତ-ଚାରୁ-ଚନ୍ଦ୍ରାତପ ତଳେ

ସ୍ୱର୍ଣ୍ଣମେଘେ ଦେବସଭା, ବିରାଜନ୍ତି ତହିଁ

ଦେବଗଣ, ଚିନ୍ତାମଗ୍ନ ସର୍ବେ ଏକମନେ,

ଚକ୍ରାକାରେ ବେଢ଼ିଅଛି ସର୍ବ ଦେବଦେହ

ସୁନ୍ଦର ପ୍ରଭାମଣ୍ଡଳ, ବିଧୁଙ୍କୁ ଯେସନ

ବେଢ଼ଇ ବିବିଧବର୍ଣ୍ଣେ ଉଜ୍ଜ୍ୱଳ ପରିଧି

ନିଶାକାଳେ, ବରଷାର ଆଗମସୂଚକ, (୧)

ଏକ ଏକ କରି ଦେବ ସୁବର୍ଣ୍ଣ ଦୀଧିତି (୨)

ପୌରବେ ଚିହ୍ନାଇ ଦେଇ କହିଲେ ଏସନ, (୩)

‘‘ତୁଷାର ଧବଳକାନ୍ତି, ଦେଖ, ସିଂହାସନେ

 

(୧)

ଚନ୍ଦ୍ରମଣ୍ଡଳକୁ ଲୋକ ବର୍ଷାର ସୂଚକ ବୋଲି ବିଶ୍ୱାସ କରନ୍ତି ।

(୨)

ସୁବର୍ଣ୍ଣଦୀଧିତି-ଅଗ୍ନି ।

(୩)

ପୌରବ-ଯୁଧିଷ୍ଠିର ।

 

ବିରାଜନ୍ତି ‘ଧର୍ମ’ ଦେବ ଅମଳବସନେ,

କରେ ଜ୍ୟୋସ୍ନାଶୁଭ୍ର ଦଣ୍ଡ, ବଦନମଣ୍ଡଳେ

ବିରାଜେ ଅପୂର୍ବ ଜ୍ୟୋତି ପ୍ରଶାନ୍ତ ପାବନ;

ସ୍ଫୀତବକ୍ଷ ଅନୁଚର ଧର୍ମ୍ମଙ୍କ ଛାମୁରେ

ଉଭା ଯେହୁ, ଦିବେ ସେହି ‘ସାହସ’ ଆଖ୍ୟାତ;

ଧର୍ମ ପାଶେ ‘ସତ୍ୟ’ ମହାତେଜସ୍ୱୀ ନିର୍ଭୀକ,

ସ୍ୱଚ୍ଛବତ ଦିଶେ ଯାଙ୍କ ସମସ୍ତ ବିଗ୍ରହ,

ହେଲେହେଁ ଭୂଷଣହୀନ ନୈସର୍ଗିକ ରୂପେ

ଦିଶଇ ସୁନ୍ଦର ଅତି ସେ ଦିବ୍ୟ ମୂରତି;

ସତ୍ୟଙ୍କ ଅଦୂରେ ଦେଖ ତୁଳାଦଣ୍ଡଧାରୀ,

ନିସ୍ତରଙ୍ଗ ହ୍ରଦ ପରି ଗମ୍ଭୀର ମୂରତି

‘ନ୍ୟାୟଦେବ’, ନେତ୍ର ବଦ୍ଧ ଘନକୃଷ୍ଣବାସେ,

ସାନ ବଡ଼, ନିଜ ପର ଜ୍ଞାନର ରୋଧକ; (୧)

ତାଙ୍କ ପାଶେ ‘ତପଃ’ କ୍ଷୀଣବପୁ ଜଟାଧାରୀ,

ମୁଞ୍ଜ ମେଖଳାରେ ବଦ୍ଧ ଶୋଭେ କଟିଦେଶେ (୨)

ବକଳ, ଲମ୍ବିତ ଲମ୍ବଶ୍ମଶ୍ରୁ ବକ୍ଷସ୍ଥଳେ;

ତପଃ ପାଶେ ‘କ୍ଷମ’ ହସ୍ତେ ଆବରଣ ପଟ,

ବ୍ୟସ୍ତ ସଦା ପର ଦୋଷ ଆବରିବାପାଇଁ;

ତାଙ୍କ ପାଶେ ‘ଦୟାଦେବୀ’ ସ୍ନିଗ୍‌ଧଜ୍ୟୋତିର୍ମୟୀ,

 

(୧)

ସାନ ବଡ଼, ନିଜ ପର ଏହି ଜ୍ଞାନର ରୋଧକ । ଘନକୃଷ୍ଣବସନରେ ‘ନ୍ୟାୟଦେବ’ଙ୍କ ନେତ୍ର ବଦ୍ଧ ।

(୨)

ମୁଞ୍ଜ-ତୃଣବିଶେଷ ।

 

ମୁକ୍ତାଫଳଗଞ୍ଜ-ଅଶ୍ରୁ ଝରେ ନେତ୍ରଯୁଗେ

ପରଦୁଃଖେ, ବାହୁ ତୋଳି ଡାକୁଛନ୍ତି କି ସେ

ଦୁଃଖିଜନେ ଆଶ୍ରା ଦେବାପାଇଁ ନିଜକ୍ରୋଡ଼େ !

ପୂର୍ଣ୍ଣକୁମ୍ଭୁ ଜଳ ଇଡ଼ି ପ୍ରକ୍ଷାଳନ୍ତି ଦେହ

‘ଶୌଚଦେବ’, ସଙ୍କୁଚିତ ସଦା ଅନାଚାରେ,

ବରାଙ୍ଗୁ କାଢ଼ନ୍ତି ଯେହୁ ବସ୍ତ୍ର, ଆଭରଣ,

ନିୟୋଜିତ-ଦେହମନ ପରସେବାଲାଗି,

‘ତିତିକ୍ଷା’ ସେ ରତ ସଦା ମହାତ୍ୟାଗବ୍ରତେ; (୧)

ସାଧୁଜନ-ସେବ୍ୟ ଏହି ପବିତ୍ର ‘ଆର୍ଜ୍ଜବ’ (୨)

ଶାଳସମ ଋଜୁ ଦେହ, ଋଜୁଦୃଷ୍ଟିରେଖା;

ବିଶ୍ୱଶୋଭାରାଣୀ, ଦେଖ, ଦେବୀ, ‘ପଦ୍ମାଳୟା’

ଆଭରଣପ୍ରଭାଜାଳେ ନଭଃ ଉଦ୍ଭାସିନୀ,

ଫୁଲ୍ଲ ରଙ୍ଗଶତଦଳ ଶୋଭେ ଦକ୍ଷକରେ,

ଦକ୍ଷେତରେ ଧାନମେଣ୍ଟି, ଦେବୀଙ୍କ ପ୍ରସାଦେ (୩)

ମେଘେ ରାଜେ ଇନ୍ଦଧନୁ, ପୁଷ୍ପରାଜି ବନେ,

ଜଗତଜୀବନଯଷ୍ଟି ଶସ୍ୟ ଶସ୍ୟକ୍ଷେତ୍ରେ,

ନିରତେ ଅସ୍ଥିରା ଦେବୀ, ଆସନୁ ଆସନେ

 

(୧)

ମହାତ୍ୟାଗବ୍ରତେ-ଆତ୍ମୋତ୍ସର୍ଗ ବ୍ରତରେ ।

(୨)

ଆର୍ଜବ-ସରଳତା ।

(୩)

ଲକ୍ଷ୍ମୀ ଶୋଭା ଏବଂ ସମ୍ପଦର ଅଧିଷ୍ଠାତ୍ରୀ। ଶତଦଳ ଶୋଭାବ୍ୟଞ୍ଜକ, ଧାନମେଣ୍ଟି ସମ୍ପଦବ୍ୟଞ୍ଜକ ।

 

ନିରତେ କରନ୍ତି ସ୍ଥିତି, ସ୍ୱଭାବେ ଚପଳା; (୧)

ଶ୍ୱେତପଦ୍ମାସୀନା ଏହି ଦେବୀ ‘ସରସ୍ୱତୀ’

କୁନ୍ଦେନ୍ଦୁ-ତୁଷାର-ପ୍ରଭା, ଶୁଭ୍ରବସ୍ତ୍ରାବୃତା,

ଏକ ହସ୍ତେ ଗ୍ରନ୍ଥ, ଆନେ ବୀଣା ସପ୍ତସ୍ୱରା,

ଅସାଧ୍ୟ ସାଧନଫଳେ ତୁଷ୍ଟ ହୋଇ ଥରେ

ଦେଇଥିଲେ ଏହି ମୃତସଞ୍ଜୀବନୀବୀଣା

ନବତାନେ ବାଇବାକୁ ବଲ୍ମୀକପ୍ରଭବ–

ମୁନିବରେ, ପୁଣି ଥରେ କୃଷ୍ଣଦ୍ୱୈପାୟନେ, (୨)

ସେଭଳି ସେବକ ଆଉ ନ ଦେଖି ଭାରତେ

ଭାରତୀ ସେ ବୀଣା ଏବେ ଧରନ୍ତି ଶ୍ରୀକରେ,

ଏ ଆଦି ଯାବନ୍ତ ଦେବ ଦେବୀ ଭାରତର

କଳି-ଆଗମନ ଭୟେ କରନ୍ତି ମନ୍ତ୍ରଣା

କେ କାହିଁ ଲୁଚିବେ, କେଉଁ ବିଜନ ପ୍ରଦେଶେ;

ବିଳମ୍ବ ତ ନାହିଁ ଆଉ ! ଭାରତ ବଦନେ

ବିରାଜଇ ଯେଉଁ ଶିରୀ ଯିବ ସିନା ଲିଭି

ଅଲ୍ପକ୍ଷଣେ, ଗଳ୍ପେ ମାତ୍ର ରହିବ ତା ସ୍ମୃତି !

ଧର୍ମର ଏ ଉପବନ ହେବ ପରିଣତ

 

(୧)

ଲକ୍ଷ୍ମୀଙ୍କର ଚଞ୍ଚଳା ନାମ ପୁରାଣପ୍ରସିଦ୍ଧ ଏବଂ ତାହାଙ୍କର ଚଞ୍ଚଳତା ଅନୁଭବ ପ୍ରସିଦ୍ଧ ଅଟେ-

(୨)

ସରସ୍ୱତୀ ବାଲ୍ମୀକି ଏବଂ ବ୍ୟାସଙ୍କୁ ତାହାଙ୍କ ଯୋଗ୍ୟଭକ୍ତ ଜାଣି ସ୍ୱକୀୟ ବୀଣା ନବତାନରେ ବଜାଇବା ସକାଶେ ଦେଇଥିଲେ, ଭାରତରେ ଏମାନଙ୍କର ସମସ୍କନ୍ଧ ସରସ୍ୱତୀଭକ୍ତ ଆଉ ନାହାନ୍ତି ।

 

ପାପ-ମରୁଭୂମେ ଏବେ, ଲକ୍ଷ୍ମୀଲୀଳାସରଃ

ଶୁଖିଯିବ, ଆହା, ଏହି କ୍ରୂର-ଅବଗ୍ରହେ !’’ (୧)

ଏହା କହୁଁ କହୁଁ ନଭଃଭୀଷଣ ତମସେ

ଗଲା ପୁରି, ବିକଟାଳ-କରାଳ-ଆକୃତି

ଉର୍ଦ୍ଧ୍ୱୁ ଓହ୍ଳାଇଲେ କଳି ନିଜ ଦଳବଳେ,

ଲୋହିତ ମଙ୍ଗଳ ଗ୍ରହ ପ୍ରାୟେ ଭୟାବହ

ଅମଙ୍ଗଳ ବେନି ଚକ୍ଷୁ, ନିଃସରଇ ଯହୁଁ

ଭୀମଧୂମକେତୁପୁଚ୍ଛସମ ଜ୍ୟୋତିରେଖା,

କୃତାନ୍ତର କରପତ୍ର ପ୍ରାୟେ ତ୍ରାସପ୍ରଦ(୨)

ଆବର୍ତ୍ତସନ୍ନିଭତୁଣ୍ଡେ ତୀକ୍ଷ୍‌ଣଦନ୍ତାବଳୀ; (୩)

ଆସୁଛନ୍ତି ଯେଝା ବେଶେ କଳି ପଛେ ପଛେ

କଳି-ଅନୁଚରବୃନ୍ଦ, ସଦା ଧର୍ମଦ୍ରୋହୀ,

ଲଳିତଲଳନାଭୂରୁ-ଚାରୁଚାପଧାରୀ

ଅଗ୍ରେ ବିଶ୍ୱଜୟୀ ‘କାମ’, ପୁଷ୍ପର ମୁକୁଟ

ଶୋହେ ଶିରେ, ପୁଷ୍ପମାଳା ଲମ୍ବିତ ଉରସେ;

ଆସୁଛନ୍ତି ଚଉପାଶେ ବେଢ଼ି ନରାପ୍ସରା

କୁରଙ୍ଗ ତର ଙ୍ଗେକ୍ଷଣୀ, ଚମ୍ପକ-ବରଣୀ,

ବିମ୍ବାଧରୀ, ଘନଲମ୍ବକେଶୀ, ସ୍ମେରାନନା

 

(୧)

ଅବଗ୍ରହ-ଅନାବୃଷ୍ଟି ।

(୨)

କରପତ୍ର-କରତ ।

(୩)

ଆବର୍ତ୍ତ-ଭଉଁରି ।

 

ବାରାଙ୍ଗନାଦଳ ରତିଜିଣି ରୂପବତୀ;

ଚାରୁବକ୍ଷ କୋରକିତ ଉରଜ-କୋରକେ,

ଲାଳସାର ସ୍ୱର୍ଣ୍ଣ ନୀଡ଼ କିଅବା ସେ ବେନି ? (୧)

ସୁବଳିତରମ୍ଭାଊରୁ ଆବୃତ ଦୁକୂଳେ,

ଯେଉଁ ଆବରଣ ଭେଦି, ନିଭୃତ ପ୍ରଦେଶେ

ସଂଚରଣେ ଲୋଳ ସଦା କାମୁକ-କଳ୍ପନା !

ବୀଣାଧ୍ୱନି ସଙ୍ଗେ ଉଠେ ସଙ୍ଗୀତର ଧ୍ୱନି

ସେ ଦଳୁ, ‘‘ହେ ଯୁବାକୁଳ, କ୍ଷଣମାତ୍ରସ୍ଥାୟୀ

ଯୁବାକାଳ, ମଧୁକାଳ ଏହିଟି ଜୀବନେ !

ଏହା ଜାଣି, ଆନେ ତେଜି, ମଜ୍ଜି ପ୍ରେମରସେ

ପୂରାଅ ଭୋଗର ସ୍ପୃହା, ପୁରୁଷ ଜୀବନେ

ପୁରୁଷାର୍ଥ ଏକା ସିନା ବାମା-ଉପାସନା !

କାମାତୁରା ନବୀନାଙ୍କ କାମନା ପୂରାଇ

ସାର୍ଥକ ପୁରୁଷପଣ କର ଏ ବୟସେ,

ପ୍ରଭାତ ଶିଶିରେ ସ୍ନାନି, ସଜପୁଷ୍ପ ଯେବେ

ବୃନ୍ତାସନେ ହସୁଥାଇ ଅଳିକି ଅନାଇ

ପ୍ରେମୋତ୍ସୁକେ, ବିଳମ୍ବଇ କେବେ କି ସେ ଅଳି

ଖରାରେ ମଉଳି ପୁଷ୍ପ ବାସି ହେବା ଯାଏ ?

ମଦାଳସୀ-ରମ୍ୟସ୍ତନ-ସ୍ୱର୍ଣ୍ଣମେରୁରୂପୀ,

ଏ ପ୍ରତ୍ୟକ୍ଷ ସ୍ୱର୍ଗ ଛାଡ଼ି, କେଉଁ ଭ୍ରମେ ପଡ଼ି,

 

(୧)

କାମୁକମାନଙ୍କର ଲାଳସା ବିହଙ୍ଗର ସୁବର୍ଣ୍ଣନୀଡ଼ ପରି ।

 

ହେ ଯତି, ନିରତେ, ତୁମ୍ଭେ ରତ ଘୋରତପେ,

ଅପ୍ରତ୍ୟକ୍ଷ ଅନିଶ୍ଚିତ ସ୍ୱର୍ଗ ଭୋଗ ଆଶେ ?

କି ଭୋଗ ସେ ସ୍ୱର୍ଗେ ଅଛି ଏ ଭୋଗକୁ ବଳି,

ହେ ପଣ୍ଡିତକୁଳ, ଆତ୍ମ ବଞ୍ଚନାରେ ପଡ଼ି

ଗ୍ରନ୍ଥକୀଟ ହୋଇ ସିନା କଟାଉଛ ବୃଥା

ଯୁବାକାଳ କବିତାର ସଂକଳ୍ପ-ଆମୋଦେ !

ସୁନ୍ଦରୀ-ଅଧର-ମଧୁ ସଙ୍ଗେ କି ହେ ସରି

କାବ୍ୟରସ ? ଆନ କାବ୍ୟ ଫିଙ୍ଗି ଦେଇ ଦୂରେ

ଯୁବତୀ-ଯୌବନ-କାବ୍ୟ ପଢ଼ ଅବିରତେ,

ହେ ବୀର, ବିଫଳେ କିପାଁ ମର ଅନୁସରି

ରଣଭୂମି-ମରୁଭୂମେ ଯଶ-ମରୀଚିକା,

ସମ୍ମୁଖେ ସୁଲଭ ହୁଡ଼ି ସୁଧାତରଙ୍ଗିଣୀ ?

ମହାବିଭୀଷିକାମୟୀ ରଣସ୍ଥଳୀ ତେଜି

କେଶରୀ-ବିକ୍ରମେ ପଶ ସେ ସଂଗ୍ରାମ, ଯହିଁ

ରସିକା ସଙ୍ଗତେ ଯୁଝି କାମକୁତୂହଳେ

ଜୟୁଁ ପରାଜୟେ କୃତୀ ହୁଅନ୍ତି ରସିକେ,’’

ଢାଳଇ ଶ୍ରବଣେ ସୁଧା କଣ୍ଠ-ଯନ୍ତ୍ର ଧ୍ୱନି

ଏସନେ, ସୁତାନେ ମିଶି ଭୂଷଣ ଶିଞ୍ଜିତେ,

କଜ୍ଜ୍ୱଳକେଶୀଙ୍କ ରୂପେ ସମୁଜ୍ଜ୍ୱଳ ଦିଶେ

ସେ ଦେଶ, ବସନ୍ତେ କୁଞ୍ଜ ପୁଷ୍ପ-ପୁଞ୍ଜେ ଯଥା,

ପୁଷ୍ପାବୃତ ଖାତ ପ୍ରାୟେ ବହ୍ୟେ ତୋରା ବାମା !

ହସ୍ତେ ଶୋଭେ ପୁଷ୍ପ, ମାତ୍ର ବସ୍ତ୍ରତଳେ ତଳେ

ଗଳି ଗଳି ଚାଲୁଛନ୍ତି ଅଲକ୍ଷିତ ରୂପେ

ପରିଚାରଦଳ ‘ମେହ’ ‘ଉପଦଂଶ’ ଆଦି,

ତାମ୍ବୁଳକରଙ୍କଧର ଚାଲନ୍ତି ପଶ୍ଚାତେ

ଧନିକନନ୍ଦନଗଣ ଶମ୍ଭଳୀଶୋଷିତ- (୧)

ସର୍ବସ୍ୱ, ପାଣ୍ଡୁର ରିକ୍ତ ଶରଦଭ୍ର ଯଥା, (୨)

ସର୍ବେ ଆଜୀବନ ବିକା ରୂପାଜୀବାପଦେ !

କାମ ପ୍ରତି ବୈଶ୍ୱାନର ଅଙ୍ଗୁଳି ନିର୍ଦ୍ଦେଶି

କହିଲେ ପୌରବେ, ‘‘ମହାଦୁଷ୍ଟମତି ଏହୁ !

ଥରେ ମୁହିଁ ଚନ୍ଦ୍ରଚୂଡ଼ନୟନୁ ବାହାରି (୩)

ଦହିଥିଲି ଏ ଦୁରନ୍ତେ, ତାଙ୍କୁ ସେହି ହେତୁ

ଡରେ ଦୁଷ୍ଟ, ତାଙ୍କ ଭକ୍ତପାଶୁଁ ରହେ ଦୂରେ ।

ଆକ୍ରୋଶେ ଗରଜି ‘କ୍ରୋଧ’ ଆସେ କାମପଛେ

 

(୧)

କୁଟଣୀମାନଙ୍କଦ୍ୱାରା ହୃତସର୍ବସ୍ୱ ।

(୨)

କାମୁକମାନେ ଇନ୍ଦ୍ରୟାସକ୍ତ ହୋଇ କ୍ରମଶଃ ନିର୍ବାର୍ଯ୍ୟ ହୁଅନ୍ତି ଏବଂ ସେମାନଙ୍କ ଦେହ ବିବର୍ଣ୍ଣ ହୋଇ ପାଣ୍ଡୁର ଦିଶେ, ସେମାନଙ୍କର ଦେହରେ ରକ୍ତ ନ ଥାଏ, ଶରଦଭ୍ର ଯେପରି ଜଳଶୂନ୍ୟ ଏବଂ ପାଣ୍ଡୁର, କାମୁକମାନେ ସେହିପରି ରକ୍ତଶୂନ୍ୟ ଏବଂ ବିବର୍ଣ୍ଣ ହୋଇଯାନ୍ତି ।

(୩)

ହରକୋପାନଳରେ ମଦନ ଦଗ୍‌ଧ ହୋଇଥିବା କଥା ପୁରାଣରେ ଅନୁସନ୍ଧେୟ ।

 

 

ରକ୍ତଚକ୍ଷୁଃ, ସତେ କି ସେ ଦହିବ ଜଗତ !

ବଜ୍ରର ଔରସେ, ବାତ୍ୟାଗର୍ଭେ ଜାତ ହୋଇ

ବଡ଼ବାର ସ୍ତନ୍ୟେ ବଢ଼ିଥିଲା ଯେ ସାଗରେ, (୧)

ଭୂକମ୍ପ ଦୋଳିରେ ସୁଖେ ଦୋହଲି ଶୈଶବ,

ମହାଭୟଙ୍କର ରିପୁ ! ରକ୍ତିମା ଜନ୍ମାଇ

ଉପୁଜାଏ ବିରକ୍ତି କି, ବହ୍ନିଶିଖା ଜାଳି

ଉପୁଜାଏ ତମଃ,ଜ୍ଞାନ-ବିବେକ ବିଲୋପୀ;(୨)

ସହଚରରୂପେ ତାର ଆସଇ ସଙ୍ଗତେ

‘ହତ୍ୟା’, କରବାଳ ହାତେ, ରକ୍ତଲିପ୍ତବାସେ;

ତମ୍ପ ପ୍ରାୟେ ଫଁ ଫଁ ସ୍ୱନେ ନିଶ୍ୱାସି ସଘନେ

ଆସୁଛନ୍ତି ପରିଜନେ, ବହଇ ଅଧରୁ

ଲହୁଧାରା, ନିଜ ଦନ୍ତେ ନିଜକୁ କାମୋଡ଼ି,

କାଳଭୁଜଙ୍ଗିନୀ ପ୍ରାୟେ ଭ୍ରୂକୁଟି ଲଲାଟେ,

ଶୃଙ୍ଗହୀନ ହୋଇ ସୁଦ୍ଧା ଏକକୁ ଆରେକ

ବିନ୍ଧନେ ଉଦ୍ୟତ, ଯେହ୍ନେ ସବତ୍ସା-ଧେନୁକା; (୩)

 

(୧)

ବଡ଼ବା-ସମୁଦ୍ରଗର୍ଭସ୍ଥିତ ବାଡ଼ବାନଳର ପ୍ରସୂତୀରୂପା ଘୋଟକୀ, ସମ୍ଭବତଃ ଜଳମଗ୍ନ ଆଗ୍ନେୟଗିରିମାଳା ।

(୨)

କ୍ରୋଧ ରକ୍ତିମା ଜନ୍ମାଏ, ଅଥଚ ସେଥିସଙ୍ଗେ ବିରକ୍ତି ଜାତ କରେ, ଅଗ୍ନି ଜାଳିଦିଏ, ଅଥଚ ସେହି ଅଗ୍ନିଦ୍ୱାରା ଆଲୋକ ନ ଜନ୍ମାଇ ତମଃ ଜାତ କରେ ।

(୩)

ଧେନୁକା-ଗାଈ ।

 

କଥାକେ କଥାକେ ଥୋକେ ଯାଉଛନ୍ତି ରୁଷି,

ରସ ବହ୍ନିଯୋଗେ ଯଥା, କଥାକେ କଥାକେ(୧)

ବାଡ଼ିଆ ବାଡ଼େଇ ହୋଇ ମରନ୍ତି ପାମରେ,

କ୍ରୋଧ ପଛେ ‘ଲୋଭ’ ସଦା ପ୍ରସାରିତପାଣି

ଭିକ୍ଷାଲାଗି, କାକୁବାଣୀ (୨) ନିରତେ ବଦନେ,

ସକଳ ଇନ୍ଦ୍ରିୟେ ସେହୁ କଲେହେଁ ବସତି,

ଶ୍ରଦ୍ଧା ସମଧିକ ତାର ରସନାନିବାସେ,

ଗୋଡ଼ାନ୍ତି ସଙ୍ଗତେ ଯାଚ୍‌ଞାପଟୁ ବଟୁଦଳ,

ଅତ୍ୟାହାରେ ରୋଗୀ ପୁଣି ରୋଗେ ଅତ୍ୟାହାରୀ !

ରସନାରୁ ଅହର୍ନିଶ ସ୍ରବୁଅଛି ଲୀଳା,

ଗୋଡ଼ାନ୍ତି ଏ ଦଳ ସଙ୍ଗେ ଧନଲୋଭୀ ମୂଢ଼େ,

ଧନ ଯାଙ୍କ ପିତା ମାତା ଅଭୀଷ୍ଟ ଦେବତା,

ଅକାତାରେ କନ୍ୟା, କିବା ବନିତା, ଭଗିନୀ,

ଦେବାକୁ ଧନିକେ ତୁଚ୍ଛ ଧନ ବିନିମୟେ !

ଏ ଦଳ କରନ୍ତି ବୃଦ୍ଧି ବୃଦ୍ଧ ବାର୍ଦ୍ଧୁଷିକେ

ଅଧମର୍ଣ୍ଣ-ମକ୍ଷିଙ୍କର ଊର୍ଣ୍ଣନାଭରୂପୀ,

କୁବେରଙ୍କ ବରପୁତ୍ରେ, ବଢ଼ଇ ନିରତେ

(ମଦ୍ୟପର ତୃଷା ଯଥା ମୁହୁର୍ମୁହୁଃ ପାନେ)

 

(୧)

ରସ-ବାରୁଦ ।

(୨)

କାକୁ-ଦୈନ୍ୟୋକ୍ତି ।

 

ଧନବୃଦ୍ଧି ସଙ୍ଗେ ଯାଙ୍କ ଧନର ଲାଳସା,

ମହାରଙ୍କ, ମିଷ୍ଟବାକ୍ୟଦାନେ ମହାଦାତା ! (୧)

ଭବଦୁଃଖହର-ମୋକ୍ଷପଥର ବିରୋଧୀ,

ଶୂନ୍ୟକୁ ଆକେଟ ଧରି ନିବିଡ଼ ଆଶ୍ଳେଷେ,

ଆସେ ‘ମୋହ’, ଶିଷ୍ୟବ୍ୟୂହ ଆସନ୍ତି ଗହଣେ,

କୁଟୁମ୍ବ-ଜମ୍ବାଳେ (୨) ମଗ୍ନ, କୁଣ୍ଠିତ ଯେ ସଦା

ଘଟାନ୍ତରକାଳେ ସୁଦ୍ଧା ଈଶ୍ୱରସ୍ମରଣେ !

ଶାସ୍ତ୍ରଜ୍ଞାନସତ୍ତ୍ୱେ ଜଡ଼ ! ଅନ୍ଧ ଚକ୍ଷୁ ଥାଇ !

ହେଲେହେଁ ଜାଗ୍ରତ ଗାଢ଼ନିଦ୍ରା-ଅଭିଭୂତ !

ଦରାଣ୍ଡି ହୁଅନ୍ତି, ଆହା, ମହାଘୋର ତମେ

ଦୀପସତ୍ତ୍ୱେ, ମମତାର ଦୁଶ୍ଛେଦ୍ୟ ବନ୍ଧନେ !

ଆସେ ‘ମଦ’, ତୁଙ୍ଗଶିର ଲାଗିଛି ଆକାଶେ

ମହାଅହମିକାମତ୍ତ, (୩) ହସ୍ତ ବକ୍ଷସ୍ଥଳେ;

ସଙ୍ଗେ ଉପାସକଦଳ ଗମ୍ଭୀର ମୂରତି,

ଊର୍ଦ୍ଧ୍ୱଦୃଷ୍ଟି, ପଦଭରେ ଟଳେ ବସୁନ୍ଧରା,

ଆପଣାକୁ ବଡ଼ ମଣି ସମସ୍ତେ କୁଣ୍ଠିତ

ମହାର୍ଘବଚନବ୍ୟୟେ, ମାନହାନିଭୟେ,

ଅହମିକା-କୂପେ କୂପମଣ୍ଡୂକ ସରବେ,

 

(୧)

କୃପଣମାନେ ପ୍ରାୟ ଅତିରିକ୍ତ ମିଷ୍ଟଭାଷୀ ହୁଅନ୍ତି ।

(୨)

ଜମ୍ବାଳ-ପଙ୍କ ।

(୩)

ଅହମିକା-ମୁଁ ବଡ଼, ମୋହପରି ଆଉ କେହି ନାହିଁ-ଏହି ଜ୍ଞାନ ।

 

ଧନମଦେ ମତ୍ତ କେହୁ, କେହୁ ଜନମଦେ,

ଭଜନର ମଦେ କେହୁ, ପଦେ କେହୁ ଅବା,

କେହୁ ରୂପମଦେ, କେହୁ ଆଭିଜାତ୍ୟମଦେ,

ବିଦ୍ୟାମଦେ, ବୁଦ୍ଧିମଦେ ସ୍ଫୀତ ହୋଇ କେହୁ

ନିଜକୁ ଅତୁଳ ମଣି ଧରା ମଣେ ସରା !

ଅନ୍ୟଠାରେ ଅବନତ ହୋଇ ଅତିରେକେ

ଅତି ବିନୟରେ ଭାନ କରଇ କେ ପୁଣି, (୧)

ଅଂହଙ୍କାରଶୂନ୍ୟ ବୋଲି ମନେ ଅହଙ୍କାରୀ !

ମଦ ପଛେ ଆସେ ‘ଈର୍ଷା’ କୃଶକଳେବରା, (୨)

କରାଳକୁଟିଳଦୃଷ୍ଟ, ପାଣ୍ଡୁରବଦନା,

କ୍ରୂର ଚାହାଣିରେ ଯାର ଯାଉଛି ଝାଉଁଳି

ଚଉଦିଗେ ତରୁ ଲତା, ଯଥା ତପ୍ତବାତେ,

ରୋଗକ୍ଳିଷ୍ଟ ପ୍ରାୟେ ଦୁଷ୍ଟା ଅପ୍ରସନ୍ନା ସଦା,

ଶୁଷ୍କାସ୍ୟେ ଉପୁଜେ ହାସ୍ୟ ଯଦି କଦାଚିତେ,

ସେ କେବଳ ପରଦୁଃଖେ; ଦୁଃଖେ କାହାରିକି

କାନ୍ଦିବାର ନ ଦେଖିଲେ ପକାଏ ସେ କାନ୍ଦି !

ସ୍ରବେ ରସନାରୁ ତାର ବିଷ ଅହର୍ନିଶ,

 

(୧)

ଭାନ-ଛଳ ।

(୨)

ପରର ସୌଭାଗ୍ୟ ଦେଖି ଈର୍ଷାନ୍ୱିତ ଲୋକଙ୍କର ଦେହ ଶୁଷ୍କ ହୋଇଯାଏ, ‘ଈର୍ଷା’ ଏମାନଙ୍କର ଅଭୀଷ୍ଟଦେବତା, ସୁତରାଂ ‘କୃଶକଳେବର’ ।

 

ଏ ବଡ଼ ବିଷମ ବିଷ, ଯାର ତୀବ୍ର ତେଜେ

ଅନ୍ୟେ ଘାରି, ତହିଁ ଦୁଷ୍ଟା ଆପେ ହୁଏ ଘାରି,

ପରଦୋଷ ଦରଶନେ ଦିବ୍ୟଚକ୍ଷୁଷ୍ମାନ୍

ପରନିନ୍ଦାବାବଦୂକ, ମୂକ ପରଯଶେ,

ପରହାନିପ୍ରିୟ ଖଳ, କାନକୁହା ଆଦି

ଭକ୍ତଙ୍କର ମୁଖ ଦୁଃଖେ ଯାଉଅଛି ଶୁଖି

ପରସ୍ପର ମୁଖଶିରୀ ଦେଖି ପରସ୍ପରେ;

ଘାରି ହେଉଅଛି କେହି ଶୁଣି ଲୋକମୁଖେ

ପରଯଶ କଥା, ଯଥା ବୃଶ୍ଚିକଦଂଶନେ,

ପର ସଉଭାଗ୍ୟେ କେହି ମହାଖେଦ ବହି

ଲଘୁକରେ ହୃଦଭାର ଦୀର୍ଘଶ୍ୱାସ ତେଜି,

ମହାଘୋର ଈର୍ଷାନଳେ ଜଳି ନିରନ୍ତରେ

ଜୀବନ୍ତେ ନରକ ଭୋଗ କରନ୍ତି ପିଶୁନେ !

ଖନା ପ୍ରାୟେ ରହି ରହି କହି ନାନା କଥା (୧)

ଆସୁଅଛି ‘ମିଥ୍ୟା’, ଯାର ବସ୍ତ୍ରଯାକ ତାଳି,

ତାଳି ପରେ ତାଳି, ପୁଣି ତାଳି ତା ଉପରେ,

ଏତେ ତାଳି ସତ୍ତ୍ୱେ ଫୁଟି ଦିଶୁଛି ତା ଦେହ,

 

(୧)

ମିଥ୍ୟାବାଦିଲୋକେ ଅନର୍ଗଳ ସ୍ପଷ୍ଟ ବାକ୍ୟ କହି ପାରନ୍ତି ନାହିଁ, ଗୋଟିଏ ମିଥ୍ୟା ଘୋଡ଼ାଇବା ସକାଶେ ଆଉ ଗୋଟିଏ ମିଥ୍ୟା କହନ୍ତି, ତାକୁ ଘୋଡ଼ାଇବା ପାଇଁ ପୁଣି ମିଥ୍ୟା କହନ୍ତି, ଏତେ କରି ସୁଦ୍ଧା ଧରା ପଡ଼ନ୍ତି ।

 

ପୁନଃ ପୁନଃ ତେଣୁ ନୂଆ ନୂଆ ତାଳିମାନ

ଲଗାଉଛି ମହାବ୍ୟସ୍ତେ ସେ ଜୀର୍ଣ୍ଣ ବସନେ,

ଆସନ୍ତି ପୂଜକଦଳ ଜଳ୍ପି ନାନାମତେ,

ପ୍ରବୀଣ ଛମୁଆପଣେ ପାରିଷଦପଣେ,

ପ୍ରଭୁର ଅଳୀକ ଯଶ ରଟନେ କେ ରତ

ଚାଟୁପଟୁ, ପ୍ରଭୁମନତୋଷଣ କୌଶଳୀ,

କେହି କରୁଅଛି ନିଜ ବଂଶର ବଡ଼ିମା, (୧)

କେହି ବିଦ୍ୟା ସମ୍ପତ୍ତିର, ପ୍ରେତାଦିର କଥା

କହେ କେହୁ ଦୂରଦେଶ ପର୍ଯ୍ୟଟକ କେହୁ

କହଇ, ସେ ଯାଇଥିଲା ମାନସରୋବରେ,

ଦେଖିଲା ସେ ତହିଁ ଗଣ୍ଡଭୈରଣ୍ଡ ବିହଙ୍ଗ,

ଊର୍ଦ୍ଧ୍ୱୁଚିଲାମାରି ସରଶ୍ଚାରି-କରିପଲୁଁ

ତିନିଗୋଟା କରୀ ନେଇଗଲା ଚଞ୍ଚୁ ନଖେ;

କେହି କହେ, କିଷ୍କିନ୍ଧ୍ୟାର ମର୍କଟ ନଗରେ

ଶୁଣିଛି ସେ ନିଜ କର୍ଣ୍ଣେ କର୍ଣ୍ଣେ-ରସାୟନ

ମର୍କଟସୁନ୍ଦରୀଙ୍କର ସଙ୍ଗୀତ ମାଧୁରୀ;

କେହି କହେ, ବିଭୀଷଣପାଳିତ ସିଂହଳେ

ଦେଖି ଆସିଛି ସେ ରକ୍ଷଃ ଅଦ୍ଭୁତ-ମୂରତି,

ଚତୁମୁର୍ଖ, ଅଷ୍ଟଭୁଜ, ଅଷ୍ଟପାଦ ଆଦି;

କେହି କହେ, ‘‘କାଶ୍ମୀରେ ମୁଁ ଦେଖିଲି ମାନବ

 

(୧)

ବଡ଼ିମା-ବଡ଼ପଣ ।

 

ଲମ୍ବକର୍ଣ୍ଣ, ଏକ କର୍ଣ୍ଣ ଶେଯରୂପେ ପାରି,

ଆନ କର୍ଣ୍ଣେଘୋଡ଼ିହୋଇ ଶୁଅନ୍ତି ସେ ଶେଯେ,’’

ଅବିଶ୍ୱାସବ୍ୟଞ୍ଜି-ସ୍ମିତ ଶ୍ରୋତାମୁଖେ ଦେଖି,

ସଦର୍ପେ ପକାଇ ରାଣ କହଇ ସେ ପୁଣି–

‘‘ଆଜନ୍ମ ମୁଁ କହି ନାହିଁ ମିଥ୍ୟା କେଉଁ କାଳେ,

ମିଥ୍ୟାଠାରୁ ପାପ ଆଉ ନାହିଁ ତ୍ରିଜଗତେ,’’ (୧)

ସୁବସ୍ତ୍ରେ କୁତ୍ସିତ ବପୁ ଆବରି ଯତନେ,

ହାସ୍ୟେ ମିଷ୍ଟମୁର୍ଖ ‘ଶାଠ୍ୟ’ ଆସଇ ତା’ପରେ,

କକ୍ଷତଳେ ତୀକ୍ଷ୍‌ଣ ଗୁପ୍ତି ଗୁପତେ ପୂରାଇ,

ବିଷଦିଗ୍‌ଧ, ବାହ୍ୟେ ବଡ଼ ନିରୀହ-ମୂରତି,

ମାତ୍ର ବଡ଼ ଦାଉଘାତୀ ଦୁର୍ମତି ଅନ୍ତରେ,

ଆସୁଛନ୍ତି ଅନ୍ତେବାସୀ (୨) ଦୁରନ୍ତ ସରବେ,

କେହି ଚୌର୍ଯ୍ୟେ ରତ, କେହି କୃତ୍ରିମ ମୁଦ୍ରଣେ

କୁତ୍ରିମଲେଖ୍ୟ ଲିଖନେ, (୩) ସିନ୍ଦେ କେହୁ ଅବା

କେହି ବିଷଦାନେ, କେହୁ ଗୁପତ ମାରଣେ,

ଧର୍ମଭେକଧାରୀ କେହି, ଗୈରିକବସନେ,

 

(୧)

‘‘ମୁଁ ଜୀବନରେ କେବେ ମିଥ୍ୟା କହି ନାହିଁ’’ ଏହିପରି ଉକ୍ତି ମିଥ୍ୟାବାଦୀଙ୍କ ମୁଖରୁ ପ୍ରାୟ ଶୁଣାଯାଏ, ମିଥ୍ୟାବାଦୀ ସାମାନ୍ୟ କଥାରେ ଶପଥ କରେ ।

(୨)

ଅନ୍ତେବାସୀ-ଶିଷ୍ୟ ।

(୩)

କୃତ୍ରିମଲେଖ୍ୟ-ଜାଲଦସ୍ତାବିଜ ।

 

ଦୀର୍ଘ ଶ୍ମଶ୍ରୁ, ଦୀର୍ଘ ନଖ, ଦୀର୍ଘ ଜଟାଜୂଟେ

ମଣ୍ଡିତ, କାହାରି ଅବା ଭସ୍ମେ ବୋଳା ତନୁ,

କେହି ଅବା ଜପମାଳା ଜପେ ଅବିରତେ;

ନାନା ଗୂଢ଼-ଆବରଣେ ଆବୃତ ସରବେ;

ଭେଦି ନ ପାରଇ ଯାହା ଚକ୍ଷୁ ସାରସ୍ୱତ, (୧)

କୃଷ୍ଣଶୁକ୍ଳ ବେନିବର୍ଣ୍ଣ-ଛିନ୍ନବସ୍ତ୍ରଧାରୀ,

ବେନି କରେ ବେନି କାଠି ବଜାଇ କୌତୁକେ

ଆସଇ ‘କଳହ’, ଯାର ଶିରୋରୁହ ଶିରେ

ପରସ୍ପର ଅସଂଲଗ୍ନ, କଣ୍ଟକ ଯେସନ,

ଲେଖ୍ୟ, ନିଦର୍ଶନ, ସାକ୍ଷ୍ୟ, ବ୍ୟବସ୍ଥା, ପ୍ରମାଣ,

ମୀମାଂସା, ବର୍ଣ୍ଣନାପତ୍ର ଆଦି ଲିପି ଯେତେ,

ବିଡ଼ା ବିଡ଼ା କରି ଦୁଷ୍ଟ ଖୋସିଛି କଟୀରେ

ଅମୋଘ ଶୋଷଣ-ଅସ୍ତ୍ର ! ଯେ ଅସ୍ତ୍ର ପ୍ରୟୋଗେ

ଶୋଷି ନିଏ ଧନୀ-ଧନ, ଅନ୍ନ ଦରିଦ୍ରର

ଅଲକ୍ଷିତେ, ନାନାମତେ, ଅନର୍ଥ ଭିଆଇ;

ସମଦଶାଭାଗୀ କରି ଅର୍ଥି ପ୍ରତ୍ୟର୍ଥୀକି; (୨)

ସଙ୍ଗେ ସଙ୍ଗେ ଆସୁଛନ୍ତି ବ୍ୟବହାରଜୀବ, (୩)

 

(୧)

ଚକ୍ଷୁ ସାରସ୍ୱତ-ସରସ୍ୱତୀଙ୍କ ଚକ୍ଷୁ ।

(୨)

ମୋକଦ୍ଦମାରେ ବାଦୀ ପ୍ରତିବାଦୀ ଉଭୟ ପକ୍ଷର ସର୍ବନାଶ ହୁଏ ।

(୩)

ବ୍ୟବହାରାଜୀବ-ଓକିଲ ।

 

କରଣ, ପାଞ୍ଜିଆ, ସାକ୍ଷୀ, ପଦାତିକ ଆଦି, (୧)

ଶିବାଗୃଧ୍ର ରୂପୀ ଅଧିକରଣ-ମଶାଣେ ! (୨)

ମୁହୁର୍ମୁହୁ ମାରି ହାଇ, ଫୁଟିକି ଫୁଟାଇ

ଅର୍ଦ୍ଧ ନିମୀଳିତନେତ୍ରେ ଆସୁଅଛି ମଠେ

‘ଆଳସ୍ୟ’, କମଠଗତି, କୁତ୍ସିତମୂରତି

ସେବକେ ମଳିନବେଶ, ଧୂଳିରେ ଧୂସର,

କେ ଆଗ୍ରହୀ ପରଛିଦ୍ର ଅନ୍ୱେଷଣ ସଦା,

ପରନିନ୍ଦା, ପରକୁତ୍ସା-କଥନେ, ସର୍ଜନେ

ରତ କେହି, ମତ୍ତ ହୋଇ କେହି ଗଳ୍ପାମୋଦେ

ଫୁତ୍କାରେ ଉଡ଼ାଏ କେତେ ରାଜା ମହାରାଜା,

ସର୍ବଜ୍ଞ ପରାୟେ କେହି, ନ ଦେଖି ନ ଶୁଣି,

କହେ କେତେ ରଙ୍ଗେ କଥା ବାହାପିଆପଣେ,

କେହି ବା ଠାପୁଆପଣେ, ଧର୍ମଧ୍ୱଜ ଧରି,

ପରଠାରୁ ସଦା ଅର୍ଥଶୋଷଣ-ପ୍ରୟାସୀ

ଧର୍ମ ନାମେ, ନିଜ ପେଟ ପୋଷଣ ସକାଶେ,

ଚାଲୁଁ ଚାଲୁଁ ମାର୍ଗେ ବସି ପଡ଼ିଅଛି କେହୁ,

ଦନ୍ତେ କେହୁ କାଟେ ତୃଣ, କେହୁ ମାଟିପରେ

ନଖେ ଲେଖେ ଏଣୁ ତେଣୁ ମନକୁ ଯା ଆସେ,

ପେଣ୍ଡାବାଳ ମୁକୁଲାଇ ବସୁଅଛି କେହି,

 

(୧)

କରଣ-ମୋହରର; ପାଞ୍ଜିଆ-ମହାଫିସ; ସାକ୍ଷୀ-ଗୁହା; ପଦାତିକ-ପେଏଦା ।

(୨)

ଅଧିକରଣ-ବିଚାରାଳୟା, ଏହି ଉପମାରେ ଅର୍ଥୀ ପ୍ରତ୍ୟାର୍ଥୀ ଶବସ୍ଥାନୀୟ ।

 

ପଛେ ବସି ଆନ କେହୁ ମାରଇ ଉକୁଣି !

ଏ ଆଦି ଅଛନ୍ତି ଯେତେ ମହା ସେନାପତି

କଳିର କିଳ୍‌ବିଷଦଳେ, ସମସ୍ତଙ୍କୁ ଘେନି

ପ୍ରଚଣ୍ଡ ବିକ୍ରମେ କଳି ଆକ୍ରମିଲା ଆସି

ଭାରତର ଧର୍ମପୁଞ୍ଜେ, ଦୁର୍ଜୟପ୍ରତାପୀ;

ଚିଲିକାର ନୀଳ ବକ୍ଷେ ଶ୍ୱେତହଂସରାଳୀ

ଶରତେ ଯେ କାଳେ ଥାନ୍ତି ରତ ସନ୍ତରଣେ,

କୁଞ୍ଚିତ ଚିଲିକା ବୀଚି-ପ୍ରହାରେ ଅଟଳ-

ଜଟିଆଜଟାରୁ ଯେବେ ସହସା ସଞ୍ଚାଣ (୧)

ମହାଖରବେଗେ ଖସି ଆସେ ଅଧୋମୁଖେ

ବଜ୍ରନଖ, ଅସ୍ତେ ବ୍ୟସ୍ତେ ପକ୍ଷିପନ୍ତି ଯଥା

ପଳାନ୍ତି ଚୌଦିଗ ଉଡ଼ି ଜୀବନବିକଳେ,

କିମ୍ବା ଯଥା କୋଣାର୍କର ଅନନ୍ତସୈକତେ (୨)

କେତକୀ-କୁନ୍ତଳକୁଦୁଁ କୁଦି ମହାବଳ (୩)

ଆସିଲେ ତଳକୁ ଖସି, ପଳାନ୍ତି ତରାସେ

ଦ୍ରୁତପଦେ କୃଷ୍ଣସାର, ସଙ୍ଗେ ମୃଗବଧୂ,

ସଦଳେ କଳିକି ଦେଖି, ବିକଳେ ଯେସନ

 

(୧)

ଜଟିଆ-ଚିଲିକାତୀରସ୍ଥ ପର୍ବତବିଶେଷ ।

(୨)

କୋଣାର୍କ-ଅର୍କକ୍ଷେତ୍ର, ପୁରୀରୁ ୧୧ କ୍ରୋଶ ଉତ୍ତର-ପୂର୍ବରେ ଅବସ୍ଥିତ, ଏ ଅଞ୍ଚଳର ସମୁଦ୍ର ବେଳାରେ ସହସ୍ର ହରିଣ ଦେଖାଯାନ୍ତି, ଏ ଅଞ୍ଚଳର କେତକୀବନ ବ୍ୟାଘ୍ରସଙ୍କୁଳ ।

(୩)

ମହାବଳ-ପଟାଳିଆ ବାଘ ।

 

ଅସ୍ତେ ବ୍ୟସ୍ତେ ଭାରତର ପୁଣ୍ୟପୁଞ୍ଜ ଯେତେ,

ସଭା ଛାଡ଼ି ପଳାଇଣ ଲୁଚିଲେ କେ କାହିଁ;

ପୃଷ୍ଠରକ୍ଷୀ ଏକମାତ୍ର ଧର୍ମ-ସହଚର

‘ସାହସ’ ପଛକୁ ରହି, କଳିସୈନ୍ୟହାତେ

ହେଲା ବନ୍ଦୀ, ତହୁଁ କାମ କଳି-ଆଜ୍ଞାମତେ

କିଙ୍କରସ୍ୱରୂପେ ତାକୁ ନେଲା ନିଜ ବଳେ,

ବିସ୍ମିତ ପୌରବେ ଚାହିଁ ଅନଳ ବିଷାଦେ

କହିଲେ, ‘‘ହେ ବୀର, ଏବେ ଦେଖ, କି ଦୁର୍ଗତି

‘ସାହସ’ର ହେଲା କଳିଶାସନେ ଭାରତେ !

ଭାରତର ରକ୍ଷାପାଇଁ କ୍ଷତ୍ରିୟର ନେତା

ଥିଲା ଆଜିଯାଏଁ ଯେହୁ, ଏବେ ସେହି ସିନା

ଲମ୍ପଟର ସଖା ହେବ ଅଗମ୍ୟାଗମନେ,

ପ୍ରାଚୀର, ପରିଖା, ପୁର ଲଂଘି ଯିବାବେଳେ,’’ (୧)

ପଳାଇବାବେଳେ ଧର୍ମ ଯାଇଥିଲେ ଛାଡ଼ି

ଦିବ୍ୟପରିଚ୍ଛଦ ‘ମୌନ’ ନାମେ ଅଭିହିତ,

ସାଉଁଟି ସେ ପରିଚ୍ଛଦ ‘ଶାଠ୍ୟ’ ମହୋଲ୍ଲାସେ

ଅଗ୍ନିଦ, ଗରଦ, କୂଟଲେଖ୍ୟର ଲେଖକ, (୨)

ହତ୍ୟାକାରୀ, ସିନ୍ଧିଆଳ, ଚୌରାଦିଙ୍କି ଡାକି

 

(୧)

ଅର୍ଥାତ୍ ଭାରତବାସୀମାନେ ଦେଶରକ୍ଷା ବିଷୟରେ ଭୀରୁ ହେବେ ଏବଂ କେବଳ ପାପକାର୍ଯ୍ୟରେ ସାହାସୀ ହେବେ ।

(୨)

ଗରଦ-ବିଷୟପ୍ରୟୋଗକାରୀ । କୂଟଲେଖ୍ୟ-ଜାଲଦସ୍ତାବିଜ ।

 

ନିଜ ଦଳୁଁ, ତାଙ୍କ ମୁଣ୍ଡେ ଦେଲା ଶାଢ଼ୀ ବାନ୍ଧି;

ଶାନ୍ତିରକ୍ଷକଙ୍କୁ ମାରି, ତାଙ୍କ ପରିଚ୍ଛଦ

ନିଜ ବଳେ ସଜ୍ଜୀଭୂତ କରଇ ଯେସନେ

ଲୋକପ୍ରବଞ୍ଚନାପଟୁ ଦୁଷ୍ଟ ଦସ୍ୟୁପତି,

ବିଷର୍ଣ୍ଣ-ଅନ୍ତରେ ତହୁଁ କୌନ୍ତେୟ ସୁମତି

କହିଲେ, ଏ ଦେବ, ବଡ଼ ବିଷମ ଏ କଥା !

ଅସହ୍ୟ ଏ ଦୃଶ୍ୟ ମୋର ! ପବିତ୍ର ଭାରତେ,

ବ୍ରାହ୍ମଣର ମନ୍ତ୍ରବଳେ, କ୍ଷତ୍ରବୀର୍ଯ୍ୟବଳେ

ସୁରକ୍ଷିତ ଆର୍ଯ୍ୟଦେଶେ ଘଟିବ ଅନୀତି

ଏତେ ସରି ? ଲାଗେ ବଡ଼ ଅସମ୍ଭବ ମୋତେ !’’

ଶୁଣି ହବ୍ୟବାହ ଦେବ ନିଜ ଦିବ୍ୟତେଜ

ସମ୍ବରିଣ, ଦରହାସ୍ୟ କହିଲେ ପୌରବେ,

‘‘ବ୍ରାହ୍ମଣ କ୍ଷତ୍ରିୟ ଘର ସର୍ବେ ଅଗ୍ରେ ସିନା

ପଶିବ କୌଶଳୀ କଳି, ବଲ୍ମୀକସ୍ୱରୂପେ

ପଶିଣ ଗୁପତେ ସେହି ଧର୍ମ-ତରୁମୂଳେ,

ଅଲକ୍ଷିତେ କୋରି ମୂଳ, ଅନ୍ତଃସାର ହରି

କଳ୍ପଜୀବୀ ସେ ଦ୍ରୁମର, ଦୂରୁ ଡାକିଆଣି

ଯବନଙ୍କୁ, ତାଙ୍କ ହସ୍ତେ ଗଡ଼ାଇବ ଭୂମେ,

ଅସାଧ୍ୟ ସେ ବ୍ୟାଧି, ଯାହା ଭାରତର ଦେହେ

ଘୋଟିବ, ଜାଣି ନ ଥିବେ ଧ୍ୟାନେ ଧନ୍ୱନ୍ତରି ! (୧)

ସୁଶ୍ରୁତର ଶଲ୍ୟ-ତନ୍ତ୍ର ହାରି ବସେ ବ୍ରଣେ ! (୨)

ନୁହଇ ଉଚିତ ଆଉ ରହିବାର ଏବେ

ବହୁଦିନ ଏ ଭାରତେ, ତୀର୍ଥାଟନ-ବ୍ରତ

ସାରି, ହେ ଭାରତ, (୩) ବେଗେ ଯାଅ ହିମାଚଳେ;

ଧର୍ମେ ଏକତାନମତି, ଧର୍ମ ପକ୍ଷପାତୀ

ତୁମ୍ଭେ, ବୀର, ଅନାଚାର ଦମନେ ଅକ୍ଷମ

ହୋଇ, ଦହି ହେବ ସିନା ଆପେ ଅନୁତାପେ,

ବନ୍ଦୀ ପତି ଯେହ୍ନେ ପତ୍ନୀ-ଲାଞ୍ଛନା ଦର୍ଶନେ,

ଆସୁଛି ପାପର ବନ୍ୟା, ଭାରତଭରସା

ପାପ-ଜଳେ ଦ୍ୱୀପରୂପୀ ମହତ ଯେ ଜନ

ବୁଡ଼ିଯିବ ସିନା, ଆହା, ଏ ଘୋର ପ୍ଳାବନେ,

ତୁମ୍ଭ ପରି ସ୍ମଚନ୍ଦନଦ୍ରୁମ ପାଇଁ ଆଉ

ନ ଥିବଟି ଠାବ ଏହି ବିଷବଲ୍ଲିବନେ,

ଧର୍ମ-ଅନୁଷ୍ଠାନବ୍ରତେ ସହାୟ ବିହୁନେ

ସାଧୁର ଜୀବନ ହେବ ମହାବିଡ଼ମ୍ବନା,

ମହା ଅନର୍ଥର ହେତୁ ହେବ-କାଳବଶେ

ଧୈର୍ଯ୍ୟ, ବୀର୍ଯ୍ୟ, ପ୍ରତିଭାଦି ମହତ୍ତ୍ୱ ଯା କିଛି

ପୁରୁଷର, କାପୁରୁଷ-ପ୍ଳାବିତ ଭାରତେ;

କଳିଶିଷ୍ୟ-କୁକ୍ଷିମ୍ଭରୀ-ଦ୍ୱିଜାତି-ଦୁଷ୍କୃତି-(୪)

ଯୋଗେ ନାରଖାର ହେବ ଅଚିରେ ଏ ମହୀ,

ସେହି ଦେଶ, ସେହି ଗିରି, ସେହି ନଦନଦୀ,

ନଗର, ନଗରୀ, ତୀର୍ଥ, ଆଶ୍ରମାଦି କରି,

ସର୍ବେ ଥିବେ ପୂର୍ବପରି, ମାନବେ କେବଳ

ନାମକୁ ମାନବ ରହି ପଶୁଠାରୁ ହୀନ

ହୋଇଯିବେ ଯୁଗଧର୍ମେ ଭାରତମଣ୍ଡଳେ ।’’

 

(୧)

ଧନ୍ୱନ୍ତରୀ-ଆର୍ଯ୍ୟବୈଦ୍ୟକର ଆଦିପ୍ରଣେତା ।

(୨)

ସୁଶ୍ରୁତ- ଚିକିତ୍ସାଶାସ୍ତ୍ର-ପ୍ରଣେତା ଋଷି, ଶଲ୍ୟତନ୍ତ୍ରର (Surgery) ଆଦିପ୍ରଣେତା ।

(୩)

ଭାରତ-ଭାରତବଂଶୋଦ୍ଭବ, ଯୁଧିଷ୍ଠିରଙ୍କୁ ସମ୍ବୋଧନ ।

(୪)

କୁକ୍ଷିମ୍ଭରୀ-ସ୍ୱୋଦର ପୋଷଣରେ ବ୍ୟସ୍ତ ।

Image

 

ପଞ୍ଚମ ସର୍ଗ

 

ଆଶାୟୀ (୧)- ଉତ୍କଳ-ଆଶା- କିଶୋରପାଦପ,

ଗୁଣାରାମ ରାମଚନ୍ଦ୍ର ଭଞ୍ଜକଞ୍ଜରବି, (୨)

ଭଞ୍ଜକୁଳ-ଧ୍ୱଜ-କୃଷ୍ଣଚନ୍ଦ୍ର-ଜ୍ୟୋଷ୍ଠାତ୍ମଜ,

ଶୁଣିଲି ମୁଁ ବହୁମୁଖୀ-ଜନଶ୍ରୁତି-ମୁଖେ

ନବରେ ତୁମ୍ଭର କଳି ପଶନ୍ତେ ପ୍ରଥମେ,

ଅବିରତ ଦାନବାରି-ପିଚ୍ଛିଳପ୍ରାଙ୍ଗଣେ (୩)

ସେ ନବରେ, ଚାଲୁଁ ଚାଲୁଁ ଅତି ସାବଧାନେ

ଖସରି ତା ଗୋଡ଼, ଦୁଷ୍ଟ ପଡ଼ିଲା କଚାଡ଼ି

ଉତ୍ତାନେ, ବାହୁଡ଼ି ତେଣୁ ଗଲା ଅପମାନେ;

ସତ୍ୟ କି ହେ ଏ କାହାଣୀ ? ମିଥ୍ୟା ବୋଲିଅବା

କେମନ୍ତ ବୋଲିବି ? ଯେଣୁ ଦେଖୁଛିଁ ନୟନେ

ପଶି ନାହିଁ ଦୁଷ୍ଟ ତୁମ୍ଭ ହୃଦୟ-କୁସୁମେ

କୀଟରୂପେ, କୁଟନୀତି ପ୍ରୟୋଗ ଅଗ୍ରଣୀ; (୪)

 

(୧)

ଆଶାୟୀ-ଆଶାଯୁକ୍ତ ।

(୨)

ରାମଚନ୍ଦ୍ର-ମୟୂରଭଞ୍ଜାଧିପତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ।

(୩)

ଦାନ ଦେବା ସମୟରେ ଯେଉଁ ଜଳ ଦେବାକୁ ହୁଏ ତଦ୍ଦ୍ୱାରା ପିଚ୍ଛିଳ, ବ୍ରାହ୍ମଣମାନଙ୍କ ପ୍ରତି ମୟୂରଭଞ୍ଜ ରାଜବଂଶର ବଦାନ୍ୟତା ଉତ୍କଳପ୍ରସିଦ୍ଧ ।

(୪)

କୂଟନୀତିପ୍ରୟୋଗ ଅଗ୍ରଣୀ-ଦୁଷ୍ଟକଳିର ବିଶେଷଣ ।

 

‘ମଦନ’ ‘ଆଳସ୍ୟ’ ନାମେ ବେନି ସେନାପତି

ଛନ୍ତି ଯେହୁ କଳି ସୈନ୍ୟେ, ବଡ଼ ପଟୁ ସେହି

ଜିଣିବାକୁ ରାଜକୁଳ; ଜିଣି ଅବହେଳେ

ଅଳ୍ପକାଳେ ଶତ ଶତ ଭୂପ ଭୂଭାରତେ,

କଳିରାଜ ସଭାତଳେ ବନ୍ଧାଇଲେ ଶାଢ଼ୀ;

ତରୁଣ ଯୌବନ, ପୁଣି ରୂପ ଅପ୍ରତିମ,

ଗର୍ଭେଶ୍ୱରପଣ ଦେଖି ତୁମ୍ଭର, ଏ ବେନି (୧)

ପାଞ୍ଚିଥିଲେ, ଗୁପ୍ତେ ଏହି ତିନି ମାର୍ଗେ ପଶି (୨)

ତୁମ୍ଭ ହୃଦ-ଦୁର୍ଗଚୂଳେ ପୋତିବେ ପତାକା,

ମାତ୍ର ସବିସ୍ମୟେ ଦେଖି ବିବେକ-ପ୍ରହରୀ

ପ୍ରତିମାର୍ଗେ, ବ୍ୟଗ୍ରେ କ୍ରୂରେ ପଳାଇଲେ ଦୂରେ,

‘କ୍ରୋଧ’ଟି ଦୁର୍ଜୟ ରିପୁ, ନିଜେ ମୃତ୍ୟୁଞ୍ଜୟ

କାମେ ଜିଣିବାକୁ ଯାଇ ହାରିଲେ ଯା ପାଶେ,

ନିରଙ୍କୁଶ ପ୍ରଭୁପଣ ସତ୍ତ୍ୱ ସେ ତୁମ୍ଭର

ଆଣି ନପାରିଲା ଚାରୁ ନେତ୍ରେ ଅରୁଣିମା, (୩)

 

ସ୍ୱଦୋଷଦର୍ଶିତାରୂପ ପ୍ରଚ୍ଛନ୍ନ କଞ୍ଚୁକେ

ଆବୃତ ତୁମ୍ଭର ହୃଦ, ନ ଜାଣି ଏ କଥା, (୪)

 

(୧)

ଗର୍ଭେଶ୍ୱର-ଗର୍ଭରୁ ଅର୍ଥାତ୍ ଜନ୍ମରୁ ରାଜା ।

(୨)

ଯୌବନ, ରୂପ, ଏବଂ ଗର୍ଭଶ୍ୱରତ୍ୱ ପାପର ଏ ତିନୋଟି ପ୍ରଶସ୍ତ ମାର୍ଗ ।

(୩)

ତରୁଣ ବୟସ୍କ ମହାରାଜା ଶ୍ରୀରାମଚନ୍ଦ୍ରଙ୍କୁ କ୍ରୋଧାଧୀନ ହେବାର ପ୍ରାୟ ଦେଖାଯାଇ ନାହିଁ-

(୪)

ସ୍ୱଦୋଷଦର୍ଶୀ ଲୋକ ଅନ୍ୟ ଉପରେ ପ୍ରାୟ କ୍ରୋଧ କରନ୍ତି ନାହିଁ, ବାଲ୍ମୀକି ରାମଚନ୍ଦ୍ରଙ୍କୁ ‘ସ୍ୱଦୋଷଦର୍ଶୀ’ ଏହି ବିଶେଷଣ ଦେଇଅଛନ୍ତି ।

 

ନିଜ ତୂଣ ଶୂନ୍ୟ ସିନା କଲା ସେ ବିଫଳେ; (୧)

ଖଳ କାନକୁହା ଆଦି ଈର୍ଷା-ଉପାସକେ

ପୂର୍ଣ୍ଣ ସଦା ରାଜସଭା, ‘ଈର୍ଷା’ ଏହା ଜାଣି

ଟାକି ରହିଥିଲା ତୁମ୍ଭ ହୃଦେ ପଶିବାକୁ

ତାଙ୍କ ଯୋଗେ, ବୃଥା ହେଲା ଈର୍ଷାର ସେ ଆଶା,

ଯେଣୁ ତୁମ୍ଭେ ଏକ କର୍ଣ୍ଣେ କାନକୁହା ବାଣୀ

ଶୁଣି ଅନ୍ୟ କର୍ଣ୍ଣ ମୁକ୍ତ ରଖିଲ ଗୁପତେ

ଶୁଣିବାକୁ ଅଭିଯୁକ୍ତ କଥା ଯଥାକାଳେ;

ଆଉ ଯେତେ ଥିଲେ କଳି ମୁଖ୍ୟ ସେନାପତି,

‘କାମ’ ‘କ୍ରୋଧ’ ଆଦିଙ୍କର ଦେଖି ଏ ଦୁର୍ଦ୍ଦଶା,

ମୁଣ୍ଡେ କର ଦେଇ ସର୍ବେ ବସିଛନ୍ତି ଦୂରେ

ନିରାଶେ, ତୁଟିଛି ମନୁ ଦାରୁଣ ଜିଗୀଷା;

ମାତ୍ର ଏ ଦୁରନ୍ତଦଳେ ତିଳେନାହିଁ ପ୍ରତେ,

ବିଶ୍ୱାସଘାତକ ଏହୁ, ଛିଦ୍ର ଲୋଡ଼ିବାର

ନିତ୍ୟବ୍ରତ ଏହାଙ୍କର କଳିରାଜପଣେ;

ରହିବା ଉଚିତ ତେଣୁ ଜାଗରୂକ ହୋଇ

ତୁମ୍ଭର, ହେ ବୀର, ଏହି ତରୁଣଯୌବନେ,

ସ୍ମରିବ ନିରତେ, ପ୍ରଜାପୁଞ୍ଜ-ଋଣଭାର

ମୁଣ୍ଡାଇଛ ମୁଣ୍ଡେ ରାଜମୁକୁଟର ବ୍ୟାଜେ,

ସ୍ମରିବ ନିରତେ ତୁମ୍ଭ ଜନ୍ମ ଭବତଳେ

 

(୧)

ତାହାର ସମସ୍ତ ଶର ବିଫଳ ହେଲା ।

 

ନୁହଇ, ହେ କ୍ଷଣଜନ୍ମା, ଏକ ତୁମ ପାଇଁ,

ତାରକାଦଳର ଜ୍ୟୋତି ତାଙ୍କ ପାଇଁ ସିନା,

ମାତ୍ର କି ଚନ୍ଦ୍ରର ପ୍ରଭା ଏକା ଚନ୍ଦ୍ରପାଇଁ ?

ଉତ୍କଳର ଆଶା-ନଭେ ତୁମ୍ଭେ ଶୁଭକ୍ଷଣେ,

ହେ ରାଜେନ୍ଦ୍ର, ବିରାଜୁଛ ଦ୍ୱିଜରାଜରୂପେ, (୧)

‘‘ରାଜା ରାଜ୍ୟାଶ୍ରମ-ଋଷି’’ କବିର ଏ ବାଣୀ (୨)

ଫଳି ଆସୁଅଛି ତୁମ୍ଭ ପବିତ୍ର ଜୀବନେ;

ଭାଗ୍ୟ, କର୍ମେ, ବେନି ଦିଗେ ସୁଲକ୍ଷଣଯୁତ

ତୁମ୍ଭପରି ପୁତ୍ର ପାଇ ପୁତ୍ରବତୀ ଆଜି

ଚିର ଅଭାଗିନୀ ଏହି ଉତ୍କଳଜନନୀ;

ହୀରା ନୀଳା ଆଦି ଗ୍ରାମ୍ୟ ଆଭରଣଭାରେ

ଭାରାକ୍ରାନ୍ତ ଭୂପଦଳେ ନିରତେ ଦୁର୍ଲଭ

ବିଦ୍ୟା ଦୟା ବିନୟାଦି ଅଗ୍ରାମ୍ୟ ଭୂଷଣେ

ଭୂଷିତ ତୁମ୍ଭଙ୍କୁ, ଭଞ୍ଜ-ରାଜଲକ୍ଷ୍ମୀସହ,

ଦେଖଇ ଉତ୍କଳ, ଆହା, ଯେହ୍ନେ ନିଶୀଥିନୀ (୩)

ଧ୍ରୁବଙ୍କୁ ଦେଖନ୍ତି କୋଟି ତାରା-ନେତ୍ର ଫେଡ଼ି,

କିମ୍ବା ଯଥା ଦେବଦଳ ଜଳଧିମନ୍ଥନେ

ହେରିଲେ ହରଷେ ଦିବ୍ୟ ଜ୍ୟୋତିପୁଷ୍ପଧାରୀ

 

(୧)

ଦ୍ୱିଜରାଜ-ଚନ୍ଦ୍ରମା ।

(୨)

କାଳିଦାସଙ୍କର ଉକ୍ତି । ରାଜ୍ୟରୂପ ଆଶ୍ରମର ରାଜା ଋଷି ଅଟନ୍ତି, ବିଳାସିତା ରାଜଧର୍ମ ନୁହେଁ ।

(୩)

ନିଶୀଥିନୀ-ରଜନୀ ।

 

ସିନ୍ଧୁବାରିସମୁତ୍‌ଥିତ ପାରିଜାତତରୁ,

ସଙ୍ଗେ ବିଶ୍ୱବନ୍ଦ୍ୟା ଦେବୀ ଇନ୍ଦିରାସୁନ୍ଦରୀ

ଜ୍ୟୋତିର୍ମୟୀ ଜ୍ୟୋତିର୍ମୟ କମଳବାସିନୀ;

କଳ୍ପତରୁ ଲଭି ଯଥା ତ୍ରିଦିବ-ଦୁର୍ଗତି

ଘୁଞ୍ଚିଗଲା, ଘୁଞ୍ଚିଯାଉ ଉତ୍କଳ ମାତାର,

ଭଞ୍ଜକବି, ତୁମ୍ଭ ଯୋଗେ ଦୁର୍ଯୋଗ-ଜଡ଼ତା,

ଚିରନିରାନନ୍ଦ ମୁହିଁ ଦାରୁଣ-ବିପାକେ,

ଝୁରୁଅଛି ନୈରାଶ୍ୟର ଅତଳ କୁହରେ,

ତଥାପି, ଯଶସ୍ୱି, ତୁମ୍ଭ ସୁଯଶ-ସୌରଭେ

ଜଡ଼କଣ୍ଠ ମୋର ଆଜ ମୁଖର ସଙ୍ଗୀତେ,

ପଲ୍ଲବ ମୁକୁଳ ଫୁଲ ମୃଦୁଳେ ଦୋଳାଇ,

କୁଞ୍ଚାଇ ତରଙ୍ଗମାଳେ ତଟନୀର ବେଣୀ,

ମୁଖରି ନିକୁଞ୍ଜବନେ ବନପ୍ରିୟକୂଳେ,

ସୁରୁ ସୁରୁ ସ୍ୱନେ ଯେବେ କେଦାରେ କାନ୍ତାରେ

ପ୍ରସରେ ମଳୟସ୍ରୋତ ପରିମଳସଖା,

ଉଲ୍ଲାସେ ଦୁଃଖର କ୍ଷଣବିସ୍ମୃତିକି ଲଭି

ପିଞ୍ଜରବିହଙ୍ଗ ଯଥା ଭାବେ କ୍ଷଣେ କ୍ଷଣେ,

ତୁମ୍ଭରି ଆଦେଶେ, ବୀର, ଏ ମହାଗୀତିକା

ଗାଇବା ଆଶୟେ ଏବେ ଧରିଛି ମୁଁ କରେ,

ଚିରମୂଳ ବୀଣା ମୋର ସିକ୍ତ ନେତ୍ରଜଳେ,

ଆଦିଷ୍ଟ ଏ ଗୀତ ଆସୁ ଦିବ୍ୟ ଅବଧାନେ,

ଗୃହସ୍ଥ ସଞ୍ଚୟପଟୁ ଯତନେ ସମ୍ପାଦି

ସମ୍ପତ୍ତିକି, ଠୁଳ କରି ରଖି ଆଟୁଘରେ,

ନିଶ୍ଚିନ୍ତ ରହଇ ଅଗ୍ନିଭୟୁଁ ମନେ ମନେ,

ଦୈବ ଯେବେ ଦେଖେ ବହ୍ନି ଆଟୁମଞ୍ଚତଳେ

ଗୃହପତି, କାତର ସେ ହୁଅଇ ଯେସନେ;

ବିପ୍ର, କ୍ଷତ୍ରିୟ ଭାବୀ ଅବନତି ଶୁଣି

କାତର ତେସନ ହେଲେ କୌନ୍ତେୟ (୧) ସୁମତି

ସାଶ୍ରୁ ନେତ୍ରେ କରଯୋଡ଼ି ବୈଶ୍ୱାନର ପଦେ

ପଡ଼ିଣ କହିଲେ, ‘‘ପ୍ରଭୁ, ତ୍ରିକାଳଦରଶୀ

ତୁମ୍ଭେ ଯେଣୁ, କହ ମୋତେ କିରୂପେ ଭାରତେ

ଘଟିବ ଏ ମହାନର୍ଥ, ସୁଜଳା ସୁଫଳା

ଏ ଶସ୍ୟଶ୍ୟାମଳା ଧରା ପରହାତେ ଦେଇ,

ପରପଦାନତ କି ହେ ହେବ ଆର୍ଯ୍ୟସୁତେ ?

ଏ ମର୍ତ୍ତ୍ୟନନ୍ଦନ, ଦେବ, ହେବ କି ହେ ସତେ

ଭୀଷଣ ଦାନବଙ୍କର ବିହାର-ଅଗଣା ?

ଆର୍ଯ୍ୟସ୍ୱାଧୀନତା-ରବି ଅସ୍ତମିତ ହୋଇ

ଭାରତ କି ପରିଣତ ହେବ ଅବଶେଷେ

ଊର୍ଜସ୍ୱଳ-ଆର୍ଯ୍ୟଙ୍କର ଗୌରବ-ଶ୍ମଶାନେ ?

ଉତ୍ତରିଲେ ଅଗ୍ନି, ‘‘ବୀର, ଘଟିବ ନିକର

କହିଲି ଯା, କେବେ ତାହା ନୋହିବ ଅନ୍ୟଥା,

 

(୧)

କୌନ୍ତେୟ-କୁନ୍ତୀପୁତ୍ର ଯୁଧିଷ୍ଠିର ।

 

ସ୍ୱାଧୀନତା ବୋଲି ଯାହା ବୋଇଲ ଆପଣେ,

ସେ କେବଳ ଷଡ଼ରିପୁ ପ୍ରଭୁତାର ଛାୟା, (୧)

ସେ ପ୍ରଭୁତା ଚାଲିଗଲେ କଳିର କୌଶଳେ,

ବଳେ ଯିବ ସ୍ୱାଧୀନତା, ପିଣ୍ଡ ସଙ୍ଗେ ଯଥା

ଚାଲିଯାଏ, ପାଣ୍ଡୁ ନାଥ, ସେ ପିଣ୍ଡର ଛାୟା;

ରିପୁ-ଅଧୀନତା ସଙ୍ଗେ ପର-ଅଧୀନତା

ଆସିବ ସ୍ୱଭାବେ, ରୋଗେ ଉପସର୍ଗ ପରି,

ସାରସ୍ୱତ ବ୍ରାହ୍ମଣର ବାଣୀ ଆରାଧନା (୨)

ଚିରବ୍ରତ, ଏବେ ସେହି ଦେବୀ ତିରୋଭାବେ

ବ୍ରହ୍ମଚର୍ଯ୍ୟ ତେଜି ବିପ୍ରେ ହେବେ କଳିଯୁଗେ

ଲୋଭ-ମୋହ-ଜାଲେ ପଡ଼ି ଅବିଦ୍ୟା-ସେବକ,

ଚନ୍ଦ୍ରିକା ପୀୟୁଷ-ପାୟୀ ଚେକୋର ଔରସେ,

ଜନ୍ମିବେ ଉଲ୍ଲୁକ ଅମା ତିମିର-ପ୍ରଣୟୀ,

ଅକର୍ମଣ୍ୟ ଦ୍ୱିଜାତିର ହେବ ଅବଶେଷେ

ଷଟକର୍ମେ ଷଷ୍ଠକର୍ମ ଏକମାତ୍ର ବ୍ରତ, (୩)

ତପ, ଦମ, ନିୟମାଦି ସବୁ ଦୂରେ ଯାଇ

 

(୧)

ଷଡ଼ରିପୁପ୍ରଭୁତା-ଷଡ଼ରିପୁ ଉପରେ ପ୍ରଭୃତ୍ୱ ଅର୍ଥାତ୍ ପ୍ରକୃତ ସଂଯମୀ ନ ହେଲେ ଲୋକେ ସ୍ୱାଧୀନପଦବାଚ୍ୟ ହୁଅନ୍ତି ନାହିଁ ।

(୨)

ସାରସ୍ୱତ-ସରସ୍ୱତୀଭକ୍ତ ।

(୩)

ଷଟ୍‌କର୍ମ-ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟ୍ୟାପନ, ଦାନ, ପ୍ରତିଗ୍ରହ, ସବୁ ଯାଇ କେବଳ ଶେଷକର୍ମ ଅର୍ଥାତ୍ ପ୍ରତିଗ୍ରହ ରହିବ; ଅର୍ଥାତ୍‌ ବ୍ରାହ୍ମଣମାନେ ଭିକ୍ଷୋପଜୀବୀ ହେବେ ।

 

ଏକମାତ୍ର ଯଜ୍ଞସୂତ୍ର ଗୁଣ ଥିବ ଗୁଣେ, (୧)

ଧର୍ମକୁ କରିବେ ବିପ୍ରେ ଜୀବନଜୀବିକା,

ମୂର୍ଖପଣେ ଏହି ଜାତି ଏ ମର୍ତ୍ତ୍ୟମଣ୍ଡଳେ

(କୂପକୁ ସେ କୂପବାସିମଣ୍ଡୂକ ଯେସନ)

ଏକମାତ୍ର ଦେଶ ଏହି ଭାରତକୁ ମଣି,

ଭାରତବାସୀଙ୍କ ଦୃଢ଼ କର୍ମକାଣ୍ଡଜାଲେ

ଛନ୍ଦିବେ, ସେ ଜାଲେ ପୁଣି ନିଜେ ହେବେ ଛନ୍ଦି

ସେ ଜଟିଳ କର୍ମକାଣ୍ଡେ ହୋଇ ବିଜଡ଼ିତ,

ଧର୍ମର ଯେ ସାର, ତାକୁ ହୁଡ଼ି ଆର୍ଯ୍ୟସୁତେ

ଯାପିବେ ଜୀବନ ଧର୍ମ-ତୁଷେ ତୁଷ୍ଟ ହୋଇ, (୨)

ଅକ୍ଷୁଣ୍ଣ ରଖିବା ଲାଗି ସ୍ୱଜାତି ପ୍ରଭୁତା,

ଯଜମାନ ଜାତିଙ୍କର ଐକ୍ୟ ଭାଙ୍ଗିଦେଇ

ଶତ ଶତ ଉପଜାତି ସୃଜିବେ ବ୍ରାହ୍ମଣେ,

ଭେଦବୁଦ୍ଧି ଉପୁଜାଇ ମାନବେ ମାନବେ;

ସମାଜେ ଏ ହୀନଭାବେ ଘୃଣାରୂପେ ପଶି

ଅସ୍ଥି ମଜ୍ଜା ଶୋଷି ତାକୁ କରିବେ ଜର୍ଜର;

ଏକ ଆରେକ ସ୍ପର୍ଶେ ମଣିବ ଅଶୁଚି

 

(୧)

ପ୍ରଥମ ଗୁଣ ଶବ୍ଦର ଅର୍ଥ ରଜ୍ଜୁ, ଦ୍ୱିତୀୟ ଗୁଣ ଶବ୍ଦର ଅର୍ଥ ଧର୍ମ ।

(୨)

ବାହ୍ୟ ଅନୁଷ୍ଠାନାଦି ଧର୍ମର ଅସାର ଅଂଶ ।

 

ଆପଣାକୁ, ଅପବିତ୍ର ପଶୁଠାରୁ ପୁଣି

ହୀନ କରି ମାନବକୁ ମଣିବେ ମାନବେ,

କ୍ରମେ ଗୃହବିଗ୍ରହର ସୂତ୍ରପାତ ହୋଇ

ଏହିରୂପେ ଛିନ୍ନଭିନ୍ନ ହେଲେ ଆର୍ଯ୍ୟଜାତି,

ବିଶ୍ୱପୂଜ୍ୟ ଆର୍ଯ୍ୟଙ୍କର ଏହି ପୁରାତନୀ

ଭୂମି ହେବ ଛିଦ୍ରାନ୍ୱେଷୀ ଶତ୍ରୁର ଆମିଷ; (୧)

ବ୍ରାହ୍ମଣର ତପଃଫଳେ ହୋଇଥିଲା ଯେହୁ,

ଭାରତୀର ଲୀଳାକ୍ଷେତ୍ର, ସେ ଭାରତ ଏବେ

ହେବ ପରିଣତ ସେହି ବ୍ରାହ୍ମଣର ପାପେ

ଅଜ୍ଞାନ-ଅଙ୍ଗାରମୟ ଭୀଷଣ ଶ୍ମଶାନେ !

‘ମଦନ’, ‘ଆଳସ୍ୟ’, ‘ଈର୍ଷା’, ତିନି ସେନାପତି

ପଶିବେ ରାଜନ୍ୟଗୃହେ କଳି-ଆଜ୍ଞାମତେ,

ଆମନ୍ତ୍ରସାଧନ ସେହି ଦୃଢ଼ପ୍ରତିଜ୍ଞତା,

ସେ ସାହସ ତୃଣ ପ୍ରାଣ ଦେଶରକ୍ଷାବ୍ରତେ, (୨)

ସେ ପ୍ରଭାବ ଦୀପ୍ତିମନ୍ତ ଯେହ୍ନେ ମୋର ଶିଖା,

ବଜ୍ରସାର ସେହି ବୀର୍ଯ୍ୟ ଥିଲା ଆଜିଯାଏ

କ୍ଷତ୍ରିର ଯା ପ୍ରିୟଧର୍ମ ସବୁ ଯିବ ଚାଲି,

 

(୧)

ଆମିଷ-ଶିକାର ।

(୨)

ଯେ ସାହସ ଦେଶରକ୍ଷା ସକାଶେ ନିଜର ପ୍ରାଣକୁ ତୃଣବତ୍ ମଣେ ।

 

ସବୁ ଯାଇ ଅଭିମାନ ରହିବ କେବଳ,

ସରସେ, କର୍ଦ୍ଦମ ଯଥା ରହେ ଅବଶେଷେ

କମଳ କୁମୁଦ ସଙ୍ଗେ ଜଳ ଗଲେ ଶୁଖି,

ଜୀବନ୍ତ ଭରତଦୁର୍ଗରୂପୀ ଏହି ଜାତି (୧)

ବୀର୍ଯ୍ୟହୀନ ଅକର୍ମଣ୍ୟ ହେବେ ଅଳ୍ପଦିନେ,

ଅଳ୍ପଦିନେ ଦ୍ରୋଣାଚାର୍ଯ୍ୟ ଶିଷ୍ୟବଂଶଧରେ

ଆଚରିବେ ଯୁଦ୍ଧବିଧି କେବଳ ଗଳପେ,

ଧନୁ, ଗଜାଙ୍କୁଶ, ଅସି, ଗଦା, ଆସ୍ଫାଳନେ

କର୍କଶ ଯାଙ୍କର ହସ୍ତ, ତାଙ୍କରି ସନ୍ତତି

ଭୀରୁ, ପ୍ରାଣରଙ୍କ (୨), ଆହା, ହୋଇ କାଳବଶେ

ହସ୍ତୀ ଦେଖି ଦଶଶତ ଅଶ୍ୱ ଦେଖି ଶତ-

ହସ୍ତ ଦୂରେ ଯାଇ ଉଭା ହେବେ ମହାତ୍ରାସେ,

ନିଜ ସନ୍ତତିଙ୍କି ପୁଣି ଆଚାର୍ଯ୍ୟ ଅଣାଇ,

ଶ୍ଳୋକରୂପେ ଶିଖାଇବେ ଏହି ଭୀରୁନୀତି,

ଏ ମହାପ୍ରତାତୀ ଜାତି ହୀନୁ ହୀନତର

ହୋଇଯିବେ ଦିନୁ ଦିନ କଳିଉତ୍ପୀଡ଼ନେ,

ପୂର୍ବତେଜୁ ଅବଶିଷ୍ଟ ଥିବ ଯାହା କିଛି,

 

(୧)

କ୍ଷନ୍ତ୍ରମାନେ ଭାରତବର୍ଷର ଜୀବନ୍ତଦୁର୍ଗ ପରି ଥିଲେ ।

(୨)

ପ୍ରାଣରଙ୍କ- ପ୍ରାଣରକ୍ଷା ନିମନ୍ତେ ଆତୁର ।

 

ଭିଆଇବ ସେହି ତେଜେ ପରସ୍ପରେ,

‘ଈର୍ଷା’ ଆସି, ରତ ହୋଇ ସେ ବୃଥା ବିଗ୍ରହେ

ବହିରାକ୍ରମଣଭୟ-ପ୍ରତିକାର-ବିଧି

ଭାଳିବାକୁ ନ ଥିବଟି ଅବସର ତିଳେ,

ଉପରେ ଉଡ୍‌ଡୀୟମାନ ଯବନ-ଗରୁଡ଼େ

ଦେଖି ସୁଦ୍ଧା ଯୁଝୁଥିବେ ଗଜ କୂର୍ମ ପରି

ଭାବି-ଅନ୍ଧ, ବର୍ତ୍ତମାନ-ସର୍ବସ୍ୱ ବର୍ବରେ, (୧)

ସର୍ବେ ଆତ୍ମଚିନ୍ତାରତ, ସର୍ବେ ଜାତିଦ୍ରୋହୀ, (୨)

ଆତ୍ମରକ୍ଷାବ୍ରତୀ ଜନ୍ମଭୂମି-ଅଧଃପାତେ,

ଭାରତର ନାନା ଅଂଶେ ଛନ୍ତି ଆର୍ଯ୍ୟ ଯେତେ

ଭିନ୍ନ ଭିନ୍ନ ନାମ ବହି, ଆର୍ଯ୍ୟଟି ସରବେ;

ହୋମାନଳ, ଦାବାନଳ, ବାଡ଼ବ-ଅନଳ

ଏ ଆଦି ବିବିଧ ନାମେ ପ୍ରସିଦ୍ଧ ଜଗତେ

 

(୧)

ଭାବୀ ଅର୍ଥାତ୍ ଭବିଷ୍ୟତ୍ ଅନିଷ୍ଟ ପ୍ରତି ଅନ୍ଧ, କେବଳ ବର୍ତ୍ତମାନ ଅର୍ଥାତ୍ ଉପସ୍ଥିତ ସ୍ୱାର୍ଥ ଯେଉଁମାନଙ୍କର ସର୍ବସ୍ୱ, ଗଜ କଚ୍ଛପ ପରସ୍ପର ଯୁଦ୍ଧ କରୁଁ କରୁଁ ଉଭୟେ ଗରୁଡ଼ଙ୍କର ଆମିଷ ହୋଇଥିଲେ, ଆର୍ଯ୍ୟମାନେ ସେହିପରି ଆପଣା ମଧ୍ୟରେ କଳହ ଭିଆଇ ଦୁର୍ବଳ ହୋଇ ଯବନର ଅଧୀନ ହେବେ ।

(୨)

ଜାତିର ମଙ୍ଗଳରେ ବ୍ୟକ୍ତିର ମଙ୍ଗଳ–ଏ ନୀତି ଆର୍ଯ୍ୟମାନେ ବିସ୍ମୃତ ହୋଇ କେବଳ ନିଜ ନିଜ ଉପସ୍ଥିତ ସ୍ୱାର୍ଥ ଲୋଡ଼ିବେ ।

 

ଯଥା ମୁହିଁ, କୁରୁବର୍ଷେ, ପାଞ୍ଚାଳେ, ଅବଧେ, (୧)

କାଶ୍ମୀରେ, ନେପାଳେ, ପୁଣି ମଗଧେ, ମୈଥିଳେ,

ଅଙ୍ଗେ, ବଙ୍ଗେ, ଉଡ୍ରେ, ପୁଣି କଳିଙ୍ଗେ, ଦ୍ରାବିଡ଼େ

କର୍ଣ୍ଣାଟେ, କେରଳେ, ପାଣ୍ଡ୍ୟେ, ମହାରାଷ୍ଟ୍ରେ, ଚୋଳେ

ବିଦର୍ଭେ, ନିଷଧେ, ମତ୍ସ୍ୟେ, ତ୍ରିଗର୍ତ୍ତେ, ଗୁର୍ଜ୍ଜରେ,

ଗାନ୍ଧାରାଦି କରି ସିନ୍ଧୁ-ମାତୃକ ପ୍ରଦେଶେ (୨)

ନିବସନ୍ତି, କୁରୁବର୍ଯ୍ୟ, ଆର୍ଯ୍ୟସୁତ ଯେତେ(୩),

ଆଖ୍ୟାରେ ପୃଥକ, ମାତ୍ର ରକ୍ତେ ସର୍ବେ ଏକା;

ଈର୍ଷ୍ୟାର କୁହୁକେ, ଆହା, ପାସୋରି ଏ କଥା,

ଆର୍ଯ୍ୟରକ୍ତ ସ୍ରୋତେ ଆର୍ଯ୍ୟେ ପ୍ଳାବିବେ ଅବନୀ,

କଳିର ଆତ୍ମହା-ନୀତି କ୍ରୀଡ଼ନକ ହୋଇ; (୪)

ଫଣିନୀର ଶିରୋମଣି କାଢ଼ି ନେବା ପାଇଁ

ନ ଲୋଡ଼େ କେ ? ମାତ୍ର ତାର ବିଷଦନ୍ତ ବେନି

କୃତାନ୍ତର ଦୂତ ମଣି, କତି ପଶିବାକୁ

ଭରସି ପାରେ କି କେହି ? ରାଜନ୍ୟ ବ୍ରାହ୍ମଣେ (୫)

 

(୧)

ଅବଧ-ଅଯୋଧ୍ୟା ।

(୨)

ଗାନ୍ଧାର-କାନ୍ଦାହାର, ବର୍ଣ୍ଣିତ କାଳରେ ଏ ଅଞ୍ଚଳ ଆର୍ଯ୍ୟଭୂମିର ଅଂଶ ଥିଲା ।

(୩)

କୁରୁବର୍ଯ୍ୟ- କୁରୁଶ୍ରେଷ୍ଠ ସମ୍ବୋଧନପଦ ।

(୪)

ଆତ୍ମହାନୀତି-ଯେଉଁ ନୀତିରେ ନିଜର ସର୍ବନାଶ ହୁଏ ।

(୫)

ରାଜନ୍ୟ-କ୍ଷତ୍ରିୟ ।

 

ଭୂତଳେ ଅତୁଳ ରୂପର ତନକୁନ୍ତଳା–

ଭାରତ-ଭୁଜଙ୍ଗୀର ଏ ଥିଲେ ସିନା ବେନି

ବିଷଦନ୍ତ, ସର୍ବ ଅଗ୍ରେ ଭାଙ୍ଗିବ ତା କଳି,

ନିର୍ବିଷ ଭାରତେ, ଦେଖି ଆସିବେ ଦଉଡ଼ି

ଦୂରୁଁ ବୈଦେଶିକଦଳ ଶିରୋମଣି ଲୋଭେ

ପଲେ ପଲେ, ଶସ୍ୟକ୍ଷେତ୍ରେ ଶଲଭ ଯେପରି;

ବିରାଜେ ଯାବତ ବୀର, ମୋ ତେଜ ଅଙ୍ଗାରେ,

ପାରେ କି ପରଶି କେହି ? ହେଲେ ତା ନିର୍ବାଣ,

ଅବଜ୍ଞାରେ ଲୋକେ ତାହା ଦଳନ୍ତି ଚରଣେ,

ଦ୍ୱିଜାତିର ତେଜଃପୁଞ୍ଜ ଲିଭିଲେ ସେରୂପେ

ଏ ଆର୍ଯ୍ୟସମାଜ ତଥା ଦଳି ବୈଦେଶିକେ,

ଅକ୍ଷମ ପତିର ରୂପବତୀ ନାରୀ ପରି,

ନିୟୋଜିବେ ନିଜ ଭୋଗେ ଭାରତ ଅବନୀ,

ଶକ୍ତିରେ ସିଂହାର ଯାହା, ଶକ୍ତି ଗଲେ ଚାଲି, (୧)

ପାର୍ଥ ! ସେ ସିଂହାର ହୁଏ ଅନର୍ଥର ହେତୁ, (୨)

ଅନର୍ଥର ହେତୁ ତେଣୁ ହେବ କଳିଯୁଗେ

 

(୧)

ସିଂହାର-ଅଳଙ୍କାର, ଭୂଷଣ ।

(୨)

ପାର୍ଥ-ପୃଥାପୁତ୍ର ଯୁଧିଷ୍ଠିର, ସମ୍ବୋଧନପଦ ।

 

ଭାରତଭୂମିର ଏହି ଅନୁପମ ଶୋଭା,’’

ବୋଇଲେ ପାଣ୍ଡବମଣି ଆର୍ଯ୍ୟଶିରୋମଣି

ଭାବିଆର୍ଯ୍ୟ ଦୁଃଖେ ଦୁଃଖୀ, ‘‘ଭୋଦେବ ଭାରତେ,

ବିଶାଳ ଭାରତେ ଆହା ଜଣେ ହୋଇ କେହି

ଜନ୍ମିବ ନାହିଁ କି କେବେ ଉଦ୍ଧାରିବାପାଇଁ

ଆର୍ଯ୍ୟଙ୍କର ପୁରାତନ ଲୁପ୍ତ ଗଉରବ ?

ବ୍ରାହ୍ମଣର ଏ ଦୁଷ୍କ୍ରିୟା-ପ୍ରତିକ୍ରିୟାବ୍ରତେ

କେହି କି ନୋହିବେ ବ୍ରତୀ ? କେହି କି ନୋହିବେ

ଶକ୍ତି ଭାଙ୍ଗିବାକୁ ସେହି ସ୍ୱାର୍ଥର ଶିକୁଳି,

ଶାସ୍ତ୍ରାଖ୍ୟ ସେ ଅଶାସ୍ତ୍ରର ଅବୈଧ ବିଧିକି ?

ସାମ୍ୟ ଐକ୍ୟ ବୀଜମନ୍ତ୍ରେ ଜୀବନ୍ୟାସ ଦେଇ

ମୃତ ଆର୍ଯ୍ୟସନ୍ତତିଙ୍କି ପୁନରୁଜ୍ଜୀବିତ

କରିବାକୁ କେହି କି ହେ ନୋହିବେ ପ୍ରୟାସୀ

ବୀରପୁତ୍ରପ୍ରସୂ, ଆହା, ଏ ମହୀ କି ଆଉ

ପ୍ରସବିବେ ନାହିଁ କେବେ କୁମର ସେଭଳି ?’’

ତହୁଁ ଦେବ ହବ୍ୟବାହ ‘‘ଏ ଭାରତଖଣି (୧)

ପ୍ରସବିବ କଳିଯୁଗେ ଅଙ୍ଗାର କେବଳ,

ବହୁଶତ ବର୍ଷ ଗତ ହେଲେ ଏହି ରୂପେ,

 

(୧)

ତହୁଁ ଦେବ ହବ୍ୟ ବାହ କହିଲେ, ଏହି କ୍ରିୟାପଦ ଏଠାରେ ଉହ୍ୟ ଅଛି ।

 

ଯଥାକାଳେ ବାହାରିବ ସେ ଖଣି ଗରଭୁ

ମହାମଣି, ଯାର ଦିବ୍ୟଜ୍ୟୋତିର ଝଟକେ

ହୀନପ୍ରଭ ହୋଇଯିବ ନଭେ କାବ୍ୟତାରା

ଗୋଧୂଳିର ମଥାମଣି, ଅଥବା କୌସ୍ତୁଭ

ବିଶ୍ୱଲୀଳାଦରପଣ ବିଶ୍ୱମ୍ଭର-ହୃଦେ,

ଅଭ୍ରଭେଦୀ ହିମଗିରି ପାଦେ ଶୁଭକ୍ଷଣେ (୧)

ଜନମିବେ ଶାକ୍ୟସିଂହ ଧର୍ମବୀରାଗ୍ରଣୀ

ଦେବଅଂଶେ, ରାଜବଂଶେ ରଜୋରିକ୍ତମନା (୨)

କାମଜୟୀ, କାମଜୟୀ ଯଥା ଉମାପତି;

ମୃତ୍ତିକାବିକାର ହୈମ-ସିଂହାସନ ତେଜି, (୩)

ସଂସାରମମତା-ଫାଶ ଛେଦି ଜ୍ଞାନବଳେ,

ମହାଜ୍ଞାନୀ, ଭାରତର ଅଜ୍ଞାନ ଅନ୍ଧାରେ

ଜାଳିବେ ବିଜ୍ଞାନ-ଦୀପ, ଯାର ଜ୍ୟୋତିପ୍ରଭା

ବିଶ୍ୱତମଃସ୍ତୋମ-ମହାଦାବାନଳରୂପେ (୪)

 

(୧)

ହିମାଳୟ ପାଦଦେଶବର୍ତ୍ତୀ କପିଳବାସ୍ତୁ ନଗରରେ ବୁଦ୍ଧଦେବ ଜନ୍ମଗ୍ରହଣ କରିଥିଲେ ।

(୨)

ରଜୋରିକ୍ତମନା-ରଜୋଗୁଣରୁ ମୁକ୍ତ ।

(୩)

ବୁଦ୍ଧଦେବ ରାଜସିଂହାସନ ପରିତ୍ୟାଗ କରି ଧର୍ମାଲୋଚନା ଏବଂ ଧର୍ମପ୍ରଚାର ସକାଶେ ସନ୍ନ୍ୟାସଧର୍ମ ଗ୍ରହଣ କରିଥିଲେ ।

(୪)

ଜଗତର ଅଜ୍ଞାନରୂପ ମହାରଣ୍ୟର ଦାବାନଳସ୍ୱରୂପ ।

 

ଆଲୋକିବ ଲୋକମନ ଦେଶଦେଶାନ୍ତରେ,

କି ଉଦୀଚୀ ହୈମବତୀ ସପ୍ତର୍ଷିଶବଳା, (୧)

ପ୍ରାଚୀ ତ୍ୱିଷାମ୍ପତି-ଦୂତି-ଉଷା-ସହଚରୀ,

କି ଅବା ଅବାଚୀ ସ୍ନିଗ୍‌ଧମଳୟ-ସୌରଭା, (୨)

ପ୍ରତୀଚୀ କୁଙ୍କୁମାରୁଣା ବରଣଲାଞ୍ଛନା, (୩)

ସବୁଦିଗେ ଏହି ଜ୍ୟୋତିଃ ବ୍ୟାପି କ୍ରମେକ୍ରମେ

ବିରାଜିବ ଦିଗଙ୍ଗନା-ଅବତଂସରୂପେ, (୪)

କି ଶୈଳ, କି ପାରାବାର, ନ ପାରିବେ କେହି

ରୋଧିବାକୁ ଏ ଜ୍ୟୋତିର ଦୁର୍ନିବାରଗତି,

ଅଗସ୍ତ୍ୟର ଛାୟା ହୃଦେ ଧରି ଭାଦ୍ରପଦେ (୫)

ନିର୍ମଳେ ବହଇ ବାରି ଭବତଳେ ଯଥା,

ସେହି ରୂପେ ଏ ଜ୍ୟୋତିର ପାବନ ପରଶେ

ଭାରତୁ କଳୁଷରାଶି ଯିବ ଅପସରି,

 

(୧)

ଉଦୀଚୀ-ଉତ୍ତରଦିଗ । ଶବଳ-ଚିତ୍ରବିଚିତ୍ର ।

(୨)

ଅବାଚୀ-ଦକ୍ଷିଣଦିଗ ।

(୩)

ପ୍ରତୀଚୀ-ପଶ୍ଚିମଦିଗ । ସୂର୍ଯ୍ୟାସ୍ତରାଗରଞ୍ଜିତ ହେବାରୁ କୁଙ୍କୁମାରୁଣା, ବରୁଣଦ୍ୱାରା ଅଧିଷ୍ଠିତ ହେବାରୁ ବରୁଣଲାଞ୍ଚାନା ।

(୪)

ଦିଗ୍‌ବଧୂମାନଙ୍କର କର୍ଣ୍ଣପୂରସ୍ୱରୂପ ।

(୫)

ଶରତ୍‌କାଳରେ ଦକ୍ଷିଣାକାଶରେ ଅଗସ୍ତ୍ୟତାରାର ଉଦୟ ହୁଏ, ଅଗସ୍ତ୍ୟଙ୍କ ଉଦୟରେ କଳୁଷିତ ଜଳ ନିର୍ମଳ ହେବାର କିମ୍ବଦନ୍ତୀ ଅଛି ।

 

ସାମ୍ୟ-ମୈତ୍ରୀ-ମହାମନ୍ତ୍ର ହୋଇଣ ଦୀକ୍ଷିତ,

ଭେଦମତି ପରିହରି ସଂହତି-ବନ୍ଧନେ (୧)

ବଦ୍ଧହେବେ ଆର୍ଯ୍ୟଭୂମେ ଆର୍ଯ୍ୟସୁତ ଯେତେ,

ଶାକ୍ୟସିଂହଶିଷ୍ୟାଗ୍ରଣୀ ନୃପଶିରୋମଣି

ଜନ୍ମିବେ ଅଶୋକ-ନାମେ ନୃପ ମହାତେଜା

ପୁଷ୍ପପୁରେ, ପୂତନୀରା ସୁରଧୁନୀତୀରେ, (୨)

ଅନନ୍ତ-ରତନ-ପ୍ରସୂ ହିମାଚଳଠାରୁ

ମୁକ୍ତାପ୍ରସୂ ତାମ୍ରପର୍ଣ୍ଣୀ ଯାଏ ଦେଶେ ଦେଶେ (୩)

ଉଡ଼ିବ ତାଙ୍କର ଜୈତ୍ରକେତନ ଭାରତେ, (୪)

ସ୍ଥାନେ ସ୍ଥାନେ ଶୈଳଭାଲେ ଅକ୍ଷୟ ଅକ୍ଷରେ

ଶୋଭିବ ଏ ନବଦୀକ୍ଷା କଳୁଶନାଶିନୀ

ଅଶୋକର ଅନଶ୍ୱର ଯଶୋଲିପିରୂପେ, (୫)

 

(୧)

ସଂହତିବନ୍ଧନେ-ଏକତା ବନ୍ଧନରେ ।

(୨)

ପୁଷ୍ପପୁର (ଆଧୁନିକ ପାଟଣା) ଅଶୋକ ନୃପତିଙ୍କର ରାଜଧାନୀ ଥିଲା, ପୁଷ୍ପପୁରର ଅନ୍ୟନାମ ପାଟଳିପୁତ୍ର ।

(୩)

ତାମ୍ରପର୍ଣ୍ଣୀ-ସେତୁବନ୍ଧ ରାମେଶ୍ୱରର ଅନତିଦୂରବର୍ତ୍ତିନୀ ସ୍ୱନାମପ୍ରସିଦ୍ଧ ନଦୀ ।

 

ଏହି ନଦୀର ସମୁଦ୍ର ସଙ୍ଗମ ସ୍ଥଳରୁ ମୁକ୍ତାଶୁକ୍ତି ଉତ୍ତୋଳିତ ହେଉଥିଲା ।

(୪)

ଜୈତ୍ରକେତନ-ଜୟଶୀଳ ପତାକା, ଅଶୋକ ସମଗ୍ର ଭାରତବର୍ଷର ସମ୍ରାଟ୍ ଥିଲେ ।

(୫)

ଭାରତବର୍ଷର ନାନା ପ୍ରଦେଶରେ ପର୍ବତଦେହରେ ଅଶୋକଙ୍କର ଶାସନ ଅଦ୍ୟାପି ଦେଦୀପ୍ୟମାନ, ଓଡ଼ିଶାରେ ସୁଦ୍ଧା ଧଉଳି ପର୍ବତରେ ଅଶୋକଙ୍କ ଶାସନ ଅଙ୍କିତ ହୋଇଅଛି ।

 

ବରବାଜିପ୍ରତିଷ୍ଠିତ-ପାରସ୍ୟମଣ୍ଡଳେ, (୧)

ଶ୍ୱେତଗଜନିସେବିତ-ନୀଳ ଇରାବତୀ-(୨)

ଧୌତ ବ୍ରହ୍ମେ, ବର୍ଣ୍ଣେଜ୍ଜ୍ୱଳଚେଳପ୍ରସୂ ଚୀନେ, (୩)

କିଂପୁରୁଷେବର୍ଷେ (୪) (ଯହିଁ ମାନସ ଦର୍ପଣେ

ହରଶୈଳ ହେରେ ନିଜ ଭୀଷଣମୂରତି),

ହରିବର୍ଷେ ଯହିଁ ହିମବର୍ଷିଣୀ ଉଦୀଚୀ

ମଣ୍ଡେ ନିଜଭାଲ ଚିତ୍ରଜ୍ୟୋତିତିତ୍ରିପୁଣ୍ଡ୍ରକେ ୫)

ନୀଳରତ୍ନାକର ବକ୍ଷେ ପଦକରୂପିଣୀ

ସାଗରସମ୍ଭବା ଲଙ୍କା-ଶ୍ୟାମଳ ଉରସେ, (୬)

 

(୧)

ପ୍ରାଚୀନକାଳରେ ପାରସ୍ୟ ଦେଶ ଉତ୍କୃଷ୍ଟ ଘୋଟକ ସକାଶେ ପ୍ରସିଦ୍ଧ ଥିଲା ।

(୨)

ଇରାବତୀ ବ୍ରହ୍ମଦେଶର ପ୍ରଧାନ ନଦୀ, ଇରାବତୀ ଉପତ୍ୟକାରେ ଶ୍ୱେତହସ୍ତୀ ଦେଖାଯାନ୍ତି-

(୩)

ପ୍ରାଚୀନକାଳରେ ଚୀନର କୌଷେୟବସ୍ତ୍ର (ଚୀନାଂଶୁକ) ଭାରତବର୍ଷରେ ଅତ୍ୟନ୍ତ ଆଦୃତ ହେଉଥିଲା ।

(୪)

କିମ୍ପୁରୁଷବର୍ଷ-ତିବ୍‌ବତ, ହରଶୈଳ-ମାନସରୋବରର ସନ୍ନିହିତ କୈଳାସଗିରି ।

(୫)

ହରିବର୍ଷ-ସାଇବିରିଆ ଦେଶ, ଏହି ଦେଶର ଉତ୍ତରାକାଶ ବିବିଧବର୍ଣ୍ଣ ଜ୍ୟୋତିତିଳକରେ ଶୋଭିତ, ବୌଦ୍ଧ ପରିବ୍ରାଜକମାନେ ସାଇବିରିଆ ଯାଏ ନିଜ ଧର୍ମପ୍ରଚାର କରିଥିଲେ ।

(୬)

ସିଂହଳଦ୍ୱୀପ ଅତି ଉର୍ବର ବନ ଏବଂ ଉପବନରେ ସର୍ବଦା ହରିତାୟମାନା ।

 

ପ୍ରାଚୀଦ୍ୱୀପପୁଞ୍ଜେ ଯହିଁ ସୌରଭ ଚୋରାଇ (୧)

ମଞ୍ଜୁଳପ୍ରଫୁଲ୍ଲ ଏକା ଲବଙ୍ଗ କୁଞ୍ଜରୁ,

ପାରାବାର-ବକ୍ଷେ ବହେ ସ୍ନିଗ୍‌ଧ ଗନ୍ଧବହ,

ନାବିକ ହୃଦୟେ ଗୃହସ୍ମୃତି ଉପୁଜାଇ,

ଶୋଭିବ ସଂସାରାର୍ଣ୍ଣବ-ଦ୍ୱୀପସ୍ତମ୍ଭ ପ୍ରାୟେ, (୨)

ଭାରତୁଁ ବିକୀର୍ଣ୍ଣ ହୋଇ ଏହି ଧର୍ମଜ୍ୟୋତି;

ମାତ୍ର ଲିଭିଯିବ ଏହା ଅଚିରେ ଭାରତେ,

ଆଦିତ୍ୟପ୍ରତିମତେଜା, ଅରାତିବିଜୟୀ

ବୀରେନ୍ଦ୍ର ବିକ୍ରମାଦିତ୍ୟ ଉଜ୍ଜୟନୀପତି (୩)

ଦ୍ୱିଜାତିର ପକ୍ଷ ହୋଇ, ପ୍ରଚଣ୍ଡ ବିକ୍ରମେ

ଆକ୍ରମିଲେ ଶାକ୍ୟସିଂହଶିଷ୍ୟ-ରାଜଦଳେ,

ପ୍ରବଳ ମାରୁତେ, ଆହା, ତୁଳାରାଶି ଯଥା,

ପ୍ରତାପେ ତାଙ୍କର ସର୍ବେ ଛିନ୍ନଭିନ୍ନ ହୋଇ

 

 

ତେଜିବେ ଏ ଭୂମି, କିମ୍ବା ନବଧର୍ମେ ମତି,

ନିଜ ଦଣ୍ଡ ପ୍ରତିଷ୍ଠିତ କରିବ ଉଲ୍ଲାସେ

 

(୧)

ପ୍ରାଚୀଦ୍ୱୀପପୁଞ୍ଜ-ଯବଦ୍ୱୀପ, ସୁମାତ୍ରା ପ୍ରଭୃତି ।

(୨)

ଧର୍ମ ଭବାର୍ଣ୍ଣବର ଦୀପସ୍ତମ୍ଭପରି । ଦୀପସ୍ତମ୍ଭଯୋଗୁଁ ନାବିକମାନେ ନିରାପଦାରେ ସମୁଦ୍ର ପଥରେ ବିଚରଣ କରନ୍ତି, ଜୀବନପକ୍ଷରେ ଧର୍ମ ସେହିପରି ।

(୩)

ସୁପ୍ରଥିତନାମା ବିକ୍ରମାଦିତ୍ୟ ବୌଦ୍ଧମାନଙ୍କର ଉଚ୍ଛଦସାଧନରେ ବ୍ରତୀ ହୋଇଥିବାର କିମ୍ବଦନ୍ତୀ ଅଛି ।

 

ପୁଣି ଦଣ୍ଡଧର କଳି, ଏ ସୁଯୋଗ ପାଇ;

ଥିଲା ଯେ ତିମିରେ ପୁଣି ବୁଡ଼ିବ ଭାରତ

ସେ ତିମିରେ, ସତ୍ୟଧର୍ମ ହୋଇ ଅସ୍ତମିତ,

ଦ୍ୱୀପରୂପେ ଥିବ ମାତ୍ର ଏ ପାପପ୍ଳାବନେ

କେବଳ ଗୋଟିଏ ସ୍ଥଳୀ ସମଗ୍ର ଭାରତେ,

ଧନ୍ୟରେ ଉତ୍କଳ ତୁହି, ଏ ଘୋର ଅନ୍ଧାରେ,

ତୁହି ସେ ରଖିବୁ ସିନା ପୋଷି ସ୍ନେହଦାନେ

ଗୁପତେ ଏ ଧର୍ମ-ଦୀପ ନୀଳାଦ୍ରୀ କନ୍ଦରେ, (୧)

ପୁଣ୍ୟଧାମ ! ଅସ୍ତ ଗଲେ କମଳିନୀସଖା,

ରଖଇ ମୋ ଶିଖା ଯଥା ଆଦରେ ସମ୍ପାଦି

ପବିତ୍ର ସାବିତ୍ର ଜ୍ୟୋତି ତମିସ୍ରା-ତମସେ (୨)

ଅଜ୍ଞାନ-ଅନ୍ଧାରେ, ଆହା ହେବେ ଅନ୍ଧୀଭୂତ,

ପୁଣି ଅଳ୍ପଦିନେ ଆର୍ଯ୍ୟେ, ସ୍ୱାର୍ଥାନ୍ଧ ଋତ୍ୱିଜେ

ଭିଡ଼ିବେ ସୁଦୃଢ଼େ ପୁଣି ସ୍ୱାର୍ଥର ଶାଙ୍କୋଳି

ଭାରତର ଗଳଦେଶେ, ବଜ୍ରଗ୍ରନ୍ଥି ଦେଇ;

ଔଷଧେ ଶମିତ ବ୍ୟାଧି ଛିଦ୍ର ପାଇ ଯଥା

 

(୧)

କେବଳ ଓଡ଼ିଶାରେ ବିଶେଷତଃ ଶ୍ରୀକ୍ଷେତ୍ରରେ ବୌଦ୍ଧଧର୍ମ ବହୁକାଳ ସ୍ଥାୟୀ ହୋଇ, ପଛକୁ ରୂପାନ୍ତରିତ ହୋଇଯାଇଥିବାର କଥା ପ୍ରାତ୍ନିକମାନଙ୍କର ଗବେଷଣାଦ୍ୱାରା ସ୍ଥିରୀକୃତ ହୋଇଅଛି ।

(୨)

ରାତ୍ରିକାଳରେ ସୂର୍ଯ୍ୟତେଜ ଅଗ୍ନିଠାରେ ନିହିତ ହେବାର ପ୍ରସିଦ୍ଧି ଅଛି, ସାବିତ୍ର-ସୂର୍ଯ୍ୟସମ୍ବନ୍ଧ, ତମିସ୍ରାତମସେ-ନୈଶ ଅନ୍ଧାକାରରେ ।

 

ଆକ୍ରମଇ ରୋଗୀଦେହ ଦ୍ୱିଗୁଣ ବିକ୍ରମେ,

ଲଭିବ ଭାରତ ପୁଣି ଦାରୁଣ ଦୁର୍ଗତି,

ପାସୋରି ପୁରୁଷକାର-ମହିମା ପୁରୁଷେ

ମୃତଜଡ଼ପିଣ୍ଡବତ ହେବେ ଅଳ୍ପଦିନେ

ନିରୁତ୍ସାହ ନିରୁଦ୍ୟମ, ଦେବପରାୟଣ,

ପୁଣି ଛିନ୍ନ ଭିନ୍ନ ହୋଇ ପରସ୍ପରେ ଦ୍ୱେଷୀ

ହେବେ ଆର୍ଯ୍ୟବର୍ତ୍ତବାସୀ, ଆର୍ଯ୍ୟଧ୍ୱଂସଲାଗି

ଯବନକୁ ଆହ୍ୱାନିବେ ସେହି ଆର୍ଯ୍ୟେ ପୁଣି,

କୁଠାରେ ଲଗନ ହୋଇ ବେଣ୍ଟରୂପେ ଯଥା

ନାଶେ ତରୁ ବନଦେଶେ ଅନ୍ୟ ତରୁଦଳେ,

ଯବନ ସଙ୍ଗତେ ମିଶି ଆର୍ଯ୍ୟକୁଳାଙ୍ଗାରେ

ହାଣିବେ ଆର୍ଯ୍ୟଙ୍କୁ, ଆହା, ଏହି ଆର୍ଯ୍ୟଭୂମେ, (୧)

ଆତ୍ମହାନୀତିର ଦାସ, ପରକୁ ଦେଖାଇ

ଆତ୍ମଚ୍ଛିଦ୍ର, ସେ ପାପର ପ୍ରାୟଶ୍ଚିତ୍ତରୂପେ

ସୁଶୋଣିତେ ଆର୍ଯ୍ୟେ ଧରା କରିବେ ଉର୍ବରା

ହିମାଦ୍ରିରୁ କୁମାରୀର ତାଳୀବନଯାଏ

 

(୧)

କାନ୍ୟୁକବ୍‌ଜପତି ଜୟଚନ୍ଦ୍ର ଏହୁ କୁଳଙ୍ଗାରମାନଙ୍କର ଅଗ୍ରଣୀ ହୋଇଥିଲେ ।

(୨)

ହିମାଳୟଠାରୁ କୁମାରିକାର ହିନ୍ତାଳବନ ପର୍ଯ୍ୟନ୍ତ ଅର୍ଥାତ୍ ସମଗ୍ର ଭାରତବର୍ଷରେ ।

 

ହିମାଦ୍ରିର ଦେବଦାରୁ-ନିକୁଞ୍ଜ ସଦନେ

ମଳୟେ ଚନ୍ଦନଦ୍ରୁମ ସ୍ନିଗ୍‌ଧାଚ୍ଛାୟାତଳେ,

ଭାରତର ଦେବ ଦେବୀ ନିରଜନେ ବସି

ବିସର୍ଜିବେ ଅଶ୍ରୁଦେଖି ଆର୍ଯ୍ୟର ଦୁର୍ନୀତି ।

କହିଲି ଘଟିବ ଯାହା, ବିସ୍ତାରି ଏକଥା,

କହିବାକୁ ନାହିଁ ଆଉ ଅବସର ଏବେ,

ଯାମମାତ୍ର ପାହିବାକୁ ଅଛି ବିଭାବରୀ,

ଦେଖ ଆସିଲେଣି ଏବେ ଧ୍ରୁବମେରୁ ବୁଲି

ମେରୁନଭେ ସପ୍ତର୍ଷିର ସୁବର୍ଣ୍ଣ-ବେଙ୍ଗଳା, (୧)

ଦିବ୍ୟାଞ୍ଜନ ଯୋଗେ ତୁମ୍ଭ ଦୃଷ୍ଟିକି ପ୍ରସାରି

ଦେଶେ, କାଳେ, ଭାବି-ଦୃଶ୍ୟ ସଂକ୍ଷେପେ ଦେଖାଇ, (୨)

ଛାମୁରୁ ମେଲାଣି ଘେନିଯିବି, କୁରୁମଣି !’’

 

(୧)

ଉତ୍ତରାକାଶରେ ସପ୍ତର୍ଷି ଧ୍ରୁବଙ୍କୁ ପ୍ରଦକ୍ଷିଣ କରି ଅପରପାର୍ଶ୍ୱକୁ ଆସିଲେଣି, ଧ୍ରୁବଙ୍କ ସହିତ ମେରୁର ଏବଂ ସପ୍ତର୍ଷି ସହିତ ବେଙ୍ଗଳାର ଉପମା, ପ୍ରଥମ ମେରୁ ଶବ୍ଦର ଅର୍ଥ କେନ୍ଦ୍ରସ୍ତମ୍ଭ, ଦ୍ୱିତୀୟ ମେରୁ ଶବ୍ଦର ଅର୍ଥ ଉତ୍ତରଦିଗ, ସପ୍ତର୍ଷିଙ୍କର ଧ୍ରୁବ ପ୍ରଦକ୍ଷିଣ ରଜନୀର ଅବସାନସୂଚକ ।

(୨)

ଦେଶେ, କାଳେ,-ଦୁଇ ଦେଶପ୍ରତି ଏବଂ ଭବିଷ୍ୟତ୍‌କାଳପ୍ରତି ।

 

ମହଯାତ୍ରା

ଷଷ୍ଠ ସର୍ଗ

 

ଦିବ୍ୟ ଅବଧାନେ ଆସୁ ଏ ଗୀତ ତୁମ୍ଭର,

ହେ ରାଜେନ୍ଦ୍ର, ମନ୍ଦ୍ରନାଦି-ପ୍ରପାତର ପତି, (୧)

ବାମଣ୍ଡାମଣ୍ଡଳେଶ୍ୱର, ଉତ୍କଳମଣ୍ଡନ;

ତୁମ୍ଭ ଶୁଭ-ଆବର୍ଭାବେ ହୋଇଛି ଉତ୍କଳେ

ଦେବଦୁର୍ଗ, ଦେବ, ଏବେ ତୀର୍ଥ ସାରସ୍ୱତ, (୨)

ବୁଧହଂସ-କେଳିସରଃ ଅବିଦ୍ୟା-ଉଷରେ;

 

(୧)

ବାମଣ୍ଡା ରାଜ୍ୟର ଅଧୀଶ୍ୱର ମହାରାଜା ଶ୍ରୀଯୁକ୍ତ ସୁଢ଼ଳଦେବଙ୍କ ପ୍ରତି ସମ୍ବୋଧନ ।

 

ପ୍ରୋକ୍ତ ପ୍ରପାତର ନାମ ପ୍ରଧାନପାଟ । ଏହା ବାମଣ୍ଡା ରାଜଧାନୀ ଦେବଗଡ଼ର ଅତି ନିକଟବର୍ତ୍ତୀ, ଏହାର ମନ୍ଦ୍ରନିନାଦ ସର୍ବଦା ଦେବଗଡ଼ରେ ଶ୍ରୁତ ହୁଏ । ଏହି ପ୍ରପାତ ଓଡ଼ିଶାରେ ଗୋଟିଏ ପ୍ରଧାନ ଦୃଶ୍ୟ, ‘ପ୍ରଧାନପାଟ’ ନାମକ ଖଣ୍ଡିଏ ଅଭିନବ କାବ୍ୟରେ ଏହି ପ୍ରପାତର ସୁବିସ୍ତୃତ ବର୍ଣ୍ଣନା ହୋଇଅଛି ।

(୨)

ଦେବଗଡ଼ ଉତ୍କଳସାହିତ୍ୟ ଚର୍ଚ୍ଚାର ଅନ୍ୟତମ କେନ୍ଦ୍ର, ଉତ୍କଳରେ ସଂସ୍କୃତସାହିତ୍ୟ ଚର୍ଚ୍ଚାର ମଧ୍ୟ ସର୍ବପ୍ରଧାନ କେନ୍ଦ୍ର ।

 

ରଜତକାଞ୍ଚନମୁକ୍ତାମଣିରେ ଗଠିତ

ଧନମତ୍ତ ଭୂପଙ୍କର ଗଣ୍ଠିଧନରୂପୀ,

ତୁଚ୍ଛ ଅଳଙ୍କାରେ ତୁମ୍ଭେ ପ୍ରୀତି ନ ବଳାଇ,

ଅପ୍ରାକୃତ ଅଳଙ୍କାର ଖୋଜିଲ ଯତନେ, (୧)

ହେ ନୃପ-ସବିତା, ପଶି କବିତାଭଣ୍ଡାରେ,

ସେ ଭଣ୍ଡାରୁ ବାଛି ବାଛି ସଜାଡ଼ି କୌଶଳେ

ଦେଖାଇଲ ନବଭୂଷା ଉତ୍କଳ-ଭାବୁକେ

ଦାନେ ଯାର ନାହିଁ କ୍ଷୟ, ନ ଲାଗଇ ଯହିଁ

କଳଙ୍କ, ତସ୍କର ଯାହା ନ ପାରଇ ହରି,

ଯା ଝଟକ କେବେ ଲବେ ନ ପାରଇ ମ୍ଳାନି

କ୍ରୂର କାଳ, ନିତ୍ୟରତ କୀର୍ତ୍ତି-ନିକୃନ୍ତନେ; (୨)

କେତେ ଯେ ବ ବିଭବ ଅଛି ବାଗ୍‌ଦେବୀଭଣ୍ଡାରେ,

ତା ସବୁ ଛାମୁରେ ଜଣା, ତୁମ୍ଭର ଭର୍ତ୍ସନା

ମୂର୍ଖଶ୍ଳାଘାଠାରୁ ଶ୍ଳାଘ୍ୟ ମଣେ ଶତଗୁଣେ, (୩)

ଆମନ୍ତ୍ରିଲି କର ଯୋଡ଼ି ଯୋଗ୍ୟ ଶ୍ରୋତାଜାଣି,

ଦୀପୁଁ ଜାତ ଦୀପ ପ୍ରାୟେ ତୁମ୍ଭରି ଆତ୍ମଜ

 

(୧)

ମହାରଜା ସୁଢ଼ଳଦେବ ଓଡ଼ିଆ ଅଳଙ୍କାର ଗ୍ରନ୍ଥର ପ୍ରଥମ ପ୍ରଣେତା ।

(୨)

କୀର୍ତ୍ତି-ନିକୃନ୍ତନକାରୀ କାଳପ୍ରଭାବରେ ପ୍ରାକୃତ ଅଳଙ୍କାରର ପ୍ରଭା ମଳିନ ହୁଅଇ, ମାତ୍ର ଭାବରାଜ୍ୟର ଅପ୍ରାକୃତ ଅଳଙ୍କାରର ପ୍ରଭା ଚିରଦେଦୀପ୍ୟମାନ । କାଳ ସେଥିର ପ୍ରଭା ମଳିନ କରିନପାରେ ।

(୩)

ମୂର୍ଖର ପ୍ରଶଂସା ଅପେକ୍ଷା ପଣ୍ଡିତର ଭର୍ତ୍ସନା ଶ୍ରେୟସ୍କର ।

 

ଶ୍ରୀ ସଚ୍ଚିଦାନନ୍ଦ ଦେବ କୁମାରପ୍ରତିମ, (୧)

କୁମାର ସହିତେ ଆସି ବାଗ୍‌ଦେବୀମଣ୍ଡପେ

କର ଅଧିଷ୍ଠାନ, ଯେବେ ଶୁଣିବ ଏ କଥା

ପାବନୀ, ପାବନୀ ଯଥା ତ୍ରିତାପହାରିଣୀ

କଳୁଷନାଶିନୀ ତୁମ୍ଭ କୂଳ-ଅଧିଦେବୀ, (୨)

ଅଗ୍ନିଙ୍କ ବଚନ ଶୁଣି ଦୀର୍ଘଶ୍ୱାସ ତେଜି

ତୃଷ୍ଣୀମ୍ଭାବ ଭଜି ରାଜା ରହିଲେ ବିଷାଦେ

କିଛି କ୍ଷଣ, ଚିତ୍ରାର୍ପିତ ପ୍ରତିମା ଯେସନ;

ସିଙ୍ଗଡ଼ାତଟିନୀଧୌତ ଅଙ୍ଗାରପ୍ରାନ୍ତରେ

ପବିତ୍ର ହିଙ୍ଗୁଳାପୀଠେ ଜଳିଉଠେ ଯଥା

ଆଚମ୍ବିତେ ବହ୍ନିଶିଖା ନିଦାଘ ନିଶୀଥେ, (୩)

ଅଦୂରେ ଉଠିଲା ଜଳି ସହ୍ୟଗିରି ତଟେ

ବହ୍ନିଶିଖା ସେହିମତି, ସେ ଶିଖା ମଧ୍ୟରୁ

ବାହାରିଲେ ବନଭୂମି ପ୍ରଭାରେ ଉଦ୍ଭାସି

 

(୧)

ବାମଣ୍ଡା ରାଜ୍ୟର ଯୁବରାଜ ଶ୍ରୀ ସଚ୍ଚିଦାନନ୍ଦ ଦେବ ଯୋଗ୍ୟ ପିତାର ଯୋଗ୍ୟ ପୁତ୍ର, କୁମାରପ୍ରତିମ କୁମାର-କାର୍ତ୍ତିକେୟ ପରି ପୁତ୍ର ।

(୨)

ଗଙ୍ଗାଦେବୀ ବାମଣ୍ଡା ରାଜବଂଶର ଅଧିଷ୍ଠାତ୍ରୀ ଦେବତା ।

(୩)

ହିଙ୍ଗୁଳାପୀଠ-ତାଳଚେର ରାଜ୍ୟର ଅନ୍ତର୍ଗତ-ସିଙ୍ଗଡ଼ା ନଦୀ ଏହିଠାରେ ପ୍ରବାହିତ, କିମ୍ବଦନ୍ତୀ ଅଛି ଯେ ଏଠାରେ ଅକସ୍ମାତ୍ ଅନଳର ଆବିର୍ଭାବ ହୋଇ ହିଙ୍ଗୁଳାଦେବୀଙ୍କର ଅଧିଷ୍ଠାନ ହୁଏ । ଏ ଅଞ୍ଚଳରେ ପଥରକୋଇଲାର ଖଣି ଅଛି ।

 

ହେମଆଜ୍ୟପାତ୍ର ହସ୍ତେ ସ୍ୱାହା ମହାଦେବୀ (୧)

ଜ୍ୟୋତିର୍ମୟୀ, ଆହା, ଯଥା ମହିଷମର୍ଦ୍ଦିନୀ

ବାଳେନ୍ଦୁଶେଖରା, ନୀଳପ୍ରଳମ୍ବକୁନ୍ତଳା,

ଭାସ୍ୱର ରଜତଶୂଳ ଧରି ବରଭୁଜେ,

ବାହାରିଲେ ବ୍ରହ୍ମକୁଣ୍ଡୁଁ ବିରଜାସୁନ୍ଦରୀ

ଦେବଯଜ୍ଞେ, ପୂତନୀରା ବୈତରଣୀତୀରେ; (୨)

ଆଜ୍ୟପାତ୍ର ନିହି ଦେବି ବୀତିହୋତ୍ରକରେ (୩)

ବିଜୁଳୀର ବେଗେ ଗଲେ ଉଭେଇ ପଲକେ,

ସେ ଅନଳୁ ଭସ୍ମ ନେଇ, ସେ ଆଜ୍ୟେ ମିଶାଇ

ରଚି ଦିବ୍ୟାଞ୍ଜନ ତହୁଁ ଦେବ ହବ୍ୟବାହ

ଯୁଧିଷ୍ଠିର ପ୍ରତି ଚାହିଁ କହିଲେ ଏସନ,

‘‘ହେ ବୀର, ଯାବତ ମୋର ଅଧିଷ୍ଠାନ ଏଥି,

ଏ ଅଞ୍ଜନ ଯୋଗେ ତୁମ୍ଭ ଇନ୍ଦ୍ରିୟ-ନିକରେ

ପ୍ରସରିବ ଦିବ୍ୟଶକ୍ତି, ଦେଖିବ ବିସ୍ମୟେ

ଦୃଶ୍ୟାବଳୀ, ଏବେ ଯାହା ନରନେତ୍ରାତୀତ,

ଭାରତର ଭାଗ୍ୟପଟ ଫିଟାଇବ ଆଜି

 

(୧)

ସ୍ୱାହା-ଅନଳପତ୍ନୀ ।

(୨)

ଯାଜପୁରର ବିରଜାଦେବୀ ବର୍ଣ୍ଣିତବେଶରେ ଯଜ୍ଞାନଳରୁ ବାହାରିଥିବା କଥା ‘ବିରଜାମାହାତ୍ମ୍ୟ’ରେ ଅନୁସନ୍ଧେୟ ।

(୩)

ବୀତିହୋତ୍ର-ଅଗ୍ନି ।

 

ଦେଶକାଳେ ବ୍ୟବଧାନ-ଉତ୍ତୋଳନପଟୁ (୧)

ଏ ଅଞ୍ଜନ ତୁମ୍ଭ ଆଗେ ତୁମ୍ଭ ଇଚ୍ଛାମତେ,

ଏହି ସେ ଅଞ୍ଜନ, ଯାହା ଦ୍ୱୈପାୟନ ଋଷି

ଦେଇଥିଲେ ସଞ୍ଜୟଙ୍କୁ, ଏ ଅଞ୍ଜନ ଯୋଗେ

ଦୂର କୁରୁକ୍ଷେତ୍ରରଣ ଦେଖି ସ୍ୱନୟନେ,

କହୁଥିଲେ ବାର୍ତ୍ତା ତୁମ୍ଭ ଜ୍ୟେଷ୍ଠତାତ ପଦେ

ହସ୍ତିନାପ୍ରାସାଦେ ବସି ଅଦୃଶ୍ୟଦରଶୀ; (୨)

କହ କି ଦେଖିବ ବୀର; ଦେଖାଇ ଏକ୍ଷଣି

ସେ ଦୃଶ୍ୟ, ଅନ୍ତର ହେବି ନ ପାହୁଁ ଶର୍ବରୀ,’’

କହିଲେ କୌନ୍ତେୟ, ‘‘ଦେବ, ଦେଖାଅ କି ରୂପେ

ଯବନର କରଗତ ହେବ କଳିଯୁଗେ

ହସ୍ତିନା-ନଗରୀରାଣୀ, ବୀରପ୍ରସବିନୀ;

ଉତ୍ତରିଲେ ବହ୍ନି, ‘‘ବୀର, ବହୁଦିନ ପରେ

ଜାହ୍ନବୀର ଗର୍ଭେ ହୋଇ ବିଲୀନ ହସ୍ତିନା,

ଆର୍ଯ୍ୟରାଜଧାନୀ ହେବ ଇନ୍ଦ୍ରପ୍ରସ୍ଥପୁରେ

ସୁପ୍ରଥିତ ମର୍ତ୍ତ୍ୟେ ହୋଇ ଦିଲ୍ଲୀ ଅଭିଧାନେ,’’

 

(୧)

ଦୂରଦେଶିତ ସ୍ଥିତ କିମ୍ବା ଭବିଷ୍ୟତ ଗର୍ଭନିହିତ ବିଷୟକୁ ଯାହା ପ୍ରତ୍ୟକ୍ଷ କରିଦିଏ ।

(୨)

କୌରବ ଦ୍ୱାରପାଳ ସଞ୍ଜୟ ବ୍ୟାସଦେବଙ୍କ ପ୍ରସାଦରୁ ଦିବ୍ୟଚକ୍ଷୁ ଲାଭ କରି ଅନ୍ଧରାଜା ଧୃତରାଷ୍ଟ୍ରଙ୍କ ଛାମୁରେ କୁରୁକ୍ଷେତ୍ର ଯୁଦ୍ଧ ବର୍ଣ୍ଣନ କରୁଥିଲେ ।

 

ଏହା ବୋଲି ବସାଇଣ ପୂର୍ବୋତ୍ତର ମୁଖେ, (୧)

ରାଜାଙ୍କୁ, ଉଚ୍ଚାରି ମନ୍ତ୍ର, ଦେବ ବିଭାବସୁ

ଅଞ୍ଜନ ଲଗାଇ ଦେଲେ ତାଙ୍କରି ନୟନେ,

ବିବାହ ଉତ୍ସବେ ଯଥା ବହ୍ନି କଣାଯୋଗେ,

ଦ୍ରଷ୍ଟୃବୃନ୍ଦେ ଚମକାଇ, ଭେଦି ନୈଶତମଃ,

ଆଗ୍ନେୟ ବାଣର ରଡ଼ ସ୍ଫୁରେ ଆଚମ୍ବିତେ,

କିମ୍ବା ନୈଶସିନ୍ଧୁବାହୀ ନାବିକର ଆଖି

ଠିକରାଇ, ଉଠେ ଯଥା ଦିଗନ୍ତ ଉଜଳି,

ନୀଳ ଊର୍ମିମାଳା ଭେଦି ବାଡ଼ବାଗ୍ନି ଜ୍ୱାଳା,

ସ୍ଫୁରିଲା ସହସା ଅଗ୍ରେ ଶକ୍ରଚାପ ଚାରୁ–

ତୋରଣା-ଶୋଭନା ଦିଲ୍ଲୀ ପତାକାମାଳିନୀ,

ମନୋମୋହକରୀ, ସୁଖସ୍ୱପନ ଯେପରି,

ତରୁଣ-ଅରୁଣ-ରାଗେ ଦିଶି ଜକଜକ

କାଞ୍ଚନ-କଳସ ତୁଙ୍ଗ-ଦେବାଳୟ-ଚୂଡ଼େ

ଶାରଦସନ୍ଧ୍ୟାଭ୍ରପୁଞ୍ଜ ପ୍ରାୟେ ମହୋଜ୍ଜ୍ୱଳ;

ସୁନ୍ଦର ଗୋପୁରବୃନ୍ଦ ଜଡ଼ିତ ରତନେ, (୨)

ନାନାବର୍ଣ୍ଣଶୋଭୀ ଶ୍ରେଣୀ ଶ୍ରେଣୀ ସ୍ତମ୍ଭାବଳୀ

 

(୧)

ସହ୍ୟାଦ୍ରିର ଉତ୍ତରପୂର୍ବରେ ଦିଲ୍ଲୀ ନଗରୀ ।

(୨)

ଗୋପୁର-ବୃହଦାକାର ତୋରଣବିଶେଷ । ଦାକ୍ଷିଣାତ୍ୟର ମନ୍ଦିରମାନଙ୍କରେ ଅନେକ ଗୋପୁର ଦେଖାଯାଏ ।

 

ଅଳିନ୍ଦେ, ଦ୍ୱି ରଦ-ରବ ଗବାକ୍ଷ-ଶୋଭିତ

ସ୍ଫଟିକ-ଜଗତୀ ସୌଧେ ମନୋହର ଅତି; (୧)

ରତ୍ନଜାଳେ ସମୁଜ୍ଜ୍ୱଳ ବିପଣି-ବୀଥିକା

ଅଗସ୍ତ୍ୟ ଶୋଷଣେ ଶୁଷ୍କରତ୍ନାକର ଛବି,

ଅବିରତ ମୋତିପ୍ରଭ ଶ୍ରୀକରବରଷୀ

ପ୍ରଧାନପାଟର ପୂତପ୍ରପାତପ୍ରତିମ (୨)

ଉତ୍ସମାଳେ ବେଢ଼ା ଇନ୍ଦ୍ର ନୀଳକ୍ରୀଡ଼ାଗିରି,

ନଭଶ୍ଚୁମ୍ବୀ କୀର୍ତ୍ତିସ୍ତମ୍ଭ, କୈଳାସ-ସଙ୍କାଶ

ପ୍ରାକାର, ସୁରମ୍ୟ ତରୁ ଲତା ଗୃହାରାମେ,

ମଞ୍ଜୁଳ ପ୍ରବାଳେ, କଳି-ସୁମନ-ସମ୍ଭାରେ,

ଅଦୂର କାଳିନ୍ଦୀସ୍ରୋତେ ଧାଏଁ ଖରବେଗେ (୩)

ଲୀଳାତରୀ, ରଙ୍ଗେ ତୋଳି ଧବଳପଟ୍ଟିକା (୪)

ହଂସାବଳୀ-କେଳିସ୍ମୃତି ଚିତ୍ତେ ଉପୁଜାଇ,

ତୋରଣ-ସମ୍ମୁଖେ ମହାବିସ୍ତୃତ ପ୍ରାନ୍ତରେ

ରୁଣ୍ଡ ହେଉଛନ୍ତି ଆଜ ଚଉଦିଗୁଁ ଆସି

 

(୧)

ଜଗତୀ-ଚନ୍ଦ୍ରଶାଳା ।

(୨)

ପ୍ରଧାନପାଟ-ବାମଣ୍ଡାର ସ୍ୱନାମପ୍ରସିଦ୍ଧ ପ୍ରପାତ । ସର୍ଗାରମ୍ଭରେ ଏହି ପ୍ରପାତର ଉଲ୍ଲେଖ ହୋଇଅଛି ।

(୩)

କାଳିନ୍ଦୀ-ଯମୁନା ।

(୪)

ଲୀଳାତରୀ-କ୍ରୀଡ଼ା ନୌକା । ପଟ୍ଟିକା-ଅଝାଲ ।

 

ନାନାଜାତି ସେନା ନାନାବେଶଭୂଷାଧାରୀ,

ଗିରିଯୁଦ୍ଧେ ବିଶାରଦ ଗିରି-ଦୁର୍ଗ ତେଜି

ଆସୁଛନ୍ତି ଅଜାମିଳେ ଦୀପ୍ତିମନ୍ତ ତେଜେ, (୧)

ତିର୍ଯ୍ୟକେ ବିଶାଳଶୂଳ ଥୋଇ ସ୍କନ୍ଧଦେଶେ

ଧାଡ଼ି ଧାଡ଼ି, ଦୀପ୍ତ (୨) ଯେହ୍ନେ ଫଣାଧରଫଣୀ,

ଚକ୍ରାଙ୍କ କେତନବର ସମୀରେ ଉଡ଼ାଇ (୩)

ହସ୍ତେ ଚକ୍ର ଘେନି ଆସେ ଗୁର୍ଜରବାସିନୀ

ବୀର୍ଯ୍ୟବତୀ ଊର୍ଜସ୍ୱଳା ଯଦୁ-ଅନୀକିନୀ,

(ତୁମ୍ଭ ଯୋଗେ, ବାସୁଦେବ ବାମଣ୍ଡାମଘବା,

ହେ ଭୂପାଳମୌଳିମଣି, ମଣ୍ଡିତ ଏକାଳେ

ଉତ୍କଳେ ସେ ମହାବଂଶ) ଦୁର୍ଦ୍ଧର୍ଷ ସଂଗ୍ରାମେ; (୪)

ହେମସାରସନେ ଗାଢ଼େ ବାନ୍ଧି ସିଂହକଟି

ଆସଇ ସୈନ୍ଧବୀ ଚମୂ, ଗାଲମୋଚାଧାରୀ, (୫)

 

(୧)

ଅଜାମିଳ-ଆଜମିର ନିବାସୀ ଆଜମିର ଗିରିବେଷ୍ଟିତ ଅଟେ ଏ ଅଞ୍ଚଳରେ ଅନେକ ଗିରିଦୁର୍ଗ ଅଛି

(୨)

ଦୀପ୍ତ-ଦୀପ୍ତିମନ୍ତ ।

(୩)

ଗୁର୍ଜ୍ଜର ଅନ୍ତର୍ଗତ ଦ୍ୱାରକା ଯାଦବମାନଙ୍କର ରାଜଧାନୀ ଥିଲା । ଯଦୁସେନାର ପତାକା ଚକ୍ରଲାଞ୍ଛିତ ।

(୪)

ବାମାଣ୍ଡାରାଜବଂଶ ଯଦୁବଂଶସମ୍ଭୂତ । ବାସୁଦେବ-ସମ୍ବୋଧନପଦ । ବାମାଣ୍ଡାମଘବା-ବାମାଣ୍ଡାର ଇନ୍ଦ୍ର ସ୍ୱରୂପ । ‘ଦୁର୍ଦ୍ଧର୍ଷ’ ଅନୀକିନୀର ବିଶେଷଣ ।

(୫)

ସୈନ୍ଧବୀ ଚମୂ-ସିନ୍ଧୁଦେଶୀୟ ସେନା । ସିନ୍ଧୁଦେଶ ଘୋଟକ ନିମନ୍ତେ ପ୍ରସିଦ୍ଧ ଥିଲା ।

 

ଶିକ୍ଷିତ ସୈନ୍ଧବୀ-ଘୋଡ଼ା ଖୁରେ ସମୁଥିତ

ଧୂଳିରେ ଅନ୍ଧାରି ନଭଃ, ଧରି ରଣୋନ୍ମାଦେ

ଯମଚକ୍ର ପ୍ରାୟେ କରେ ବକ୍ର ବରଦଳି; (୧)

ତୁମ୍ଭ ଯଶେ ସମୁଜ୍ଜ୍ୱଳ ଯେ ବଂଶ ଏ ଦେଶେ,

ହେ ଯଶସ୍ୱ ରାମଚନ୍ଦ୍ର ଭଞ୍ଜଭୂମିପତି

ଆସନ୍ତି କୌଶେୟଭଟେ ଭିନ୍ଦୀପାଳଧାରୀ (୨)

ମରୁଦେଶୁଁ, ମରୁଚାରି-ମୃଗେନ୍ଦ୍ର ବିକ୍ରମେ, (୩)

ଅପମାନ ଅସହିଷ୍ଣୁ, କୋପନ ପ୍ରକୃତି

ଦୀପ୍ତ ହୁତଭୁକ୍ ଯଥା, ନିରତେ ପ୍ରସ୍ତୁତ

ନେବାକୁ ଦେବାକୁ ମଥା କଥାକେ କଥାକେ,

ବୀରଦୀର୍ପେ ମତ୍ସ୍ୟାଙ୍କିତ କେତନ ଉଡ଼ାଇ

ଆସନ୍ତି ସମ୍ବର କୂଳୁଁ ବୈରାଟ ପଦାତି (୪)

 

(୧)

ବରଦଳି-ବକ୍ରାକାର ଅସ୍ତ୍ରବିଶେଷ ।

(୨)

ମୟୂରଭଞ୍ଜ ରାଜବଂଶ କୌଶେୟ ଅର୍ଥାତ୍ କୁଶବଂଶୋଦ୍ଭୁତ ଅଟନ୍ତି । ଏମାନଙ୍କର ଆଦ୍ୟସ୍ଥାନ ରାଜପୁତାନା । ରାଜପୁତାନାର ମରୁପ୍ରଦେଶରେ ପୂର୍ବକାଳରେ ଅନେକ ସିଂହ ଥିଲେ ।

(୩)

ବିକ୍ରମେ-ପଦକ୍ଷେପରେ ।

(୪)

ବିରାଟରାଜ୍ୟ ରାଜପୁତାନା ଅନ୍ତର୍ଗତ ସମ୍ବର ହ୍ରଦର ଅଦୂରବର୍ତ୍ତୀ, ବିରାଟବାସୀମାନେ ପ୍ରାଂଶୁକାୟ ବୋଲି ପ୍ରସିଦ୍ଧ ଥିଲେ, ସୈନିକକାର୍ଯ୍ୟ ନିମନ୍ତେ ଏମାନେ ବିଶେଷ ଉପଯୋଗୀ ବୋଲି ଭାରତବର୍ଷର ସର୍ବତ୍ର ଆଦୃତ ହେଉଥିଲେ ।

 

 

 

ପ୍ରାଂଶୁତନୁ, ଭୀମଧନୁ ଝମକି ଭୈରବେ

ସବ୍ୟକରେ, ସବ୍ୟେତରେ ଭାସ୍ୱର ପରଶୁ;

କରନ୍ତି ଯେ ସୁଚାଳିତ ଲାଙ୍ଗଳର ଫାଳେ

କାଳିନ୍ଦୀର ବେନି କୂଳ ଶସ୍ୟେ ଶ୍ୟାମଳିତ,

ଆସୁଛନ୍ତି ଉରସିଳ ସୌରସେନୀବୀରେ (୧)

ଶାଣିତ ପାଣିତ ଅସି କୌତୁକେ ଆସ୍ଫାଳି; (୨)

ଚର୍ମଣ୍ୱନ୍ୱତୀକଙ୍କପର ଖୋସି ଶିରସ୍ତ୍ରାଣେ, (୩)

କର୍କଶ, କର୍କଶ ଯେହ୍ନେ କର୍କରା ସେ ସ୍ରୋତେ,

ବିଶାଳ ଆୟସୀ ଗଦା ଧରି ଅନାୟାସେ,

ଆସୁଛନ୍ତି ମାଲବେଶେ ମାଳବନିବାସୀ (୪)

ହାରିଦ୍ରଧୂଳିରେ ରଙ୍ଗେ ବୋଳି ବୀରତନୁ;

ଯାହ୍ନବୀ-ଯମୂନା-ବେଣୀ ମଥାମଣିରୂପେ

ଶସ୍ୟଶାଳୀ ବତ୍ସଦେଶୁ ଆସୁଛନ୍ତି ସାଦୀ (୫)

 

(୧)

ମଥୁରା ଅଞ୍ଚଳର ଲୋକମାନେ ‘‘ସୌରସେନୀ’’ ଆଖ୍ୟାରେ ଆଖ୍ୟାତ ହେଉଥିଲେ, ଉରସିଳ-ବିଶାଳବକ୍ଷା ।

(୨)

ପାଣିତ-ପାଣିଦିଆ ।

(୩)

ଚର୍ମନ୍ୱତୀ-ଚମ୍ବଲ ନଦୀ ।

(୪)

ମାଳବ-ମାଲବା ।

(୫)

ଦୋଆବର ପ୍ରାଚୀନ ନାମ ବତ୍ସଦେଶ । ସାଦୀ-ଅଶ୍ୱବାର ।

 

ଦଳେ ଦଳେ ଅଶ୍ୱପୃଷ୍ଠେ, ପିତ୍ତଳବର୍ମିତ, (୧)

ଗୁବା-ଉଚ୍ଚାବଚ ଢାଲ ଦୋଳଇ ଚରମେ,

କରେ ଖରଶାଣ ଭଲ୍ଲ ପରହୃଦଭେଦୀ;

ସରଯୂ, ତମସା, ପୁଣି ଗୋମତୀ ତଟିନୀ- (୨)

ତୀରଦେଶୁଁ ଆସୁଛନ୍ତି ସୂର୍ଯ୍ୟବଂଶୀ ବୀରେ

ମହୋତ୍ସାହେ, ତୋଳି ସୂର୍ଯ୍ୟଲାଞ୍ଛିତ ପତାକା;

ପୃଷ୍ଠଦେଶେ ଦୋଳେ ଫୁଲିମଣ୍ଡିତ ତୂଣୀର,

ଯମଦଂଷ୍ଟ୍ରା ସହଚର ଶର ଦକ୍ଷକରେ,

ସବ୍ୟେ ଧନୁ, ଟାଣନ୍ତେ ଯା ଗୁଣ କର୍ଣ୍ଣଯାଏ,

ଶତ୍ରୁ-ସିମନ୍ତିନୀ-କର୍ଣ୍ଣ ବେଗେ ପଡ଼େ ଝଡ଼ି

କର୍ଣ୍ଣୋତ୍ପଳ, ତୁଟେ କରୁ କଙ୍କଣ ଟଙ୍କାରେ, (୩),

ମହାଖ ସ୍ରୋତସ୍ୱତୀ, ପୂତ ଶିଳାମୟୀ

 

(୧)

ବର୍ମ୍ମିତ-ବର୍ମଧାରୀ ।

(୨)

ସରୟୂ, ତମସା, ଗୋମତୀ ଅବଧରାଜ୍ୟର ନଦୀ । ତମସାର ଆଧୁନିକ ନାମ ତଁସା ।

(୩)

ଏହି ଯୋଦ୍ଧାମାନେ ଧନୁର୍ଗୁଣ ନିଜ କର୍ଣ୍ଣ ପର୍ଯ୍ୟନ୍ତ ଆକର୍ଷଣ କଲାମାତ୍ରେ ଶତ୍ରୁ ରମଣୀମାନଙ୍କ କର୍ଣ୍ଣରୁ କର୍ଣ୍ଣୋତ୍ପଳ ଝଡ଼ିପଡ଼େ, ଏମାନଙ୍କର ଧନୁଷ୍ଟଙ୍କାରଶବ୍ଦରେ ଶତ୍ରୁରମଣୀମାନଙ୍କର କଙ୍କଣ ଭଗ୍ନ ହୁଏ, ଅର୍ଥାତ ସେମାନେ ବିଧବା ହୁଅନ୍ତି ।

 

ଗଣ୍ଡୁକୀର ତୀର ଛାଡ଼ି ରୁଣ୍ଡୀଭୂତ ଆସି (୧)

ନିର୍ମୋକନିର୍ମୁକ୍ତି ତମ୍ପ ପ୍ରାୟେ କମ୍ପପ୍ରଦ, (୨)

ନାରାଚଧାରିଣୀ ସୀରଲାଞ୍ଛିତ ଧ୍ୱଜିନୀ

ମୈଥିଳାଖ୍ୟ, ମହାଦକ୍ଷ ବିପକ୍ଷଦଳନେ, (୩)

ମାଳେ ମାଳେ ଉଭା ସେହି ବିଶାଳ ପ୍ରାନ୍ତରେ

ବିନ୍ଧ୍ୟେଶ୍ୱରୀ-ଦେବୀଭକ୍ତ ସଦା ଦ୍ୱନ୍ଦ୍ୱପ୍ରିୟ, (୪)

ଯୋଧବୃନ୍ଦ, ବଳିପଶୁଶୋଣିତେ ପିଶୁନ

ତୀକ୍ଷ୍‌ଣଧାର ଖଡ଼୍‌ଗ ହସ୍ତେ, ବାଳାର୍କପ୍ରତିମ

ଶୋଭଇ ସିନ୍ଦୂରଚିତା ପ୍ରଶସ୍ତ ଲଲାଟେ,

ଦେବୀଙ୍କ ବାହାନ ସିଂହ ଶୋଭେ ଧ୍ୱଜପଟେ,

ଜ୍ୟୋତିର୍ମୟ ସିଂହ, ଆହା, ରାଶିଚକ୍ରେ ଯଥା !

ମହାଜବ ପୃଷ୍ଠ୍ୟ ପୃଷ୍ଠେ ଆସ ଆସ୍ଥନ୍ଦିତେ, (୫)

 

(୧)

ଗଣ୍ଡୁକୀ ମିଥିଳାରେ ପ୍ରବାହିତା । ପବିତ୍ର ଶିଳା ସକାଶେ ଏହି ନଦୀ ପ୍ରସିଦ୍ଧ ।

(୨)

କାତି ଛାଡ଼ିଥିବା ତମ୍ପସାପ ପରି ଭୟଙ୍କର ।

(୩)

ମୈଥିଳରାଜାଙ୍କ ପତାକା ଲାଙ୍ଗଳାଲାଞ୍ଛିତ ଥିଲା । ଏହି ହେତୁରୁ ରାଜର୍ଷି ଜନଙ୍କର ଅପର ଆଖ୍ୟା ସୀରଧ୍ୱଜ ।

(୪)

ବିନ୍ଧ୍ୟେଶ୍ୱରୀ- ମିରଜାପୁର ସହରର ନିକଟବର୍ତ୍ତୀ ସ୍ଥାନରେ ଗଙ୍ଗାତଟରେ ବିନ୍ଧ୍ୟବାସିନୀ ଦେବୀଙ୍କର ମନ୍ଦିର ପ୍ରତିଷ୍ଠିତ ।

(୫)

ମହାଜବ- ବେଗଗାମୀ । ପୃଷ୍ଟ୍ୟ-ତଟୁଘୋଡ଼ା । ଆସ୍କନ୍ଦିତ-କଦମ ।

 

କାଳବନ୍ତ ପ୍ରାୟେ କୁନ୍ତ ମୁଷ୍ଟିପୀଡ଼େ-ଧରି, (୧)

କର୍ଣ୍ଣକୁଳତନ୍ତୁ-ବୃଷକେତୁବଂଶଧର (୨)

ଉଡ଼ାଇ ବୃଷାଙ୍କ ବାନା, ଅଙ୍ଗଦେଶିସେନା, (୩)

ଶ୍ୱେତ-ମଣି-ଶିଳା-ଦ୍ରୋଣୀ-ବାହିନୀନର୍ମଦା- (୪)

ତୀରବନେ ଅନୁକ୍ଷଣେ ମୃଗୟା ବିନୋଦୀ

ଆସନ୍ତି ଅମିତ୍ରଚ୍ଛେଦୀ-ଚେଦି-ମହାବୀରେ

ମହୋଜ୍ଜ୍ୱଳ-ମତ୍ତକତ ଅବତଂସଧାରୀ, (୫)

ଘନ-ତାଳୀ-ବନାକୀର୍ଣ୍ଣ ଜଳଦୁର୍ଗବାସୀ, (୬)

 

(୧)

କୁନ୍ତ-ଅସ୍ତ୍ରବିଶେଷ । ମୁଷ୍ଟିପୀଡ଼େ-ଦୃଢ଼ମୁଷ୍ଟିରେ ।

(୨)

ବୃଷକେତୁ-କର୍ଣ୍ଣପୁତ୍ର ।

(୩)

ମୁଙ୍ଗେର ପ୍ରଭୃତି ଅଞ୍ଚଳର ନାମ ଅଙ୍ଗଦେଶ । କର୍ଣ୍ଣଙ୍କ ଉତ୍ତାରୁ ତାହାଙ୍କ କନିଷ୍ଠପୁତ୍ର ବୃଷକେତୁ ଅଙ୍ଗଦେଶରେ ରାଜପଣ କରିଥିଲେ ।

(୪)

ଶ୍ୱେତମଣିଶିଳାଦ୍ରୋଣୀ-ଶ୍ୱେତବର୍ଣ୍ଣ ମାର୍‌ବଲ୍‌ ପର୍ବତର ଉପତ୍ୟକା । ମଧ୍ୟଭାରତବର୍ଷରେ ଜବଲ୍‌ପୁର ନିକଟବର୍ତ୍ତୀ ଭେଡ଼ାଘାଟ ନାମକ ସ୍ଥାନରେ ନର୍ମଦାର ସ୍ୱଚ୍ଛନୀଳସ୍ରୋତ ଧବଳ ମାର୍‌ବଲପ୍ରସ୍ତରର ଦ୍ରୋଣୀରେ ପ୍ରବାହିତ, ଏହି ସ୍ଥାନ ଭାରତବର୍ଷର ଗୋଟିଏ ପ୍ରଧାନ ଦୃଶ୍ୟ, ନର୍ମଦାର ସୁପ୍ରସିଦ୍ଧ ଧୂଆଁଧାର ପ୍ରପାତ ଏହାର ଅଦୂରବର୍ତ୍ତୀ ।

(୬)

ଜବଲ୍‌ପୁର ପ୍ରଭୃତି ଚେଦିରାଜ୍ୟର ଅନ୍ତର୍ଭୁକ୍ତ ଥିଲା, ମରକତ ଖଣିବିଶିଷ୍ଟ ପାନ୍ନା ନଗରୀ ଚେଦିରାଜ୍ୟର ଅନ୍ତର୍ଗତ ଥିଲା ।

(୭)

ତାଳୀବନ-ହିନ୍ତାଳବନ, ସମୁଦ୍ରତୀରବର୍ତ୍ତୀ ଦେଶମାନ ହିନ୍ତାଳବନା-କୀର୍ଣ୍ଣ ।

 

ଅଜସ୍ର କ୍ଷେପଣୀକ୍ଷେପେ ବଜ୍ରଦୃଢ଼ବପୁଃ (୧)

ଗାଙ୍ଗେୟ-ତରଙ୍ଗେ ଚଳମତ୍ସ୍ୟଭେଦେ ପଟୁ

ସାବେଳି, ଭାସ୍ୱର ବଳି ହାବେଳିର ଶିଖା, (୨)

ସ୍କନ୍ଧେ ଥୋଇ ଆସୁଅଛି ଅମନ୍ଦ ବିକ୍ରମେ

ବଙ୍ଗଦେଶିରଣରଙ୍ଗରସିକ ପୃତନା; (୩)

ହିମାଦ୍ରି-ନିସ୍ୟନ୍ଦିନୀର ପ୍ରବାହେ ପ୍ଳାବିତ,

ଶାର୍ଦ୍ଦୂଳସେବିତ-ପ୍ରାଂଶୁ-ତୃଣବନାକୁଳ (୪)

ପୌଣ୍ଡ୍ର, ଦେଶୁଁ ଆସୁଅଛି ବାର୍କ୍ଷଦୁର୍ଗବାସୀ (୫)

 

(୧)

ସର୍ବଦା ଆହୁଲାଭିଡ଼ା ହେତୁରୁ ସେମାନଙ୍କର ପେଶୀ ସୁଦୃଢ଼ ।

(୨)

ସାବେଳି-ଅସ୍ତ୍ରବିଶେଷ ।

 

 

(୩)

ପୃତନା-ସେନା, ପୂର୍ବବଙ୍ଗ ଜଳାକୀର୍ଣ୍ଣ-ଏହି ହେତୁରୁ ବଙ୍ଗୀୟ ସେନାକୁ ଜଳଦୁର୍ଗବାସୀ ବୋଲାଯାଇଅଛି । ଓଡ଼ିଶାରେ କୁଜଙ୍ଗ ପାରିକୁଦ ପ୍ରଭୃତି ସ୍ଥାନମାନଙ୍କୁ ଜଳଦୁର୍ଗ ବୋଲାଯାଇପାରେ ।

(୪)

ବ୍ୟାଘ୍ରସଂକୁଳ ବୃହତ୍ ଘାଷବନପୂର୍ଣ୍ଣ ।

(୫)

ପୌଣ୍ଡ୍ରଦେଶ-ହିମାଳୟର ପାଦଦେଶସ୍ଥିତ ରାଜସାହି ପ୍ରଭୃତି ଅଞ୍ଚଳ ।

 

ବାର୍କ୍ଷଦୁର୍ଗ-ବୃକ୍ଷଘଟିତ ଦୁର୍ଗ । ବର୍ତ୍ତମାନ ସୁଦ୍ଧା ଅନେକ ରାଜା ଏବଂ ଜମିଦାରମାନଙ୍କ ଗଡ଼ ନିବିଡ଼ ବାଉଁଶବନବେଷ୍ଟିତ ଦେଖାଯାଏ ।

 

ରଣରୁକ୍ଷ-ଅନୀକିନୀ ଅନିବର୍ତ୍ତୀ ଋଣେ, (୧)

ରିପୁବର-ଚ୍ଛିନ୍ନକାରୀ ବରଛିଧାରଣୀ; (୨)

ଆସନ୍ତି ଆୟସ-ସେହ୍ନା-ଅନ୍ନଦ୍ଧ-ଶରୀରେ, (୩)

ଧୂପଖଣ୍ଡାଧାରୀ, ଚଣ୍ଡରିପୁଦଣ୍ଡଦାତା, (୪)

ଜୁଲପି-ମଣ୍ଡିତ-ଗଣ୍ଡ ଉତ୍କଳ ପ୍ରବୀରେ,

ଦ୍ୱିରୁକ୍ତି କେବଳ-ସିନା ଚନ୍ଦ୍ରୋଜ୍ଜ୍ୱଳ ଭୂଷା

ଯାହାଙ୍କର ଚନ୍ଦ୍ରହାସବ୍ରଣାଙ୍କିତ ଦେହେ; (୫)

ଆସୁଛନ୍ତି ନେପାଳିଏ ମହାବୀର୍ଯ୍ୟଶାଳୀ,

ଖର୍ବଦେହ, ମାତ୍ର ରଣେ ପର୍ବତ ପରାୟେ

ଅଟଳ, ଛଟକେ ରିପୁ କଟକ-ସଂହାରୀ, (୬)

 

(୧)

ରଣରୁ ଯେଉଁମାନେ ନିବୃତ୍ତ ହେବାର ନୁହନ୍ତି ।

(୨)

ରିପୁବରଚ୍ଛିନ୍ନକାରୀ-ପ୍ରଧାନଶତ୍ରୁ ଛଦକ ।

(୩)

ଲୌହକଞ୍ଚୁକାବୃତ ଦେହରେ ।

(୪)

ଧୂପଖଣ୍ଡା-ଅତ୍ୟୁତ୍କୃଷ୍ଟ ଖଡ଼୍‍ଗବିଶେଷ ।

(୫)

ଚନ୍ଦ୍ରହାସ-ଖଡ୍‌ଗ । ଉତ୍କଳୀୟ ସୈନ୍ୟମାନଙ୍କ ଦେହରେ ଖଡ୍‌ଗାଘାତରେ ଚିହ୍ନ ଥିଲା । ତାହା ସେମାନଙ୍କର ସର୍ବୋତ୍କୃଷ୍ଠ ଭୂଷଣ । ସେମାନଙ୍କ ଦେହରେ ଆଉ ଯେଉଁ ଭୂଷଣ ଥିଲା, ତାହା ଦ୍ୱିରୁକ୍ତି ମାତ୍ର ଅର୍ଥାତ୍ ନିଷ୍ପ୍ରୟୋଜନ, ଅସ୍ତ୍ରବଣାଙ୍କଠାରୁ ବୀରମାନଙ୍କର ଉତ୍କୃଷ୍ଟତର ଭୂଷଣ ଆଉ ନାହିଁ ।

(୬)

ନେପାଳର ଗୁରଖାସୈନ୍ୟ ଖର୍ବକାୟ, ମାତ୍ର ଅତ୍ୟନ୍ତ ସାହସୀ ଏବଂ ରଣଦକ୍ଷ ।

 

କଟିଦେଶେ ବିଲମ୍ବିତ କଟାରୀ-ପିଧାନେ, (୧)

ଶକ୍ରାୟୁଧ ବର୍ଣ୍ଣଶୋଭି-ପ୍ରବେଣୀ ଆବୃତ, (୨)

ଝରୋଦ୍‌ଗାରି-ଖଣ୍ଡଗିରି (୩) ପ୍ରାୟେ ମଦସ୍ରାବୀ

ସଙ୍ଗେ ଦନ୍ତାବଳଘଟା ଦିଗନ୍ତ-ନିର୍ଘୋଷୀ

ଘନ ଘଣ୍ଟାରବେ, ପୁଣି ଭୈରବ-ବୃଂହିତେ; (୪)

ବ୍ୟାଘ୍ର ଚର୍ମ-ଅଙ୍ଗତ୍ରାଣେ ସର୍ବାଙ୍ଗ ଆବରି

ଆସନ୍ତି କ୍ଷତ୍ରିୟେ କର୍ମନାସା-ତୀରବାସୀ,

ବଜ୍ରବପୁଃ, କଷ୍ଟସହ, ନିଷ୍ଠୁର ଯେସନେ

ନିଷ୍ଠୁର ଅକର୍ମଶିଳା କର୍ମନାସା-ସ୍ରୋତେ, (୫)

ହସ୍ତେ ଶାର୍ଙ୍ଗଧନୁଃ, ପୃଷ୍ଠେ ନିଷଙ୍ଗେ ପୂରିତ

ଅରାତି ମାରଣ-ପଟ ଆୟସ-ବାଟୁଳି;

ଆସୁଛନ୍ତି ଭିଲ୍ଲସେନା ଏକମୁନାଧାରୀ, (୬)

 

(୧)

ପିଧାନ-କୋଷ; କଟାରି-ଅସ୍ତ୍ରବିଶେଷ ।

(୨)

ପ୍ରବେଣୀ-ହସ୍ତୀର ପୃଷ୍ଠାସ୍ତରଣ ।

(୩)

ଖଣ୍ଡଗିରି-କ୍ଷୁଦ୍ରଶୈଳ ।

(୪)

ବୃଂହିତ-ହସ୍ତିଗର୍ଜନ ।

(୫)

କର୍ମନାଶାନଦୀ ବେହାର ଅନ୍ତର୍ଗତ ଭୋଜପୁରର ନିକଟବର୍ତ୍ତୀ, ଭୋଜପୁରବାସୀଙ୍କ ପ୍ରକୃତି ପ୍ରାବଚନିକ ପ୍ରସିଦ୍ଧି ଲାଭକରିଅଛି ।

(୬)

ଏକମୁନା-ଶୂଳାକାର ଅସ୍ତ୍ରବିଶେଷ ।

 

ବିନ୍ଧ୍ୟଗିରି-ବନଗଜ-ମୃଗୟାକୌତୁକୀ,

ଅଞ୍ଜନାଭ, ଗୁଞ୍ଜାମାଳେ ମଣ୍ଡିତ ବିଗ୍ରହ,

ମଧୁକ-ମଦିରାପାନେ ରକ୍ତାକ୍ଷ ସରବେ, (୧)

ଘନ ଘନ କଟିତଟେ ବାଜେ ଘର୍ଘରିକା; (୨)

ଛାଡ଼ି ନାହିଁ ପେଷିବାକୁ ଏ ମହାମିଳନେ

ନିଜ ନିଜ ପତାକିନୀ ବିଶ୍ୱବିଜୟିନୀ

ଉଜ୍ଜୟିନୀ, ମହାକାଳ-ପାଳିତା ନଗରୀ,

ନିରତେ ଶୀତଳ ସିପ୍ରା-ତରଙ୍ଗପବନେ; (୩)

ନର୍ମଦା-ମେଖଳା ମହାପୁରୀ ମହିଷ୍ମତୀ,

କୀର୍ତ୍ତବୀର୍ଯ୍ୟବୀର୍ଯ୍ୟେ ଯାହା ବିଶ୍ରୁତ ତ୍ରିଲୋକେ (୪)

ବେତ୍ରବତୀ-ଧୌତ ପୁରୀ ବିଦିଶାଲକ୍ଷଣା; (୫)

 

(୧)

ମଧୁକମଦିରା-ମହୁଲମଦ।

(୨)

ଘର୍ଘରିକା-କ୍ଷୁଦ୍ର ଘଣ୍ଟି ।

(୩)

ଉଜ୍ଜୟିନୀର ପାଦଦେଶରେ ସିପ୍ରା ପ୍ରବାହିତ, ଭଗବାନ୍‌ ମହାକାଳ ମହାଦେବଙ୍କ ମନ୍ଦିର ସକାଶେ ଉଜ୍ଜୟିନୀ ଭାରତ ବର୍ଷର ପ୍ରଧାନତୀର୍ଥ ମଧ୍ୟରେ ପରିଗଣିତ ।

(୪)

କାର୍ତ୍ତବୀର୍ଯ୍ୟଙ୍କ ରାଜଧାନୀ ମାହିଷ୍ମତୀ ନର୍ମଦା ତଟରେ ଅବସ୍ଥିତ ଥିଲା ।

(୫)

ବିଦିଶାଲକ୍ଷଣା-ବିଦିଶାନାମ୍ନୀ, ବିଦିଶାର ଆଧୁନିକ ନାମ ଭଲସା । ଏହା ବେତ୍ରବତୀ ଅଥବା ବେତୁଆ ତୀରରେ ଅବସ୍ଥିତ ।

 

ହେଉଛନ୍ତି ଏହିମତେ ରୁଣ୍ଡ ସେ ପ୍ରାନ୍ତରେ

କେତେଦେଶୁ କେତେ ଜାତି କଳିବକେ ତାହା ?

କେ ଗଣିବ ନଭେ ତାରା, ଲହରୀ ଅର୍ଣ୍ଣବେ,

କି ଅବା ଚିଲିକା-ନୀଳବକ୍ଷେ ହଂସାବଳୀ ? (୧)

କୃଷ୍ଣା-ସ୍ୱୟମ୍ବରେ ଯଥା ଲକ୍ଷ୍ୟଭେଦ କାଳେ

ପଞ୍ଚାଳେ, କି ଅବା ଇନ୍ଦ୍ରପ୍ରସ୍ଥେ ରାଜସୂୟେ,

କୁରୁକ୍ଷେତ୍ରଯୁଦ୍ଧୋଦ୍ୟୋଗେ ଅବା ମତ୍ସ୍ୟଦେଶେ,

ଅବା ଯଥା ଅଶ୍ୱମେଧେ ହସ୍ତିନାତୋରଣେ,

ଦେଖିଥିଲେ ରୁଣ୍ଡ ଆଗେ ପାଣ୍ଡୁ କୁଳମଣି

ଅସଂଖ୍ୟ ବାହିନୀ, ପୁଣି ଦୃଶ୍ୟ ସେହିପରି,

ଦେଖିଲେ ସେ ଆଜି ବସି ଅନଳ-ପ୍ରସାଦେ

ସହ୍ୟଶୈଳେ, ତହୁଁ ତାଙ୍କୁ ଏକ ଏକ କରି

ଚିହ୍ନାଇ ଜ୍ଜ୍ୱଳନଦେବ ଅଙ୍ଗୁଳି ନିର୍ଦ୍ଦେଶି

ବୋଇଲେ, ‘‘ଦେଖୁଛ ଯାହା, ଘଟିବ ଭାରତେ,

ବହୁଶତ ବର୍ଷ ଗତେ ଏହି ନବଯୁଗେ,

କଳିପାପେ ବୀର୍ଯ୍ୟ-ହୀନ ହେଲେ ଆର୍ଯ୍ୟଜାତି,

 

(୧)

ଶରଦାରମ୍ଭରେ ଚିଲିକାର ନୀଳବକ୍ଷ ବନହଂସରେ ଧବଳିତ ହୋଇଯାଏ ।

 

ଆରମ୍ଭିଲେ ମହାଯାଗ ଅର୍ବୁଦପର୍ବତେ (୧)

ଭାରତର ହିତକାମେ ଚାରି ମହାତପା–

ବଶିଷ୍ଠ, କୃଶାଶ୍ୱଶିଷ୍ୟ, ପରାଶର ଭୃଗୁ,

ନିଜ ତେଜଃପୁଞ୍ଜ ଧାମୁ ମଞ୍ଚେ ଅବତରି, (୨)

ପ୍ରତିହାର, ପ୍ରମାରକ, ରାଠୋର, ଚୋହାନ–

ନାମଧାରୀ କୃତୀ ଚାରି କ୍ଷତ୍ର ମହାବୀରେ

ଜନ୍ମଭୂମି ଲାଗି ଝାସଦେବେ ଯଜ୍ଞାନଳେ

ମହାନନ୍ଦେ, ମହାମନା ମୁନିଙ୍କ ଆଦେଶେ,

ବୀର ବିନୁ ଆନ କେହି ପାରେ କି ମୁରୁଛି,

ଜୀବନର ବ୍ରତ ଲାଗି, ଜୀବନର ମାୟା ?

ଜନ୍ମଭୂମି ଟେକରକ୍ଷା ଶକତିକି କେବେ

ଧରଇ, ହେ ପଣ୍ଡୁରାଣ, ପ୍ରାଣରଙ୍କ ପ୍ରାଣୀ ?

ଝାସ ଦେଇ ସେ ଅନଳେ ସେହି ଚାରି ବୀରେ

 

(୧)

ଆବୁ ପର୍ବତ ଆରାବଳୀର ପ୍ରଧାନ ଶୃଙ୍ଗ, କିମ୍ବଦନ୍ତୀ ଅଛି ଯେ ଭାରତବର୍ଷର ଅଧଃପତନର ସମ୍ଭାବନା ଦେଖି ବଶିଷ୍ଠ, ବିଶ୍ୱାମିତ୍ର, ପରାଶର ଏବଂ ଭୃଗୁମୁନି ଅର୍ବୁଦପର୍ବତ ଶୃଙ୍ଗରେ ଯାଗାରମ୍ଭ କଲେ । ସେହି ଯାଗାନଳରୁ ଚାରି ମହାବୀର ଆର୍ବିଭୂତ ହେଲେ । ଏହୀ ବୀରଚତୁଷ୍ଟୟର ସାଧାରଣ ନାମ ‘ଅଗ୍ନିକୁଳ’ ଅଟେ ।

(୨)

ସପ୍ତର୍ଷିରୂପ ଜ୍ୟୋତିର୍ମୟଲୋକରୁ ।

 

ନବବପୁ ଧରି ପୁଣି ବାହାରିବେ ତହୁଁ,

ପ୍ରଦୀପ୍ତକବଚୀ ଖଡ଼୍‌ଗୀ ଧୃଷ୍ଟଦ୍ୟୁମ୍ନ ପରି; (୧)

ମୋ ଶିଖାରୁ ଜାତ ଯେଣୁ ହେବେ ଏହିବୀରେ,

ବୋଲାଇବେ ଭବେ ତହୁଁ ଅଗ୍ନିକୁଳ ନାମେ,

ଯଥା ନାମେ କର୍ମେ ତଥା ତେଜଃପୁଞ୍ଜରୂପୀ

ଶୋଭିବ ଏ ଦେଶ ଏହି ଚାରି ମହାବୀରେ,

ଦନୁଜ-ଦାରୁଣ-ଦନ୍ତେ ସୁରଗଜ ଯଥା (୨)

ଐରାବତ, ଚାରିଭୁଜେ ଅବା ଦନୁଜାରି, (୩)

ଅବା ସୁରବାଳାଙ୍କର ଜ୍ୟୋତିପର୍ଯ୍ୟଙ୍କିକା

ଖୁରାରୂପୀ ଭାଦ୍ରପଦ ତାରାଚତୁଷ୍ଟୟେ; (୪)

ଏହି ଯେ ଦେଖୁଛ, ବୀର, ଆର୍ଯ୍ୟବରୁଥିନୀ (୫)

 

(୧)

ଦ୍ରୁପଦପୁତ୍ର ଧୃଷ୍ଟଦ୍ୟୁମ୍ନ ଦୀପ୍ତିମାନ୍ କବଚ ଏବଂ ଖଡ୍‌ଗଧାରଣକରି ଯଜ୍ଞକୁଣ୍ଡରୁ ବାହାରିଥିବାର ପ୍ରସଙ୍ଗ ମହାଭାରତରେ ଅନୁସନ୍ଧେୟ ।

(୨)

ଐରାବତର ଚାରି ଦାନ୍ତ ଥିବାର ପ୍ରସିଦ୍ଧି ଅଛି ।

(୩)

ଦନୁଜାରି ଅର୍ଥାତ୍ ବିଷ୍ଣୁ ଯେପରି ଚାରି ଭୁଜଦ୍ୱାରା ପରିଶୋଭିତ ।

(୪)

ଭାଦ୍ରପଦ ତାରାଚତୁଷ୍ଟୟ ପର୍ଯ୍ୟଙ୍କାକାର ।

(୫)

କରୁଥିନୀ-ସେନା ।

 

ସମବେତ ନାନା ଦିଗ ଦିଗନ୍ତରୁ ଆସି,

ଜନ୍ମିବେ ସରବେ ଏହି ଚାରୁ ବୀରକୁଳେ, (୧)

ଭାରତର ନାନାରାଜ୍ୟେ ରାଜଦଣ୍ଡ ଚାଳି

ଏ ବୀରଙ୍କ ବଂଶଧରେ ରଖିବେ ଯତନେ

ଯବନ ରାହୁର ଗ୍ରାସୁଁ ଭାରତ-ଚନ୍ଦ୍ରମା

ବହୁକାଳ, ମାତ୍ର ତାହା ନ ସହିବ କଳି,

କଳିର ପ୍ରେରଣେ, ‘ଈର୍ଷା’ ଅଲକ୍ଷିତେ ପଶି

ଭିଆଇବ ପୁଣି କଳି ଭୂପାଳେ ଭୂପାଳେ;

ଜନ୍ମିବେ ଚୋହାନ କୂଳେ ଏହି ଦିଲ୍ଲୀପୁରେ

କ୍ଷୀରୋଦୁଁ ପୀୟୂଷ ପ୍ରାୟେ ପୃଥୁ ପୃଥୁଯଶା, (୨)

ସଂଗ୍ରାମେ ଅପ୍ରତିରଥ ଯଥା ପାର୍ଥ ରଥୀ, (୩)

ଜନ୍ମିବ ରାଠୋରକୁଳେ ସେ କୁଳପାଂଶୁଳ

କ୍ଷୀରୋଦୁଁ ଗରଳ ପ୍ରାୟେ, ମୋ ଶିଖାରୁ ଅବା

 

(୧)

ଆର୍ଯ୍ୟାବର୍ତ୍ତର ଅଧିକାଂଶ ରାଜନ୍ୟବର୍ଗ ଏହି ଚରି ନାମରେ ଆଖ୍ୟାତ ।ଓଡ଼ିଶାର ଅଧିକାଂଶ ରାଜବଂଶ ମଧ୍ୟ ଏହି ବଶସମ୍ଭୂତ ।

(୨)

ପୃଥୁଯଶା-ମହାଯଶ୍ୱସୀ ।

(୩)

ଅପ୍ରତିରଥ-ଯାହାଙ୍କର ଉପଯୁକ୍ତ ପ୍ରତିଯୋଦ୍ଧା ନାହିଁ, ଅଦ୍ୱିତୀୟ ।

 

ସମଳ ଅଳନ୍ଧୁ ପ୍ରାୟେ କାନ୍ୟକୁବ୍ଜପତି (୧)

ମନ୍ଦମତି ଜୟଚନ୍ଦ୍ର ଆର୍ଯ୍ୟ ଭୂମିଦ୍ରୋହୀ;

ପୃଥୁଙ୍କ ବିକ୍ରମ ଯଶଃ ଶୁଣି ଏ ଦୁର୍ମତି

ଅନୁକ୍ଷଣେ ହେବ ଘାରି, ସ୍ୱଭାବେ ଭଗାରି

ଗୁଣୀଙ୍କର, କର୍ଣ୍ଣଶୂଳ ମଣିବ ସେ ସ୍ତୁତି;

ମାତ୍ର କର୍ଣ୍ଣାମୃତରୂପେ ପଶିବ ସେ ବାଣୀ

ବୀରଙ୍ଗନା ନିରୋତ୍ସଙ୍ଗ-ସିଂହାସନାର୍ଥିନୀ (୨)

କାନ୍ୟକୁବ୍‌ଜ ଜେମାମଣି ସଂଯୁକ୍ତା ଶ୍ରବଣେ (୩)

ସଂଯୁକ୍ତା, ସୁନ୍ଦରୀପଣେ ଅତୁଲା ଭୂତଳେ,

ରାଠୋର-କଳଙ୍କ ଜୟଚନ୍ଦ୍ରର ଔରସେ

ପ୍ରସୂତା, ପଙ୍କିଳ ସରୁଁ ଯଥା ପଙ୍କଜିନୀ;

 

(୧)

କାନ୍ୟକୁବ୍‌ଜ-ଆଧୁନିକ କନୋଜ । ଜୟଚନ୍ଦ୍ର ପୃଥୁଙ୍କ ଶ୍ୱଶୁର ଥିଲେ । ପୃଥୁଙ୍କ ଯଶରେ ଈର୍ଷାନ୍ୱିତ ହୋଇ ତାହାଙ୍କୁ ଦମନ କରିବା ସକାଶେ ସେ ସର୍ବପ୍ରଥମେ ବୈଦେଶିକମାନଙ୍କର ସାହାର୍ଯ୍ୟ ଲୋଡ଼ିଥିଲେ ।

(୨)

ବୀରକ୍ରୋଡ଼ରୂପ ସିଂହାସନପ୍ରାର୍ଥନୀ-ବୀରବନିତା ହେବା ସକାଶେ ଇଚ୍ଛୁକା ।

(୩)

ରାଠୋରରାଜ ଜୟଚନ୍ଦ୍ରଙ୍କ କନ୍ୟା ସଂଯୁକ୍ତାର ସ୍ୱୟମ୍ବର ଭାରତ ଇତିହାସର ଗୋଟିଏ ପ୍ରଧାନ ଘଟନା ।ଭାରତବର୍ଷର ସ୍ୱାଧୀନତା ଲୋପ ଏହି ଘଟନାର ଗୌଣଫଳ ଅଟେ ।

 

ସୁନ୍ଦରୀ ମୋହନମନ୍ତ୍ର ନୁହେଁ କେଉଁ କାଳେ,

କେଉଁଦେଶେ, ହେ ବୀରେନ୍ଦ୍ର ବୀର-ଯଶୋଗାଥା ?

ପୃଥୁଙ୍କ ସେ ଯଶୋଗାଥା ଜାଳିବ ଯେତିକି

କ୍ରୋଧ ପିତୃହୃଦେ, ପ୍ରେମ ସେତିକି ସେ ପୁଣି

ଜାଳିଦେବ ସମକାଳେ ଦୁହିତା ହୃଦୟେ;

ରାଜସୂୟ ଯଜ୍ଞେ ଜେମା ସ୍ୱୟମ୍ବର-ବିଧି

ଭିଆଇଲେ ଜୟଚନ୍ଦ୍ର କାନ୍ୟକୁବ୍‌ଜ ପୁରେ,

ଲେଖା ପାଇ ଭାରତର ଦିଗଦିଗନ୍ତରୁ

ଆସିବେ ସେ ରାଜସୂୟେ ରାଜନ୍ୟମଣ୍ଡଳୀ,

ମାତ୍ର ନ ଆସିବେ ପୃଥୁ; ପ୍ରତିନିଧିରୂପେ

ପୃଥୁଙ୍କର ପ୍ରତିରୂପ ଗଢ଼ାଇ କାଞ୍ଚନେ

ଥୁଆଇବ ଜୟଚନ୍ଦ୍ର ରାଜସଭାତଳେ;

ଉପେକ୍ଷି ସେ ସ୍ୱୟମ୍ବରେ ପିତୃବଚସ୍କାରୀ

ନୃପକୁଳେ, ଉପେକ୍ଷି ସେ ପିତାର ଭ୍ରୂକୁଟି

ସେହି ପ୍ରତିମାର ଗଳେ ଦେବେ ବରମାଳା

ସଂଯୁକ୍ତା, ରାଠୋର-ସରେ ମଞ୍ଜୁ ସରୋଜିନୀ

ଦିଲ୍ଲୀର ଚୋହାନ-ରବି ପ୍ରେମ ସ୍ପୃହାବତୀ; (୧)

ମନସ୍ୱିନୀ ବାଳାର ଏ ବିଷମ ସାହସ

ଦେଖି ହେବେ ସମବେତ ରାଜନ୍ୟେ ଚକିତ,

ଚମକେ ଚମକ ପୁଣି ଭିଆଇବ ତହିଁ

ପୃଥୁଙ୍କ ସଂଗ୍ରାମ-ଶିଙ୍ଗା ଘୋଷି ବଜ୍ରଘୋଷେ

ଅଦୂରେ, ସହସା ସେହି ସ୍ୱୟମ୍ବର-ସଭା

କମ୍ପାଇବ ଅଶ୍ୱବାର-ଅଶ୍ୱକ୍ଷୁରଟାପୁ, (୨)

ହେମବର୍ମାବୃତବପୁ ବରାଶ୍ୱବାହନେ (୩)

କୃପାଣଦ୍ୱିତୀୟ ପୃଥୁଁ ରକ୍ଷିଦଳ ଭେଦି, (୪)

ଚମକେ ଜଳକା ପ୍ରାୟେ ରାଜାଙ୍କ ସମ୍ମୁଖେ

ଉଲ୍‌କାବେଗେ ଆସି, ବୀର୍ଯ୍ୟଶୁଳ୍‌କା ରୂପସୀକି (୫)

 

(୧)

ଚୋହାନରବି-ପୃଥୁ । ସଂଯୁକ୍ତା ପୃଥୁଙ୍କର ସୁବର୍ଣ୍ଣପ୍ରତିମା ଗଳଦେଶରେ ବରମାଲ୍ୟ ଦେଇଥିବାର କଥା ଇତିହାସରେ ପ୍ରସିଦ୍ଧ ।

(୨)

ଅଶ୍ୱବାର-ଅସ୍‍ବାର ।

(୩)

ବରାଶ୍ୱ-ଉତ୍‌କଷ୍ଟ ଘୋଡ଼ା ।

(୪)

କୃପାଣଦ୍ୱିତୀୟ-ଅସି ଯାହାର ଏକମାତ୍ର ସଙ୍ଗୀ ।

(୫)

ବୀର୍ଯ୍ୟଶୁଳ୍‌କା ରୂପସୀ-କେବଳ ବୀର୍ଯ୍ୟରୂପ ଶୁଳ୍‌କ ପ୍ରଦାନଦ୍ୱାରା ଯେଉଁ ସୁନ୍ଦରୀ ଲଭ୍ୟା, ବୀରବ୍ୟତୀତ ଅନ୍ୟର ଅଲଭ୍ୟା ।

 

ଅନୁକୂଳ ବଳାତ୍କାରେ ନେଇଯିବେ ହରି

ସଭାତଳୁଁ, ସୁଭଦ୍ରାକୁ ଯେସନେ ଫାଲ୍‌ଗୁନୀ, (୧)

କିମ୍ବା ମେଘାକର୍ଷୀ ମହାଚଣ୍ଡ ପକ୍ଷବେଗେ (୨)

ହେମାଙ୍ଗ ପକ୍ଷୀନ୍ଦ୍ର ବଳେ ହରିଲେ ଅମୃତ

ସୁରେନ୍ଦ୍ର-ରକ୍ଷିତ ଶଶିମଣ୍ଡଳୁଁ ଯେସନେ;

ପୃଥୁର ଏ ବୀର-ଯଶଃ କ୍ଷାର ପ୍ରାୟେ କ୍ଷତେ

ଜାଳିଦେବ ରୋଷାନଳ ଜୟଚନ୍ଦ୍ର-ହୃଦେ,

ପରିଣାମ ପ୍ରତି ଅନ୍ଧ ବୈରନିର୍ଯ୍ୟାତନେ (୩)

ଦୁଷ୍ଟମତି, ଜାମାତାର ନିଧନ ମନାସି

ଶରଣାର୍ଥୀ ହେବ ଯାଇ ଯବନର ପଦେ;

ବିକ୍ରମା ଯବନପତି ଆର୍ଯ୍ୟନିର୍ଯ୍ୟତନୁଁ

 

(୧)

ଅର୍ଜ୍ଜୁନ କର୍ତ୍ତୃକ ସୁଭଦ୍ରାହରଣ ପ୍ରସଙ୍ଗ ମହାଭାରତରେ ଅନୁସନ୍ଧେୟ ।

(୨)

ପ୍ରଚଣ୍ଡ ପକ୍ଷବେଗଦ୍ୱାରା ମେଘକୁ ଯେ ଆକର୍ଷଣ କରେ ।

(୩)

ଶତ୍ରୁଉପରେ ଦାଉ ସାଧିବାକୁ ଯାଇ ପରିଣାମରେ ଯେ ନିଜର ଏବଂ ସ୍ୱଦେଶର ।

 

ଆର୍ଯ୍ୟୋଦ୍ଧାରବ୍ରତ ଛଳେ ପଶିବ ଏ ଦେଶେ

ସ୍ୱଦଳେ, ଯେ ଦଳେ ପୁଣି ଆର୍ଯ୍ୟକୁଳାଙ୍ଗାରେ

ମିଶାଇବେ ନିଜ ସେନା ଆର୍ଯ୍ୟଧ୍ୱଂସ ଲାଗି;

ପୃଥୁଙ୍କ ଭଗିନୀପତି ଅଜାମିଳ-ପତି (୧)

ଅମର୍ଷୀ, ଅମିତତେଜା, ପରପୁରଞ୍ଜୟୀ, (୨)

ପୃଥୁଙ୍କ ସହାୟ ହୋଇ ଯୁଝିବେ ସଂଗ୍ରାମେ

ତଡ଼ିବେ ଯବନସେନା ତ୍ୱରିତ ଭାରତୁଁ

ବେନି ଆର୍ଯ୍ୟବୀରେ ଆର୍ଯ୍ୟଗୌରବର କେତୁ,

 

(୧)

ଏହି ସମୟରେ ବୀରମାନଙ୍କ ମଧ୍ୟରେ ଦିଲ୍ଲୀପତି ପୃଥୁ ପ୍ରଥମସ୍ଥାନୀୟ ଏବଂ ଆଜମିରପତି ଅମର୍ଷୀ ଦ୍ୱିତୀୟସ୍ଥାନୀୟ, ଭାରତବର୍ଷର ସ୍ୱାଧୀନତା ରକ୍ଷା ସକାଶେ ଏହି ଦୁଇ ବୀର ଜୀବନୋତ୍ସର୍ଗ କରି ମର୍ତ୍ତଅମରତା ଲାଭ କରିଛନ୍ତି । ରାଜପୁତନାର ମହାକବି ଚାନ୍ଦଙ୍କ ଲେଖନୀ ପୃଥୁଙ୍କ ପ୍ରତିଷ୍ଠା ଅବିନଶ୍ୱର କରିରଖିଅଛି ।

(୨)

ପରପୁରଞ୍ଜୟୀ-ଶତ୍ରୁନଗର ଜୋତା ।

 

ତେଜସ୍ୱୀ ଅଗ୍ରତେ ନତମସ୍ତକ ଆରତି

ପୃଥୁ ପାଶେ ପ୍ରାଣଭିକ୍ଷା କରି କରଯୋଡ଼େ

ପଳାଇବ ନିଜ ଦେଶେ ଦଳବଳ ସହ;

ଦଣ୍ଡଶକ୍ତିସତ୍ତ୍ୱେ କ୍ଷମା ଆର୍ଯ୍ୟଧର୍ମନୀତି,

ତେଣୁ ଦୟାସିନ୍ଧୁ ଆର୍ଯ୍ୟ ଧୁରନ୍ଧର ପୃଥୁ

ଅରିକି ବିପନ୍ନ ଦେଖି ଆଚରିବେ କ୍ଷମା ।

ମାତ୍ର ଆତ୍ମଦ୍ରୋହ ସିନା କ୍ଷମା ଅଭାଜନେ ! (୧)

ଅଭାଜନେ ଏହି କ୍ଷମା ପୃଥୁ ପ୍ରତି ତେଣୁ

ପରିଣାମେ ହେବ ମହା ଅନର୍ଥର ହେତୁ,

ଭୋଗତୃଷ୍ଣାବଶେ ରତ ପରସ୍ୱ-ହରଣେ

ଯବନନପତି ବେଗେ ଭାରତୁଁ ପଳାଇ

କି ସ୍ୱପନେ, କି ଜାଗ୍ରତେ, ଧ୍ୟାୟି ଅବିରତେ

ଭାରତର ଏହି ଶସ୍ୟସ୍ମେରା ବସୁନ୍ଧରା, (୨)

ପୁଣି ପ୍ରବେଶର ଆଶେ ରହିଥିବ ଟାକି;

ଦୂତ ପେଷି ଜୟଚନ୍ଦ୍ର ଆଣିବ ଆହ୍ୱାନି,

 

(୧)

ଦୁଷ୍ଟକୁ କ୍ଷମା ନିଜର ସର୍ବନାଶର ନାମାନ୍ତର ମାତ୍ର ।

(୨)

ଶସ୍ୟସ୍ମରୋ-ଶସ୍ୟ ଯୋଗୁ ହାସ୍ୟମୟୀ, ଶସ୍ୟଶୋଭିତା ।

 

 

ପୁଣି ଏ ଭାରତେ ତାକୁ ବିନାଶ ମନାସି

ଜାମାତାର, ଆତ୍ମନାଶ-ଅଧିବାସରୂପେ, (୧)

ସାମାନ୍ୟ-ଶତ୍ରୁର ଏହି ଅଭିଯାନ-ରବେ (୪)

ଭାରତର ନାନାଦେଶୁଁ ଆସିବେ କ୍ଷତ୍ରିୟେ

ଦିଲ୍ଲୀପୁରେ, ଦିଲ୍ଲୀପତି-ନିମନ୍ତ୍ରଣ ପାଇ,

ସେ ଭବିଷ୍ୟଦୃଶ୍ୟ ଏବେ ଦିବ୍ୟାଞ୍ଜନ ଯୋଗେ

ଦିଶୁଛି ତୁମ୍ଭର ନେତ୍ରେ ବର୍ତ୍ତମାନ ମତି,’’ (୩)

ଉତ୍ତରିଲେ ସବିସ୍ମୟେ ପାଣ୍ଡୁ-ଚୂଡ଼ାମଣି,

‘‘ଶତଭ୍ରାତ କୁରୁ ପଞ୍ଚପାଣ୍ଡବ ସହିତେ

ଥିଲେ ହେଁ ବିବାଦେ ରତ, ଦେଶବୈରୀସହ

ଯୁଝୁଥିଲୁଁ ଆମ୍ଭେ ହୋଇ ପଞ୍ଚୋତ୍ତରଶତ,

ଏହି ନୀତି ଅନୁସରି ସର୍ବେ ଏକ ମେଳେ

ଗନ୍ଧର୍ବ-ବାହିନୀ ସଙ୍ଗେ ଯୁଝି ବନବାସେ

ଉଦ୍ଧରିଲୁଁ ଅରି-ହସ୍ତୁ ହେଳେ ସୁଯୋଧନେ; (୧)

ଅନ୍ତରେ ଜର୍ଜରଭାବ ନିରନ୍ତର ବହି

ସଂହତ ମହିଷଶୃଙ୍ଗ ଶତ୍ରୁଭେଦେ ଯଥା, (୨)

 

(୧)

ପାଣ୍ଡବମାନେ କୌଣବମାନଙ୍କ ଦୂରଭିସନ୍ଧିରେ ବନବାସର ଘୋର କଷ୍ଟ ଭୋଗ କରୁଥଇଲେ । ଦୁରନ୍ତ କୌରବମାନେ ନିଜର ସୌଭାଗ୍ୟ ଦେଖାଇ ପାଣ୍ଡବମାନଙ୍କୁ ଅଧିକତର ମନଃପୋଡ଼ା ଦେବା ସକାଶେ ସେହି ବନକୁ ଆସିଲେ । ଏମନ୍ତ ସମୟରେ ଗନ୍ଧର୍ବମାନଙ୍କ ସହିତ କୌରବମାନଙ୍କର ହଠାତ୍‍ ଯୁଦ୍ଧ ହେବାରୁ କୁରୁରାଜ ଦୁର୍ଯ୍ୟୋଧନ ସେମାନଙ୍କ ହସ୍ତରେ ବନ୍ଦୀ ହେଲେ । ଯୁଧିଷ୍ଠିରଙ୍କ ଛାମୁରେ ଏହି ବାର୍ତ୍ତା ପ୍ରବେଶ ହେବାରୁ ସେ ଦୁର୍ଯ୍ୟୋଧନଙ୍କୁ ଗନ୍ଧର୍ବମାନଙ୍କ ହସ୍ତରୁ ମୁକ୍ତ ବରିବା ସକାଶେ ଅର୍ଜ୍ଜୁନଙ୍କୁ ଆଦେଶ ଦେଲେ । ଭୀବ ପ୍ରଭୃତି ଯୁଧିଷ୍ଠିରଙ୍କ ଏହି କାର୍ଯ୍ୟରେ ଆଶ୍ଚର୍ଯ୍ୟନ୍ୱିତ ହୋଇ ପ୍ରତିବାଦ କରିବାରୁ ଯୁଧିଷ୍ଠିର କହିଲେ ‘ଆପଣା ମଧ୍ୟରେ କଳହ ହେଲେ ଆମ୍ଭେମାନେ ପାଞ୍ଚଭାଇ ଏବଂ କୌରବମାନେ ୧୦୦ ଭାଇ, ମାତ୍ର ବୈଦେଶିକ ସହିତ କଳହ ହେଲେ ଆମ୍ଭେମାନେ ୧୦୫ ଭାଇ । ଅପରିଣାମଦର୍ଶୀ ଆର୍ଯ୍ୟମାନେ ଏହି ମହାବାକ୍ୟର ମର୍ମ୍ମ ବୁଝି ନ ଚଳିବାରୁ ଭାରତବର୍ଷର ସର୍ବନାଶ ହେଳା ।

(୨)

‘‘ମହଷଶିଙ୍ଗ ଫଟା, ଯୁଝିବା ବେଳକୁ ଗୋଟା’’ ଏ ପ୍ରବଚନ ଓଡ଼ିଶ୍ୟାରେ ସର୍ବତ୍ର ପ୍ରଚଳିତ । ସଂହିତ–ଅଭିନ୍ନ ।

 

ସାମନ୍ୟ ବିପଦେ ଗୃହବିଗ୍ରହ ବିସ୍ମରି

ଯୁଝନ୍ତି ତେସନ ଆର୍ଯ୍ୟେ ଦେଶବୈରୀ ସହ,

ଆର୍ଯ୍ୟର ଏ ଚିରନୀତି ବିସ୍ମରି କି ସତେ

ବାଲୁକାରଜ୍ଜୁର ଧର୍ମ ଭଜି କର୍ମଦୋଷେ

ଏହିରୂପେ ଆର୍ଯ୍ୟ, ଆହା ଯିବେ ରସାତଳେ,’’

Image

 

ସପ୍ତମ ସର୍ଗ

 

ଅଗ୍ନି-ସଙ୍ଗେ ସହ୍ୟଶୈଳେ ନିକାଞ୍ଚନେ ବସି

କହନ୍ତେ ଏସନ ରାଜା ଫିଟିଲା, ସହସା

ଇନ୍ଦ୍ରଧନୁତୋରା-ଦିଲ୍ଲୀ-ତୋରଣ ଅଗ୍ରତେ

ବଜ୍ରନାଦେ, ସିଂହନାଦେ କମ୍ପାଇ ମେଦିନୀ

ବାହାରିଲେ ଦଳେ ଦଳେ ସେ ତୋରଣମୁଖୁଁ

ଅସଂଖ୍ୟ ପଦାତି, ସାଦୀ, ଆଧେରଣ, (୧) ରଥୀ,

ଭାଗୀରଥୀ ଭର୍ଗଜଟାମଣ୍ଡୁଳୁ ଯେସନେ; (୨)

 

(୧)

ଆଧୋରଣ-ଗଜାରୋହୀ,

(୨)

ଭର୍ଗ-ମହାଦେବ ।

 

ଜଳେ ଜକଜକ ବର୍ମେ, ଚର୍ମେ, ବରାୟୁଧେ, (୧)

ଧ୍ୱଜଦଣ୍ଡେ ପ୍ରଭାପୁଞ୍ଜ ଜିଣି ସୌଦାମିନୀ,

ଖେଳେ ନାନାବର୍ଣ୍ଣ ରଙ୍ଗେ କେତନ-ଅଂଶୁକେ,

ମହାରଣ୍ୟ ପ୍ରବାହିଣୀ ମହାନଦୀ-ସ୍ରୋତେ

କେଳିମଦେ ମତ୍ତ କରିକୁଳକରୋଚ୍ଛ୍ୱାସେ (୨)

ଉଡ୍‌ଡୀନ ରଜତୋଜ୍ଜ୍ୱଳ ଜଳକଣାଜାଳେ (୩)

ମଧ୍ୟାହ୍ନେ ଯେସନେ ଖେଳେ କୋଟି ଇନ୍ଦ୍ରଧନୁ,

ସବାପଛେ ବିଜେ ବେନି ଅଶ୍ୱବାର ବୀରେ

ଭାସ୍ୱରକୃପାଣପାଣି, ହେମବର୍ମଧାରୀ,

ଅରାତିପ୍ରମାଥୀ ପୃଥୁ ଦିଲ୍ଲୀ-ଅଧିପତି,

ଅମର୍ଷୀ ଅମିତତେଜାଃ ପର-ପୁରଞ୍ଜୟୀ,

ତାଙ୍କ ପଛେ ଅଶ୍ୱାରୁଢ଼ା ସଂଯୁକ୍ତା ରୂପସୀ,

ମୁକ୍ତକେଶୀ, ମୁକ୍ତାହାରା, ମଣିକିରୀଟିନୀ,

ମନୋହରା, ଆହା, ଯେହ୍ନେ ଶାରଦୀୟ ଉଷା

ନୀହାରଭୂଷଣା କାବ୍ୟତାରାକୁନ୍ତଳିନୀ

ପୁନର୍ବସୁ-ପୃଷ୍ଠେ ଉଦେ ପ୍ରାଚୀନଭଃପଟେ, (୪)

 

(୧)

ବରାୟୁଧେ-ଉତ୍କଷ୍ଟ ଅସ୍ତ୍ରରେ ।

(୨)

କେଳିମତ୍ତବନ୍ୟହସ୍ତିମାନଙ୍କର ଶୁଣ୍ଢର ଫୁତ୍କାରରେ ।

(୩)

ରୌପ୍ୟବତ୍‍ ଶୁଭ୍ର ଜଳଶୀକରର ଆସ୍ତରଣରେ ।

(୪)

ଶରତକାଳର ରାତ୍ରୀଶେଷରେ ପୂର୍ବଦିଗରେ ଅତ୍ୟୁଜ୍ଜ୍ୱଳ ଯୁଗ୍ମତାରା ପୁନର୍ବସୁର ଉଦୟ ହୁଏ-। ଏହା ତଳେ ପ୍ରଭାତୀ ତାରା ଲବହ ପ୍ରଭାତ ତାରା ତଳେ ଉଷାର ପାଟଳାର ଦୃଷ୍ଟ ହୁଏ ।

 

ଢଳ ଢଳ ଦିଶେ କାନ୍ତି, ଉନ୍ମୀଳିତ ଯଥା

ତୂଳିକାରେ ଚିତ୍ର, ଅବା ସଜ ସରସିଜ

ସରସୀ-ନିର୍ମଳ-ନୀରେ ବାଳରବି-କରେ,

କି ଅବା ସେ ଅଙ୍ଗଠାଣି, ଗଢ଼ିଛି ବିନ୍ଧାଣି

ସତେ କି କରୀନ୍ଦ୍ରରଦେ କୁନ୍ଦେ ତା ବସାଇ !

କି ମଧୁରେ ଖେଳେ ମନ୍ଦହାସର ଚାନ୍ଦନୀ

ବିଧୁବଦନୀର ଚାରୁ-ବଧୁଲୀ-ଅଧରେ !

କେତେ ରଙ୍ଗେ ଲୀଳାନୃତ୍ୟ କରେ କେତେମତେ

ଶ୍ରୀମୁଖପଙ୍କଜରଙ୍ଗେ ଭ୍ରୂଲତା-ନର୍ତ୍ତକୀ ! (୧)

କମଳ-ପାଟଳ-ଆଭା ଖେଳେ କ୍ଷଣେ କ୍ଷଣେ

ଅଯତ୍ନମଣ୍ଡନ, ଗଣ୍ଡଯୁଗେ, ଗଳଦେଶେ, (୨)

ମୋହିନୀର ଶ୍ରୁତିମୂଳେ ଅବତଂସ ବେନି

ସ୍ୱାତି ଚିତ୍ରା ତାରା କି ସେ ମୁଖଚନ୍ଦ୍ରପାଶେ ? (୩)

 

(୧)

ମୁଖ ରଙ୍ଗଭୂମି, ଭ୍ରୂଲତା ସେହି ରଙ୍ଗଭୂମିର ନର୍ତ୍ତକୀ ।

(୨)

ପାଟଳ ଆଭା, ଗଣ୍ଡ ଏବଂ ଗଳଦେଶର ଅଯତ୍ନସିଦ୍ଧ ଅଳଙ୍କାର ।

(୩)

ସ୍ୱାତି ଚିତ୍ରା ପରସ୍ପର ନିକଟବର୍ତ୍ତା ତାରା ।

 

ନୀଳୋତ୍ପଳ-ନେତ୍ରଯୁଗ୍ମ ଆକର୍ଣ୍ଣ ବିସ୍ତରି ।

ମାର-ଅସ୍ତ୍ରାଗାରରୂପେ ଭ୍ରୂ-ଖିଲାଣ ତଳେ

ବିରାଜେ, ମନୋଜ ଯହୁଁ ଦ୍ୱିପ୍ରହର ଦିନେ

ଧୃତି-ସମ୍ପତ୍ତିକି ଖଣ୍ଟ ଲୁଠେ ଅକୁଣ୍ଠିତେ,

ଉଚ୍ଚ ଘଞ୍ଚ କୁଚକଳି ଆବୃତ କଞ୍ଚୁକେ

ଚାରୁ କ୍ଷୀଣକଟୀ ବଦ୍ଧ ରତ୍ନସାରସନେ,

ଉଚ୍ଚ କ୍ଷୀଣ ଏକ ପୁଣି ଆରେକ ସକାଶେ (୧)

କାନ୍ତିକୁଳଦେବୀ ପ୍ରାୟେ ବିଜେ ସୀମନ୍ତିନୀ (୨)

ସେନାକୁଳ ସେ ପ୍ରାନ୍ତରେ, ଇନ୍ଦୁକଳା ଯଥା (୩)

ବିଜେ, ଆହା, ଉତ୍ତରଳସିନ୍ଧୁଦୀଚିଦଳେ, (୪)

 

(୧)

ସ୍ତନର ଉଚ୍ଚତାବଶତଃ କଟୀ କୃଶ ଦିଶୁଅଛି, ପୁଣି କଟୀ କୁଶତାବଶତଃ ସ୍ତନ ଉଚ୍ଚ ଦିଶୁଅଛି-

(୨)

କାନ୍ତିକୁଳଦେବୀ-ଶୋଭାର ଅଧିଷ୍ଠାତ୍ରୀ ଦେବତା ।

(୩)

ସେନାକୁଳ-ସେନାପରିପୂର୍ଣ୍ଣ ।

(୪)

ସମୁଦ୍ରଲହରୀ ସହିତ ସୈନ୍ୟମାନଙ୍କର ଏବଂ ଇନ୍ଦୁକଳା ସହିତ ସଂଯୁକ୍ତାର ଉପମା ।

(୫)

ଦେବସେନାପତି-କାର୍ତ୍ତିକେୟ ।

 

ପ୍ରତିହୃଦେ ପ୍ରତିଫଳି, ସେ ଶୋଭା-ପିତୁଳୀ

ଶୋଭିଲା ସେ ବୀଚିବକ୍ଷେ ଯଥା ବିଧୁଚ୍ଛବି,

ରୂପେ ଦେବ ସେନାପତି (୫) ଦେବ ସେନାପତି

ପୃଥୁ, ପୃଥୁପ୍ରେୟସିଙ୍କି ସେ ତୋରଣମୁଖେ

ଦୂରୁଁ ଦେଖି, ନିଜ ନିଜ ବାହିନୀ ସହିତେ

ନାନାଦେଶୀ ସେନାପତି ବନ୍ଦିଲେ ସାଦରେ

ବୀର-ବୀରାଙ୍ଗନା ପଦ ସର୍ବେ ଯଥାବିଧି,

ସମସ୍ତଙ୍କୁ ଦିଲ୍ଲୀପତି ସସ୍ମିତେ ସମ୍ଭାଷି

ଆରମ୍ଭିଲେ ମହୋତ୍‌ସାହେ ରଣର ମନ୍ତ୍ରଣା

ରଣପ୍ରିୟ, ମାତ୍ର ସେହି ଉତ୍ସାହର ବିଭା

ବିମ୍ବିତ ନ ଦେଖି ସେନାପତିଙ୍କ ବଦନେ,

କ୍ଷୁଣ୍ଣ ହେଲେ ବୀରମଣି ବିସ୍ମୟେ-ବିଷାଦେ;

ବୀର୍ଯ୍ୟପୁଷ୍ଟ ଆର୍ଯ୍ୟପଣ ଫିଙ୍ଗି ପୃଷ୍ଠଦେଶେ

ଆର୍ଯ୍ୟବୀରେ, ଭୀରୁମତି କଳି ଉତ୍ପୀଡ଼ନେ,

ଭୀରୂଚିତ (୧) ବର୍ଣ୍ଣେ ଚିତ୍ରି ରଣ-ବିଭୀଷିକା

ସର୍ବେ କଲେ ଅଳି ଦିଲ୍ଲୀପତିଙ୍କ ଛାମୁରେ

ପରିହାର ଯାଚିବାକୁ ପରିପନ୍ଥି-ପଦେ (୨)

ମାନବ୍ୟୟେ, ଧିକ୍‌କାରିତ ପ୍ରାଣର ଭିକାରୀ;

ପ୍ରାଣରଙ୍କ, ଭୟାତୁର, ଅଦୂରଦରଶୀ,

ହୀନଚେତାଙ୍କର ଏହି ହୀନମତି ଦେଖି,

 

(୧)

ଭୀରୂଚିତ-ଭୀରୁଜନୋତିତ ।

(୨)

ପରିପନ୍ଥି-ଶତ୍ରୁ ।

 

 

ଏ ହୀନ ମନ୍ତ୍ରଣା ଶୁଣି, ରୋଷେ ଆର୍ଯ୍ୟମଣି

ଅମର୍ଷୀ ସମ୍ବୋଧି ତାଙ୍କୁ, ସମ୍ବୋଧି ବାହିନୀ,

କହିଲେ ଏସନ ବୀର ବୀରୋଚିତ ବୀରେ–

‘‘ଏହି କି ସେ ଆର୍ଯ୍ୟଭୂମି ? ଏ ଭୂମିର ସୁତ

ତୁମ୍ଭେଟିକି ଆର୍ଯ୍ୟାନାମ-ଦାୟାଦ ଜଗତେ ? (୧)

ବିନା ଯୁଦ୍ଧେ ନଦେବାର ସୂଚୀଗ୍ରମେଦିନୀ (୨)

ପଣ ଯେଉଁ ଆର୍ଯ୍ୟଙ୍କର, ତାଙ୍କରି ଶୋଣିତ

ବହେ ଟିକି, ଆହେ ଯୋଧେ, ତୁମ୍ଭ ଧମନୀରେ ?

ଧିକ ! ଧିକ ! ଶତ ଧିକ ! ଧିକ ଏ ମନ୍ତ୍ରଣା !

ଏ ହୀନ ମନ୍ତ୍ରଣା, ଭୀରୁ-ପାମର-ଉଚିତ,

ଉଚ୍ଚାରି ଯା କଲ ଶରେ ଅପବିତ୍ର ଆଜ

ନିଜ ମୁଖ, ଶ୍ରୋତା କର୍ଣ୍ଣ, ଆର୍ଯ୍ୟବଂଶଧରେ !

ଅବା ଅଭାଜନ ତୁମ୍ଭେ ଏ ନାମ ଧାରଣେ ?

ଭୀରୁତା ଯେ, ସେହି ସିନା ବୀରର ମରଣ (୩)

ଭୀରୁଭାବ ବହି ତୁମ୍ଭେ ମୃତ ଏ ଜଗତେ,

ଲୋଡ଼ଇ କି କେହି କେବେ ମୃତର ମନ୍ତ୍ରଣା ?

ପଳାଇ ଏ ରଣସ୍ଥଳୁ ରହିବ କି ଜୀଇ

 

(୧)

ପରିପନ୍ଥୀ-ଶତ୍ରୁ,

(୨)

ଆର୍ଯ୍ୟପଦର ଉତ୍ତରାଧିକାରୀ

(୩)

ଦୁର୍ଯ୍ୟୋଧନର ପ୍ରସିଦ୍ଧ ପଣ,

 

ଭୀରୁତା ହିଁ ବୀରମାନଙ୍କ ମୃତ୍ୟୁ,

ଚିରଦିନ ଭବେ ? ଯେବେ ନାହିଁ ସେ ଦୁରାଶା,

ନିଜ ମୁଖ, ପିତୃ ନାମ, ବୃଥା କଳଙ୍କିତ

କରିବ ଏ ରୂପେ କିପାଁ ପ୍ରାଣରଙ୍କ ମୂଢ଼େ ?

ଦିଗ୍‌ବିଜୟୀ-ଆର୍ଯ୍ୟସିଂହ-ଔରସେ ଜନମି

ହେଲ କି ଅକ୍ଷମ, ଆହା, ନିଜସ୍ୱରକ୍ଷଣେ ?

ହିମଊର୍ଜସ୍ୱଳ-ଭୀମ-ହ୍ରିମାଦ୍ରି-ପ୍ରାଚୀରେ

ଦୁର୍ଗମି ଭାରତ ଦୁର୍ଗ କାପୁରୁଷହାତେ,

କେ କହିବ ମୋତେ, କିପାଁ ଅର୍ପିଲେ ବିଧାତା ?

ହା ଦୈବ ! ଜମ୍ବୁକ ପଶି ହର୍ଯ୍ୟକ୍ଷ-ଗୁହାରେ,

ଏଡ଼େ ମାୟା ପ୍ରାଣେ ଯେବେ, ତେଜି ରଣଭୂମି

ସଂଖ୍ୟାଳିସ୍ୱରୁପେ ତୁମ୍ଭ ରଙ୍କ ପ୍ରାଣ ନେଇ,

ବାନ୍ଧି ରଖ ଗୃହେ ଯାଇ ନାରୀ ବସ୍ତ୍ରାଞ୍ଚଳେ,

ହେ ନାରୀଏ, ଘୁଣାକ୍ଷରେ ନରଦେହଧାରୀ ! (୨)

ବାହୁଡ଼ ସ୍ୱଗୃହେ ବେଗେ କଳଙ୍କିତମୁଖେ,

ଲାଙ୍ଗୁଳ ସଙ୍କୋଚି ଶ୍ୱାନ ପଳାଏ ଯେସେନେ,

ବାହୁଡ଼ ସ୍ୱଗୃହେ ବେଗେ, ଖଡ୍‌ଗ, ଶୂଳ ଆଦି

ଭୂଷଣ ନ ହୋଇ ଯାହା ମହାଭାର ଏବେ (୩)

 

(୨)

ହେ ନାରୀଏ-ଅବଜ୍ଞାବ୍ୟଞ୍ଜକ ସମ୍ବୋଧନ, ଘୁଣାକ୍ଷରରେ ନରଦେହଧାରୀ, ମାତ୍ର ବସ୍ତୁତଃ ନାରୀ ।

(୩)

ଅସ୍ତ୍ର ବୀରମାନଙ୍କର ଭୂଷଣ, ମାତ୍ର କାପୁରୁଷଙ୍କ ପକ୍ଷରେ ଭାର ଅଟେ ।

 

ତୁମ୍ଭ ଭୀରୁ ହାତେ, କରି ଫାଳେ ପରିଣତ,

ଫିଙ୍ଗିଦିଅ ଏହି ଢାଲ, କି ଲୋଡ଼ା ଏ ଢାଲେ ?

ତୁମ୍ଭଯୋଗ୍ୟ ଢାଲ ସିନା ଚିତ୍କାର, ଲୋତକ !

ସେହି ଢାଲେ ଆତ୍ମରକ୍ଷା ଆଚରିବ ଏବେ !

ବିଳାସରେ କ୍ଷେତ୍ର ନୁହେଁ ସଂଗ୍ରାମ-ଅଗଣା,

ତପସ୍ୟାର କ୍ଷେତ୍ର ଏହୁ, ତପସ୍ୱୀକାଂକ୍ଷିତ,

ବିପଦର ଯଜ୍ଞବେଦୀ, ଜୀବନ ଆହୁତି

ଦିଅନ୍ତି ଆହ୍ଲାଦେ ଯହିଁ ଯଶୋଲିପ୍‌ସୁ ବୀରେ;

ତୁମ୍ଭ ପରି ଶ୍ୟାମିକାର ରେଖା ଏ ନିକଷେ (୧)

ପଡ଼ିବାର ଲେଖି ନାହିଁ ବିଧି କେଉଁକାଳେ,

କି ସାହସେ କଲ ତୁମ୍ଭେ ଅପବିତ୍ର ଆସି

ଏ ତୀର୍ଥ, ଆର୍ଯ୍ୟର ଏହି ଧର୍ମଯୁଦ୍ଧସ୍ଥଳୀ ? (୨)

ଆର୍ଯ୍ୟ ନାମେ ଏ କାଳିମା ବୋଳିଲ କିପାଇଁ ?

ଆସ ହେ ସଂଗ୍ରାମସିଂହ ଅଜାମିଳବୀରେ !

ଏ ମହାକଳଙ୍କ ଯାଇ ପ୍ରକ୍ଷାଳିବା ଖରେ

 

(୧)

ଶ୍ୟାମିକ- ଭଲସୁନା । ରଣକ୍ଷେତରୂପ ନିକଷରେ କାପୁରୁଷରୂପୀ କୃତ୍ରିମସୁବର୍ଣ୍ଣର ରେଖା ପଡ଼ଇ ନାହିଁ ।

(୨)

ଧର୍ମଯୁଦ୍ଧ-ସ୍ୱଦେଶରକ୍ଷାର୍ଥ ଯୁଦ୍ଧ । ପରରାଷ୍ଟ୍ର ଗ୍ରାସ ସକାଶେ ଯୁଦ୍ଧ ପାପଯୁଦ୍ଧ ।

 

ରଣକ୍ଷେତ୍ର, ରିପୁଲୋହେ ଅବା ନିଜ ଲୋହେ,

ବଞ୍ଚିତ ତୁମ୍ଭର ଶୂଳ ରିପୁରକ୍ତ ସ୍ୱାଦୁଁ

ବହୁଦିନ ଦିଅ ତାଙ୍କୁ ଶୋଣିତ-ପାରଣା,

ଶତ୍ରୁଦେହେ ତାଙ୍କ ମୁନ ପୁଣି ନିଅ ଶାଣି,

ଆସ ବେଗେ, ରଣସ୍ଥଳୁଁ ଝିଙ୍କି ମହୋଲ୍ଲାସେ

ଆଣିବା ବିଜୟ-ଲକ୍ଷ୍ମୀ, ନ ପାରିଲେ ତାହା,

ବୀରଶେଯେ ଆଶ୍ରିବା ତ ନିଜ ହାତକଥା,(୧)

ଆର୍ଯ୍ୟର ଦୁର୍ଭାଗ୍ୟ ଫଳେ ଆସିବ ଏ ଦେଶେ

ଯେବେ କି ଯବନ, ଆସୁ ଆମ୍ଭ ଶବ ମାଡ଼ି, (୨)

ଫଳୁ ଯା ଫଳିବ କର୍ମେ, ରହ ଧର୍ମଧରି;

‘ମନ୍ତ୍ରର ସାଧନ ଅବା ଶରୀର ପାତନ’

ଆର୍ଯ୍ୟର ଯା ସାର ଧର୍ମ, ପାଳ ଆର୍ଯ୍ୟବୀରେ,

ଆର୍ଯ୍ୟକୁଳଧ୍ୱଜ ପୃଥୁରାଜଙ୍କ ଗହଣେ,

ସୂର୍ଯ୍ୟତେଜ ସ୍ପର୍ଶେ ଯେହ୍ନେ ସୂର୍ଯ୍ୟକାନ୍ତମଣି

 

ଉଗାରେ ଅନଳକଣା, ଅମର୍ଷୀର ବାଣୀ

ଜାଳି ଦେଲା ତେଜ-ବହ୍ନି ନିସ୍ତେଜ-ହୃଦୟେ

 

(୧)

ଯୁଦ୍ଧରେ ପ୍ରାଣବସର୍ଜନ ନିଜର ଆୟତ୍ତ । ବୀରର ସୌଭାଗ୍ୟରୁ ବଞ୍ଚିତ ହେଲେ ସୁଦ୍ଧା ବୀର ମୃତ୍ୟୁରୁ ଆମ୍ଭେମାନେ ବଞ୍ଚିତ ହେବୁଁ ନାହିଁ ।

(୨)

ଆମ୍ଭେମାନେ ଜୀବିତ ଥାଉଁ ଥାଉଁ ଯବନ ବଦାଚ ଆସିପାରିବ ନାହିଁ ।

 

ଯୋଧଙ୍କର, ସର୍ବେ ଦମ୍ଭେ ଗର୍ଜିଲେ ହୁଙ୍କାରେ,

‘ଜୟ ପୃଥୁରାଜ’–ରବେ କମ୍ପିଲା ମେଦିନୀ,

ହ୍ରେଷିଲେ ତୁରଙ୍ଗେ, ଗଜେ ଗର୍ଜିଲେ ଭୈରବେ,

ଉଠିଲା ଅମ୍ବର ଜଳି ଅସ୍ତ୍ରର ଝମକେ,

ଦାବାନଳେ, ବନ ଯଥା, ବୀରବାଦ୍ୟରୋଳେ

ଚକ୍ରବାଳେ ପ୍ରତିଧ୍ୱନି ଜାଗିଲେ ଚମକି,(୧)

ବ୍ୟଗ୍ରହେଲେ ଅଗ୍ରସର ହେବାକୁ ସଂଗ୍ରାମେ

ଉଦାୟୁଧ ଯୋଧବୃନ୍ଦ, ସର୍ବେ ଏକମେଳେ (୨)

ବରିଲେ ଅମଷୀ ବୀରେ ସେନାପତିପଦେ;

ମହାଦରେ ପୃଥୁ ତହୁଁ ବାନ୍ଧିଦେଲେ ଶାଢ଼ୀ

ତାଙ୍କ ଶିରୋଦେଶେ ଅଶ୍ୱପୃଷ୍ଠୁ ଅବତରି,

ବନ୍ଦାଣ-ରତନ-ଥାଳୀ ପଦ୍ମହସ୍ତେ ଘେନି,

ସମ୍ପାଦିଲେ ଦିଲ୍ଲୀରାଣୀ ନୀରାଜନାବିଧି, (୩)

ଦୈତ୍ୟଯୁଦ୍ଧେ ଶଚୀ ଯଥା ଦେବସେନାନାଥେ (୪)

ପୃଥୁଙ୍କୁ ମେଲାଣି ଦେଇ ବାହୁଡ଼ିଲେ ରାଣୀ

ଅଶ୍ରୁପୂର୍ଣ୍ଣମୁଖେ ପୂର୍ଣ୍ଣକଳାକରମୁଖୀ,

‘‘ଜୟ ପୃଥୁ’’ ନାଦେ ଏଣେ କମ୍ପାଇ ମେଦିନୀ

ରଣକ୍ଷେତ୍ରଯାତ୍ରୀ ହୋଇ ଚାଲିଲା ବାହିନୀ

 

(୧)

ଚକ୍ରବାଳ-ଦିଗ୍ବଳୟ ।

(୨)

ଉଦାୟୁଧ-ସେମାନେ ଅସ୍ତ୍ର ଉତ୍ତୋଳନ କରିଅଛନ୍ତି ।

(୩)

ଯୁଦ୍ଧଯାତ୍ରା କାଳରେ ସେନାପତିମାନଙ୍କର ଆଳତି ହେବାର ବିଧି ଥିଲା

(୪)

ଦେବସେନାନାଥ-କାର୍ତ୍ତିକେୟ ।

 

ଦଳେ ଦଳେ ରଣୋନ୍ମାଦେ, ରଣବାଦ୍ୟତାଳେ;

ହିମଊର୍ଜସ୍ୱଳ-ଭୀମ-ହ୍ରିମାଦ୍ରି-ପ୍ରାଚୀରେ

ଦୁର୍ଗମି ଭାରତ ଦୁର୍ଗ କାପୁରୁଷହାତେ,

କେ କହିବ ମୋତେ, କିପାଁ ଅର୍ପିଲେ ବିଧାତା ?

ହା ଦୈବ ! ଜମ୍ବୁକ ପଶି ହର୍ଯ୍ୟକ୍ଷ-ଗୁହାରେ,

ଏଡ଼େ ମାୟା ପ୍ରାଣେ ଯେବେ, ତେଜି ରଣଭୂମି

ସଂଖ୍ୟାଳିସ୍ୱରୁପେ ତୁମ୍ଭ ରଙ୍କ ପ୍ରାଣ ନେଇ,

ବାନ୍ଧି ରଖ ଗୃହେ ଯାଇ ନାରୀ ବସ୍ତ୍ରାଞ୍ଚଳେ,

ହେ ନାରୀଏ, ଘୁଣାକ୍ଷରେ ନରଦେହଧାରୀ ! (୨)

ବାହୁଡ଼ ସ୍ୱଗୃହେ ବେଗେ କଳଙ୍କିତମୁଖେ,

ଲାଙ୍ଗୁଳ ସଙ୍କୋଚି ଶ୍ୱାନ ପଳାଏ ଯେସେନେ,

ବାହୁଡ଼ ସ୍ୱଗୃହେ ବେଗେ, ଖଡ୍‌ଗ, ଶୂଳ ଆଦି

ଭୂଷଣ ନ ହୋଇ ଯାହା ମହାଭାର ଏବେ (୩)

 

(୨)

ହେ ନାରୀଏ-ଅବଜ୍ଞାବ୍ୟଞ୍ଜକ ସମ୍ବୋଧନ, ଘୁଣାକ୍ଷରରେ ନରଦେହଧାରୀ, ମାତ୍ର ବସ୍ତୁତଃ ନାରୀ ।

(୩)

ଅସ୍ତ୍ର ବୀରମାନଙ୍କର ଭୂଷଣ, ମାତ୍ର କାପୁରୁଷଙ୍କ ପକ୍ଷରେ ଭାର ଅଟେ ।

 

ତୁମ୍ଭ ଭୀରୁ ହାତେ, କରି ଫାଳେ ପରିଣତ,

ଫିଙ୍ଗିଦିଅ ଏହି ଢାଲ, କି ଲୋଡ଼ା ଏ ଢାଲେ ?

ତୁମ୍ଭଯୋଗ୍ୟ ଢାଲ ସିନା ଚିତ୍କାର, ଲୋତକ !

ସେହି ଢାଲେ ଆତ୍ମରକ୍ଷା ଆଚରିବ ଏବେ !

ବିଳାସରେ କ୍ଷେତ୍ର ନୁହେଁ ସଂଗ୍ରାମ-ଅଗଣା,

ତପସ୍ୟାର କ୍ଷେତ୍ର ଏହୁ, ତପସ୍ୱୀକାଂକ୍ଷିତ,

ବିପଦର ଯଜ୍ଞବେଦୀ, ଜୀବନ ଆହୁତି

ଦିଅନ୍ତି ଆହ୍ଲାଦେ ଯହିଁ ଯଶୋଲିପ୍‌ସୁ ବୀରେ;

ତୁମ୍ଭ ପରି ଶ୍ୟାମିକାର ରେଖା ଏ ନିକଷେ (୧)

ପଡ଼ିବାର ଲେଖି ନାହିଁ ବିଧି କେଉଁକାଳେ,

କି ସାହସେ କଲ ତୁମ୍ଭେ ଅପବିତ୍ର ଆସି

ଏ ତୀର୍ଥ, ଆର୍ଯ୍ୟର ଏହି ଧର୍ମଯୁଦ୍ଧସ୍ଥଳୀ ? (୨)

ଆର୍ଯ୍ୟ ନାମେ ଏ କାଳିମା ବୋଳିଲ କିପାଇଁ ?

ଆସ ହେ ସଂଗ୍ରାମସିଂହ ଅଜାମିଳବୀରେ !

ଏ ମହାକଳଙ୍କ ଯାଇ ପ୍ରକ୍ଷାଳିବା ଖରେ

 

(୧)

ଶ୍ୟାମିକ-ଭଲସୁନା । ରଣକ୍ଷେତରୂପ ନିକଷରେ କାପୁରୁଷରୂପୀ କୃତ୍ରିମସୁବର୍ଣ୍ଣର ରେଖା ପଡ଼ଇ ନାହିଁ ।

(୨)

ଧର୍ମଯୁଦ୍ଧ-ସ୍ୱଦେଶରକ୍ଷାର୍ଥ ଯୁଦ୍ଧ । ପରରାଷ୍ଟ୍ର ଗ୍ରାସ ସକାଶେ ଯୁଦ୍ଧ ପାପଯୁଦ୍ଧ ।

 

ରଣକ୍ଷେତ୍ର, ରିପୁଲୋହେ ଅବା ନିଜ ଲୋହେ,

ବଞ୍ଚିତ ତୁମ୍ଭର ଶୂଳ ରିପୁରକ୍ତ ସ୍ୱାଦୁଁ

ବହୁଦିନ ଦିଅ ତାଙ୍କୁ ଶୋଣିତ-ପାରଣା,

ଶତ୍ରୁଦେହେ ତାଙ୍କ ମୁନ ପୁଣି ନିଅ ଶାଣି,

ଆସ ବେଗେ, ରଣସ୍ଥଳୁଁ ଝିଙ୍କି ମହୋଲ୍ଲାସେ

ଆଣିବା ବିଜୟ-ଲକ୍ଷ୍ମୀ, ନ ପାରିଲେ ତାହା,

ବୀରଶେଯେ ଆଶ୍ରିବା ତ ନିଜ ହାତକଥା,(୧)

ଆର୍ଯ୍ୟର ଦୁର୍ଭାଗ୍ୟ ଫଳେ ଆସିବ ଏ ଦେଶେ

ଯେବେ କି ଯବନ, ଆସୁ ଆମ୍ଭ ଶବ ମାଡ଼ି, (୨)

ଫଳୁ ଯା ଫଳିବ କର୍ମେ, ରହ ଧର୍ମଧରି;

‘ମନ୍ତ୍ରର ସାଧନ ଅବା ଶରୀର ପାତନ’

ଆର୍ଯ୍ୟର ଯା ସାର ଧର୍ମ, ପାଳ ଆର୍ଯ୍ୟବୀରେ,

ଆର୍ଯ୍ୟକୁଳଧ୍ୱଜ ପୃଥୁରାଜଙ୍କ ଗହଣେ,

ସୂର୍ଯ୍ୟତେଜ ସ୍ପର୍ଶେ ଯେହ୍ନେ ସୂର୍ଯ୍ୟକାନ୍ତମଣି

ଉଗାରେ ଅନଳକଣା, ଅମର୍ଷୀର ବାଣୀ

ଜାଳି ଦେଲା ତେଜ-ବହ୍ନି ନିସ୍ତେଜ-ହୃଦୟେ

 

(୧)

ଯୁଦ୍ଧରେ ପ୍ରାଣବସର୍ଜନ ନିଜର ଆୟତ୍ତ । ବୀରର ସୌଭାଗ୍ୟରୁ ବଞ୍ଚିତ ହେଲେ ସୁଦ୍ଧା ବୀର ମୃତ୍ୟୁରୁ ଆମ୍ଭେମାନେ ବଞ୍ଚିତ ହେବୁଁ ନାହିଁ ।

(୨)

ଆମ୍ଭେମାନେ ଜୀବିତ ଥାଉଁ ଥାଉଁ ଯବନ ବଦାଚ ଆସିପାରିବ ନାହିଁ ।

 

ଯୋଧଙ୍କର, ସର୍ବେ ଦମ୍ଭେ ଗର୍ଜିଲେ ହୁଙ୍କାରେ,

‘ଜୟ ପୃଥୁରାଜ’–ରବେ କମ୍ପିଲା ମେଦିନୀ,

ହ୍ରେଷିଲେ ତୁରଙ୍ଗେ, ଗଜେ ଗର୍ଜିଲେ ଭୈରବେ,

ଉଠିଲା ଅମ୍ବର ଜଳି ଅସ୍ତ୍ରର ଝମକେ,

ଦାବାନଳେ, ବନ ଯଥା, ବୀରବାଦ୍ୟରୋଳେ

ଚକ୍ରବାଳେ ପ୍ରତିଧ୍ୱନି ଜାଗିଲେ ଚମକି,(୧)

ବ୍ୟଗ୍ରହେଲେ ଅଗ୍ରସର ହେବାକୁ ସଂଗ୍ରାମେ

ଉଦାୟୁଧ ଯୋଧବୃନ୍ଦ, ସର୍ବେ ଏକମେଳେ (୨)

ବରିଲେ ଅମଷୀ ବୀରେ ସେନାପତିପଦେ;

ମହାଦରେ ପୃଥୁ ତହୁଁ ବାନ୍ଧିଦେଲେ ଶାଢ଼ୀ

ତାଙ୍କ ଶିରୋଦେଶେ ଅଶ୍ୱପୃଷ୍ଠୁ ଅବତରି,

ବନ୍ଦାଣ-ରତନ-ଥାଳୀ ପଦ୍ମହସ୍ତେ ଘେନି,

ସମ୍ପାଦିଲେ ଦିଲ୍ଲୀରାଣୀ ନୀରାଜନାବିଧି, (୩)

ଦୈତ୍ୟଯୁଦ୍ଧେ ଶଚୀ ଯଥା ଦେବସେନାନାଥେ (୪)

ପୃଥୁଙ୍କୁ ମେଲାଣି ଦେଇ ବାହୁଡ଼ିଲେ ରାଣୀ

ଅଶ୍ରୁପୂର୍ଣ୍ଣମୁଖେ ପୂର୍ଣ୍ଣକଳାକରମୁଖୀ,

‘‘ଜୟ ପୃଥୁ’’ ନାଦେ ଏଣେ କମ୍ପାଇ ମେଦିନୀ

ରଣକ୍ଷେତ୍ରଯାତ୍ରୀ ହୋଇ ଚାଲିଲା ବାହିନୀ

 

(୧)

ଚକ୍ରବାଳ- ଦିଗ୍ବଳୟ ।

(୨)

ଉଦାୟୁଧ-ସେମାନେ ଅସ୍ତ୍ର ଉତ୍ତୋଳନ କରିଅଛନ୍ତି ।

(୩)

ଯୁଦ୍ଧଯାତ୍ରା କାଳରେ ସେନାପତିମାନଙ୍କର ଆଳତି ହେବାର ବିଧି ଥିଲା ।

(୪)

ଦେବସେନାନାଥ-କାର୍ତ୍ତିକେୟ ।

 

ଦଳେ ଦଳେ ରଣୋନ୍ମାଦେ, ରଣବାଦ୍ୟତାଳେ;

ତାରକାଭୂଷିତ ତଳେବ୍ୟୋମତୁଳା-ଭଜି; (୧)

ପ୍ରାସାଦେ, ପ୍ରାଚୀରେ, ପୁଣି ଗବାକ୍ଷେ, କୁଟ୍ଟିମେ

ନିରେଖିଲେ ରୁଣ୍ଡ ହୋଇ ଦିଲ୍ଲିପୁରନାରୀ

ଆର୍ଯ୍ୟର ସେ ରଣଯାତ୍ରା, କରପତ୍ର ଯୋଡ଼ି

ବିଜୟବାହୁଡ଼ା ଯାଚି ରଣଲକ୍ଷ୍ମୀପଦେ,

ବରଷିଲେ ଲାଜାଞ୍ଜଳି କାହିଁ ବରାଙ୍ଗନା,

କାହିଁ ରଣଯାତ୍ରୀ ପୁତ୍ରେ ବିଧୁରା ଜନନୀ

ଦୂରୁଁ ଦେଖି, ମୁହୁର୍ମୁହୁ ମୁଣ୍ଡେ କରହାଣି,

କାନ୍ଦିଲା କରୁଣେ ଦୋଷି ଦାରୁଣ ବିଧିକି,

ଅତୃପ୍ତନୟନେ କାହିଁ ଉଭା ପ୍ରଣୟନୀ

ବ୍ୟାବର୍ତ୍ତିତପ୍ରିୟମୁଖ ଦେଖିବାର ଆଶେ

ଥରେହେଲେ, ଆମରଣ-ସ୍ମୃତିର ସଙ୍ଖାଳି, (୨)

କାହିଁ ପ୍ରେମଶୀଳା ନବବିବାହିତା ବାଳା

ପକାଏ ରମଣପଦେ, ବେଡ଼ିରୂପେ କି ସେ,

ନୀଳୋତ୍ପଳଦଳଦାମ ରୁଚି ବେନି ଆଖି ?

ଅଙ୍ଗୁଳି-ନିର୍ଦ୍ଦେଶେ ବାଷ୍ପଗଦଗଦଭାଷେ,

 

(୧)

ସଶସ୍ତ୍ର ସୈନ୍ୟମାନଙ୍କ ଗତି ଦେଖି ବୋଧ ହେଲା ଯେମନ୍ତ କି ନକ୍ଷତ୍ରମଣ୍ଡିତ ନଭୋମଣ୍ଡଳ ଚାଲି ଯାଉଅଛି ।

(୨)

ଯୁଦ୍ଧଯାତ୍ରୀ ପ୍ରଣୟୀ ମୁଖ ଫେରାଇ ଥରେ ଅନାଇଲେ ସେହି ଚାହାଣି ମରଣ ପର୍ଯ୍ୟନ୍ତ ସ୍ମୃତିର ସମ୍ପତ୍ତି ହୋଇ ରହିବ, ଏହି ଆଶାରେ ପ୍ରଣୟିନୀ ଉତ୍ସୁକନେତ୍ରରେ ଉଭା ହୋଇ ରହିଅଛି ।

 

କ୍ରୋଡ଼ସ୍ଥ ଶିଶୁକୁ କାହିଁ ଦିଅଇ ଚିହ୍ନାଇ

ରଣଯାତ୍ରୀ ପିତୃ ତାର, ସେ ଶିଶୁର ମାତା,

ଲୋଚନେ ଲୋଚନଜଳ ସ୍ତମ୍ଭି ସୁଲୋଚନା, (୧)

ଶୋକୋଚ୍ଛ୍ୱାସେ କାହିଁ ପୁଣି ଦେଖଇ କୁମାରୀ

ମାନସପତିର ଚାରୁମୂରତି ସହିତେ (୨)

ସୁଖର ଆକାଶ-ହର୍ମ୍ୟ, ଆଶା-ବିରଚିତ, (୩)

ମିଶି ଯାଇଅଛି ତାର ଆଶା-ଚକ୍ରବାଳେ, (୪)

ଭାଇକି ଅନାଇଁ କାହିଁ କାନ୍ଦଇ ଭଉଣୀ,

ପିତାକୁ ଅନାଇ କାହିଁ କାନ୍ଦଇ ଦୁହିତା

ଶ୍ୱାସ ସଙ୍ଗେ ତେଜି ପୁଣି ଦର୍ଶନର ଆଶା,

ଦିଲ୍ଲୀପୁରୀ ଶିରୋଦେଶ ପୂରିଲା ଏ ରୂପେ

ଅବଳା-ବିଳାପେ ବଳି, ବ୍ରତର ମନାସେ ।

ଘନସନ୍ନିବେଶେ, ସେହ୍ନା-ସନ୍ନଦ୍ଧ-ଶରୀରେ

ଅଗ୍ରେ ଉଭା ଯବନର ବ୍ୟୂହିତ ବାହିନୀ, (୫)

ମହାଦୃପ୍ତ, ଉଚ୍ଛ୍ୱସିତ ସଂଯତ ସାହସେ, (୬)

ଦୃଢ଼ପ୍ରତିଜ୍ଞାର ମୁଦ୍ରା ମୁଦ୍ରିତ ଲଲାଟେ,

 

(୧)

ଲୋତକବିସର୍ଜନ ଅଶୁଭସୂଚକ, ଏହି ହେତୁରୁ ସେଥିର ସ୍ତମ୍ଭନ ।

(୨)

ମାନସପତି-ମନେ ମନେ ଯାହାକୁ ପତିତ୍ୱରେ ବରଣ କରିଅଛି ।

(୩)

ଆଶାବିରଚିତ-ଅଶାଗଠିତ ସୁଖର ପ୍ରାସାଦ ।

(୪)

ଆଶାଚକ୍ରବାଳେ-ଦିକ୍‌ଚକ୍ରରେ ।

(୫)

ବ୍ୟୂହିତ-ବ୍ୟୂହରେ ସଜ୍ଜିତ ।

(୬)

ସଂଯତସାହସ- ଯେଉଁ ସାହସ ଉଚ୍ଛୃଙ୍ଖଳ ନୁହେଁ ।

 

ଅସି, ଶୂଳ, ଭଲ୍ଲ ଆଦି ଝଳେ ଝକଝକେ

ସୌରକରେ, ଠିକରାଇ ଆଖି ଖରତେଜେ,

ଭୀମଉପପ୍ଳବଶଂସୀ ଧୂମକେତୁ ପ୍ରାୟେ,

ବାଳେନ୍ଦୁଲାଞ୍ଛିତ-ଧ୍ୱଜ ଉଡ଼ଇ ସମୀରେ (୧)

ଉର୍ଦ୍ଧ୍ୱଦେଶେ; ଧିକ ଧିକ, ସେ ଧ୍ୱଜ ସହିତେ

ଦେଶଦ୍ରୋହୀ କଳଙ୍କର ବାନାରୂପେ ପୁଣି

ତୋଳିଅଛି ନିଜ ଧ୍ୱଜ ରାଠୋରପାଂଶୁଳ

ଜୟଚନ୍ଦ୍ର, ଯବନର ପ୍ରସାଦଭିଖାରୀ; (୨)

ନିଜପାଇଁ, ମାତୃଭୂମି ଆର୍ଯ୍ୟବର୍ତ୍ତପାଇଁ

ବ୍ରତ ଯାର ଅଧୀନତା-ଶାଙ୍କୁଳି-ସର୍ଜନା,

ସେ ପାପୀ ସହିତେ ବଦ୍ଧ ପାପସନ୍ଧି-ପାଶେ,

ଆର୍ଯ୍ୟନାଶେ ଯବନର ଆର୍ଯ୍ୟସହକାରୀ,

କାଶ୍ମୀର, ପୁଷ୍କଳାବତୀ, ତକ୍ଷଶିଳାପୁରୀ, (୩)

 

ଶାଳାତୁର, ହଂସପୁର ଆଦି କରି ଯେତେ (୪)

ମଞ୍ଚସ୍ୱର୍ଗ-ଭାରତର ତୋରଣକୁଞ୍ଚିକା-

 

(୧)

ଯବନଧ୍ୱଜ-ବାଳେନ୍ଦୁ-ଲାଞ୍ଛିତ ।

(୨)

କାନ୍ୟକୁବ୍‌ଜପତି ରାଠୋରବଂଶୀୟ ଜୟଚନ୍ଦ୍ର ସଂଯୁକ୍ତାଙ୍କର ପିତା ଏବଂ ପୃଥୁଙ୍କ ଶ୍ୱଶୁର ।

(୩)

ରାମାନୁଜ ଭରତଙ୍କ ପୁତ୍ର ତକ୍ଷ ଓ ପୁଷ୍କଳ କର୍ତ୍ତୃକ ତକ୍ଷଶିଳା ଏବଂ ପୁଷ୍କଳାବତୀ ନଗରୀ ସ୍ଥାପିତ ହୋଇଥିଲା । ଏମାନେ ପଞ୍ଜାବର ଅନ୍ତର୍ଗତ ।

(୪)

ଶାଳାତୁର-ବର୍ତ୍ତମାନ ଲାହୋର, ହଂସପୁର-ଆଧୁନିକ ମୁଲତାନ ।

 

ପଞ୍ଚନଦ-ଜନପଦ-ରାଜନ୍ୟମଣ୍ଡଳୀ, (୧)

ମିଶିଛନ୍ତି ତହିଁ ଆସି ନିଜ ଦଳବଳେ,

ସଦ୍ୟ ଲାଭଲୋଭୀ, ମାତ୍ର ଅନ୍ଧ ପରିଣାମେ,

ଚତୁରକ୍ଷ ହୋଇ ତହୁଁ ବେନି ଅନୀକିନୀ

ଛାଡ଼ିଲେ ଭୈରବ ରଡ଼ି, ଯେହ୍ନେ ଘଡ଼ଘଡ଼ି

ଯୁଗାନ୍ତର, ନଭଗର୍ଭ ବିଦାରି ସେ ଧ୍ୱାନେ;

ଭ୍ରୂକୁଟିକୁଟିଳ ମୁଖେ, ଆରକ୍ତଲୋଚନେ

ନିରେଖିଲେ ବେନି ସେନା ବେନିଙ୍କି ସ୍ତମ୍ଭିତେ

ଲବେ ମାତ୍ର, ବାତ୍ୟା ଆଗେ ବାତସ୍ତମ୍ଭ ଯଥା; (୨)

ବିଷମ ସଂଶୟ ଦମ୍ଭ-ଆବରଣ ତଳେ

ଆନ୍ଦୋଳିଲା ମୁହୁର୍ମୁହୁଃ ବୀରବୃନ୍ଦମନଃ,

ରକ୍ତ ହୋଇଗଲା ଜଳ, ପାଣ୍ଡୁ ଗଣ୍ଡସ୍ଥଳୀ,

ଥରିଲା ପାଦର ଭଣ୍ଡା ଥରଥର ଥରେ

ଏକ ଆରେକରେ ଭେଟି, ସାହସ ବିସ୍ମରି

ଭଜିଲା ଆତଙ୍ଗ ମହାସାହସୀର ହିଆ

ବିକଟାଳ-କାଳ ଆସ୍ୟ-କୁହର ଅଗ୍ରତେ, (୩)

ସଂଗ୍ରାମସଙ୍କେତଶଂସୀ ନାଦିଲା ଭୈରବେ

ଏ କାଳେ ସଂଗ୍ରାମ ଶିଙ୍ଗା, ଢକ୍‌କା, ତୂରୀ, ଭେରୀ,

 

(୧)

ପଞ୍ଚନଦକନପଦ ଅର୍ଥାତ୍‍ ପଞ୍ଜାବ ଭାରତବର୍ଷର ତୋରଣର କିଞ୍ଚି ସ୍ୱରୂପ ।

(୨)

ମହାବାତ୍ୟାର ଅବ୍ୟବହିତ ପୂର୍ବେ ପବନ ଯେପରି ସ୍ତମ୍ବିତ ହୋଇଯାଏ ।

(୩)

ଯମର ଭୟଙ୍କର ମୁଖକୁହର ସମ୍ମୁଖର ।

 

ଜଗଝମ୍ପ, ଝରଝରା, ଦାମାମା, ଦୁନ୍ଦୁଭି,

ପ୍ରତିଧ୍ୱନି ଉପୁଜାଇ କକୁଭ-କୁହରେ

ପୁନଃ ପୁନଃ, ବିଶ୍ୱଧ୍ୱଂସୀ ରୁଦ୍ରଶିଙ୍ଗା ପରି, (୧)

ଆମୂଳ ବସୁଧା-ବନ୍ଧ କମ୍ପାଇ ସେ ତାନେ,

ସେ ଆରବେ ମହାଦମ୍ଭେ ମିଶିଲେ ଆହବେ

ଆର୍ଯ୍ୟ ଯବନର ସେନା ଗର୍ଜି ହୁଁ ହୁଙ୍କାର

ପ୍ରଳୟ-ଜୀମୂତ ଯେହ୍ନେ, ପୂର୍ଣ୍ଣ ଇରମ୍ମଦେ, (୨)

ପ୍ରଭଞ୍ଜନପୃଷ୍ଠେ ନଭେ ବେଗେ ଉଡ଼ିଆସି

ବେନି ଆଡ଼ୁ, ବେନିପରେ ପଡ଼ନ୍ତି ବେନିଏ,

ଆତଙ୍କେ କମ୍ପିଲା ବିଶ୍ୱ ସେ ଘୋର ନିର୍ଘୋଷେ,

ଦୈତ୍ୟେଶ୍ୱର ବୃତ୍ର-ଶିରେ ତପଃସାରରୂପି-(୩)

ଦମ୍ଭୋଳି କ୍ଷେପିଲେ ଅବା ଦମ୍ଭୋଳିନିକ୍ଷେପୀ (୪)

କି ପୁରେ, କି ଜନପଦେ ଭୂକମ୍ପନେ ଯଥା

ମଡ଼ ମଡ଼ ମଡ଼ ହୋଇ କମ୍ପିଲା ସଘନେ

ଭବନ, ପାଚେରୀ, ପୀଢ଼ା, ଖରତରସ୍ରୋତେ

ଚାଲିଲା ଯମୁନାପାଣି ସୁରଧୁନୀମୁଖେ,

ପ୍ରଜାପତିକ୍ରତୁଧ୍ୱଂସେ ବୀରଭଦ୍ରରୂପୀ

 

(୧)

ବିଶ୍ୱପ୍ରଳୟକାରୀ ମହାଦେବଙ୍କ ଶିଙ୍ଗା ପରି ।

(୨)

ଇରମ୍ମଦ-ବଜ୍ରାଗ୍ନି ।

(୩)

ତପସ୍ୟା ଅତି କଠିନ କାର୍ଯ୍ୟ । ବଜ୍ର ଅତି କଠିନ ହୋଇଥିବାରୁ ତପସ୍ୟାର ସାରରୂପେ ବର୍ଣ୍ଣିତ ହୋଇଅଛି ।

(୪)

ଦମ୍ଭୋଳି-ବଜ୍ର, ଦମ୍ଭୋଳିନିକ୍ଷେପୀ-ଇନ୍ଦ୍ର ।

 

ବିଶ୍ୱନାଶୀ ରୌଦ୍ରଜ୍ଜ୍ୱର-ପ୍ରଶ୍ୱାସ ପରାୟେ, (୧)

ବହିଲା ମରୁତ, ଦୂର ଦିଙ୍‌ମୁଖ ଘୋଡ଼ାଇ

ଧୂଳି ମେଘେ, ମହାବେଗେ ଉପାଡ଼ି ଦ୍ରୁମାଳି,

ଶାବକର ମାୟା ଛାଡ଼ି ଉଡ଼ିଗଲେ ନୀଡ଼ୁଁ

ବିହଙ୍ଗେ, ଗଗନ ପୂରି କରୁଣ କୂଜନେ,

ପଳାଇଲେ ଜୀବକୁଳ କିଏ କେଉଁ ଆଡ଼େ

ବଣା ହୋଇ, ପଳାଇଲେ ଯୋଗୀ ଯୋଗ ଛାଡ଼ି,

ଗର୍ଭିଣୀର ଗର୍ଭ ସ୍ରବି ପଡ଼ିଲା ଅକାଳେ,

ଚକିତ ଶିଶୁକୁ ତ୍ରସ୍ତେ ଧରିଲାକ ଜାକି

ଆକଟେ ତା ମାତା କ୍ରୋଡ଼େ ସ୍ତନ୍ୟଦାନେରତା, (୨)

ଛନକାରେ ତ୍ରସ୍ତ ହୋଇ ହେଲେ ଛନ୍ନମତି

ସର୍ବପ୍ରାଣୀ କି ଜଳେ, କି ସ୍ଥଳେ, ବିହାୟସେ,

ଆବିଳା, ଫେନିଳା, ଗିରିଗୈରିକେ ଅରୁଣା,

ଜଳୋଚ୍ଛ୍ୱାସେ ବନ୍ଧ ଭାଙ୍ଗି ଢୁଢ଼ୁଆପ୍ରାନ୍ତରେ (୩)

ପଶେ ଘୋ ଘୋ ରବେ ଯଥା ନଦୀକୁଳେଶ୍ୱରୀ

ମହାନଦୀ, ସେ ବିଶାଳ ସ୍ଥଳୀକି ଆବରି

 

(୧)

ଦକ୍ଷଯଜ୍ଞ ଧ୍ୱଂସ ସମୟରେ ଶିବଦୂତ ବୀରଭଦ୍ର ଜ୍ଜ୍ୱରରୂପ ଧାରଣ କରିଥିଲେ ।

(୨)

ଆକଟେ-ନିବିଡ଼ରୂପେ ।

(୩)

ଢୁଢୁଆ ପ୍ରାନ୍ତର ବାଙ୍କିରାଜ୍ୟ ଅନ୍ତର୍ଗତ, ମହାନଦୀର ଦକ୍ଷିଣ ତୀରରେ ଅବସ୍ଥିତ, ମହାନଦୀର ପ୍ରବଳ ବନ୍ୟା ସମୟରେ ଏହା ଦ୍ୱିତୀୟ ଚିଲିକାରେ ପରିଣତ ହୁଏ ।

 

ଜଳ ଆସ୍ତରଣେ ଦୂର ଶୈଳ ଶ୍ରେଣୀ ଯାଏ,

ବୁଡ଼ାଇ ଶ୍ୟାମଳ କ୍ଷେତ୍ର କୃଷିବଳ-ଆଶା,

ଭସାଇ ଗୋଶାଳା, ଖଳା, ମଞ୍ଚ, ଧାନକୋଠୀ

ମହାବେଗେ, ମହାଦ୍ରୁମ-ବିଟପ-ପଲ୍ଲବେ

(ଝାଡ଼ୁଥିଲେ ଆଗେ ଯହିଁ ବିହଙ୍ଗଦମ୍ପତି

ପ୍ରେମାମୋଦେ ଡେଣା) ରଙ୍ଗେ ଖେଳାଇ ମୀନାଳୀ (୧)

ସେରୂପେ ଯବନଦଳେ ଆର୍ଯ୍ୟବରୂଥିନୀ

ପଡ଼ିଲା ପ୍ରଚଣ୍ଡ ବେଗେ, ରଥୀ ସହ ରଥୀ,

ପଦାତି ପଦାତି ସହ, ସାଦୀ ସଙ୍ଗେ ସାଦୀ

ନିଷାଦୀ ନିଷାଦୀ ସହ ମିଶିଲେ ଆହବେ,

ରଣୋନ୍ମାଦ-ଉଦ୍ଦୀପନ ରଣବାଦ୍ୟତାନେ,

ଅସ୍ତ୍ରର ଝନ୍‌ଝନେ, ଧନୁଷ୍ଟଙ୍କାର ଶବଦେ,

ଆହତର ଆର୍ତ୍ତନାଦେ, ଜେତାର ହୁଙ୍କାରେ,

ଚକ୍ରର ଘର୍ଘରେ, ବାଜିରାଜିହ୍ରେଷାରବେ,

ଦନ୍ତାବଳ ଘଣ୍ଟାରବେ, ଆବର ବୃଂହିତେ,

ଉଠିଲା ନିର୍ହ୍ରାବ କର୍ଣ୍ଣ ବିବରବିଦାରୀ,

ଅମ୍ବୁରାଶି-ଘୋଷ ଯଥା ପ୍ରଳୟପବନେ,

ବ୍ରହ୍ମାଣ୍ଡ-ଉଦର ଫାଟିଗଲା କି ସେ ନାଦେ ?

 

(୧)

ଯେଉଁ ବୃକ୍ଷମାନଙ୍କର ଶାଖା ପଲ୍ଲବ ମଧ୍ୟରେ ପୂର୍ବେ ପକ୍ଷୀମାନେ କ୍ରୀଡ଼ା କରୁଥିଲେ ବନ୍ୟାଜଳ ସେ ପର୍ଯ୍ୟନ୍ତ ଉଠିବାରୁ ସେଠାରେ ବର୍ତ୍ତମାନ ମତ୍ସ୍ୟମାନେ କ୍ରୀଡ଼ା କରନ୍ତି ।

 

ବାଣବୃଷ୍ଟି ଘୋଟିଗଲା ଶଲଭ ପରାୟେ (୧)

ନଭୋଦେଶ, ଧୂଳିରାଶି ଅଶ୍ୱଖୁରେ ଉଠି,

ରଥଚକ୍ରେ ସାନ୍ଦ୍ର ହୋଇ, କରି-କର୍ଣ୍ଣତାଳେ

ପ୍ରସରି, ଭାସ୍କରବିମ୍ବ ରୋଧିଲା ଆକାଶେ,

ରଣ-ଉତ୍ସବର ଯୋଗ୍ୟ ଚନ୍ଦ୍ରାତପରୂପେ, (୨)

ବାଳତପ ପ୍ରାୟେ ଶୋହି ସେ ଧୂଳି-ଅନ୍ଧାରେ

ରକ୍ତଧାରା, କର୍ଦ୍ଦମାକ୍ତ କଲା ବସୁନ୍ଧରା,

ରଣଚଣ୍ଡୀଙ୍କର କି ସେ ଅଲକ୍ତକ-ଲାଗି ? (୩)

ଯୁଗାନ୍ତ-ମାର୍ତ୍ତଣ୍ଡ ପ୍ରାୟେ ଜଳିଲା ଅମ୍ବରେ

ଉଜ୍ଜ୍ୱଳ ଯାଦବଚକ୍ର, ମୈଥିଳ-ନାରାଚେ

ଅନ୍ଧାର ଦିଶିଲା ଦିଗ, ଚପଳା ଚମକେ

ଚମକି ଉତ୍କଳୀ ଖଣ୍ଡା, ନେପାଳୀ କଟାରୀ,

କୌଶେୟର ଭିନ୍ଦିପାଳ, ବୈରାଟ ପରଶୁ,

ପଡ଼ିଲା ଝନ୍‌ଝନେ ଟାଣେ ରିପୁବାରବାଣେ; (୪)

ପ୍ରମତ୍ତ-ମାତଙ୍ଗ ଦନ୍ତୁ ତ୍ରୀବ ଅସ୍ତ୍ରାଘାତେ

ଅନଳସ୍ଫୁଲିଙ୍ଗ ଝଡ଼ି ଲିଭିଲା ତକ୍ଷଣେ

 

(୧)

ଶଲଭ-ଫିଡ଼ିଙ୍ଗି, ଝିଣ୍ଟିକା ।

(୨)

ରଣଧୂଳି ଆକାଶରେ ବ୍ୟାପ୍ତ ହୋଇ ରଣୋତ୍ସବ ଉପଯୁକ୍ତ ଚନ୍ଦ୍ରାତପ ହେଲା ।

(୩)

ରକ୍ତଧାରା ଯୁଦ୍ଧର ଅଧିଷ୍ଠାତ୍ରୀ ଦେବୀଙ୍କର ଅଲକ୍ତକ ପ୍ରାୟ ହେଲା ।

(୪)

ଟାଣେ-ଭୟଙ୍କର ରୂପେ, ରିପୁବାରବାଣେ-ଶତ୍ରୁମାନଙ୍କର ଧାତୁଗଠିତ କବଚ ଉପରେ ।

 

ଉଚ୍ଛ୍ୱାସେ ଉତ୍‌ଥିତ କର-ଶୀକର-ଆସାରେ; (୧)

ଭାସ୍ୱର ଶାଣିତ ଶର ସୈନ୍ୟଙ୍କ ଶରୀରେ

ପଶିଲା ସବେଗେ, ଯେହ୍ନେ ଉରଗ ବଲ୍ମୀକେ, (୨)

ଭ୍ରୂକୁଟୀକୁଟିଳ ମୁଖେ ଅଧର କାମୋଡ଼ି

ଅରାତି ଅରାତି ସଙ୍ଗେ ଯୁଝିଲେ ବିକ୍ରମେ

ନିଦାରୁଣ ସେ ବିମର୍ଦ୍ଦେ, ପ୍ରହାରି ନିର୍ଦ୍ଦୟେ (୩)

ଅରିକି, ପ୍ରହାର ତାର ଖାଇ ଅକାତରେ,

ରକ୍ତାକ୍ଷୁଁ ସଘନେ ଫିଙ୍ଗି ରୋଷାନଳକଣା;

ବିରଥ, ହତାଶ୍ୱ ହୋଇ ରଥୀ, ଅଶ୍ୱବାରେ

ଯୁଝିଲେ ପଦାତିରୂପେ ଶସ୍ତ୍ରେ ଶସ୍ତ୍ରେ ହାଣି,

ଶସ୍ତ୍ର ଭାଙ୍ଗିଲାରୁ ଗାଢ଼େ ହୋଇ ଭିଡ଼ାଭିଡ଼ି,

ମୁଷ୍ଟାମୁଷ୍ଟି, ମୁଥାମୁଥି, କଚାକଚି ରଚି

ଗଡ଼ିଲେ, ଅବନିତଳେ ବେନି ରଣଗୋଳେ;

ହସ୍ତୀ, ଅଶ୍ୱ, ରଥୁଁ ଖସି ପଡ଼ିଲେ ପ୍ରବୀରେ

ହତ ହୋଇ, ପୁଣ୍ୟକ୍ଷୟେ ପଡ଼ନ୍ତି ଭୂତଳେ

ତୀରବେଗେ ତାରାକାରେ ଯଥା ପୁଣ୍ୟପ୍ରାଣୀ;

ଅକାଟୁ ଧାରଣଦମ୍ଭେ ଶତ ଶତ ଭଟେ (୪)

 

(୧)

ଶୁଣ୍ଢର ଫୁତ୍‌କାରଜନିତ ଶୀକରବୃଷ୍ଟିରେ ।

(୨)

ଉଇହୁଙ୍କା ମଧ୍ୟରେ ସାପ ପରି ।

(୩)

ବିମର୍ଦ୍ଦ-ଯୁଦ୍ଧ ।

(୪)

ଅସ୍ତ୍ରରେ ଅଚ୍ଛେଦ୍ୟ ହେବେ, ଏହି ବିଶ୍ୱାସରେ ପୂର୍ବେ ଯୋଦ୍ଧାମାନେ ଶରୀରରେ ଏକପ୍ରକାର ଜଡ଼ି ଧାରଣ କରୁଥିଲେ, ସେହି ଜଡ଼ିର ନାମ ଅକାଟୁ, ଭଟ-ଯୋଦ୍ଧା ।

 

ଅଚ୍ଛେଦ୍ୟ ଅଭେଦ୍ୟ ଅସ୍ତ୍ରେ ନିଜ ଦେହ ମଣି,

ରଣଗୋଳେ ପଶି, ଶତ୍ରୁହସ୍ତେ ହାଣ ଖାଇ,

ବିଧିଲିପି କାଟିବାକୁ ଅକ୍ଷମ ଅକାଟୁ

କିଣିଲେ ଏ ମହାଜ୍ଞାନ ପ୍ରାଣ-ମୂଲ୍ୟ ଦେଇ,

ଗଣ୍ଡିରୁ ବିଚ୍ଛିନ୍ନ ହୋଇ ଛଟକେ ଛିଡ଼ିକି

ଛଟ ଛଟ ହେଲା ଭୂମେ ରକ୍ତଉତ୍ସସ୍ରାବୀ (୧)

ସାଳଙ୍କାର ହସ୍ତ ପାଦ, ସଶିରସ୍ତ୍ର ଶିରଃ, (୨)

ପେଷି ହୋଇଗଲେ ପତ୍ତି ଅଶ୍ୱେ ଅଶ୍ୱ ରଥେ (୩)

ରଥ, ଗଜେ ସେ ବିମର୍ଦ୍ଧେ; ରୁଧିର-କର୍ଦ୍ଦମେ

ମସ୍ତିଷ୍କ, ଯକୃତ, ପ୍ଳୀହା, ଅନ୍ତ୍ର, ମାଂସ, ବସା,

ହୃଦୟାଦି ମିଶି ହେଲା ଅଯତ୍ନେ ସେ କାଳେ

ଭୈରବୀର ଭୋଗଯୋଗ୍ୟ ବୀଭତ୍ସଘାଣ୍ଟିଆ; (୪)

ରଣବ୍ୟୋମେ ଶ୍ୟେନପନ୍ତି ଉଡ଼ିଲେ କୌତୁକେ

ମାଂସଲୋଭେ, ରଣଲକ୍ଷ୍ମୀ-ପାରାବତରୂପୀ; (୫)

ରଥୀ କି ଅଚେତା ଦେଖି ଦେଲା ବାହୁଡ଼ାଇ

ରଥ ରଥଯନ୍ତା କାହିଁ ବିଜୁଳିର ବେଗେ, (୬)

 

(୧)

ରକ୍ତ-ଉତ୍ସସ୍ରାବୀ-ରୁଧିର ପସ୍ରବଣସ୍ରାବୀ ।

(୨)

ସଶିରସ୍ତ୍ର-କିରୀଟଯୁକ୍ତ

(୩)

ପତ୍ତି-ପଦାତିକ

(୪)

ଭୈରବୀ-ପ୍ରେତମାନଙ୍କର ଅଧିଷ୍ଠାତ୍ରୀ ଦେବତା

(୫)

ପାରା-ଲକ୍ଷ୍ମୀଙ୍କର ପ୍ରିୟ ପକ୍ଷୀ । ଶେନ୍ୟମାନେ ରଣଲକ୍ଷ୍ମୀଙ୍କର ପାରାସ୍ୱରୂପ ହେଲେ ।

(୬)

ରଥଯନ୍ତା-ସାରଥି ।

 

ତୀବ୍ର କଶାଘାତେ ତ୍ରାସେ ତଡ଼ି ବାହାବଳୀ; (୮)

କାହିଁ ଫେଣୋଦ୍ଗାରିମୁଖେ, ରକ୍ତାକ୍ତ ବିଗ୍ରହେ

ଅନିଳ ଉଗାରି ଘୋଣନିଃସୃତ-ଫୁତ୍କାରେ

ବ୍ୟସ୍ତେ ପଳାଇଲେ ଅଶ୍ୱ, ନିହତ ସାଦିକି

ପୃଷ୍ଠେ ବହି, ଶିରସ୍ତ୍ରାଣ ଲୋଟାଇ ଭୂତଳେ

ସେ ସାଦୀର, ଶୋଣିତାର୍ଦ୍ର କୁନ୍ତଳ ସହିତେ,

ପଳାଇଲେ ରଣସ୍ଥଳୁଁ ବିକଟ ଚିତ୍କାରେ

ସୌଦାମିନୀପ୍ରଭ-ହେମପ୍ରବେଣୀମଣ୍ଡିତ (୨)

କରିବୃନ୍ଦ, ମନ୍ଦ୍ରଘୋଷିଘନଘଟାକୃତି,

ତ୍ରାସେ ଥୋରପାର ଟେକି, ଫିଙ୍ଗି ଆରୋହିକି,

ସ୍ୱଦଳ ବିପକ୍ଷଦଳ ଦଳି ନିର୍ବେଶେଷେ;

ଅସଂଖ୍ୟ ଯବନଯୋଥେ ହେଲେ ରଣଶାୟୀ,

କେତେ ଆର୍ଯ୍ୟେ ବେନିପକ୍ଷେ ଗଲେ ପ୍ରେତପୁରେ,

କେ କଳିବ ? କେ ଗଣିବ ବରଷାର ଧାରା ?

ଅମୂଲ୍ୟ ଯେ ରକ୍ତ, ଆହା, ଦେଶରକ୍ଷା ଲାଗି,

ବିଫଳେ ସ୍ରବିଲା ତାହା ଭ୍ରାତୃଘାତିରଣେ ! (୩)

 

(୧)

ବାହାବଳୀ-ଘୋଟକମାନଙ୍କୁ ।

(୨)

ବିଜୁଳି ପରି ଉଜ୍ଜ୍ୱଳ ସୁବର୍ଣ୍ଣାସ୍ତରଣ ଆବୃତ । ହସ୍ତୀମାନଙ୍କ ସହିତ ମେଘର ଏବଂ ପ୍ରବେଣୀ ସହିତ ସୌଦାମିନୀର ଉପମା ।

(୩)

ଆର୍ଯ୍ୟମାନଙ୍କର ଉଚିତ ଥିଲା ଯେ ସେମାନେ ଏକତାବନ୍ଧନରେ ବଦ୍ଧ ହୋଇ ଜନ୍ମଭୂମିର ସ୍ୱାଧୀନତା ରକ୍ଷା ସକାଶେ ସେମାନଙ୍କର ବହୁମୂଲ୍ୟ ଶୋଣିତ ପ୍ରଦାନ କରିଥାନ୍ତେ, ସେମାନେ ତାହା ନ କରି ଆପଣା ଆପଣା ମଧ୍ୟରେ ହଣାହଣି ହୋଇ ସେହି ଶୋଣିତ ବୃଥା ବ୍ୟୟ କଲେ ।

 

ଦେବାକୃତି ଦେବାନୀକ ହଂସପୁରପତି (୧)

ଶୁଆଇଲେ ଉଜ୍ଜୟିନୀପତିଙ୍କି ଝଟତି

ଅସ୍ୱପ୍ନକ୍ଷୁଭିତ ତଳ୍ପେ ପରଶୁ ଆଘାତେ; (୨)

ଅଞ୍ଜନ ଅଞ୍ଜନପ୍ରଭ ପଞ୍ଚାଳଭୂପତି (୩)

ଜୟଚନ୍ଦ୍ର ପ୍ରିୟସଖା ହେଲେ ଧରାଶାୟୀ,

ଚେଦିନାଥରୋହିତାସ୍ୟ ବରଛିଭେଦନେ, (୪)

ଶସ୍ତ୍ର ଭୂସି ରୋହିତାସ୍ୟ ଶତ୍ରୁ ନାଭିତଳେ

ଓଟାରି ନେଲେ ତା ମୁନ ଶତ୍ରୁପ୍ରାଣ ସହ,

ବିକ୍ରମ କାଶ୍ମୀରପତି ଯୁଝିଲେ ବିକ୍ରମେ, (୫)

ରଣଚଣ୍ଡ ବତ୍ସରାଜ ରଣଚଣ୍ଡ ତୁଲେ, (୬)

ରଣଚଣ୍ଡ-ଭଲ୍ଲ ତାଙ୍କ କର୍ଣ୍ଣ ମୂଳେ ପଶି

ଶୋଶିତଭବକା ସହ ଅଇଲା ବାହାରି,

ତୁରଙ୍ଗୁ ବିକ୍ରମ ଖସି ଆଶ୍ରିଲେ ଅନ୍ତିମେ

 

(୧)

ଦେବାନୀକ-ମୁଲତାନ୍‌ର ଅଧୀଶ୍ୱର । ଯବନପକ୍ଷୀୟ ।

(୨)

ଅସ୍ୱପ୍ନକ୍ଷୁଭିତତଳ୍ପ-ଯେଉଁ ଶଯ୍ୟାରେ ନିଦ୍ରା ସ୍ୱପ୍ନଦ୍ୱାରା କ୍ଷୁଭିତ ହୁଏ ନାହିଁ । ମହାନିଦ୍ରାର ଶଯ୍ୟା ।

(୩)

ଅଞ୍ଜନ-ପଞ୍ଜାବର ରାଜା, ଯବନପକ୍ଷୀୟ । ଅଞ୍ଜନପ୍ରଭ-କୃଷ୍ଣବର୍ଣ୍ଣ ।

(୪)

ରୋହିତାସ୍ୟ-ଚେଦିରାଜ, ଆର୍ଯ୍ୟପକ୍ଷୀୟ ।

(୫)

ବିକ୍ରମ-କାଶ୍ମୀରରାଜ, ଯବନପକ୍ଷୀୟ ।

(୬)

ରଣଚଣ୍ଡ-ବତ୍ସଦେଶର ରାଜା ପୃଥୁପକ୍ଷୀୟ ।

 

ଭୂମିଶଯ୍ୟା, ଚନ୍ଦ୍ରାନନୀ-କାଶ୍ମୀର-ତରୁଣୀ (୧)

ପରିବର୍ତ୍ତେ ଶ୍ୟେନୀ-ଲଭି ଶଯ୍ୟାସଖୀରୂପେ;

ରଣଚଣ୍ଡ-ଜୟହର୍ଷ ହେଲା କ୍ଷଣସ୍ଥାୟୀ,

ବନ୍ଧୁଜୀବପୁଷ୍ପ-ପୃଥୁ ରକ୍ତବିନ୍ଦୁ ସ୍ରାବୀ (୨)

ବିକ୍ରମର ମୁଣ୍ଡ ଉର୍ଦ୍ଧ୍ୱେ ତୋଳି ଉଲ୍ଲମୁନେ

ସଦମ୍ଭେ ଦେଖାନ୍ତେ, ତାଙ୍କ ମୁଣ୍ଡ ସେହି କ୍ଷଣି

ଭଲ୍ଲଲଗ୍ନ ମୁଣ୍ଡ ସଙ୍ଗେ ଗଡ଼ିଲା ଭୂତଳେ

ବିକ୍ରମସୋଦର-କ୍ଷେମଧନ୍ୱାଖଡ଼୍‌ଗାଘାତେ; (୩)

ଅଙ୍ଗନାଥ ଯୁଧାଜିତ ଆକ୍ରମିଲେ ରୋଷେ (୪)

ମଦନ-ସୁନ୍ଦର ଯୁବା ପ୍ରସେନ ପ୍ରବୀରେ, (୫)

ଜୟଚନ୍ଦ୍ର-ପୁତ୍ରବେନି, ରଥୀ, ରଥବାହୀ

ଏକା ରଥେ, ଏକମୁନା ଭିନ୍ନ ମାତ୍ର ଦେହେ,

ଯୁଆଜିତ କ୍ରୂରକୁନ୍ତ ସ୍ୱରୂପ-ନିର୍ମମ, (୬)

ସୁରୂପ ପ୍ରସେନବକ୍ଷେ ସ୍ତନୋପରି ପଶି,

 

(୧)

କାଶ୍ମୀରଦେଶୀୟ ନାରୀମାନେ ସୌନ୍ଦର୍ଯ୍ୟ ନିମନ୍ତେ ପ୍ରସିଦ୍ଧ ।

(୨)

ବନ୍ଧୁଜୀବପୁଷ୍ପ ପରି ସ୍ଥୂଳରକ୍ତବିନ୍ଦୁ ଯେଉଁ ମୁଣ୍ଡରୁ ସ୍ରବୁଥିଲା ।

(୩)

କ୍ଷେମଧନ୍ୱା-କାଶ୍ମୀରପତିଙ୍କ ଭ୍ରାତା, ଯବନପକ୍ଷଭୁକ୍ତ ।

(୪)

ଯୁଧାଜିତ-ଅଙ୍ଗରାଜ, ଆର୍ଯ୍ୟପକ୍ଷୀୟ ।

(୫)

ପ୍ରସେନ ଏବଂ ପ୍ରବୀର ଜୟଚନ୍ଦ୍ରଙ୍କ ପୁତ୍ର, ଏକ ରଥରେ ଜଣେ ରଥୀ ଏବଂ ଜଣେ ସାରଥି ହୋଇ ଯୁଦ୍ଧ କରୁଥିଲେ ।

(୬)

ସୁରୂପନିର୍ମମ-ସୌନ୍ଦର୍ଯ ପ୍ରତି ଯାହାର ଲେଶମାତ୍ର ମାୟା ମମତା ନାହିଁ; କୁନ୍ତର ବିଶେଷଣ ।

 

ଫୁଟିଲା ରକ୍ତାକ୍ତମୁନେ ପୃଷ୍ଠେ ଗ୍ରୀବାତଳେ,

ବଲ୍‌ଗାଧାରୀ ପ୍ରବୀରକୁ ଆବର ସେକ୍ଷଣି (୧)

ଲୋଟାଇଲେ ଯୁଧାଜିତ ଭୂମେ ଅସିଚୋଟେ,

କାଷ୍ଠାଜୀବ ଯେହ୍ନେ ବନେପୁଷ୍ପିତ କିଂଶୁକେ (୨)

ଶୈଳଖୋଲେ ଭ୍ରମୁଁ ଭ୍ରମୁଁ ମୃଗୟାଆଶୟେ,

ହରିଣଶିଶୁକୁ ପଥେ ହର୍ଯ୍ୟକ୍ଷ ଯେପରି

ହାବୋଡ଼ି, କାମୋଡ଼ି ଦନ୍ତେ କ୍ଷୀଣ ପ୍ରାଣ-ତାର

ଦିଏ ଝାଡ଼ି, ଅକ୍ଷମ ସେ ଶିଶୁର ରକ୍ଷଣେ

ତ୍ରାସେ ମୃଗୀ ସେହି ଦୃଶ୍ୟ ଗୁଳ୍ମତଳେ ଲୁଚି

ଦେଖୁଥାଇ ଥରି ଥରି ସ୍ୱିନ୍ନ-କଳେବରେ, (୩)

ପୁତ୍ରଙ୍କର ଏହି ଦଶା ଅଦୂରୁଁ ନିରେଖି

ରହିଲେ ତେସନେ ଉଭା କାନ୍ୟକୁବ୍‌ଜପତି

ସ୍ତମ୍ଭୀଭୂତେ, ଶସ୍ତ୍ରହସ୍ତେ, ଲୋତକନୟନେ;

ପୁଷ୍କଳାବତୀର ପତି ଶମ୍ବ-ଶିରୋପରେ (୪)

ପ୍ରହାରିଲେ ମହଗଦା ମହାଗଦାଧାରୀ

ଜଂଘାଳମାଳବ-ରାଜ, ଯେ ଭୀମ ଆଘାତେ (୫)

 

(୧)

ବଲ୍‌ଗାଧରୀ-ସାରଥି ।

(୨)

କାଷ୍ଠାଜୀବ-କାଠ କାଟିବା ଯାହାର ଜୀବିକା ।

(୩)

ସ୍ୱିନ୍ନ-ସ୍ୱେଦଯୁକ୍ତ, ଘର୍ମାକ୍ତ ।

(୪)

ଶମ୍ବ-ପୁଷ୍କଳାବତୀର ଅଧୀଶ୍ୱର; ଯବନପକ୍ଷୀୟ ।

 

ଚୂର୍ଣ୍ଣ ହୋଇ ଶମ୍ବକଳ୍ପ ଶମ୍ବ-ଶିରସ୍ତ୍ରାଣ (୧)

ଫାଟିଗଲା ଭାଲ-ଅସ୍ଥି, ପଡ଼ିଲା ବାହାରି

ନୟନକୋଟରୁ ବେନି ନୟନର ଡୋଳା;

ନ ପାରିଲେ ସଶିରସ୍କ ସ୍ୱଶିର ବଞ୍ଚାଇ

ଶାଳାତୁର-ପତି ଶଙ୍ଖ, ଅମୋଘ ନିପାତୀ (୨)

ଉଡ୍ରପତି ଯଯାତିର ଧୂପଖଣ୍ଡା-ଚୋଟୁଁ (୩)

ଦ୍ୱିଧା ହୋଇ ମୁଣ୍ଡ, ଭଗ୍ନ ଦଧିଭାଣ୍ଡୁ ଯଥା,

ପଡ଼ିଲା ମସ୍ତିଷ୍କ ତଳେ ଥପ ଥପ ହୋଇ,

ବଙ୍ଗେଶ୍ୱର ଶାଳଦିତ୍ୟ ଫିଙ୍ଗିଲେ ସାବେଳି (୪)

ତକ୍ଷଶିଳାପତିବକ୍ଷ ଲକ୍ଷି ମହାବଳେ, (୫)

ତକ୍ଷଶିଳା-ଢାଲଗୁବା ଭେଦିଲାଖି ହୋଇ

ଦୋହୋଲିଲା ସେ ସାବେଳି, ଅକ୍ଷତେ ସେ ତହୁଁ

ଶାଳାଦିତ୍ୟ ପରେ ପଡ଼ି ବିଜୁଳିର ବେଗେ

ଭୁସିଦେଲେ ତାଙ୍କ ଗଳେ ସୁତୀକ୍ଷ୍‌ଣ କଟାରି,

ଖଣ୍ଡି ତାଙ୍କ ରଣକଣ୍ଡୁ ଚିରଦିନ ଲାଗି; (୬)

ମାତ୍ର ପ୍ରତିଶୋଧ ତାର ଲଭିଲେ ସେକ୍ଷଣି

 

(୧)

ଶମ୍ବକଳ୍ପ-ବଜ୍ରପରି କଠିନ ।

(୨)

ଶଙ୍ଖ-ଲାହୋରରାଜ, ଯବନପକ୍ଷୀୟ ।

(୩)

ଯଯାତି-ଉତ୍କଳରାଜା, ଆର୍ଯ୍ୟପକ୍ଷୀୟ ।

(୪)

ଶାଳାଦିତ୍ୟ-ବଙ୍ଗଦେଶର ରାଜା, ଆର୍ଯ୍ୟପକ୍ଷୀୟ ।

(୫)

ତକ୍ଷଶିଳାପତି-ଯବନପକ୍ଷୀୟ ।

(୬)

ରଣକଣ୍ଡୁ-ଯୁଦ୍ଧାଭିଳାଷ ।

 

ପୌଣ୍ଡ୍ରପତି ମହେନ୍ଦ୍ରର ବରଛିର ମୁନେ, (୧)

ସେ ବରଛି ତକ୍ଷଶିଳା ପିଚୁଳିପ୍ରଦେଶ

ପଶି ଲୋଟାଇଲା ତାଙ୍କୁ ଉତ୍ତାନେ ଭୂତଳେ,

ଭକ ଭକ ରକ୍ତ ସ୍ରାବି ବୁଜିଲ ସେ ଆଖି,

କୌଶେୟପ୍ରବର ବଜ୍ରଘୋଷ ଭିନ୍ଦିପାଳେ (୨)

କନଖଳପତିଙ୍କର ସ୍କନ୍ଧସନ୍ଧି ଛିଡ଼ି (୩)

ଗଲା ସେହ୍ନା ସହ ସେହୁ ପଡ଼ିଲେ ଝନ୍‌ଝନେ,

ବେକଷଣ୍ଡା ସଙ୍ଗେ ଗଲା ଭବଲୀଳା ଭାଙ୍ଗି,

ଅମ୍ବାଳୟପତି-ଶିରୁ ଶିରସ୍କ ସୁନ୍ଦର, (୪)

କଣ୍ଠାରୁ ସେ ଶିର ପୁଣି ଲୋଟାଇଲେ ଭୂମେ

ଅମର୍ଷି-ଅନୁଜ ଜିଷ୍ଣୁ ବେନି ଅସି ଚୋଟେ; (୫)

ବାଳେନ୍ଦୁ-ଲାଞ୍ଚିତ ଧ୍ୱଜ ପରେ ଲକ୍ଷ୍ୟ ରଖି

ଯୁଝିଲେ ସ୍ୱଦଳେ ପୃଥୁ, ଅରାତିପ୍ରମାଥୀ,

ଆର୍ଯ୍ୟତରୀ-କର୍ଣ୍ଣଧାର ସମର ସାଗରେ,

ନର୍ତ୍ତିତକିରୀଟ ଦେବ-କାର୍ତ୍ତିକପ୍ରତିମ, (୬)

ଅନିବର୍ତ୍ତି ରଣେ, ସୈନ୍ୟେ ସଦା ଅଗ୍ରଯାୟୀ,

 

(୧)

ଜଂଘାଳ-ମାଳବପତି, ଆର୍ଯ୍ୟପକ୍ଷୀୟ ।

(୨)

ମହେନ୍ଦ୍ର-ପୌଣ୍ଡ୍ରରାଜ, ଆର୍ଯ୍ୟପକ୍ଷୀୟ ।

(୩)

ବଜ୍ରଘୋଷ-ଆର୍ଯ୍ୟପକ୍ଷୀୟ ରାଜା ।

(୪)

କନଖଳ-ହରିଦ୍ୱାରର ଅଦୂରବର୍ତ୍ତୀ, କନଖଳପତି-ଯବନପକ୍ଷୀୟ ।

(୫)

ଅମ୍ବାଳୟ-ଆଧୁନିକ ଅମ୍ବାଲା । ଅମ୍ବାଳୟପତି-ଯବନପକ୍ଷୀୟ ।

(୬)

ଜିଷ୍ଣୁ-ଅର୍ମିଷଙ୍କ କନିଷ୍ଠ ସହୋଦର, ଆର୍ଯ୍ୟପକ୍ଷୀୟ ।

(୭)

ଦୋଦୁଲ୍ୟମାନ-କିରୀଟ କାର୍ତ୍ତିକେୟଙ୍କ ପରି, ଅମର୍ଷିର ବିଶେଷଣ ।

 

ପରପୁରଞ୍ଜୟୀ ଶୂର ଅମର୍ଷୀର ଅସି

ବୁଲିଲା କୁଲାଳଚକ୍ର ପ୍ରାୟେ ସେ ସଂଗ୍ରାମେ

ସହସ୍ର ସହସ୍ର ଶତ୍ରୁ ଲୋଟାଇ ଭୂତଳେ,

ସକିରୀଟ କାହା ଶିରଃ, ସଶସ୍ତ୍ର କା ବାହୁ,

ସକଙ୍କଟ କାହା ଉରଃ, ସମେଖେଳ କଟି (୧)

କାଟିଲେ କଦଳୀକାଣ୍ଡ ପ୍ରାୟେ କରବାଳେ

ଅଶ୍ୱବାର ମହାବୀର, ଛେଦିଲେ କାହାରି

ଉପବୀତଛନ୍ଦେ, ଦେହ, ସ୍କନ୍ଧୁ କଟିଯାଏ,(୨)

ଶ୍ମଶ୍ରୁଳ-ଯବନମୁଣ୍ଡ ଶତ ଶତ ଭୂମେ

ଗଡ଼ାଇ ପୂଜିଲେ କି ସେ ରଣଚଣ୍ଡୀ-ପଦ

ସରଘାମଣ୍ଡିତ ରକ୍ତକମଳକୁସୁମେ ? (୩)

ଊର୍ମି ପରେ ଊର୍ମି ଯଥା ଅମ୍ଭୋନିଧିକୂଳେ,

ଦଳେ ଦଳେ କଲେ ଆସି ସଦମ୍ଭେ ଚଢ଼ାଉ

ବୀରପରେ ଯବନର ବ୍ୟହିତ ବାହିନୀ,

ବୃଥା ଶ୍ରମ ! ଗିରି କେବେ ଟଳଇ କି ଗାରେ ?

ତରୁଉନ୍ମୂଳନ ଝଂଜାବାତ୍ୟାର ଆଘାତେ ?

ବର୍ତ୍ତି ନ ପାରିଲେ କେହି ଅମର୍ଷି ସମ୍ମୁଖେ

 

(୧)

ସକଙ୍କଟ-କବଚଯୁକ୍ତ ।

(୨)

ଦେହରେ ପଇତା ଯେଉଁ ଭାବରେ ପଡ଼ିଥାଏ ।

(୩)

ସରଘାମଣ୍ଡିତ-ଶିଶୁଭ୍ରମରଯୁକ୍ତ, ଯବନମାନଙ୍କ ମସ୍ତକ ସହିତ କମଳର ଏବଂ ଶ୍ମଶ୍ରୁ ସହିତ ଭ୍ରମରର ଉପମା।

 

ସେ ଭୀମ ରୁଧିରବର୍ଷି-ରୋମହର୍ଷି-ହାଣେ, (୧)

ଶୋଭିଲେ ସେ ଅରିଦଳେ, ଗିରିବ୍ରଜେ ଯଥା

ବଜ୍ର, ତମଃପୁଞ୍ଜେ ତେଜଃ, ଔର୍ବସିନ୍ଧୁଜଳେ, (୨)

ଦାବାନଳ ତରୁଦଳେ, ବଇରି କପୋତେ,

ବାସନା-ପ୍ରପଞ୍ଚେ କିବା ବିବେକ ଯେସନେ; (୩)

କୃପାଣ-ମନ୍ଥନ-ଦଣ୍ଡେ ଯବନ-ବାରିଧି

ମନ୍ଥି ଯଶଃ-କଉସ୍ତୁଭ ଅର୍ଜିଲେ ସୁରଥୀ; (୪)

ତେଜଃପୁଞ୍ଜ ଅଜାମିଳେ ଶୂଳର ପ୍ରାଚୀରେ

ରଖିଲେ ବୀରକୁ ବେଢ଼ି ବଜ୍ରଦୁର୍ଗ ପ୍ରାୟେ,

ଉତ୍ତୋଳି ଶଳାକା ଯେହ୍ନେ କୁପିତ ଶଲ୍ଲକୀ; (୫)

ଯଥା ମହାନଦୀ-ବନ୍ୟା ମହାବେଗେ ଆସି

ମହାଶମ୍ଭୁ ସିଂହନାଥ-ଅଧିଷ୍ଠାନେ ପୂତ- (୬)

 

(୧)

ରୋମହର୍ଷିହାଣ-ଲୋମହର୍ଷଣକାରୀ ପ୍ରହାର ।

(୨)

ଔର୍ବ- ବାଡ଼ବାନଳ ।

(୩)

ବିବେକ ଅର୍ଥାତ୍‌ ଜ୍ଞାନୋଦୟ ହେଲେ ବାସନାସମୂହ ନଷ୍ଟ ହୁଏ ।

(୪)

କୌସ୍ତୁଭ ସମଦ୍ରମନ୍ଥନରୁ ଉଦ୍‌ଗତ ହୋଇଥିଲା ।

(୫)

ଶଲ୍ଲବୀ-ଝିଙ୍କ କୁପିତ ହେଲେ ତାହାର ଶଳାକାମାନ ଉଦ୍ଦଣ୍ଡ ହୁଏ ।

(୬)

ସିଂହନାଥ-ବାଙ୍କି ଅନ୍ତର୍ଗତ ବୈଦ୍ୟେଶ୍ୱର ସମ୍ମୁଖବର୍ତ୍ତୀ ଦ୍ୱୀପଶୈଳ । ଏହି ଶୈଳର ପାଦଦେଶରେ ସିଂହନାଥଙ୍କ ଦେଉଳ ପ୍ରତିଷ୍ଠିତ । ମହାନଦୀ ବନ୍ୟା ପଶ୍ଚିମରୁ ଆସି ଏହି ଶୈଳର ପ୍ରତିଘାତରେ କିଛି ଦୂର ଉଜାଣି ପ୍ରବାହିତ ହୁଏ । ସେଠାରୁ ପୁଣି ଦ୍ୱିଧା ବିଭକ୍ତି ହୋଇ ଦୁଇ ପ୍ରବାହ, ସିଂହନାଥ ଶୈଳର ଉଭୟ ପାର୍ଶ୍ୱ ଦେଇ ପୂର୍ବମୁଖରେ ପ୍ରବାହିତ ହୁଏ, ଏହି ପର୍ବତର ପ୍ରତିଘାତ ଯୋଗୁଁ ମହାନଦୀ ଏହିଠାରେ ଦ୍ୱିସ୍ରୋତା ।

 

ଦ୍ୱୀପଶୈଳମୂଳ ଭେଟି, ପ୍ରତିଘାତବଳେ

ପଛକୁ ନେଉଟି, ପୁଣି ବେନି ଧାର ହୋଇ

ଗିରି ବେନି ପାଖେ ବହିଯାଏ ପୂର୍ବମୁଖେ,

ସମରେ ଦୁର୍ଦ୍ଧର୍ଷବୀର ଅମର୍ଷୀ ଅଗ୍ରତେ,

ପ୍ରତାପେ ତେସନ ତାଙ୍କ ଅସ୍ତବ୍ୟସ୍ତ ହୋଇ

ଦ୍ୱିଧା ବିଦାରିତ ହେଲା ଯବନବାହିନୀ

ପୁନଃ ପୁନଃ, ଦଳେ ଦଳେ ପଡ଼ି ରଣୋନ୍ମାଦେ;

ଅସି-ଆସ୍ଫାଳନ-ବେଗେ ତାଙ୍କର ମୂରତି

ଦିଶିଲା ପ୍ରବିଷ୍ଟ କି ସେ ବିଦ୍ୟୁତ-ପଞ୍ଜରେ, (୧)

ଜ୍ୱାଳାବିଳ-ଜିହ୍ୱା ଚାଳି ଚାଲେ ଖରବେଗେ (୨)

ନାବାନଳ, ନିରର୍ଗଳ ଯେହ୍ନେ ମହାବନେ, (୩)

ଚାଲିଲେ ପ୍ରଚଣ୍ଡେ ସେହୁ ବୈରିଦଳ ଭେଦି,

ସହସା ସ୍ୱଦଳୁଁ ବୀର ବିଶ୍ଳିଷ୍ଟ ହୋଇଣ

ପଶିଲେ ଯବନବ୍ୟୂହେ, ଶତ୍ରୁ ଭଲ୍ଲାଘାତେ

ଗଳେ ବିଦ୍ଧ ହୋଇ ତାଙ୍କ ତୁରଙ୍ଗ ଏକାଳେ

ପଡ଼ିଲା ନିହତ ହୋଇ ରୁଧିର-କର୍ଦ୍ଦମେ,

ଅଶ୍ୱୁଁ ଡେଇଁପଡ଼ି ବୀର ପଦାତିକ ରୂପେ

ଯୁଝିଲେ ଅରାତି ସଙ୍ଗେ ଅତୁଟ ସାହସେ,

 

(୧)

ଅତିବେଗରେ ଅସି ଆସ୍ଫାଳନ ଯୋଗୁଁ ଅମର୍ଷୀ ତଡ଼ିତପଞ୍ଜରମଧ୍ୟଗତ ପରି ବୋଧହେଉଥିଲେ ।

(୨)

ଜ୍ୱାଳାବଳି-ଜିହ୍ୱା-ଜ୍ୱାଳାମାଳାରୂପ ରସନା ।

(୩)

ନିରର୍ଗଳ-ଅପ୍ରତିହତ ଗତି ।

 

ଲଘୁହସ୍ତ ଯୋଗୁଁ ଶୋହି ସେ ମହାସଙ୍କଟେ (୧)

ସର୍ବାଙ୍ଗେ ଆବୃତ ଯେହ୍ନେ ନିଜ କରବାଳେ,

ଝଡ଼ିଲା ଯବନମୁଣ୍ଡ ସେ କୃପାଣ ଚୋଟେ

ଶତ ଶତ ପକ୍ୱପର୍ଣ୍ଣ ଶୀତାନ୍ତେ ଯେସନ;

କୃଷିବଳ-ଦାତ୍ରେ ଅବା ପକ୍ୱଶସ୍ୟାବଳୀ (୨)

କୃଷୀକ୍ଷେତ୍ରେ, କୃଷୀବଳପ୍ରିୟ-ଧନୁମାସେ । (୩)

ଶତପ୍ରସରଣେ ଏବେ ବେଢ଼ିଲେ ଅରାତି

ଅମର୍ଷିଙ୍କି, ଆର୍ଜୁନିକି ଯଥା କୁରୁଚମୂ, (୪)

କିମ୍ବା ଦାବାନଳଚକ୍ର ଯଥା କେଶରିକି,

ମାତ୍ର ଭରସିଲେ ନାହିଁ ପାଖେ ପଶିବାକୁ

ମୂର୍ତ୍ତିମନ୍ତ କାଳପ୍ରାୟେ ତ୍ରାସେ ତାଙ୍କୁ ମଣି,

ମୂର୍ତ୍ତିମନ୍ତ କାଳପ୍ରାୟେ ଶାର୍ଦ୍ଦୂଳବଂଶର (୫)

ବାମଣ୍ଡାକୁମାର ବୁଧ-ଚକୋର-ଚନ୍ଦ୍ରିମା,

ହେ ସଚ୍ଚିଦାନନ୍ଦ, ତୁମ୍ଭ ପାରିଧିର ସ୍ଥଳୀ-

 

(୧)

ଲଘୁହସ୍ତ-ବେଗଗାମୀ ହସ୍ତ ।

(୨)

କୃଷୀବଳଦାତ୍ରେ-କୃଷକଙ୍କ ଦାଆରେ ।

(୩)

ଧନୁ ଅର୍ଥାତ୍ ପୌଷମାସରେ ଧାନକଟା ଯୋଗୁଁ କୃଷକମାନଙ୍କ ଗୃହ ଶସ୍ୟରେ ପୂର୍ଣ୍ଣ ଥାଏ ।

(୪)

କୁରୁସେନା ଚକ୍ରବ୍ୟୂହଦ୍ୱାରା ଅଭିମନ୍ୟୁକୁ ଯେପରି ବେଢ଼ିଥିଲେ ।

(୫)

ବାମଣ୍ଡା ଯୁବରାଜ ଶ୍ରୀ ସଚ୍ଚିଦାନନ୍ଦ ଦେବ ଯେମନ୍ତ ବିଦ୍ୟାରସିକ, ମୃଗୟାରେ ସେହିପରି ସିଦ୍ଧହସ୍ତ ।

 

 

ଚୂଳିଆ-ଅଚଳତଟୁଁ ଶାର୍ଦ୍ଦୂଳ ଯେସନେ (୧)

ଓହ୍ଳାନ୍ତେ ଶିକାରଲୋଭେ ବ୍ରାହ୍ମୀତୀରଭୂମେ,

ତେଣ୍ଟା, ଏକମୁନା, ଟାଙ୍ଗି ଆଦି ଶସ୍ତ୍ର ଧରି

ବେଢ଼ନ୍ତି ଚୌଦିଗେ ତାକୁ ମହିଷାଳେ ଯାଇ

ଦଳେ ଦଳେ, ମହୋତ୍ସବେ, ମହାକୋଳାହଳେ,

ଅକ୍ଷୁବ୍‌ଧ ସେ ଆକ୍ରମଣେ, ନିର୍ଭୀକ ସ୍ୱଭାବେ,

ଉଭା ହୋଇ ଏକଠାବେ ରହେ ମହାବଳୀ

ମହାବଳ, ଅରିଦଳ ତୃଣ କରି ଗଣି,

ଫୁଲାଇ ତା ବପୁ ରୋଷେ, ରକ୍ତାକ୍ଷ ବୁଲାଇ

ଚାହୁଁ ଥାଏ କ୍ଷଣେ କ୍ଷଣେ ବିଦ୍ୟୁତ-ଚାହାଣି;

ମୁହୁର୍ମୁହୁ ଭୂମିତଳେ ଲାଙ୍ଗୁଳ କଚାଡ଼ି

ପ୍ରକଟି ଦଶନପାଟି ମାରଇ ହାକୁଟି,

ମହାକ୍ଷତ୍ରିୟ ସେ ଯେଣୁ, ପଛକୁ ହଟିବା, (୨)

ଅବା ପଳାୟନେ କେବେ ନ ବଳାଏ ମତି,

ତେସନେ ଅମର୍ଷୀବୀର ପରପୁରଞ୍ଜୟୀ,

ଉର୍ଜସ୍ୱଳ କିବା ବଳ କି ଶିକ୍ଷାକୌଶଳେ,

 

(୧)

ଚୂଳିଆ-ବାମଣ୍ଡା ରାଜ୍ୟର ଗୋଟିଏ ଉଚ୍ଚ ପର୍ବତ, ବ୍ରାହ୍ମୀନଦୀର ଅଦୂରବର୍ତ୍ତୀ ।

(୨)

ଜାଙ୍ଗଳପ୍ରଦେଶର ଲୋକେ ବାଘକୁ ‘‘ମହାକ୍ଷତ୍ରିୟ’’ ବୋଲନ୍ତି ।

 

ଶୋଭିଲେ ଅକ୍ଷୋଭେ, ସେହିପରି-ପରିବେଶେ; (୧)

ଆକ୍ରମଣେ ଅଗ୍ରସର ହୋଇ କେତେ ଶୂରେ

ଅଗ୍ରସର ହେଲେ ମାତ୍ର-କୃତାନ୍ତ ସଦନେ,

ପ୍ରଦୀପର ଶିଖାସ୍ପର୍ଶେ ପତଙ୍ଗ ଯେପରି,

ଏକକ ସେ ଦିଶୁଥିଲେ ଅୟୁତ ପରାୟେ

ଶତ୍ରୁନେତ୍ରେ, ପ୍ରତିଜନେ ପ୍ରତିଯୋଧରୂପେ; (୨)

ମହାଶୂଳୀ ଅଜାମିଳେ ପ୍ରାଣପଣେ ଯୁଝି,

ଶୂଳେ ଅରି ପରେ ଅରି ପ୍ରେରି ପ୍ରେତପୁରେ

ଭେଦି ନା ପାରିଲେ ସେହି ଯବନ-ପାଚେରୀ

ଅଭେଦ୍ୟ, ଅଭେଦ୍ୟ ଯଥା କୁରୁଅନୀକିନୀ

ଚକ୍ରବ୍ୟୃହେସଜ୍ଜୀଭୂତ ଦ୍ରୋଣର ଭିଆଣେ; (୩)

ଢାଲେ ଢାଲ, ଭଲ୍ଲେ ଭଲ୍ଲ, କିରୀଟ କିରୀଟେ,

କଙ୍କଟ କଙ୍କଟେ ଜାକି ହୋଇ ସେ ପ୍ରାଚୀର

ଦିଶିଲା ଭାସ୍ୱର, ଯେହ୍ନେ ଶାରଦପ୍ରଭାତେ

ପ୍ରାଚୀପଟେ ରାଜା ସ୍ୱର୍ଣ୍ଣବର୍ଣ୍ଣ-ମେଘରାଜି

 

(୧)

ଅରିପରିବେଶେ-ଶତ୍ରୁ ଚକ୍ର ମଧ୍ୟରେ ।

(୨)

ଅମର୍ଷୀ ଏକା ହୋଇ ସୁଦ୍ଧା ଦଶସହସ୍ର ପ୍ରାୟ ବୋଧ ହେଉଥିଲେ । ପ୍ରତ୍ୟେକ ଯୋଦ୍ଧା ତାହାଙ୍କୁ ଆପଣାର ପ୍ରତିଯୋଦ୍ଧା ମଣିଲା ।

(୩)

ଦ୍ରୋଣାଚାର୍ଯ୍ୟଙ୍କର ଚକ୍ରବ୍ୟୂହରଚନାପ୍ରସଙ୍ଗ ମହାଭାରତରେ ଅନୁସନ୍ଧେୟ ।

 

ତମୋଜୟୀ ତପନର ଉପକାର୍ଯ୍ୟରୂପେ, (୧)

କିମ୍ବା ବହ୍ନି ଆସ୍ତରଣ ଯେହ୍ନେ ବେଣାବନେ,

ଆଲୋକେ ଯା ଶୀତରାତ୍ରେ କନିକା ଅଞ୍ଚଳେ

ମୃଗସଦ୍‌ କଚ୍ଛଭୂମି ଲାବଣସୈନ୍ଧବୀ (୨)

ଦିଗ୍‌ବାରଣରୂପେ ସେବି ସିନ୍ଧୁବାହୀ ନାବେ; (୩)

ଅମର୍ଷୀଙ୍କି ଦେଖି ଘୋର ବିପଦେ କବଳେ,

ପରନ୍ତପପୃଥୁ ଦେଲେ ଦୂରୁଁ ଝପଟାଇ

ଅଶ୍ୱବର, ପୃଥୁ ସଙ୍ଗେ ଆସିଲେ ଦଉଡ଼ି

ଅଙ୍ଗଦେଶିସାଦିଦଳ ବିଜୁଳିର ବେଗେ,

ଘର୍ଘରେ ଚଳାଇ ରଥ ଦିଲ୍ଲୀପୁରୀ-ରଥୀ

ଆସିଲେ, ରଥାଙ୍ଗେ ବେଗେ ରକ୍ତ ଛିଟିକାଇ (୪)

 

(୧)

ତମୋଜୟୀ ସୂର୍ଯ୍ୟଦେବଙ୍କର ତମ୍ବୁସ୍ୱରୂପ ଯେଉଁ ସ୍ୱର୍ଣ୍ଣବର୍ଣ୍ଣ ମେଘମାଳା ଶରତ୍‌ପ୍ରଭାତରେ ପୂର୍ବଦିଗରେ ଶୋଭାଯାଏ, ଅସ୍ତ୍ରୋଜ୍ଜ୍ୱଳ ଯବନପ୍ରାଚୀର ସେହିପରି ଦିଶୁଥିଲା ।

(୨)

କନିକା ଅଞ୍ଚଳରେ ସମୁଦ୍ରତଟର ଅଦୂରରେ ବହୁଦୂରବ୍ୟାପୀ ବେଣାବନ ଦେଖାଯାଏ । ଏହି ବେଣାବନରେ ଅସଂଖ୍ୟ ହରିଣ ଦେଖାଯାନ୍ତି । ଶୀତ ଋତୁରେ ଏହି ବେଣାବନରେ ଅଗ୍ନି ଲାଗି ବହୁକ୍ରୋଶବ୍ୟାପୀ ଅଗ୍ନି ପ୍ରାଚୀରବତ୍‌ ଦିଶେ । ଲାବଣସୈନ୍ଧବୀ-ଲବଣସିନ୍ଧୁ ସମ୍ବନ୍ଧୀୟ, କଚ୍ଛଭୂମିର ବିଶେଷଣ।

(୩)

ନାବିକମାନେ ସମୁଦ୍ରରେ ଏହି ଅଗ୍ନିପ୍ରାଚୀର ଦେଖି ସମୟସମୟରେ ଦିଗ ନିରୂପଣ କରନ୍ତି-

(୪)

ରଥାଙ୍ଗେ-ରଥଚକ୍ରଦ୍ୱାରା ।

 

କବନ୍ଧ-ବନ୍ଧୁର ପଥେ, ପୃଥୁଙ୍କ ସଙ୍କେତେ (୧)

ଆସିଲେ ସୈନ୍ଧବୀଚମୂ ମନୋରଥଗତି,

ପିତ୍ତଳବର୍ମ୍ମିତ ବତ୍ସଦେଶୀ-ଅଶ୍ୱବାରେ

ତୀକ୍ଷ୍‌ଣଭଲ୍ଲଧାରୀ ଖରେ ମିଳିଲେ ତକ୍ଷଣେ,

କାଶ୍ମୀରୀ ସହିତେ ଯୁଝୁଥିଲେ ଯେ ଅଦୂରେ,

ସୌରସେନୀ ଶୂରବୃନ୍ଦ ଆସିଲେ ଦଉଡ଼ି,

ମତ୍ତ-ମତଙ୍ଗଜେ ଚଢ଼ି ଆସିଲେ ନେପାଳୀ,

ସମରତରଙ୍ଗ ଏବେ ଦ୍ୱିଗୁଣେ ଉଚ୍ଛୁଳି

ଭସାଇଲା ରଙ୍ଗେ ତହିଁ ଚତୁରଙ୍ଗ ସେନା,

ବ୍ୟାଧଜାଲେ ଶିଶୁ ଦେଖି ବାଘୁଣୀ ଯେସନେ,

ମହାରୋଷେ ଗର୍ଜି ଆର୍ଯ୍ୟେ ପ୍ରଚଣ୍ଡ ବିକ୍ରମେ

ନୀରନ୍ଧ୍ର ସେ ଶତ୍ରୁଦଳେ ପକାଇଲେ ଘାଣ୍ଟି, (୨)

ଅଗ୍ରସର ହୋଇ ଯେତେ ଯବନ ସାହସେ

ଓଗାଳିଲେ ବାଟ, ପଡ଼ି କାମୋଡ଼ିଲେ ମାଟି,

ମୂହର୍ତ୍ତେ ଯବନବ୍ୟୂହ ବୀରେନ୍ଦ୍ର-କେଶରୀ

 

ଭେଦି ଆର୍ଯ୍ୟ-ସେନାନୀକି ଉଦ୍ଧରିଲେ ତହୁଁ

କରବାଳେ ବାଟ କାଟି ପୃଥୁ ପୃଥୁଯଶା

 

(୧)

କବନ୍ଧବନ୍ଧୁରପଥ-ଶବବନ୍ଧୁର ମାର୍ଗରେ ।

(୨)

ନୀରନ୍ଧ୍ର-ଅତି ନିବିଡ଼ ।

 

ସେ ରଣଶୋଣିତ ପଙ୍କ-ପିଚ୍ଛିଳ-ପ୍ରାଙ୍ଗଣେ; (୧)

ସେ ସଙ୍କଟୁଁ ମୁକ୍ତ ହୋଇ ଶୋଭିଲେ ସେନାନୀ

ମେଘମୁକ୍ତ ଶଶୀ ଯଥା, ଶୀତାନ୍ତେ ଅଥବା

ନିର୍ମୋକନିର୍ମୁକ୍ତ ଯଥା ଉର୍ଦ୍ଧ୍ୱଫଣା ଫଣୀ; (୨)

ବାୟୁକୁ ସାରଥି ପାଇ ବିଭାବସୁ ପ୍ରାୟେ (୩)

ବିପିନେ, ଅମର୍ଷୀ ପୃଥୁ ଯୁଝି ଏକସ୍ଥାନେ

ଦୁର୍ବାର ବେନିଏ ହେଲେ ବଇରିବିଭ୍ରାଟେ, (୪)

ବିକଟ ଯବନ ଥାଟ ହଟିଲା ସତ୍ରାସେ

ଉତ୍‌କେଶର-ହରି- ଆଗେ କରିପ ପ୍ରାୟେ (୫)

ଭଙ୍ଗଦେଲା ଠାବେ ଠାବେ ଯବନପୃତନା,

ପଛ ପଳାୟକବୃନ୍ଦେ ପଛୁଁ ହାଣି ହାଣି

ଦୁର୍ଦ୍ଦିନ ଭିଆଇ ତାଙ୍କ ରୁଧିର-ଆସାରେ, (୫)

ତଡ଼ିନେଇଗଲେ ବୈରିଦଳେ ବେନିବୀରେ,

ମହାବାତ୍ୟା ଯଥା, ଅମା-ସୌରି-ସ୍ୱାତିଯୋଗେ, (୭)

 

(୧)

ରକ୍ତପିଚ୍ଛିଳ-ରଣଭୂମି । ନିର୍ମୋକନିର୍ମୂକ-କାତି ଛାଡ଼ିଥିବା ।

(୨)

ବିଭାବସୁ-ଅଗ୍ନି ।

(୩)

ବୈରିବିଭ୍ରାଟେ-ଶତ୍ରୁମର୍ଦ୍ଦନରେ ।

(୪)

ଉତ୍କେଶର ହରି-ସ୍ଫୀତକେଶର ସିଂହ ।

(୫)

ଦୁର୍ଦ୍ଦିନ-ବର୍ଷାଦିନ, ରୁଧିର-ଆସାରେ-ରକ୍ତବୃଷ୍ଟିରେ

(୬)

ଅମାବାସ୍ୟା, ଶନିବାର, ସ୍ୱାତି ନକ୍ଷତ୍ର ଏ ତିନିଙ୍କର ଏକତ୍ରଯୋଗ ମହାବାତ୍ୟାସୂଚକ ।

Image